Unknown

 

 

 

 

 

 

 

 

 

 

 

ତପସ୍ଵିନୀ ପରିଚୟ

ଅଧ୍ୟାପକ ଦେବେନ୍ଦ୍ର ମହାନ୍ତି

 

ନିଜକଥା

 

କବିବର ଗଙ୍ଗାଧର ମେହେରଙ୍କର କବିପ୍ରତିଭାର ପରିଚୟ ଏ ଦେଶବାସୀ ଯେ ଉତ୍ତମ ଭାବରେ ପାଇଅଛନ୍ତି, ଏହା ନିଃସନ୍ଦେହ । ତାଙ୍କର କାବ୍ୟ କବିତା ମଧ୍ୟରେ ଯେଉଁ ଅମୃତ-ନିଃସ୍ୟନ୍ଦିନୀ ଧାରା ପ୍ରବାହିତ, ତାହା ଏ ଦେଶର ରସପିପାସୁ ପାଠକଗଣ ନିଶ୍ଚିତ ଭାବରେ ଉପଲବ୍‍ଧି କରିଅଛନ୍ତି । ଆଧୁନିକ ଓଡ଼ିଆ ସାହିତ୍ୟରେ ଗଙ୍ଗାଧର ଏକ ସ୍ଵତନ୍ତ୍ର ଆସନର ଅଧିକାରୀ-। ଓଡ଼ିଆ କାବ୍ୟସାହିତ୍ୟକୁ ପ୍ରକୃଷ୍ଟ ରୂପରେ ଆଧୁନିକ ଛାଞ୍ଚରେ ଗଢ଼ିବାକୁ ଯାଇ ସେ ଯେଉଁ ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ କରିଅଛନ୍ତି, ତାହା ବିସ୍ତୃତ ହେବାର ନୁହେଁ । ତାଙ୍କର କାବ୍ୟାଦର୍ଶ ଅତ୍ୟାଧୁନିକ ଯୁଗର ବହୁ କବିଙ୍କ ଦ୍ଵାରା ଅନୁସୃତ ହେଉଅଛି । ଯୁଗର ସ୍ଵାଭାବିକ ପରସ୍ଥିତିରେ ତାଙ୍କ ଉପରେ କେଉଁ କବିଙ୍କର କିପରି ପ୍ରଭାବ ପଡ଼ିଅଛି, ତାହା ହିସାବ କରି ଦେଖାଇବା ଏ ଆଲୋଚନାର ଉଦ୍ଦେଶ୍ୟ ନୁହେଁ-। ଗଙ୍ଗାଧର କାଳିଦାସଙ୍କର କେଉଁ ଶ୍ଳୋକକୁ କିପରି ଭାବରେ ଅନୁବାଦ କରିଅଛନ୍ତି ବା ଅନୁସରଣ କରିଅଛନ୍ତି, ରାଧାନାଥଙ୍କର କେଉଁ କେଉଁ ପଦ ତାଙ୍କ ରଚନା ସହିତ କେତେକାଂଶରେ ମିଳି ଯାଉଅଛି ଏ ସବୁ ଆଲୋଚନା କରି ସମାଲୋଚକ ନିଜର ଜ୍ଞାନ ଗୌରବର ପରିଚୟ ଦେଇପାରେ-। ମାତ୍ର ଏହାଦ୍ଵାରା ଗଙ୍ଗାଧରଙ୍କର କବିପ୍ରତିଭାର କୌଣସି ଦିଗ ଉପରେ ଆଲୋକପାତ କରାଯାଇ ପାରିବ ନାହିଁ ।

 

ଆଧୁନିକ ଓଡ଼ିଆ ସାହିତ୍ୟର ସମାଲୋଚନାରେ ଅଧୁନାତନ କାଳରେ ବହୁପ୍ରକାର ଆଲୋଚନା ପାଠକର ଦୃଷ୍ଟିପଥାରୂଢ଼ ହେଉଅଛି । କବି-ଜୀବନ ଉପରେ ସମୟ ଓ ପାରିପାର୍ଶ୍ଵିକ ପରସ୍ଥିତି କି ପ୍ରଭାବ ପକାଇପାରେ, ସେ କଥା ମଧ୍ୟ ଅନେକ ଆଲୋଚକ ପ୍ରଦର୍ଶନ କରିଅଛନ୍ତି । ତଥାପି ମନେହୁଏ, ଆମର ଆଲୋଚନା ବା ସମାଲୋଚନା ଅନେକ ସମୟରେ ପର୍ଯ୍ୟାପ୍ତ ହୋଇପାରୁ ନାହିଁ ।

 

କବି ଗଙ୍ଗାଧର ମେହେର ନିଜ ଜୀବନରେ ଯେଉଁ ସବୁ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ, ସେ ସବୁ ସତେ ଯେପରି ତାଙ୍କରି ଲେଖନୀର ସୃଷ୍ଟି ମଧ୍ୟରେ ଲୁଚି ରହିଅଛି । କବି ତାଙ୍କର ଜୀବନରେ ଶ୍ରେଷ୍ଠ ସ୍ଥାନ ଦେଇ ଅଛନ୍ତି କରୁଣ ରସକୁ । ରସ ମଧ୍ୟରେ କରୁଣ ରସହିଁ ପ୍ରଧାନ । କବିଙ୍କର ରଚନାର ଅନ୍ତଃସ୍ଵର କରୁଣରସ ପ୍ରଧାନ । ତପସ୍ଵିନୀ ସୀତାଙ୍କ ଜୀବନର କରୁଣ ଚିତ୍ର ଅଙ୍କନ କରି କବି ଯେପରି ଭାବରେ ନିଜର ଅମର ପ୍ରତିଭାର ପରିଚୟ ଦେଇଅଛନ୍ତି, ତାହା ଏକାନ୍ତ ଅନବଦ୍ୟ ।

 

ସେହି ତପସ୍ଵିନୀ କାବ୍ୟର କେତେକ ନିର୍ଦ୍ଦିଷ୍ଟ ଦିଗ ପ୍ରତି ଦୃଷ୍ଟିରଖି “ତପସ୍ଵିନୀ ପରିଚୟ”ର ସୃଷ୍ଟି । ପାଠକ ପାଠିକାମାନଙ୍କ ନିକଟରେ ଏହା ଗଙ୍ଗାଧର ସୃଷ୍ଟି ସମ୍ପଦର ସମ୍ୟକ ପରିଚୟ ଦେଇପାରିବ ବୋଲି ଆଶାକରେ । ଇତି ।

 

ଲେଖକ

★★★

 

ସୂଚିପତ୍ର

 

୧.

ଆଧୁନିକ ଓଡ଼ିଆ ସାହିତ୍ୟ ଓ ଗଙ୍ଗାଧର

୨.

ତପସ୍ଵିନୀ କାବ୍ୟ ରଚନାର ପୃଷ୍ଠଭୂମି

୩.

ତପସ୍ଵିନୀରେ ସୀତା-ଚରିତ୍ର

୪.

ତପସ୍ୱିନୀରେ ରାମ ଚରିତ୍ର

୫.

ତପସ୍ଵିନୀରେ ବାଲ୍ମୀକି

୬.

ତପସ୍ଵିନୀରେ ଅନୁକମ୍ପା

୭.

ତପସ୍ୱିନୀରେ ଲବକୁଶ

୮.

ତପସ୍ଵିନୀରେ ଲକ୍ଷ୍ମଣ

୯.

ତପସ୍ଵିନୀରେ ରାବଣ

୧୦.

ତପସ୍ଵିନୀରେ ରଘୁବଂଶର ପ୍ରଶସ୍ତି

୧୧.

ତପସ୍ଵିନୀରେ ଅଯୋଧ୍ୟାର ଦୃଶ୍ୟ

୧୨.

ତପସ୍ଵିନୀରେ ରାବଣପୁରୀ

୧୩.

ତପସ୍ଵିନୀରେ ଆଦର୍ଶ ପତ୍ନୀର ଚିତ୍ର

୧୪.

ତପସ୍ଵିନୀରେ ଆଦର୍ଶ ଜନନୀ

୧୫.

ତପସ୍ଵିନୀରେ ଆଶ୍ରମ ବର୍ଣ୍ଣନା

୧୬.

ତପସ୍ୱିନୀରେ ସାମାଜିକ ଚଳଣି ଓ ପରମ୍ପରା

୧୭.

ତପସ୍ୱିନୀରେ ଆଦର୍ଶ ଶାସକର ଚିତ୍ର

୧୮.

ତପସ୍ଵିନୀରେ ପ୍ରକୃତି ଚିତ୍ର

୧୯.

ତପସ୍ୱିନୀରେ କବିଙ୍କର ସୌନ୍ଦର୍ଯ୍ୟ-ପ୍ରିୟତା

୨୦.

ତପସ୍ୱିନୀରେ କବିଙ୍କର ବର୍ଣ୍ଣନାଶୈଳୀ

୨୧.

ତପସ୍ଵିନୀରେ କବି ଜୀବନର ପ୍ରତିଫଳନ

୨୨.

ତପସ୍ଵିନୀର ନାମକରଣର ସାର୍ଥକତା

୨୩.

ଓଡ଼ିଆ ସାହିତ୍ୟରେ ତପସ୍ଵିନୀର ସ୍ଥାନ

୨୪.

ଆଧୁନିକ ଓଡ଼ିଆ ସାହିତ୍ୟକୁ ଗଙ୍ଗାଧରଙ୍କ ଦାନ

★★★

 

ଆଧୁନିକ ଓଡ଼ିଆ ସାହିତ୍ୟ ଓ ଗଙ୍ଗାଧର

 

ଓଡ଼ିଆ ସାହିତ୍ୟର ଆଦିମ କାଳରୁ କେବଳ କାବ୍ୟ କବିତାର ସୃଷ୍ଟି ହିଁ ସାହିତ୍ୟକୁ ରୁଦ୍ଧିମନ୍ତ କରିଆସିଛି । ଓଡ଼ିଆ ସାହିତ୍ୟର ଆଦିଯୁଗଠାରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ କାବ୍ୟ କବିତାର ନିରବଚ୍ଛିନ୍ନ ଧାରା ବହୁ କବିଙ୍କର ଲେଖନୀରେ ପୁଷ୍କଳ ହୋଇଅଛି । ଆଧୁନିକ ଯୁଗରେ ଗଦ୍ୟସାହିତ୍ୟର ପ୍ରାଧାନ୍ୟ ପରିଦୃଷ୍ଟ ହୋଇଥିଲେ ହେଁ ପଦ୍ୟସାହିତ୍ୟର ପ୍ରାଧାନ୍ୟ କୌଣସିମତେ ନ୍ୟୂନ ହୋଇନାହିଁ । କାବ୍ୟଯୁଗରେ ଉପେନ୍ଦ୍ରଭଞ୍ଜ ଓଡ଼ିଆ କାବ୍ୟ ସାହିତ୍ୟକୁ ଯେଉଁ ସ୍ଵତନ୍ତ୍ର ଆଦର୍ଶରେ ଗତିଶୀଳ କରାଇଥିଲେ ତାହା ଉପେନ୍ଦ୍ରଭଞ୍ଜଙ୍କ ପରେ ବହୁ କବିଙ୍କଦ୍ଵାରା ଅନୁସୃତ ହୋଇଥିଲେ ହେଁ ଆଧୁନିକ ଯୁଗରେ ସେ ଆଦର୍ଶର ଅବସାନ ଘଟିଲା । ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗରେ ସ୍ରଷ୍ଟା କବିବର ରାଧାନାଥ ଆଧୁନିକ ଓଡ଼ିଆ ସାହିତ୍ୟର ଯେଉଁ ନୂତନ ପରମ୍ପରା ସୃଷ୍ଟିକଲେ ତାହା ଆଧୁନିକ ଯୁଗର ପ୍ରତ୍ୟେକ କବି ନିକଟରେ ଅନୁସରଣୀୟ ହୋଇ ଉଠିଲା । କବିବର ରାଧାନାଥ କାବ୍ୟ କବିତା ରଚନା କରି, ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ବହୁ କବିଙ୍କୁ ପ୍ରଭାବିତ କରି ଓଡ଼ିଆ ସାହିତ୍ୟର ପ୍ରାଣ ପ୍ରତିଷ୍ଠାଲାଗି ଯେଉଁ ସାଧନା କରିଥିଲେ ତାହା ତାଙ୍କର କୃତି-

 

କବିବର ରାଧାନାଥ ପ୍ରଥମରେ ବଙ୍ଗଳା ଭାଷାରେ କବିତା ରଚନା କରୁଥିଲେ । ଭୂଦେବ ମୁଖୋପାଧ୍ୟାୟଙ୍କଠାରୁ ପ୍ରେରଣା ଲାଭକରି ରାଧାନାଥ ଓଡ଼ିଆରେ କାବ୍ୟ କବିତା ରଚନାର ପ୍ରୟାସ କଲେ । ସେତେବେଳକୁ ମଧ୍ୟ ଓଡ଼ିଆ ସାହିତ୍ୟରେ ଭଞ୍ଜ ପ୍ରଭାବିତ କାବ୍ୟ କବିତାର ଆଦର ଯଥେଷ୍ଟ ଭାବରେ ଥିଲା । ମାତ୍ର ଯୁଗସ୍ରଷ୍ଟା ରାଧାନାଥ ନିଜର ସାଧନା ବଳରେ ଓଡ଼ିଆ ସାହିତ୍ୟରେ ଯେଉଁ ନୂତନ ରୁଚିର ସୃଷ୍ଟିକଲେ ସେହି ନୂତନ ରୁଚି ଆଧୁନିକ ଓଡ଼ିଆ ସାହିତ୍ୟକୁ ପ୍ରତିଷ୍ଠିତ କରିବା ଦିଗରେ ପ୍ରଧାନ ସହାୟକ ହୋଇଥିଲା ।

 

କବିବର ରାଧାନାଥ ବହୁଭାଷାରେ ପାଣ୍ଡିତ୍ୟ ଅର୍ଜନ କରିଥିବାରୁ ବିଭିନ୍ନ ଭାବରେ ବିଭିନ୍ନ ଭାଷା ସାହିତ୍ୟରୁ ଆହରଣ କରିଥିବା ଜ୍ଞାନରାଶିକୁ ସେ ଓଡ଼ିଆ ସାହିତ୍ୟକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ବିନିଯୋଗ କରିଥିଲେ । କାବ୍ୟର କଥାବସ୍ତୁ, ଆଙ୍ଗିକ ଓ ଆତ୍ମିକ ଉପାଦାନ, ଚରିତ୍ର ଚିତ୍ରଣ, ସ୍ୱଦେଶବତ୍ସଳତା ପ୍ରଭୃତି ଦୃଷ୍ଟିରୁ ସେ ଏକ ନୂତନ ଦିଗ୍‍ଦର୍ଶନର ସନ୍ଧାନ ଦେଲେ । ଆଧୁନିକ ଯୁଗର ପ୍ରାୟ ସମସ୍ତ କବି ବା ସ୍ରଷ୍ଟା ରାଧାନାଥଙ୍କର ଆଦର୍ଶକୁ ଅନୁସରଣ କରି ନିଜ ନିଜ ସୃଷ୍ଟି ପ୍ରତିଭାର ପରିଚୟ ଦେଲେ ।

 

ରାଧାନାଥଙ୍କର ପ୍ରଧାନ ପ୍ରଧାନ କାବ୍ୟ ଗୁଡ଼ିକର କଥାବସ୍ତୁ ମୁଖ୍ୟତଃ ବିଦେଶୀ ସାହିତ୍ୟରୁ ଗୃହୀତ । ରାଧାନାଥ ଅନେକ ସ୍ଥଳରେ ବିଦେଶୀ କଥାବସ୍ତୁକୁ ସ୍ଥାନୀୟ କିମ୍ବଦନ୍ତୀ ସହିତ ଏପରି ଭାବରେ ମିଶାଇ ଦେଇ କାବ୍ୟଗଠନ ରୀତିରେ ସ୍ଵାତନ୍ତ୍ର୍ୟ ପ୍ରଦର୍ଶନ କରିଅଛନ୍ତି ଯେ ତାହା ରାଧାନାଥଙ୍କର, କବିପ୍ରତିଭାର ଅମର ସଙ୍କେତ ପ୍ରଦର୍ଶନ କରିଅଛି । କେଦାରଗୌରୀ, ଚନ୍ଦ୍ରଭାଗା, ପାର୍ବତୀ, ନନ୍ଦିକେଶ୍ଵରୀ ପ୍ରଭୃତି କାବ୍ୟଗୁଡ଼ିକର କଥାବସ୍ତୁରେ ଏହି ଦୃଷ୍ଟିରୁ ନୂତନତା ଦେଖାଯାଏ । ରାଧାନାଥଙ୍କ ପୂର୍ବରୁ କାବ୍ୟକବିତାମାନଙ୍କରେ ପ୍ରକୃତି ଆନୁସଙ୍ଗିକ ଭାବରେ ବର୍ଣ୍ଣିତ ହେଉଥିଲା । ମାତ୍ର ରାଧାନାଥ ପ୍ରକୃତିକୁ ଏକ ସ୍ଵତନ୍ତ୍ର ସ୍ଥାନ ପ୍ରଦାନ କରିଅଛନ୍ତି । ତାଙ୍କର କାବ୍ୟଗୁଡ଼ିକରେ ଉତ୍କଳ–ପ୍ରକୃତି ଜୀବନ୍ତ । ରାଧାନାଥ ପ୍ରକୃତିକୁ ପ୍ରାଧାନ୍ୟ ଦେବା ପାଇଁ ଚିଲିକାକାବ୍ୟ ରଚନା କରି ତାଙ୍କର ଅପୂର୍ବ କବିତ୍ଵର ପରିଚୟ ପ୍ରଦାନ କରିଅଛନ୍ତି । ମହାଯାତ୍ରା ମହାକାବ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ଉନ୍ନତ ସୋପାନରେ ପହଞ୍ଚାଇବା ପାଇଁ ସେ ଯେଉଁ ପ୍ରୟାସ କରିଥିଲେ ତାହା ପୂର୍ଣ୍ଣତା ଲାଭ କରି ପାରିଲା ନାହିଁ । ଅମିତ୍ରାକ୍ଷର ଛନ୍ଦରେ ମହାକାବ୍ୟ ରଚନା କରିବାର ପ୍ରୟାସ ଏ ସାହିତ୍ୟରେ ରାଧାନାଥ ହିଁ ପ୍ରଥମେ କରିଥିଲେ । ରାଧାନାଥଙ୍କର କାବ୍ୟଗଠନ ପରିପାଟୀକୁ ଉତ୍ତମରୂପେ ହୃଦୟଙ୍ଗମ କରି ନ ପାରି ତାଙ୍କର ସମସାମୟିକ ଅନେକ ସାହିତ୍ୟରସିକ ତାଙ୍କୁ ବିଶେଷଭାବରେ ନିନ୍ଦା କରିଥିଲେ । ପରବର୍ତ୍ତୀକାଳରେ ରାଧାନାଥଙ୍କର ସାହିତ୍ୟ ସାଧନାର ପ୍ରକୃଷ୍ଟ ରୂପ ଏ ଦେଶବାସୀଙ୍କ ନିକଟରେ ବିଶେଷ ଭାବରେ ପରିଚିତ ଲାଭ କରିଅଛି । ରାଧାନାଥଙ୍କର ବୈଶିଷ୍ଟ୍ୟ ଆଧୁନିକ ଓଡ଼ିଆ ସାହିତ୍ୟରେ ସ୍ଵୀକୃତିଲାଭ କରିଅଛି ।

 

କବିବର ରାଧାନାଥଙ୍କର ସମସାମୟିକ ତଥା ତାଙ୍କର ଛାତ୍ର ଭକ୍ତକବି ମଧୁସୂଦନ ରାଓ ଆଧୁନିକ ଓଡ଼ିଆ ସାହିତ୍ୟରେ ଜଣେ ବିଶିଷ୍ଟ କବି । ସେ ଓଡ଼ିଆ ସାହିତ୍ୟରେ ବ୍ରାହ୍ମଧର୍ମ ପ୍ରଭାବିତ ଆଧ୍ୟାତ୍ମିକ ଭାବଧାରାର ପ୍ରଚାର କରି ଯଶସ୍ଵୀ ହୋଇଅଛନ୍ତି । ତାଙ୍କର କବିତାଗୁଡ଼ିକରେ ପାଠକ ଆଧ୍ୟାତ୍ମିକ ଭାବଧାରାର ବିଶେଷ ପରିଚୟ ପାଇଥାଏ । ଋଷିପ୍ରାଣେ ଦେବାବତରଣ, ଜୀବନଚିନ୍ତା ପ୍ରଭୃତି ତାଙ୍କର ଉଚ୍ଚଧରଣର ସୃଷ୍ଟି । ଓଡ଼ିଆ ଭାଷା ଶିକ୍ଷା ଉଦ୍ଦେଶ୍ୟରେ ସେ ଯେଉଁ ବର୍ଣ୍ଣବୋଧ ରଚନା କରିଥିଲେ ତାହା ଅଦ୍ୟାପି ଓଡ଼ିଶାରେ ସୁଖ୍ୟାତିର ସହିତ ପ୍ରଚଳିତ । ମଧୁସୂଦନଙ୍କର ଆଧ୍ୟାତ୍ମିକ ଦୃଷ୍ଟିକୋଣ ଯୋଗୁଁ ତାଙ୍କୁ ଭକ୍ତକବି ଭାବରେ ଗ୍ରହଣ କରାଯାଇଅଛି ।

 

ବ୍ୟାସକବି ଫକୀରମୋହନ କାବ୍ୟ କବିତା ରଚନା ସୃଷ୍ଟିରେ ମନପ୍ରାଣ ଢାଳିଦେଇଥିଲେ ସତ, ମାତ୍ର କାବ୍ୟକବିତା ତାଙ୍କୁ ଉପଯୁକ୍ତ କବି ଭାବରେ ପରିଚିତ କରାଇନାହିଁ । ତାଙ୍କର କବିତା ଆଧୁନିକ ଯୁଗରେ ବିଶେଷଭାବରେ ଆଦୃତ ହୋଇପାରି ନାହିଁ । ଫକୀର ମୋହନଙ୍କ ଜୀବନର ଶେଷଭାଗରେ ଗଳ୍ପ ଓ ଉପନ୍ୟାସ ସୃଷ୍ଟି ଫଳରେ ସେ ପ୍ରକୃଷ୍ଟ ସ୍ରଷ୍ଟାର ଗୌରବ ଲାଭ କରିଅଛନ୍ତି । ଗଦ୍ୟସାହିତ୍ୟ ସୃଷ୍ଟିରେ ଫକୀରମୋହନ ଅତ୍ୟନ୍ତ ପ୍ରାଧାନ୍ୟ ଲାଭ କରିଥିବାରୁ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗକୁ ଅନେକ ସମାଲୋଚକ ଫକୀରମୋହନ ଯୁଗ ନାମରେ ନାମିତ କରି ଫକୀର ମୋହନଙ୍କୁ ଯୁଗସ୍ରଷ୍ଟାର ଗୌରବ ପ୍ରଦାନ କରିଥାଆନ୍ତି ।

 

ଆଧୁନିକ ଯୁଗର ଅନ୍ୟତମ ସୁନାମଧନ୍ୟ କବି ନନ୍ଦକିଶୋର ବଳ କାବ୍ୟ କବିତା ଗଳ୍ପ ଓ ଉପନ୍ୟାସ ରଚନା କରିବାରେ ମନପ୍ରାଣ ଢାଳିଦେଇଥିଲେହେଁ ପଲ୍ଲୀକବିତା ରଚନା ଯୋଗୁ ସେ କେବଳ ଖ୍ୟାତି ଅର୍ଜ୍ଜନ କରିଅଛନ୍ତି । ପଲ୍ଲୀକବିତା ରଚନାରେ ତାଙ୍କର ସ୍ଵାତନ୍ତ୍ର୍ୟ ସ୍ଵୀକୃତିଲାଭ କରିଥିବାରୁ ତାଙ୍କୁ ଓଡ଼ିଆ ସାହିତ୍ୟର ପଲ୍ଲୀକବି ରୂପେ ଗ୍ରହଣ କରି ନିଆଯାଉଛି । ପଲ୍ଲୀର ଭଲମନ୍ଦ, ସୁଖଦୁଃଖ, ଜୀବନଚିତ୍ର ପ୍ରାକୃତିକ ପରିବେଶ, ପର୍ବପର୍ବାଣୀ ସବୁ ନନ୍ଦକିଶୋରଙ୍କର ଅମର ଲେଖନୀରେ ଏକାନ୍ତ ଭାବରେ ପୁଷ୍ପଳ ହୋଇ ଉଠିଅଛି । ନନ୍ଦକିଶୋରଙ୍କର କାବ୍ୟ ରଚନାର ଆଦର୍ଶ ରାଧାନାଥଙ୍କ ଆଦର୍ଶଠାରୁ ଭିନ୍ନ ।

 

ଆଧୁନିକ ଯୁଗର କବିମାନେ କାବ୍ୟକବିତା ସୃଷ୍ଟି ନିମିତ୍ତ ଯେପରି ଭାବରେ ଚେଷ୍ଟିତ ହୋଇ କୃତକାର୍ଯ୍ୟ ହୋଇଅଛନ୍ତି ତାହା ଲକ୍ଷ୍ୟ କରିବାର କଥା । ଆଧୁନିକ ଯୁଗର କାବ୍ୟକବିତା ସୃଷ୍ଟି କ୍ଷେତ୍ରରେ ଆଧୁନିକ ଶିକ୍ଷା ବିଶେଷ ଭାବରେ ସହାୟକ ହୋଇଅଛି । କବିବର ରାଧାନାଥ ମୁଖ୍ୟତଃ ଯେଉଁ ଆଦର୍ଶ ପ୍ରତିଷ୍ଠା କରିଥିଲେ ଅନ୍ୟ କବିମାନେ ଅଳ୍ପବହୁତ ତାଙ୍କର ଆଦର୍ଶକୁ ଅନୁସରଣ କରିଥିଲେ । କବିବର ରାଧାନାଥ, ଭକ୍ତକବି ମଧୁସୂଦନ ଓ ପଲ୍ଲୀକବି ନନ୍ଦକିଶୋରଙ୍କର କବିଜୀବନକୁ ଆଧୁନିକ ଶିକ୍ଷା ବିଶେଷ ଭାବରେ ସାହାଯ୍ୟ କରିଥିଲା । ମାତ୍ର କବି ଗଙ୍ଗାଧରଙ୍କର ସାହିତ୍ୟ ସାଧନା କ୍ଷେତ୍ରରେ ଏକ ସ୍ୱାତନ୍ତ୍ର୍ୟ ପରିଲକ୍ଷିତ ହୁଏ । କବି ଗଙ୍ଗାଧର ମଧ୍ୟଯୁଗ ଓ ଆଧୁନିକ ଯୁଗ ଉଭୟର ଆଦର୍ଶକୁ ମିଶାଇ ଦେଇ କାବ୍ୟ କବିତା ରଚନା କରି ନିଜର ସ୍ଵତନ୍ତ୍ର ଦୃଷ୍ଟିକୋଣର ପରିଚୟ ଦେଇ ଅଛନ୍ତି ।

 

ଗଙ୍ଗାଧର ମେହେର ଆଧୁନିକ ଶିକ୍ଷା ପଦ୍ଧତିରେ ଶିକ୍ଷା ପାଇ ନଥିଲେ ମଧ୍ୟ ତାଙ୍କ ଉପରେ ଆଧୁନିକ ଯୁଗର ପ୍ରଭାବ କମ୍‍ ପରିମାଣରେ ପଡ଼ିନାହିଁ । ସେ ଆଧୁନିକ ସାହିତ୍ୟ ପ୍ରତି ବିଶେଷ ଭାବରେ ଆକୃଷ୍ଟ ହୋଇଥିଲେ । ତାଙ୍କ ଜୀବନରେ କବିବର ରାଧାନାଥଙ୍କ ସହିତ ତାଙ୍କର ଯେଉଁ ସଦ୍‍ଭାବ ଥିଲା ତାହା ଫଳରେ ସେ ରାଧାନାଥଙ୍କୁ ଅନେକ ସ୍ଥଳରେ ଗୁରୁଭାବରେ ଗ୍ରହଣ କରିଥିଲେ । କବିବର ରାଧାନାଥଙ୍କ ସହିତ ତାଙ୍କର ବନ୍ଧୁତା ଏକ ମହନୀୟ ଆଦର୍ଶର ପରିଚୟ ଦେଇଅଛି । କୌଣସି କାବ୍ୟ ରଚନା କରିବା ଲାଗି ସେ ରାଧାନାଥଙ୍କର ଉପଦେଶ ଗ୍ରହଣ କରିବା ସଙ୍ଗେ ସଙ୍ଗେ କାବ୍ୟ ରଚନା କରିସାରି ତାହା ବିଷୟରେ ମତାମତ ଜାଣିବା ପାଇଁ କାବ୍ୟଟିକୁ ରାଧାନାଥଙ୍କ ନିକଟକୁ ପ୍ରେରଣ କରିଥିଲେ । କାବ୍ୟର କୌଣସି ଅଂଶ ପରିବର୍ତ୍ତନ ଲାଗି ରାଧାନାଥ ଯଦି ମତ ପ୍ରକାଶ କରୁଥିଲେ ତା ହେଲେ ସେ ଅମ୍ଳାନ ବଦନରେ ରାଧାନାଥଙ୍କର ମତକୁ ଗ୍ରହଣ କରୁଥିଲେ ।

କବିବର ରାଧାନାଥଙ୍କର ଆଦର୍ଶକୁ ଏପରି ଭାବରେ ଗ୍ରହଣ କରିଥିବା କବି ଗଙ୍ଗାଧର ରାଧାନାଥଙ୍କର ଆଦର୍ଶକୁ ଯେ ଏକାନ୍ତ ଅନ୍ଧଭାଵରେ ଅନୁସରଣ କରିଥିଲେ ଏହା କହିବା ଠିକ୍ ନୁହେଁ । କବିବର ରାଧାନାଥଙ୍କ ଚକ୍ଷୁ ସମକ୍ଷରେ ଯେତେବେଳେ ପାଶ୍ଚାତ୍ୟ ସାହିତ୍ୟର ଆଦର୍ଶ ଦେଖାଦେଇଥିଲା, ସେତେବେଳେ ଗଙ୍ଗାଧରଙ୍କ ଚକ୍ଷୁ ସମକ୍ଷରେ କେବଳ ପ୍ରାଚ୍ୟ ସାହିତ୍ୟର, ପ୍ରାଚ୍ୟ ଜୀବନର ଆଦର୍ଶ ଦେଖା ଦେଇଥିଲା । ଇନ୍ଦୁମତୀ କାବ୍ୟ ରଚନା କରିବା ପରେ ପଲ୍ଲୀକବି ନନ୍ଦକିଶୋର ଗଙ୍ଗାଧରଙ୍କ ନିକଟକୁ ଯେଉଁ ପତ୍ର ଲେଖିଥିଲେ ତହିଁରୁ ସ୍ପଷ୍ଟଭାବରେ ଜଣାଯାଏ ଯେ ଗଙ୍ଗାଧରଙ୍କ କାବ୍ୟର ଆଦର୍ଶ ରାଧାନାଥଙ୍କର କାବ୍ୟର ଆଦର୍ଶଠାରୁ ସମ୍ପୂର୍ଣ୍ଣ ପୃଥକ୍ । ଇନ୍ଦୁମତୀ କାବ୍ୟ ପାର୍ବତୀ କାବ୍ୟ ରଚନାର ଏକ ମୌନ ପ୍ରତିବାଦ ।

 

ଏ ଦେଶରେ ଯେତେବେଳେ ଇଂରେଜ ଶାସନର ଅଭ୍ୟୁଦୟ ଘଟିଲା ସେତେବେଳେ ଶିକ୍ଷା ତଥା ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ଏକ ନୂତନ ଜାଗରଣ ଦେଖା ଦେଇଥିଲା । ବହୁ କବି ବା ଲେଖକ ଇଂରେଜ ଶିକ୍ଷାର ସ୍ରୋତରେ ଭାସି ଚାଲିଲେ । ନିଜ ଦେଶର ଐତିହ୍ୟ ପରମ୍ପରାକୁ ବହୁ ଲେଖକ ଗ୍ରହଣ ନ କରି ଆଧୁନିକ ହେବା ଉଦ୍ଦେଶ୍ୟରେ ପାଶ୍ଚାତ୍ୟ ପରମ୍ପରାକୁ ଗ୍ରହଣ କରିବାକୁ ଆଗଭର ହେଲେ । ମାତ୍ର କବି ଗଙ୍ଗାଧର ଏପରି ପରିସ୍ଥିତିରେ ନିଜକୁ ସଂଯତ କରି ନିଜ ଦେଶର ପରଂପରାକୁ ଗ୍ରହଣ କରି କାବ୍ୟ କବିତା ସୃଷ୍ଟିରେ ମନ ପ୍ରାଣ ଢାଳି ଦେଇଥିଲେ । କବି ଗଙ୍ଗାଧର ଆଧୁନିକତାର ବିରୋଧୀ ନ ଥିଲେ ମାତ୍ର ଆଧୁନିକତା ନାମରେ ଅନ୍ୟର ଆଦର୍ଶକୁ ଅନୁସରଣ କରିବାରେ ସେ ପକ୍ଷପାତୀ ନ ଥିଲେ । ତେଣୁ ରାଧାନାଥ କେଦାରଗୌରୀ, ପାର୍ବତୀ, ନନ୍ଦିକେଶ୍ଵରୀ ପ୍ରଭୃତି ରଚନା କରୁଥିବା ବେଳେ ଗଙ୍ଗାଧର ପ୍ରଣୟ ବଲ୍ଲରୀ, ତପସ୍ୱନୀ, ଇନ୍ଦୁମତୀ ପ୍ରଭୃତି ରଚନା କରିଥିଲେ । ଗଙ୍ଗାଧର ମେହରଙ୍କ କାବ୍ୟଗୁଡ଼ିକ ପାଠକଲେ ଜଣାଯାଏ ସତେ ଯେପରି ଭାରତୀୟା ନାରୀର ଉଚ୍ଚ ଆଦର୍ଶ ପ୍ରକଟିତ କରିବା ଥିଲା ତାଙ୍କର ପ୍ରଧାନ ଲକ୍ଷ୍ୟ । ରାଧାନାଥ ପ୍ରକୃତିକୁ ଅବଲମ୍ବନ କରି ଚିଲିକା ରଚନା କରିବା ଦ୍ଵାରା ଗଙ୍ଗାଧରଙ୍କୁ ଉତ୍କଳଲକ୍ଷ୍ମୀ ରଚନା କରିବାକୁ ପ୍ରେରଣା ପ୍ରଦାନ କରିଛନ୍ତି । ଉତ୍କଳଲକ୍ଷ୍ମୀରେ ଗଙ୍ଗାଧର ରାଧାନାଥଙ୍କର ଉଚ୍ଛ୍ଵସିତ ପ୍ରଶଂସା କରିଅଛନ୍ତି । ଗଙ୍ଗାଧରଙ୍କର କାବ୍ୟମାନଙ୍କ ମଧ୍ୟରେ ତପସ୍ଵିନୀ ହିଁ ଶ୍ରେଷ୍ଠତମ କାବ୍ୟ ।

★★★

 

ତପସ୍ଵିନୀ କାବ୍ୟ ରଚନାର ପୃଷ୍ଠଭୂମି

 

କେବଳ ତପସ୍ଵିନୀ ନୁହେଁ, ଗଙ୍ଗାଧର ମେହେରଙ୍କର ସମସ୍ତ କାବ୍ୟ ରଚନାର ଏକ ନିର୍ଦ୍ଦିଷ୍ଟ ପଟ୍ଟଭୂମି ଅଛି । ଏ ଦେଶରେ ଲୋକେ ଯେତେବେଳେ ପ୍ରାଶ୍ଚାତ୍ୟ ଶିକ୍ଷା ଫଳରେ ନିଜକୁ ଶିକ୍ଷିତ ବୋଲି ପରିଚୟ ଦେବାକୁ ବସିଲେ ସେତେବେଳେ ସେମାନେ ବିଦେଶୀ ସଂସ୍କୃତିକୁ ଏପରି ଭାବରେ ଅନୁକରଣ କରିବାକୁ ଲାଗିପଡ଼ିଲେ ଯେ ସେମାନଙ୍କ ଚକ୍ଷୁରେ ଦେଶୀ ଜିନିଷସବୁ ଘୃଣ୍ୟ ଓ ବିଦେଶୀ ଜିନିଷସବୁ ଆଦରଣୀୟ ହୋଇ ଉଠିଲା । ଏହି ନୂତନ ସଭ୍ୟତାର ସ୍ରୋତରେ ଭାସିଯାଇ ଅନେକ ଲୋକ ନିଜ ନିଜର ଧର୍ମକୁ ଛାଡ଼ି ଖ୍ରୀଷ୍ଟଧର୍ମ ଗ୍ରହଣକଲେ ଓ ସାହେବୀ ଆଚରଣ ପ୍ରଦର୍ଶନ କଲେ । ସେ ସମୟରେ ଅନେକ ଦେଶପ୍ରେମୀ ଆଶଙ୍କା କରିଥିଲେ ଯେ ହୁଏତ କିଛି କାଳ ପରେ ଭାରତବର୍ଷ ଏକ ନକଲି ବିଲାତରେ ପରିଣତ ହୋଇଯିବ । ବିଲାତରେ ନାରୀ ଜୀବନର ଆଦର୍ଶ ଯାହା, ଭାରତରେ ନାରୀ ଜୀବନର ଆଦର୍ଶ ତାହା ନୁହେଁ । ଭାରତୀୟ ନାରୀ ଧର୍ମର ବନ୍ଧନ ଭିତରେ ରହି ତାର ଜୀବନର ଚରମ ସାର୍ଥକତା ଉପଲବ୍‍ଧି କରେ । ଭାରତୀୟା ବଧୂର ଆଦର୍ଶ ସମଗ୍ର ବିଶ୍ଵରେ ବିରଳ । ଭାରତୀୟା ପତ୍ନୀର ସ୍ୱାର୍ଥତ୍ୟାଗ ସମଗ୍ର ବିଶ୍ଵରେ ବିରଳ । ବିଲାତରେ ନାରୀ ମନ ଇଚ୍ଛାରେ ପତି ଗ୍ରହଣ କରେ ପୁଣି ଛାଡ଼ପତ୍ର ଦେଇ ପତିକୁ ଛାଡ଼ିଦିଏ । ତେଣୁ ଜଣେ ଜଣେ ନାରୀଙ୍କର ଜୀବନରେ ସେ ଦେଶରେ ବହୁସଂଖ୍ୟକ ପତି ଦେଖା ଦେଇଥାଆନ୍ତି: ମାତ୍ର ଭାରତୀୟା ନାରୀର ପତି ତାର ଇହକାଳ ଓ ପରକାଳର ଦେବତା । ଏହି ଆଦର୍ଶ, ଏହି ଐତିହ୍ୟକୁ କାଳେ ଭାରତୀୟା ନାରୀ ଭୁଲିଯିବ ଏହି ଆଶଙ୍କା କରି ଗଙ୍ଗାଧରଙ୍କ ପରି ବହୁ ସ୍ରଷ୍ଟା ଭାରତୀୟ ନାରୀର ପ୍ରକୃଷ୍ଟ ଚିତ୍ର ଅଙ୍କନ କରିଅଛନ୍ତି । ଗଙ୍ଗାଧର ମେହେର ନିଜ କଳ୍ପନାରୁ କାବ୍ୟ ରଚନା କରି ନାୟକ ନାୟିକାମାନଙ୍କର ଉଚ୍ଚ ଆଦର୍ଶକୁ ଲୋକ ସମାଜରେ ପ୍ରଖ୍ୟାପନ କରିବା ନିମନ୍ତେ ନିଜର ଅସାମର୍ଥ୍ୟ ଉପଲବ୍‍ଧି କରି ବାଲ୍ମିକୀ, କାଳିଦାସ ପ୍ରଭୃତି ମହାକବିମାନଙ୍କର ରଚନାରୁ କାବ୍ୟର କଥାବସ୍ତୁ ଓ ନାୟକ ନାୟିକାମାନଙ୍କୁ ଗ୍ରହଣ କରିଅଛନ୍ତି ।

 

ସୀତାଙ୍କର ନିର୍ବାସିତା ଜୀବନକୁ କେନ୍ଦ୍ରକରି ଗଙ୍ଗାଧର ମେହେର ତପସ୍ଵିନୀ କାବ୍ୟ ରଚନା କରିଅଛନ୍ତି । ତାଙ୍କ ମତରେ ନିର୍ବାସନ ଦ୍ଵାରା ସୀତାଙ୍କର ଜୀବନ ସୌରଭମୟ ହୋଇଥିଲା-। ଗଙ୍ଗାଧର ମେହେର ତାଙ୍କ କାବ୍ୟରଚନାର ଉଦ୍ଦେଶ୍ୟ ତପସ୍ଵିନୀ କାବ୍ୟର ମୁଖବନ୍ଧରେ ପ୍ରକାଶ କରିଅଛନ୍ତି । ସେ ଲେଖିଅଛନ୍ତି, “ନିର୍ବାସନକୁ ନିଜର ଭାଗ୍ୟଦୋଷ ବୋଲି ପତିଭକ୍ତିକୁ କିପରି ଦୃଢ଼ତର ଓ ଉଚ୍ଚତର କରିଥିଲେ–ବନବାସକୁ ପତି ହିତସାଧିନୀ ତପସ୍ୟାରେ ପରିଣତ କରି ତପସ୍ଵିନୀ ରୂପେ କିପରି ଦିନଯାପନ କରିଥିଲେ, ତାହା ପ୍ରକଟ କରିବା ଏହି ପୁସ୍ତକର ପ୍ରଧାନ ଉଦ୍ଦେଶ୍ୟ ।”

 

ସୀତାଙ୍କର ଏହି ଆଦର୍ଶକୁ ହୃଦୟଙ୍ଗମ କରିବାପାଇଁ କବି ପାଠକମାନଙ୍କୁ ଆହ୍ଵାନ କରିଅଛନ୍ତି । ସୀତା ନିର୍ବାସନରେ ଯେତେ ଦୁଃଖ ପାଇଲେ ମଧ୍ୟ ପତିଙ୍କର ଦୋଷ କୌଣସିଠାରେ ନଦେଖି ସବୁଥିରେ ନିଜର ଦୋଷ ଦେଖି ପାରିଛନ୍ତି । ଏ ଆଦର୍ଶ କେବଳ ଭାରତୀୟ ଜୀବନରେ ସମ୍ଭବ । ଏହି ଆଦର୍ଶକୁ ଭୁଲି ଅନ୍ୟର ଆଦର୍ଶ ପଛରେ ପ୍ରଧାବିତ ହେବା କେବେହେଲେ ସ୍ପୃହଣୀୟ ନୁହେଁ ।

 

ରାମ ଏବଂ ସୀତାଙ୍କର ଜୀବନଗାଥାକୁ କେନ୍ଦ୍ରକରି ବହୁ କାବ୍ୟ ରଚିତ ହୋଇଅଛି । ଅନେକ କ୍ଷେତ୍ରରେ ରାମ ଓ ସୀତାଙ୍କୁ ଭଗବାନଙ୍କର ଅବତାର ରୂପେ ଚିତ୍ରଣ କରାଯାଇ ତାଙ୍କର ଅଲୌକିକ ଶକ୍ତିର ପରିଚୟ ଦିଆଯାଇଅଛି । ମାତ୍ର ସୀତା ଓ ରାମଙ୍କ ଜୀବନର ଘଟଣାବଳୀକୁ ଏପରି ସୂକ୍ଷ୍ମ ଭାବରେ ଦେଖି ତାଙ୍କର ଆଦର୍ଶକୁ ପ୍ରକଟ କରିବା ପାଇଁ ଅନ୍ୟ କୌଣସି କବି ଏପରି ଭାବରେ ସମର୍ଥ ହୋଇ ପାରିନାହାନ୍ତି । ଗଙ୍ଗାଧର ମେହେର ତପସ୍ଵିନୀ କାବ୍ୟର ମୁଖବନ୍ଧରେ ପୁଣି ଲେଖିଛନ୍ତି, “ଏଥିରେ ମୋର କୃତିତ୍ୱକୁ ଲକ୍ଷ ନକରି ନିଜ ନିଜର ହୃଦୟସ୍ଥ ସୀତାଙ୍କର ଉଜ୍ଜ୍ଵଳ, ନିର୍ମଳ ଓ ପବିତ୍ର ଚରିତ୍ର ଚିତ୍ରିତ–ସ୍ମୃତି–ପଟକୁ ଥରେ ଥରେ ଉଦ୍‍ଘାଟନ କରି ହୃଦୟର ଉନ୍ନତି ବିଧାନ କରିବେ, ଏହି ମାତ୍ର ଆଶା ।”

 

ଗଙ୍ଗାଧର ମେହେରଙ୍କର ଉପରୋକ୍ତ ଉଦ୍ଧୃତିରୁ ତାଙ୍କର କାବ୍ୟ ରଚନାର ଉଦ୍ଦେଶ୍ୟ ସ୍ପଷ୍ଟଭାବରେ ପ୍ରକାଶ ପାଇଅଛି । ତପସ୍ଵିନୀ କାବ୍ୟ ରଚନାର ମୂଳରେ କବିଙ୍କର ସଂସ୍କାରବାଦିତା ହିଁ ନିହିତ ।

★★★

 

ତପସ୍ଵିନୀରେ ସୀତା-ଚରିତ୍ର

 

ସୀତାଙ୍କ ଚରିତ୍ରର ମହନୀୟତା ପ୍ରତିପାଦନ କରିବା ତପସ୍ଵିନୀ କାବ୍ୟରଚନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କବି ଗଙ୍ଗାଧର ମେହେର ପ୍ରକାଶ କରିଅଛନ୍ତି । ରାମଚନ୍ଦ୍ର ଓ ସୀତାଙ୍କର ଜୀବନରେ ପରସ୍ପରଙ୍କର ଯେପରି ଆଦର୍ଶ ପ୍ରକାଶ ପାଇଅଛି ତାହା ଅନ୍ୟ ଯେ କୌଣସି ନାୟକ ନାୟିକାଙ୍କଠାରେ ବିରଳ । ମିଥ୍ୟା ଅପବାଦ ଶୁଣି ରାମଚନ୍ଦ୍ର ନିଜର ପ୍ରାଣପ୍ରିୟା ସୀତାଙ୍କୁ ନିର୍ବାସନ ଦଣ୍ଡ ଦେଲେ । ସୀତା ନିର୍ବାସିତା ହୋଇ ଭାଗୀରଥୀ ତୀରରେ ଅସହାୟ ଭାବରେ ବିକଳରେ କ୍ରନ୍ଦନକରିବା ଅବସ୍ଥାରେ ତପସ୍ଵିନୀ କାବ୍ୟର କଥାବସ୍ତୁର ଆରମ୍ଭ ।

 

ଭାଗୀରଥୀ ତୀରରେ ସୀତା ଦୁଃଖରେ ଅତ୍ୟନ୍ତ ମର୍ମାହତ ହୋଇ ସଂଜ୍ଞାହୀନା ହୋଇ ପଡ଼ିଗଲେ । ପ୍ରକୃତି ତାଙ୍କର ଏ ଅବସ୍ଥା ଦେଖି ତାଙ୍କ ମୁଖରେ ଶୀତଳ ଜଳ ସିଞ୍ଚି ତାଙ୍କର ସଂଜ୍ଞା ଫେରାଇ ଆଣିଛି । ସୀତା ସଂଜ୍ଞା ଲାଭ କରିବାପରେ ଯେଉଁଆଡ଼କୁ ଚାହିଁଛନ୍ତି ସେ ଆଡ଼େ କେବଳ ସେ ରାମଚନ୍ଦ୍ରଙ୍କର ମୂର୍ତ୍ତି ଦେଖିବାକୁ ପାଇଛନ୍ତି । ସୂର୍ଯ୍ୟଙ୍କ ଆଡ଼କୁ ଅନାଇବା ବେଳେ ସେ ଦେଖିବାକୁ ପାଇଛନ୍ତି ସୂର୍ଯ୍ୟଙ୍କ କୋଳରେ ରାମଚନ୍ଦ୍ରଙ୍କୁ । ଭାଗୀରଥୀ ଆଡ଼କୁ ଦୃଷ୍ଟି ଫେରାଇବାରୁ ସେ ଦେଖିବାକୁ ପାଇଛନ୍ତି ଭାଗୀରଥୀଙ୍କ ପଛରେ ରାମଚନ୍ଦ୍ର ଚାଲିଛନ୍ତି । ସୀତା ଯେତେବେଳେ ନିଜ ଗର୍ଭ ଉପରେ ଦୃଷ୍ଟିପାତ କରିଛନ୍ତି ସେତେବେଳେ ସେ ଦୁଃଖରେ ଏକାବେଳକେ ଭାଙ୍ଗି ପଡ଼ିଛନ୍ତି ।

 

ରାମଚନ୍ଦ୍ରଙ୍କର ସ୍ମୃତି ସୀତାଙ୍କ ମାନସପଟରେ ପ୍ରତିବିମ୍ବିତ ହୋଇଉଠିଲା । ଶ୍ୟାମଳ ଦୂର୍ବାଦଳ ଦେଖି ସୀତା ସେ ଆଡ଼କୁ ଯିବାକୁ ଇଚ୍ଛା କଲେ ନାହିଁ । କାରଣ ଶ୍ୟାମଳ–ଦୂର୍ବାଦଳ–କାନ୍ତି ଧାରଣ କରିଥିବା ରାମଚନ୍ଦ୍ର ତାଙ୍କୁ ନିର୍ବାସିତା କରାଇଥିବାରୁ ପୁଣି ଶ୍ୟାମଳ ଦୂର୍ବାଦଳ ପାଖକୁ ଗଲେ ତାହା ରାମଚନ୍ଦ୍ରଙ୍କର କାର୍ଯ୍ୟର ପ୍ରତିବାଦ ସ୍ଵରୂପ ହୋଇପାରେ । ପୁଣି ପାଷାଣ ଆଡ଼କୁ ଦୃଷ୍ଟି ନିକ୍ଷେପ କରି ସେଆଡ଼କୁ ମଧ୍ୟ ଯିବାକୁ ସେ ଇଚ୍ଛାକଲେ ନାହିଁ । କାରଣ ପାଷାଣ ପ୍ରତି ରାମଚନ୍ଦ୍ରଙ୍କର ଅନୁଗ୍ରହ ଅହଲ୍ୟା ଉଦ୍ଧାରରେ ପ୍ରକାଶିତ ହୋଇଅଛି । ଯେଉଁ ରାମଚନ୍ଦ୍ର ତାଙ୍କୁ ନିର୍ବାସନ ଦଣ୍ଡ ଦେଇଅଛନ୍ତି ସେହି ରାମଚନ୍ଦ୍ରଙ୍କର ଅନୁଗ୍ରହର ପାତ୍ର ନିକଟକୁ ଯିବା ତାଙ୍କ ପକ୍ଷରେ ଏକାନ୍ତ ଅନୁଚିତ ବୋଲି ସେ ଧରିନେଇ ଅଛନ୍ତି ।

 

ପତି କୋଳରେ ନିଜର ସନ୍ତାନକୁ ସମର୍ପି ଦେଇ ପତ୍ନୀ ପାଏ ଅଶେଷ ଆନନ୍ଦ । ନିଜର ସନ୍ତାନ ଯେତେବେଳେ କୋଳରେ ଥାଇ ସ୍ନେହ ପାଉଥାଏ ତା ଦେଖି ନାରୀ ପାଏ ସ୍ଵର୍ଗୀୟ ସୁଖ । ପତ୍ନୀ ହିସାବରେ, ନାରୀ ହିସାବରେ ସୀତାଙ୍କ ମନରେ ଥିଲା ସେହି କାମନା । ତେଣୁ ସୀତା ଅତ୍ୟନ୍ତ ଦୁଃଖରେ ପ୍ରକାଶ କରିଅଛନ୍ତି ।

 

“ଗର୍ଭେ ମୋର ଥୋଇଅଛ ଯେ ରତ୍ନନିଧାନ

ନ କହିଲ ତା ରକ୍ଷଣେ କି ପ୍ରତିବିଧାନ ।

ଦୃଢ଼ ଆଶା ଥିଲା ମୋର ହୃଦୟେ ପୋଷିତ

ପ୍ରଭୁ କୋଳ କରିଥାନ୍ତି ଏ ରତ୍ନେ ଭୂଷିତ ।”

 

ନିଜର କାମନା ଯେତେବେଳେ ନିଷ୍ଫଳ ହୋଇଯାଇଅଛି ସେତେବେଳେ ସୀତାଙ୍କ ଅନ୍ତରରେ ଭରିଯାଇଛି ଦାରୁଣ ଦୁଃଖ । ଏହି ଦୁଃଖ ପାଇଁ ସେ ନିଜ ପତିଙ୍କ ଉପରେ ଆଦୌ ଦୋଷାରୋପ ନ କରି ଦଇବ ଉପରେ ଦୋଷାରୋପ କରିଅଛନ୍ତି । ସୀତାଙ୍କ ନିର୍ବାସନ ଲାଗି ସେ ନିଜେ ଦାୟୀ ଏବଂ ଏଥିପାଇଁ ରାମଚନ୍ଦ୍ରଙ୍କର କୌଣସି ଦୋଷନାହିଁ ବୋଲି ସେ ପ୍ରକାଶ କରିଅଛନ୍ତି-। କର୍ତ୍ତବ୍ୟର ତାଡ଼ନାରେ ପଡ଼ି ରାମଚନ୍ଦ୍ର ତାଙ୍କୁ ନିର୍ବାସନ ଦଣ୍ଡ ଦେଇଥିବା ଯୋଗୁଁ ରାମଚନ୍ଦ୍ରଙ୍କ ମନରେ ଯେ ଦାରୁଣ ଆଘାତ ଲାଗିଥିବ, ସେ କଥା ସ୍ମରଣ କରି ସୀତା ଅତ୍ୟନ୍ତ ମର୍ମାହତା ହୋଇଅଛନ୍ତି । ସୀତା ତାଙ୍କ ଜୀବନରେ ଯାହା ଯାହା ଭୁଲ କରିଥିଲେ ସେ ସବୁକୁ ତନ୍ନ ତନ୍ନ କରି ପ୍ରକାଶ କରିଅଛନ୍ତି ଏବଂ ସେହିସବୁ ଦୋଷପାଇଁ ତାଙ୍କର ଏ ଦୁର୍ଭାଗ୍ୟ ଆସିଲା ବୋଲି ଗ୍ରହଣ କରିନେଇଛନ୍ତି । ତଥାପି, ରାମଚନ୍ଦ୍ର ସୀତାଙ୍କ ବିରହରେ ଅଧୀର ହୋଇପାରନ୍ତି, ଏକଥା ଭାବି ସେ ନିଜ ମନକୁ ସାନ୍ତ୍ଵନା ଦେବାପାଇଁ ରାମଚନ୍ଦ୍ରଙ୍କର ନିର୍ଦ୍ଦୋଷତା ପ୍ରକାଶ କରିବା ସଙ୍ଗେ ସଙ୍ଗେ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସାନ୍ତ୍ଵନାବାକ୍ୟ ପ୍ରୟୋଗ କରିଛନ୍ତି ।

 

“ପ୍ରକୃତି ରଞ୍ଜନେ ଯେବେ ହୁଏ ପ୍ରୟୋଜନ

କରିପାରେ ପ୍ରାଣସମା ସୀତା ବିସର୍ଜନ ।

ଅଷ୍ଟାବକ୍ର ମୁନିଆଗେ ଯାହା ଭାଷିଥିଲ

ସ୍ମରୁଥିବ ସେ ପ୍ରତିଜ୍ଞା ନ ହୋଇ ଶିଥିଳ ।

ପିତୃବାକ୍ୟ ପାଳନରେ ତୁମ୍ଭେ ଅବିମୁଖ,

ପତିବାକ୍ୟ ପାଳନରେ ନ ହେଲେ ମୋ ଦୁଃଖ,

ତେବେ ସିନା ତୁମ୍ଭ ପତ୍ନୀ ପଦର ଭାଜନ

ମୁଁ ହେବି, ଏକାଥା ନିଶ୍ଚେ ବୁଝିବ ମୋ ମନ ।

ପରଜା-ରଞ୍ଜନ-ବ୍ରତେ ଅଟ ତୁମ୍ଭେ ବ୍ରତୀ,

ମୁଁ ସହଧର୍ମିଣୀ ତୁମ୍ଭ ପଦାଙ୍କେ ମୋ ଗତି ।

ହେଉ ମୋର ନିର୍ବାସନ ପ୍ରକୃତିର ତୋଷ,

ପ୍ରଭୁଙ୍କର ବ୍ରତ ହେଉ ସଂପୂର୍ଣ୍ଣ ନିର୍ଦ୍ଦୋଷ ।”

 

ପତ୍ନୀ ହିସାବରେ ସୀତା ପତିଙ୍କର ଆଦର୍ଶକୁ ଅନୁସରଣ କରି ଭାରତୀୟ ନାରୀର ଉଚ୍ଚ ଆଦର୍ଶ ପ୍ରତିଷ୍ଠିତ କରିଅଛନ୍ତି । ରାମଚନ୍ଦ୍ର ପିତୃସତ୍ୟ ପାଳନକରି ଚଉଦବର୍ଷ ବନବାସ କରିଥିଲେ । ଠିକ୍ ସେହିପରି ପତିଙ୍କର ଆଜ୍ଞାପାଳନ କରି ସୀତା ନିର୍ବାସନ ଦଣ୍ଡକୁ ସହି ପାରିଲେ–ରାମଚନ୍ଦ୍ରଙ୍କର ଉପଯୁକ୍ତ ପତ୍ନୀ ହୋଇପାରିବେ–ଏକଥା, ଏ ଆଦର୍ଶ ସୀତା ନିଜେ ହୃଦୟଙ୍ଗମ କରିଅଛନ୍ତି । ପୁଣି ଯେଉଁ ରାମଚନ୍ଦ୍ର ପ୍ରଜାରଞ୍ଜନ ବ୍ରତରେ ଅଟଳ ସେହି ରାମଚନ୍ଦ୍ରଙ୍କର ପତ୍ନୀ ଭାବରେ ସୀତା ପ୍ରଜାଙ୍କର ମଙ୍ଗଳ ଉଦ୍ଦେଶ୍ୟରେ ନିର୍ବାସନ ଦଣ୍ଡ ବା ନ ସହନ୍ତେ କିପରି ? ଅତି ନିର୍ମମ ଭାବରେ ରାମଚନ୍ଦ୍ର ଦଣ୍ଡ ଦେଲେ ବୋଲି କହିବା ସୀତାଙ୍କ ମତରେ ଆଦୌ ଠିକ୍ ନୁହେଁ । ସେ ପ୍ରକାଶ କରିଅଛନ୍ତି ଯେ ତାଙ୍କର ନିର୍ବାସନ ଦଣ୍ଡ ପ୍ରଜାହିତ ପାଇଁ ଏବଂ ଏଥିଲାଗି ରାମଚନ୍ଦ୍ର, ସଂପୂର୍ଣ୍ଣ ନିର୍ଦ୍ଦୋଷ । ଏହାହିଁ ଭାରତୀୟ ନାରୀର ଆଦର୍ଶ । ପତିର ଦୋଷ କେବେହେଲେ ପତ୍ନୀ ଧରିପାରେ ନାହିଁ । ନିଜର ଯେବେ କିଛି ଦୁର୍ବିପାକ ଆସେ ତାହାହେଲେ ସେଥିପାଇଁ ସେ ନିଜର କୃତକର୍ମର ଦୋଷ ଦେଇଥାଏ । କବି ଗଙ୍ଗାଧର ମେହେର ଅତ୍ୟନ୍ତ ଦକ୍ଷତାର ସହିତ ଭାରତୀୟା ନାରୀର ଆଦର୍ଶକୁ ସୀତାଙ୍କ ଚରିତ୍ରରେ ଫୁଟାଇ ପାରିଛନ୍ତି । ପରସ୍ପର ସ୍ନେହ, ପ୍ରେମରେ ବନ୍ଧିହୋଇ ପତି ଓ ପତ୍ନୀ ତାଙ୍କର ଜୀବନଯାତ୍ରାରେ ଯେଉଁ ଅସୀମ ଆନନ୍ଦ ଲାଭ କରନ୍ତି ତାହା ଅନ୍ୟ ଯେ କୌଣସି ଦେଶରେ ଦୁର୍ଲଭ ।

 

ସୀତା ଯେତେବେଳେ ରାବଣ କର୍ତ୍ତୃକ ଅପହୃତା ହୋଇ ଅଶୋକ ବନରେ ବନ୍ଦିନୀ ଅବସ୍ଥାରେ ଥିଲେ ସେତେବେଳେ ସେ ପ୍ରତି ମୁହୂର୍ତ୍ତରେ ରାମଚନ୍ଦ୍ରଙ୍କ ବିଷୟରେ ଚିନ୍ତା କରିଅଛନ୍ତି । ରାମଚନ୍ଦ୍ରଙ୍କ ବ୍ୟତୀତ ଅନ୍ୟ ପୁରୁଷକୁ ନିଜ ମନ ମଧ୍ୟରେ ଚିନ୍ତା କରିବାହିଁ ତାଙ୍କ ପକ୍ଷରେ ଅସମ୍ଭବ । ତେଣୁ ରାମଚନ୍ଦ୍ରଙ୍କୁ ଛାଡ଼ି ତାଙ୍କର ଜୀବନ ଯେ ରହିପାରେ ଏକଥା ସେ କେବେହେଲେ ଭାବି ନ ଥିଲେ । ତପସ୍ଵିନୀ କାବ୍ୟର ସପ୍ତମ ସର୍ଗରେ କବି ସୀତାଙ୍କ ମୁଖରେ ଏ କଥା ପ୍ରକାଶ କରାଇ ଅଛନ୍ତି ।

 

“ମୋ କର୍ମପାଇଁ ଦୋଷୀ ନୁହନ୍ତି ବିଧି

କାନ୍ତ ତ ସ୍ୱଭାବେ ମୋ କରୁଣାନିଧି ଗୋ ।

କାନ୍ତ ବିଚ୍ଛେଦେ ରହିପାରେ ଜୀବନ

ଏମନ୍ତ କ୍ଷଣେ ଭାବି ନ ଥିଲା ମୋ ମନ,

ସହିଲି ସହି, ଘୋର ଦୁଃସହ ଦୁଃଖ,

ଦେଖିବି ବୋଲି ଏକା ସ୍ଵାମୀ ଶ୍ରୀମୁଖ ଗୋ ।”

 

ଅଶୋକ ବନରେ ସୀତା ବନ୍ଦିନୀ ଅବସ୍ଥାରେ ଥିବା ସମୟରେ ରାବଣ ତାଙ୍କୁ ଅନେକ ପ୍ରକାର ପ୍ରଲୋଭନ ଦେଖାଇ ବଶୀଭୂତ କରିବାପାଇଁ ଚେଷ୍ଟା କରିଥିଲା । ମାତ୍ର ସତୀ ସୀତା ସେ ପ୍ରଲୋଭନରେ ପଡ଼ିବାର ପାତ୍ରୀ ନୁହନ୍ତି । ରାବଣ ପୁରରେ ଥାଇ ସୀତା ଯାହା ଚିନ୍ତା କରିଥିଲେ ତାହା କବିଙ୍କ ଲେଖନୀରେ ସ୍ପଷ୍ଟ ଭାବରେ ପ୍ରକାଶ ପାଇଛି ।

 

“ହେଉ ଏ ଯମାଳୟ ଅଥବା ସ୍ୱର୍ଗ,

ବିହରୁଥାନ୍ତୁ ଏଥି ଦେବତା ବର୍ଗ,

କେ କରିପାରିବ ମୋ ଚିତ୍ତ ହରଣ

କୌଶଲ୍ୟାସୂତ ଏକା ମୋର ଶରଣ ଗୋ ।

ସହସ୍ର ଦାସୀରେ ମୋ କି ପ୍ରୟୋଜନ,

ଆଉ କି ଅଛି ମୋର ସ୍ନାନ ଭୋଜନ ।

କାନନେ ଭ୍ରମୁଥିବେ ମୋ ପ୍ରାଣପତି,

ତାଙ୍କ ଚରଣେ ଏକା ରହିବ ମତି ଗୋ ।

ମଞ୍ଜୁଳ ବୀଣା ଧରି ଶତେ ଭାରତୀ

ସଙ୍ଗୀତ ଯଦି ମୋର ପାଶେ କରନ୍ତି,

ମୋ କର୍ଣ୍ଣେ ହେବ କାହିଁ ତାହାର ମୂଲ୍ୟ

କାନ୍ତ–ଶ୍ରୀମୁଖ–ଭାଷା ପଦକ ତୁଲ୍ୟ ଗୋ ।

ଏମନ୍ତ ଭାବି ଭାବି ଶ୍ରୀପଦେ ଧ୍ୟାନ

ଦେଇ ହରାଇ ଦେଲି ଜୀବନ ଜ୍ଞାନ,

କେମନ୍ତେ କେତେ କାଳ ହେଲା ଅତୀତ

କିଛି ନ ଜାଣେ ପତି ଚିନ୍ତା ବ୍ୟତୀତ ଗୋ ।”

 

ନିଷ୍ଠାପର ଭାବରେ ପତିଙ୍କଠାରେ ଲୟ ରଖି ସୀତା ନିଜକୁ ରକ୍ଷା କରିବା ପାଇଁ ସମର୍ଥ ହୋଇଥିଲେ । ସତୀ ନାରୀର ଅଟଳ ବିଶ୍ୱାସ ତାକୁ ଯେ କୌଣସି ବିପଦରୁ ରକ୍ଷା କରିଥାଏ । ସୀତା ବିଶ୍ୱାସ କରିଥିଲେ ଯେ ଜଗତରେ ଯଦି ପ୍ରକୃତରେ ଧର୍ମ ଥିବ ତାହାହେଲେ ତାଙ୍କର କିଛି ଅନିଷ୍ଟ ହୋଇପାରିବ ନାହିଁ । ପାପର କପା ଯଦି ପାହାଡ଼ ଆକୃତିରେ ଜମା ହୋଇଥାଏ ତାହାହେଲେ ପୁଣ୍ୟର ସାମାନ୍ୟ ଏକ ଅଗ୍ନିକଣା ତାକୁ ଜାଳି ପୋଡ଼ି ଧ୍ଵଂସ କରିଦେବାକୁ ସମର୍ଥ ହୋଇଥାଏ । ସୀତାଙ୍କର ଏହି ବିଶ୍ୱାସ ପ୍ରକୃତରେ କାର୍ଯ୍ୟରେ ଘଟିଅଛି । ରାବଣ ସୁନାରପୁର ଲଙ୍କା ସତୀ ସୀତାଙ୍କର ଅଶ୍ରୁଜଳରେ ଧ୍ଵଂସ ପାଇ ଯାଇଅଛି ।

 

ରାବଣ ସଂହାର ପରେ ରାମଚନ୍ଦ୍ର ଯେତେବେଳେ ସୀତାଙ୍କୁ ଗ୍ରହଣ କରିବାକୁ ଯାଇଅଛନ୍ତି, ସେତେବେଳେ ସୀତା ନିଜର ସତୀତ୍ୱର ପରାକାଷ୍ଠା ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଅଗ୍ନି ପରୀକ୍ଷାର ସମ୍ମୁଖୀନା ହୋଇଛନ୍ତି । ଅଗ୍ନିରେ ପ୍ରବେଶ କରିବା ସମୟରେ ସୀତା ନିଜର ମନର କାମନା ପ୍ରକାଶ କରିଅଛନ୍ତି । ଏହି କାମନା ହିଁ ତାଙ୍କର ରାମଚନ୍ଦ୍ରଙ୍କୁ ପାଇବାର ବଳବତୀ ଆଶା କେତେ ପରିମାଣରେ ଥିଲା ତାହା ପ୍ରକାଶ କରେ–

 

“ଜୀବନେ ନ ପାରିଲେ ମୋତେ ମରଣେ

ସେବିକା କରିଦେବ ପ୍ରଭୁ ଚରଣେ ।

ମୋ ତନୁ ଦଗ୍ଧ ହେଲେ ହେବ ତ ଖାର,

ତାହାକୁ କରାଇବା ପାଦପେ ସାର ।

ସେ ତରୁ କାଷ୍ଠ ଦେଇ ବର୍ଦ୍ଧକୀ ହସ୍ତେ

କରାଇ ଦେବ ପ୍ରଭୁ ପାଦୁକା ମତେ ହେ ।”

 

ବିଦଗ୍‍ଧ ଚିନ୍ତାମଣି କାବ୍ୟରେ ବିରହବିଧୁରା ଶ୍ରୀ ରାଧା ଶ୍ରୀକୃଷ୍ଣଙ୍କ ସହିତ ମିଳିତ ହେବାର ଆଶା ପରିତ୍ୟାଗ କରି ଯେତେବେଳେ ଅତିମାତ୍ରାରେ ବ୍ୟଥିତା ହୋଇ ପଡ଼ିଛନ୍ତି ସେତେବେଳେ ତାଙ୍କ ମୁଖରୁ ଏହି ପ୍ରକାର ବାଣୀ ପ୍ରକାଶ ପାଇଅଛି । ସେ କହିଛନ୍ତି–ଯଦି ଜୀବଦ୍ଦଶାରେ ଶ୍ରୀକୃଷ୍ଣଙ୍କ ସହିତ ତାଙ୍କର ମିଳନ ନ ହୁଏ, ତାହାହେଲେ ନିଶ୍ଚିତ ଭାବରେ ତାଙ୍କର ପ୍ରାଣବାୟୁ ଉଡ଼ିଯିବ । ତା ପରେ ତାଙ୍କର ଶବକୁ ନେଇ ଶ୍ରୀକୃଷ୍ଣଙ୍କର ଚଲା ପଥରେ ପୋତି ଦେବା ପାଇଁ ସେ ସଖୀମାନଙ୍କୁ ଅନୁରୋଧ କରିଅଛନ୍ତି । ବୈଷ୍ଣବ କାବ୍ୟଗ୍ରନ୍ଥ ବିଦଗ୍‍ଧ ଚିନ୍ତାମଣିରେ ଏହିପରି ଅନେକ ନୈରାଶ୍ୟସୂଚକ ବାଣୀ ବର୍ଣ୍ଣିତ ହୋଇଅଛି । ବୈଷ୍ଣବ କାବ୍ୟଗ୍ରନ୍ଥର ଉଦ୍ଦେଶ୍ୟ ପ୍ରୀତିର ମହତ୍ତ୍ଵ ପ୍ରକାଶ କରିବା । ମାତ୍ର ଏଠାରେ କବି ଗଙ୍ଗାଧର ମେହେର ସୀତାଙ୍କୁ ଆଦର୍ଶ ପତ୍ନୀର ଆସନରେ ରଖି ପତ୍ନୀର ପତି ପ୍ରତି କିପରି ମନୋଭାବ ରହିବା ଆବଶ୍ୟକ ତାହା ପ୍ରଦର୍ଶନ କରିଅଛନ୍ତି । ଆଧୁନିକ ଜଗତରେ ଆଧୁନିକ ଶିକ୍ଷା ଦୀକ୍ଷା ସତ୍ତ୍ୱେ ପ୍ରତ୍ୟେକ ନାରୀ ସୀତାଙ୍କର ଏହି ଆଦର୍ଶକୁ ଗ୍ରହଣ କରନ୍ତୁ ବୋଲି କବି ଏକାନ୍ତ ଭାବରେ ଇଚ୍ଛା କରି ଅଛନ୍ତି ।

 

ବାଲ୍ମୀକି ଆଶ୍ରମରେ ଲବ ଓ କୁଶଙ୍କର ଜନ୍ମ ପରେ ଜନନୀ ଭାବରେ ସୀତାଙ୍କର ଆଦର୍ଶ ସୁନ୍ଦର ଭାବରେ ପ୍ରକଟିତ ହୋଇଅଛି । ଶିଶୁ ଦୁହିଁଙ୍କର ଲାଳନପାଳନରେ ମନପ୍ରାଣ ଢାଳି ଦେଇ ସୀତା ତାଙ୍କର ଉପଯୁକ୍ତ କର୍ମ ସନ୍ଧାନ କରିବା ସଙ୍ଗେ ସଙ୍ଗେ ସ୍ଵାମୀଙ୍କ ଚରଣରେ ଲୟ ରଖିଛନ୍ତି । ଶୈଶବ ଅବସ୍ଥା ତ୍ୟାଗ କରି ଲବକୁଶ ବାଲ୍ୟାବସ୍ଥା ପ୍ରାପ୍ତ ହୁଅନ୍ତେ ସେ ଦୁହିଁଙ୍କୁ ନେଇ ରାମଚନ୍ଦ୍ରଙ୍କର ଶ୍ରୀଚରଣରେ ସମର୍ପଣ କରି ନିଜର ଦାୟିତ୍ଵ ସମାପନ କରିବା ନିମନ୍ତେ ସେ ଇଚ୍ଛା ପ୍ରକାଶ କରିଅଛନ୍ତି । କବି ଲେଖିଅଛନ୍ତି–

 

“ଯେଉଁଦିନୁ ସୁତେ ଜନନୀ ଅଙ୍କ

ତେଜି ବିହରିଲେ ହୋଇ ନିଃଶଙ୍କ

ସେ ଦିନୁ ଜାନକୀ ତପସ୍ୟା-ବ୍ରତ

ଅନୁଷ୍ଠାନ କଲେ ଅନବରତ

ସମର୍ପି ମନ ସ୍ଵାମୀ-ଚରଣେ

ଲାଗିଲେ ଜୀବନ ଶେଷ କରଣେ

ନିଦାଘ-ସରିତ-ସ୍ରୋତ ସଦୃଶ

ସତୀ ପ୍ରାଣ ହୋଇ ଆସିଲା କୃଶ,

ଅସିତ ପକ୍ଷର ଶଶାଙ୍କ ପରି

ଲକ୍ଷ୍ୟକଲା ମୃତ୍ୟୁ ଅମାଶର୍ବରୀ,

ସ୍ଵାମୀଙ୍କ ମଣି ଦିନେଶ ସମ

ଆଶା କଲା ତହିଁ ହେବ ସଙ୍ଗମ

ଭାବୁଥାନ୍ତି ଥରେ କେଉଁ ଉପାୟେ

ଦୃଷ୍ଟିଦେଇ ସ୍ଵାମୀ–ପବିତ୍ର ପାଏ

ସମର୍ପଣ କରି ପୁତ୍ର ଯୁଗଳ

ଦିଅନ୍ତି ଭାଙ୍ଗି ମୋ ତନୁ ଅର୍ଗଳ ।”

 

ରାମଚନ୍ଦ୍ରଙ୍କଠାରୁ ନିର୍ବାସନ ଦଣ୍ଡ ପାଇ ସୀତା ବାଲ୍ମୀକି ଆଶ୍ରମରେ ତପସ୍ଵିନୀ ଜୀବନ ଯାପନ କରିବା ସମୟରେ ପତିଙ୍କ ଚରଣରେ ଏକାନ୍ତ ଭାବରେ ଲୟ ରଖିଅଛନ୍ତି । ତାଙ୍କ ମନରେ ବିଶ୍ୱାସ ଥିଲା ଯେ ତାଙ୍କର ଆଦର୍ଶ ତାଙ୍କୁ ସବୁ କ୍ଷେତ୍ରରେ ବିଜୟିନୀର ଗୌରବ ପ୍ରଦାନ କରିବ । ତାଙ୍କର ଦୁଃଖର ଦିନ ଶେଷ ହୋଇଯିବା ପରେ ସେ ପୁଣି ସ୍ଵାମୀଙ୍କ ସହିତ ମିଳିତ ହେବାର ସ୍ଵପ୍ନ ମଧ୍ୟ ଦେଖୁଥିଲେ । ଯେଉଁ ଅଟଳ ବିଶ୍ୱାସ ଫଳରେ ସେ ରାବଣ କବଳରୁ ମୁକ୍ତି ପାଇ ରାମଚନ୍ଦ୍ରଙ୍କ ସହିତ ମିଳିତ ହୋଇଥିଲେ, ସେହି ଅଟଳ ବିଶ୍ୱାସ ଫଳରେ ସେ ପୁଣି ରାମଚନ୍ଦ୍ରଙ୍କ ସହିତ ମିଳିତ ହେବା ପାଇଁ ବ୍ୟାକୁଳ ଥିଲେ । ମାତ୍ର ବିଧିର ନିର୍ଦ୍ଦେଶ ସୀତାଙ୍କର କଳ୍ପନାଠାରୁ ଭିନ୍ନ । ରାମଚନ୍ଦ୍ରଙ୍କର ଅଶ୍ଵମେଧ ଯଜ୍ଞ କରିବା କଥା ଯେତେବେଳେ ତାଙ୍କର କର୍ଣ୍ଣକୁହରରେ ପ୍ରବେଶ କରିଅଛି ସେତେବେଳେ ଯେ ତାଙ୍କର କି ମର୍ମାନ୍ତିକ ବେଦନା ଜାତ ହୋଇଥିବ ତାହା ଅନୁମାନର କଥା ନୁହେଁ-। ଯେଉଁ ରାଜା ଅଶ୍ଵମେଧ ଯଜ୍ଞ ସମାପନ କରନ୍ତି ସେ ସସ୍ତ୍ରୀକ ଥିବାର କଥା । ମାତ୍ର ରାମଚନ୍ଦ୍ର ତାଙ୍କ ପତ୍ନୀଙ୍କୁ ନିର୍ବାସିତା କରିବା ପରେ ଅଶ୍ଵମେଧ ଯଜ୍ଞ ସମାପନ କରିବା ସମୟରେ ତାଙ୍କ ନିକଟରେ ତାଙ୍କ ପତ୍ନୀ ତ ଥିବାର କଥା । ତାହାହେଲେ କଣ ରାମଚନ୍ଦ୍ର ଦ୍ଵିତୀୟ ପତ୍ନୀ ଗ୍ରହଣ କରିଅଛନ୍ତି ? ଏହି ପ୍ରଶ୍ନ ସୀତାଙ୍କ ମନକୁ ଆନ୍ଦୋଳିତ କରି ପକାଇଲା । ଅଶ୍ଵମେଧ ଯଜ୍ଞ ଅନୁଷ୍ଠିତ ହେବାର ସତ୍ୟତା ଜାଣିବା ପରେ ରାମଚନ୍ଦ୍ର ଯେ ଦ୍ୱିତୀୟ ପତ୍ନୀ ଗ୍ରହଣ କରିଅଛନ୍ତି, ଏ କଥା ସୀତା ନିଶ୍ଚିତ ଭାବରେ ଗ୍ରହଣ କରି ନେଇ ଅଛନ୍ତି; ତେଣୁ ନିତାନ୍ତ ବ୍ୟଥିତ ଚିତ୍ତରେ ସୀତା ରାମଚନ୍ଦ୍ରଙ୍କ ନିକଟକୁ ପତ୍ର ଲେଖିଅଛନ୍ତି–

 

“ଶରଣ ବତ୍ସଳ–ଧ୍ୱଜ ରିପୁ ଗଜାଙ୍କୁଶ,

ଦୁଃଖ–ଗିରି–ବଜ୍ର ଯହିଁ ଦେଖନ୍ତି ବିଦୁଷ,

ରାଜାରାଜେଶ୍ଵରଙ୍କ ସେ ପାଦପଦ୍ମ ଦ୍ୱନ୍ଦ୍ଵେ

ଦୀନ ଭିଖାରୁଣୀ ଦୂର ନତଶିରେ ବନ୍ଦେ ।

ଯେ ହୋଇଛି ଆଜି ତୁମ୍ଭ ଅଙ୍କର ଭାଜନ,

ଭକ୍ତିଭରେ ଦେଖୁଥିବେ ଜଗତର ଜନ ।

ପୂର୍ବେ ସେହୁ କରିଥିଲା କେଉଁ ଘୋର ତପ,

କେଉଁଠାରେ କେତେ କାଳ କେଉଁ ମନ୍ତ୍ର ଜପ,

ଏହାମାତ୍ର ପ୍ରଭୋ, ମୋତେ ଦେବଟି ଜଣାଇ

ଅନ୍ୟ କିଛି ଧନେ ମୋର ପ୍ରୟୋଜନ ନାହିଁ ।”

 

ପତିଙ୍କର ଆଦେଶକୁ ଶିରୋଧାର୍ଯ୍ୟ କରି ପତିଙ୍କ ସହିତ ପୁନର୍ମିଳନର ବଳବତୀ ଆଶା ହୃଦୟରେ ପୋଷଣ କରି ସୀତା ତପସ୍ଵିନୀ ଜୀବନ ଅତିବାହିତ କରିବାଦ୍ୱାରା ଯେଉଁ ଉଜ୍ଜ୍ଵଳ ଆଦର୍ଶ ପ୍ରତିଷ୍ଠା କରିଅଛନ୍ତି, ତାହା କେବଳ ଭାରତୀୟ ଜୀବନରେ ହିଁ ସମ୍ଭବ । ସୀତାଙ୍କର ଆଦର୍ଶ ଯୁଗ ଯୁଗ ଧରି ଭାରତୀୟ ସଂସ୍କୃତିର ଧାରାରେ ପ୍ରବହମାନ । ସୀତାଙ୍କର ଚରିତ୍ରକୁ ଗଙ୍ଗାଧର ମେହେର ସ୍ଵକୀୟ ଲେଖନୀରେ ଏପରି ମହିମାନ୍ୱିତ କରିପାରିଅଛନ୍ତି ଯେ ଆଧୁନିକ ଓଡ଼ିଆ ସାହିତ୍ୟରେ ତାହା ଅନବଦ୍ୟ ରୂପ ଲାଭ କରିଅଛି । ସୀତା ହିଁ ତପସ୍ଵିନୀ କାବ୍ୟର ନାୟିକା ତପସ୍ଵିନୀ ।

★★★

 

ତପସ୍ୱିନୀରେ ରାମ ଚରିତ୍ର

 

ତପସ୍ଵିନୀ କାବ୍ୟରେ ଗଙ୍ଗାଧର ମେହେର ରାମଚନ୍ଦ୍ରଙ୍କ ଚରିତ୍ରର ମହତ୍ତ୍ୱ ପ୍ରକାଶ କରିବା ନିମିତ୍ତ ଦୁଇଗୋଟି ଦିଗ ନିର୍ଦ୍ଦେଶ କରିଅଛନ୍ତି । ଆଦର୍ଶ ପ୍ରେମିକ ଭାବରେ ଓ ଆଦର୍ଶ ଶାସକ ଭାବରେ ରାମଚନ୍ଦ୍ର ନିଜର କର୍ତ୍ତବ୍ୟ ସମ୍ପାଦନ କରିଅଛନ୍ତି । ପ୍ରେମିକ ଭାବରେ ରାମଚନ୍ଦ୍ରଙ୍କର ମହତ୍ତ୍ୱ କାବ୍ୟର ପ୍ରଥମ ସର୍ଗରେ ସୀତାଙ୍କର ବିଳାପରେ ବର୍ଣ୍ଣିତ ହୋଇଅଛି । ସୀତାଙ୍କ ପ୍ରତି ରାମଚନ୍ଦ୍ରଙ୍କର କେତେଦୂର ପ୍ରଗାଢ଼ ପ୍ରୀତି ଥିଲା ତାହା ଏହି ସର୍ଗରେ ପ୍ରକାଶ ପାଇଅଛି । ରାମଚନ୍ଦ୍ର ସୀତାଙ୍କୁ ଉଦ୍ଧାର କରିବା ନିମିତ୍ତ ଲଙ୍କା ଯାଇ ଯୁଦ୍ଧରେ ରାବଣକୁ ନିହତ କରି ଅଶେଷ କଷ୍ଟ ଭୋଗ କରିଥିଲେ । ଏହି କଷ୍ଟ ଭୋଗ କରିବା ମୂଳରେ ଥିଲା ସୀତାଙ୍କ ପ୍ରତି ତାଙ୍କର ଏକନିଷ୍ଠ ପ୍ରେମ । କବି ସୀତାଙ୍କ ମୁଖରେ ପ୍ରକାଶ କରାଇ ଅଛନ୍ତି–

 

“ଛାର ମୋର ସ୍ନେହେ ପଡ଼ି ଲଘିଂ ମହାର୍ଣ୍ଣବ

ଦଶବଦନର ସଙ୍ଗେ କଲ ମହା ହବ ।

ସହିଲ ତହିଁରେ କେତେ ମହାସ୍ତ୍ର ପ୍ରହାର,

ମଣୁଥିଲ ତା କ୍ଷତକୁ ହୃଦୟର ହାର ।

ସେ ହାର–ପଦକ ପାଇଁ ଉପଯୁକ୍ତ ମଣି,

ମୋତେ ରଖିଥିଲ ତହିଁ କରି ମଧ୍ୟମଣି ।

କ୍ଷତ ଚିହ୍ନ ଚାହିଁ ମୋର କ୍ଷୋଭ ହେଲେ ମନେ

ତୋଷୁଥିଲ ସଦା ସୁଧା–ପୂରିତ ବଚନେ ।

ବୋଲୁଥିଲ, ରଣଯଜ୍ଞେ ଦେଇ ରକ୍ତାହୁତି

ଲଭିଅଛି ପରା ତୋତେ ଦୁର୍ଲଭ ବିଭୂତି ।”

 

ରାମଚନ୍ଦ୍ରଙ୍କର ଚରିତ୍ରର ମହନୀୟତା ସୀତାଙ୍କ ମୁଖରେ ପୁଣି ପ୍ରକାଶ ଯାଇଅଛି ଯେ ସେ କେବଳ ଆଦର୍ଶ ପ୍ରେମିକ ନୁହନ୍ତି, ଆଦର୍ଶ ନରପତି ହିସାବରେ ତାଙ୍କର ଖ୍ୟାତ ଭାରତୀୟ ପୁରାଣ ଓ ଇତିହାସରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଉଦ୍‍ଘୋଷିତ । କବି ଗଙ୍ଗାଧର ମେହେର ଭାରତୀୟ ପରମ୍ପରାର ସେହି ଆଦର୍ଶକୁ ଏଠାରେ ସୀତାଙ୍କ ମୁଖରେ ପ୍ରଦାନ କରାଇଅଛନ୍ତି–

 

“ପ୍ରକୃତି–ରଞ୍ଜନେ ଯେବେ ହୁଏ ପ୍ରୟୋଜନ ।

କରିପାରେ ପ୍ରାଣସମା ସୀତା ବିସର୍ଜନ ।

ଅଷ୍ଟାବକ୍ର ମୁନି ଆଗେ ଯାହା ଭାଷିଥିଲ,

ସ୍ମରୁଥିବ ସେ ପ୍ରତିଜ୍ଞା ନ କରି ଶିଥିଳ ।

ପିତୃ–ବାକ୍ୟ ପାଳନରେ ତୁମ୍ଭେ ଅବିମୁଖ,

ପତି–ବାକ୍ୟ–ପାଳନରେ ନ ହେଲେ ମୋ ଦୁଃଖ ।

ତେବେ ସିନା ତୁମ୍ଭ ପତ୍ନୀ ପଦର ଭାଜନ

ମୁଁ ହେବି, ଏକଥା ନିଶ୍ଚେ ବୁଝିବ ମୋ ମନ ।

ପରଜା–ରଞ୍ଜନ–ବ୍ରତେ ଅଟ ତୁମ୍ଭେ ବ୍ରତୀ,

ମୁଁ ସହଧର୍ମିଣୀ ତୁମ୍ଭ ପଦାଙ୍କ ମୋ ଗତି ।”

 

ଲଙ୍କାରେ ରାବଣକୁ ବଧ କରି ସଙ୍ଗରେ ସୀତାଙ୍କୁ ନେଇ ରାମଚନ୍ଦ୍ର ଅଯୋଧ୍ୟାକୁ ଫେରିବା ପରେ ଅଯୋଧ୍ୟାର ରାଜସିଂହାସନରେ ତାଙ୍କର ଅଭିଷେକ କର୍ମ ସଂପାଦିତ ହୋଇଅଛି । ଅଭିଷେକ ସମୟରେ ରାମଚନ୍ଦ୍ର ପୁରୋହିତ ଅଷ୍ଟାବକ୍ର ମୁନିଙ୍କ ଆଗରେ ଶପଥ ଗ୍ରହଣ କରିଥିଲେ ଯେ ପ୍ରଜାମାନଙ୍କ ହିତ ପାଇଁ ଆବଶ୍ୟକ ହେଲେ ପ୍ରାଣପ୍ରିୟା ସୀତାଙ୍କୁ ସେ ବିସର୍ଜନ କରିଦେଇ ପାରିବେ । ଏ ଶପଥ ରାମଚନ୍ଦ୍ରଙ୍କ ପକ୍ଷରେ ଏକ କଠୋର ଶପଥ । ଆଦର୍ଶ ନରପତି ରାମଚନ୍ଦ୍ର କେବଳ ଏପରି ଶପଥ ଗ୍ରହଣ କରିପାରନ୍ତି । ଏହି ଶପଥ ହିଁ ପରବର୍ତ୍ତୀ କାଳରେ ରାମଚନ୍ଦ୍ର ଆବଶ୍ୟକ ସମୟରେ ପାଳନ କରିବାକୁ ସମର୍ଥ ହୋଇଅଛନ୍ତି ।

 

ପ୍ରଜାମାନଙ୍କର ମନରକ୍ଷା କରିବା ନିମିତ୍ତ ରାମଚନ୍ଦ୍ର ସୀତାଙ୍କୁ ବିସର୍ଜନ ଦଣ୍ଡ ଦେଲେ । ନରପତି ହିସାବରେ ସେ ତାଙ୍କର ଉପଯୁକ୍ତ କର୍ମ ସଂପାଦନ କଲେ ସତ, ମାତ୍ର ପ୍ରେମିକ ହିସାବରେ ତାଙ୍କ ପ୍ରାଣରେ ଯେଉଁ ଆଘାତ ଲାଗିଲା ସେ ଆଘାତର ବେଦନା ତାଙ୍କ ପକ୍ଷରେ ନିତାନ୍ତ ଅସହ୍ୟ ହୋଇପଡ଼ିଲା । ସୀତାଙ୍କୁ ବିସର୍ଜନ ଦଣ୍ଡ ଦେଇସାରିବା ପରେ ରାମଚନ୍ଦ୍ର ସାରା ରାତି କେବଳ ଦୁଶ୍ଚିନ୍ତାରେ କଟାଇଅଛନ୍ତି । ଏହି ସମୟରେ ସେ ଅନୁଭବ କରିଛନ୍ତି ଯେ ରାଜ ଅଧିକାର ପ୍ରକୃତ ପକ୍ଷରେ ମହା ଦାସତ୍ୱର ଏକ ଛଳନା । ରାଜା ନିଜ ରାଜ୍ୟର ପ୍ରଭୁ ବୋଲି କଥିତ ହେଲେ ହେଁ ପ୍ରକୃତ ପକ୍ଷରେ ରାଜା ପ୍ରଜାମାନଙ୍କର ଦାସ । ପ୍ରଜାମାନେ ମେଳି ବାନ୍ଧି ଯଦି କୌଣସି ମିଛ କଥା କହନ୍ତି ତାହାହେଲେ ତାକୁ ମିଛ ବୋଲି ଜାଣି ମଧ୍ୟ ସତ୍ୟ ଭାବରେ ଗ୍ରହଣ କରିବାକୁ ପଡ଼ିଥାଏ । ପ୍ରଜାମାନଙ୍କର ହିତ ପାଇଁ ରାଜା ନିଜର ସୁଖକୁ ତ୍ୟାଗ କରିବାକୁ ବାଧ୍ୟ । ବିଦ୍ୟୁତର ଦହନ ଜ୍ଵାଳାରେ ଦଗ୍‍ଧୀଭୂତ ହେଲେ ହେଁ ମେଘମାଳା ଯେପରି ଜଳଦାନ କରିଥାଏ ସେହିପରି ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ, ନିଜର ଅନ୍ତରକୁ ବ୍ୟଥାରେ ପୂର୍ଣ୍ଣକରି ଯଦି ନରପତି ପ୍ରଜାମାନଙ୍କର ହିତସାଧନ କରେ, ତାହାହେଲେ ସେ ନରପତି ପ୍ରଜାମାନଙ୍କର ପୂଜ୍ୟାସ୍ପଦ ହୋଇଥାଏ । ନରପତିର କର୍ତ୍ତବ୍ୟ କିପରି କଠିନ ସେ ବିଷୟରେ କବି ଗଙ୍ଗାଧର ରାମଚନ୍ଦ୍ରଙ୍କ ମୁଖରେ ପ୍ରକାଶ କରାଇଅଛନ୍ତି–

 

“ମାୟାକାର ପରି ଦଣ୍ଡଗୋଟି ଧରି

ସମଦୃଷ୍ଟି ସମଭାବେ

ରାଜତ୍ଵ-ରଜ୍ଜୁରେ ବିଳସି ରଜୁରେ

ନିଜ ଜୀବନ ନ ଭାବେ ।

ଯଦି ବାଜୀକର ରଜ୍ଜୁରେ ପୟର

ଦେଲାରୁ ନ ଯିବ ଚାଲି

ତାଳି ମାରି ଥୋକେ ହସିଦେବେ ଲୋକେ

ବାଦ୍ୟକାର ଦେବ ଗାଳି ।”

 

ବାଉଁଶରାଣୀ ଖେଳ ଦେଖାଉଥିବା ବାଜୀକରର ଖେଳକୁ କବି ଏଠାରେ ଆଦର୍ଶ ନରପତିର କର୍ମ ସହିତ ତୁଳନା କରିଅଛନ୍ତି । ଟଣାଯାଇଥିବା ଗୋଟିଏ ଦଉଡ଼ି ଉପରେ ବାଜୀକର ହାତରେ ଖଣ୍ଡିଏ ବାଉଁଶ ଧରି ନିଜ ଶରୀରର ଭାରସାମ୍ୟ ରକ୍ଷା କରି ଚାଲି ଚାଲି ଖେଳ ଦେଖାଏ । ଏହି ଖେଳ ଅତ୍ୟନ୍ତ ବିପଦପୂର୍ଣ୍ଣ । ଠିକ୍ ସେହିପରି ନରପତି ନିଜର ଜୀବନ ପ୍ରତି ଭ୍ରୂକ୍ଷେପ ନ କରି ରାଜତ୍ୱ ରୂପକ ରଜ୍ଜୁରେ ଚାଲିଥାଏ । ବାଜୀକର ଯଦି ରଜ୍ଜୁରେ ପାଦ ଦେବା ସଙ୍ଗେ ସଙ୍ଗେ ଚାଲି ନ ଯାଏ ତାହାହେଲେ ସେ ହାସ୍ୟାସ୍ପଦ ହୋଇଥାଏ । ଠିକ୍ ସେହିପରି ନରପତି ଯେବେ ରାଜତ୍ଵ ରୂପକ ରଜ୍ଜୁରେ ଠିକ୍ ଭାବରେ ଚାଲି ନ ପାରେ, ଅର୍ଥାତ୍ ଉତ୍ତମରୂପେ ରାଜତ୍ଵ କରି ନ ପାରେ ତାହାହେଲେ ତାହାକୁ ହାସ୍ୟାସ୍ପଦ ହେବାକୁ ପଡ଼ିଥାଏ । ତେଣୁ ରାମଚନ୍ଦ୍ର ସୀତାଙ୍କୁ ନିର୍ବାସନ ଦଣ୍ଡ ଦେଇ ଅତ୍ୟନ୍ତ ମର୍ମବେଦନା ଅନୁଭବ କଲେ ହେଁ ରାଜ୍ୟଶାସନରେ ଯେପରି ଶିଥିଳତା ପ୍ରଦର୍ଶିତ ନ ହୁଏ ସେଥିପାଇଁ ସେ ସଚେତନ ରହିଅଛନ୍ତି । ପୁଣି ଏଥିପାଇଁ ରାମଚନ୍ଦ୍ରଙ୍କର ବଂଶ ପରଂପରା ଏଠାରେ ତାଙ୍କୁ ଆହୁରି ସଚେତନ କରିଦେଇଅଛି । ରଘୁବଂଶର ଗୌରବ ରକ୍ଷାକରିବା ରାମଚନ୍ଦ୍ରଙ୍କର କର୍ତ୍ତବ୍ୟ । ତେଣୁ ସେ ଆଦର୍ଶ ପଥରୁ ବିଚ୍ୟୁତ ହୋଇ ନାହାନ୍ତି ।

 

ସୀତାଙ୍କ ବିଚ୍ଛେଦରେ ରାମଚନ୍ଦ୍ର ଅତ୍ୟନ୍ତ ମର୍ମାହତ ହୋଇଥିବାର କବି ବର୍ଣ୍ଣନା କରିଅଛନ୍ତି । ମାତ୍ର ସୁଖ ବା ଦୁଃଖରେ ରାମଚନ୍ଦ୍ର ଯେ ସମଭାବ ପ୍ରକାଶ କରୁଥିଲେ, ଏ କଥା କବି ସୀତାଙ୍କ ମୁଖରେ ପ୍ରକାଶ କରିଅଛନ୍ତି । ପିତୃବାକ୍ୟ ପାଳନ କରି ରାମଚନ୍ଦ୍ର ଯେତେବେଳେ ବନକୁ ଗମନ କଲେ ସେତେବେଳେ ସେ ଦୁଃଖରେ ଭାଙ୍ଗି ନ ପଡ଼ି ଅବିଚଳିତ ଚିତ୍ତରେ ବନଗମନ ଲାଗି ଉଦ୍ୟତ ହେଲେ । ବନକୁ ଯିବା ସମୟରେ ସେ ସୀତାଙ୍କ ନିକଟରୁ ବିଦାୟ ନେବା ପାଇଁ ଯାଇ କହିଥିଲେ–

 

“ଜୀବନସଙ୍ଗିନୀ ! ରଖି ତୋ ପାଶେ ଜୀବନ,

ପିତାଙ୍କ ଆଦେଶେ ଆଜି ଯାଉଅଛି ବନ ।

ଯୁବରାଜ ହେବେ ପ୍ରିୟ ଭାଇ ମୋ ଭରତ,

ରାଜଲକ୍ଷ୍ମୀ ହେଲେ ତାଙ୍କ ପ୍ରଣୟରେ ରତ ।

ନ ରଖି ମାନିନୀ ! ନିଜ ଜ୍ୟେଷ୍ଠା ଅଭିମାନ

ଭରତେ କରିବୁ ରାଜ–ମାନ୍ୟର ସମ୍ମାନ ।

ଦେଖିଲି ମୁଁ ସ୍ଵାମୀଙ୍କର ବଦନମଣ୍ଡଳ,

ଦିଶୁଥିଲା ପୂର୍ବପରି ଶାନ୍ତିରେ ଉଜ୍ଜ୍ଵଳ ।”

 

ଯେଉଁ ରାମଚନ୍ଦ୍ର ପିତୃ ଆଦେଶ ପାଳନ କରି ରାଜ୍ୟ–ଛାଡ଼ି ବନବାସ କରିବାକୁ ଯିବା ସମୟରେ ମନ ମଧ୍ୟରେ ଅଟଳ ରହି ପାରିଥିଲେ, ସେହି ରାମଚନ୍ଦ୍ର ସୀତାଙ୍କ ବିଚ୍ଛେଦରେ ଏପରି ମର୍ମାହତ ହୋଇପଡ଼ିଲେ କାହିଁକି ? ରାମଚନ୍ଦ୍ରଙ୍କୁ ଆଦର୍ଶ ପ୍ରେମିକର ଆସନ ପ୍ରଦାନ କରିବା ନିମିତ୍ତ କବି ଏ ପ୍ରକାର ବର୍ଣ୍ଣନା କରିଅଛନ୍ତି ବୋଲି ମନେହୁଏ । କେବଳ କବି ଗଙ୍ଗାଧର ମେହେରଙ୍କ ଲେଖନୀରେ ନୁହେଁ, କବି କାଳିଦାସଙ୍କ ଲେଖନୀରେ ସୀତାଙ୍କ ବିଚ୍ଛେଦରେ ରାମଚନ୍ଦ୍ରଙ୍କର ଦୁଃଖ ଅତିମାତ୍ରାରେ ପ୍ରକାଶ ପାଇଅଛି । ରାବଣ ଯେତେବେଳେ ସୀତାଙ୍କୁ ଚୋରାଇ ନେଇଗଲା ସେତେବେଳେ ରାମଚନ୍ଦ୍ର ସୀତାଙ୍କୁ ବନମଧ୍ୟରେ ଅତ୍ୟନ୍ତ ଆତୁରତାର ସହିତ ଅନ୍ୱେଷଣ କରିଅଛନ୍ତି-। ଏହି ସମୟରେ କବି କାଳିଦାସ ରାମଚନ୍ଦ୍ରଙ୍କର ମାନସିକ ଅବସ୍ଥାର ଯେଉଁ ଚିତ୍ର ପ୍ରଦାନ କରିଅଛନ୍ତି ତାହା ପାଠକଲେ ପାଠକ ରାମଚନ୍ଦ୍ରଙ୍କର ଅନ୍ତରବେଦନା ମର୍ମେ ମର୍ମେ ଉପଲବ୍‍ଧି କରେ ।

 

ସୀତାଙ୍କୁ ନିର୍ବାସନ ଦଣ୍ଡ ଦେଇ ଲକ୍ଷ୍ମଣଙ୍କ ସହିତ ତାଙ୍କୁ ବନକୁ ପଠାଇଦେଇ ରାମଚନ୍ଦ୍ର ବ୍ୟଥିତ ପ୍ରାଣରେ ଲକ୍ଷ୍ମଣଙ୍କର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଅଛନ୍ତି । କେଉଁ ସ୍ଥାନରେ କିପରି ଅବସ୍ଥାରେ ଲକ୍ଷ୍ମଣ ସୀତାଙ୍କୁ ନେଇ ଛାଡ଼ିଲେ ସେହି ବାର୍ତ୍ତା ଶ୍ରବଣ କରିବା ଲାଗି ସେ ଏକାବେଳକେ ଉଦ୍‍ଗ୍ରୀବ ହୋଇ ପଡ଼ିଛନ୍ତି । ଏଭଳି ପ୍ରତୀକ୍ଷା ବିରହୀ ରାମଚନ୍ଦ୍ରଙ୍କ ପକ୍ଷରେ ଏକାନ୍ତ ଅସହ୍ୟ ବୋଧ ହୋଇଅଛି । କବି ଏହିସ୍ଥଳରେ ରାମଚନ୍ଦ୍ରଙ୍କର ମନର ଅବସ୍ଥାକୁ ଚିତ୍ରଣ କରିବା ପାଇଁ ଯେଉଁ ବର୍ଣ୍ଣନା କରିଅଛନ୍ତି ତାହା ରାମଚନ୍ଦ୍ରଙ୍କର ଉତ୍ତମ ପ୍ରେମିକତ୍ଵ ପ୍ରଦର୍ଶନ କରେ । ଗଙ୍ଗାଧର ମେହେର ଏଠାରେ ଲେଖିଅଛନ୍ତି–

 

“ନାହିଁ ସିନା ଘରେ ହୃଦ-ପ୍ରେମ-ସରେ

ମୋ ପ୍ରିୟା-କମଳ-କଳି

ପଡ଼ିଅଛି ଫୁଟି, ମକରନ୍ଦ ଲୁଟି

କରୁଅଛି ମନ-ଅଳି ।

ନୟନ ଯୁଗଳ କାହିଁକି ବିକଳ

ହୋଇ ଛାଡ଼ୁ ଅଛ ଜଳ,

ଶୁଖିଗଲେ ସର କମଳିନୀ ମୋର

ହୋଇଯିବ ଟଳମଳ ।

ବକ୍ଷ ତୁ ପଥର ବନ୍ଧ ହୋଇ କର

ରୁଦ୍ଧ ନେତ୍ର-ଜଳ-ନାଳୀ,

ନାସିକା-ପବନ ନ କହିବୁ ଘନ

କମ୍ପିବ ପ୍ରାଣ-ସଙ୍ଖାଳି ।

ଲକ୍ଷ୍ମଣ ଆସିବ ସମସ୍ତ ଭାଷିବ

ଜୀବନ-ସଙ୍ଗିନୀ-କଥା,

ଶ୍ରବଣ ଯୁଗଳ ନ ହୁଅ ଚଞ୍ଚଳ ।

ଶୁଣିବ, ମୁଞ୍ଚିବ ବ୍ୟାଥା ।”

 

କର୍ତ୍ତବ୍ୟର ଅନୁରୋଧରେ ରାମଚନ୍ଦ୍ର ଯେଉଁ କର୍ମ କରି ବସିଛନ୍ତି ସେ କର୍ମର ପ୍ରଭାବକୁ ନିଜ ଜୀବନରୁ ଏଡ଼ିଦେଇ ପାରି ନାହାନ୍ତି । ସୀତାଙ୍କୁ ନିଜ ଜୀବନରେ ପାଶୋରି ପକାଇବା କେବେହେଲେ ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ସୀତାଙ୍କୁ ନିର୍ବାସନ ଦଣ୍ଡ ଦେଇ ପାଖରୁ ଦୂରକୁ ପଠାଇ ଦେଇଥିଲେ ହେଁ ରାମଚନ୍ଦ୍ରଙ୍କର ହୃଦୟରେ ସୀତାଙ୍କ ଆସନ ପୂର୍ବପରି ଅପରିବର୍ତ୍ତିତ ରହିଛି-। ସେ ଦୃଢ଼ଭାବରେ ପ୍ରକାଶ କରିଅଛନ୍ତି ଯେ ତାଙ୍କର ହୃଦୟ ରୂପକ ପ୍ରେମର ସରୋବରରେ ସୀତା ରୂପକ କମଳ କଳି ପ୍ରସ୍ଫୁଟିତ ହୋଇଅଛି ଏବଂ ମନ ରୂପକ ଭ୍ରମର ତହିଁରୁ ପଦ୍ମମଧୁ ଲୁଟି କରିବାରେ ଲାଗିପଡ଼ିଅଛି । ନୟନଦ୍ୱୟ ବାଟ ଦେଇ ଯଦି ଲୋତକ ରୂପକ ଜଳ ବାହାରିଯାଏ ତାହାହେଲେ ତାଙ୍କର ହୃଦୟ ରୂପକ ସରୋବରରୁ ଜଳ ଶୁଖିଆସିବା ହେତୁ ସୀତା ରୂପକ କମଳିନୀ ଦୃଢ଼ଭାବରେ ନ ରହି ଟଳମଳ ହୋଇପଡ଼ିବ । ଅର୍ଥାତ୍ ବିରହ ଦୁଃଖରେ ଅତିମାତ୍ରାରେ ବ୍ୟଥିତ ହୋଇ ରାମଚନ୍ଦ୍ର ଯଦି କେବଳ ଅଶ୍ରୁବର୍ଷଣ କରିବସନ୍ତି ତାହାହେଲେ ତାଙ୍କ ମନରୁ ସୀତାଙ୍କର ସ୍ମୃତିର ଚିହ୍ନ ମଳିନ ପଡ଼ିଯାଇପାରେ । ସୀତାଙ୍କ ବିରହରେ ବ୍ୟଥିତ ରାମଚନ୍ଦ୍ର ଏପରି ଭାବରେ ସୀତାସର୍ବସ୍ୱ ହୋଇ ପଡ଼ିଅଛନ୍ତି ଯେ ତାଙ୍କ ଶରୀରର ଘର୍ମକୁ ଦେଖି କହୁଛନ୍ତି–

 

“ରେ ସନ୍ତପ୍ତ ଚର୍ମ ନାଶିବ ତୋ ଘର୍ମ

ସମୀର ଆସୁଛି ବହି

ସନ୍ତାପନାଶିନୀ ସରୋଜବାସିନୀ

ଶ୍ରୀଅଙ୍ଗ ସୌରଭ ବହି ।”

 

ସୀତାଙ୍କ ପ୍ରତି ରାମଚନ୍ଦ୍ରଙ୍କର ଅନ୍ତରରେ ପ୍ରେମଭାବ ଏହିପରି ବହୁ ପଙ୍‍କ୍ତି ମଧ୍ୟରେ କବି ପ୍ରକାଶ କରିଅଛନ୍ତି । ସୀତାଙ୍କର ରାମଚନ୍ଦ୍ରଙ୍କ ପ୍ରତି ଯେପରି ଭାବ ରାମଚନ୍ଦ୍ରଙ୍କର ସୀତାଙ୍କ ପ୍ରତି ସେହିପରି ଭାବ ଥିବାର କବି ବର୍ଣ୍ଣନା କରିଅଛନ୍ତି । ରାମଚନ୍ଦ୍ର ସୀତାଙ୍କ ପ୍ରତି କେତେଦୂର ଆସକ୍ତ ଥିଲେ, ତାହା କବି ଷଷ୍ଠ ସର୍ଗରେ ସୀତାଙ୍କ ମୁଖରେ ପ୍ରକାଶ କରାଇଛନ୍ତି–

 

“ସେ ବୋଇଲେ, ପ୍ରଣୟିନୀ ପ୍ରଣୟୀର ରୀତି,

ବଢ଼ାଇ ଏକର ମାନ ଅନ୍ୟ ଲଭେ ପ୍ରୀତି ।”

 

ରାମଚନ୍ଦ୍ର ସୀତାଙ୍କ ସହିତ ବନବାସ କରୁଥିବା ସମୟରେ ଥରେ ସୀତାଙ୍କ ନିକଟରେ ପ୍ରଣୟୀ ପ୍ରଣୟିନୀ ବିଷୟରେ ଏକଥା ପ୍ରକାଶ କରିଥିଲେ । ସୀତା ରାମଚନ୍ଦ୍ରଙ୍କ ମୁଖରୁ ଏପରି କଥା ଶୁଣି ନିଜ ଜୀବନକୁ ଧନ୍ୟ ମନେ କରିଥିଲେ । ସେହି ବନବାସ ସମୟରେ ଦିନେ ସନ୍ଧ୍ୟା ସମୟରେ ଆକାଶରେ ଶୁଭ୍ର ଚନ୍ଦ୍ରିକାର ବିହାର ଦେଖି ରାମଚନ୍ଦ୍ର ସୀତାଙ୍କ ହାତ ଧରି ବନବିହାର କରିବାକୁ ବାହାରିଲେ । ଏହି ବିହାର ସମୟରେ ସୀତାଙ୍କର ମନୋରଞ୍ଜନ ପାଇଁ ରାମଚନ୍ଦ୍ର ବନବାସର ସୁଖ ବିଷୟ ବର୍ଣ୍ଣନା କରୁଥିଲେ । ଏପରି ସମୟରେ ହଠାତ୍ ଚକ୍ରବାକର ସ୍ୱନ ଶ୍ରବଣ କରି ରାମଚନ୍ଦ୍ର ସୀତାଙ୍କର ମୁଖରେ ଚୁମ୍ବନ ଦେଲେ । ସୀତା ଏପରି ଅପ୍ରତ୍ୟାଶିତ ଭାବରେ ଚୁମ୍ବନ ଦେବାର କାରଣ ପ୍ରଶ୍ନ କରନ୍ତେ ରାମଚନ୍ଦ୍ର ଉତ୍ତର ଦେଇଥିଲେ–

 

“ବୋଇଲେ ପ୍ରେୟସୀ, ଏହି କାନ୍ତା ବିରହିତ

ଚକ୍ରବାକ ଦୁଃଖାନଳେ ହେଉଛି ଦହିତ ।

ଦିନଯାକ ଥାଏ ପ୍ରିୟା ସଙ୍ଗସୁଖେ ସିକ୍ତ,

ତା ବିନା ମଣୁଛି ଏବେ ଜୀବନକୁ ତିକ୍ତ ।

ତୁ ନ ଥାନ୍ତୁ ଯେବେ ମୋର ବନ ସହଚରୀ,

ଦୁଃଖେ ଦଗ୍‍ଧ ହେଉଥାନ୍ତି ବିପିନେ ବିଚରି ।

ଯାହା ଯାହା ବୋଲୁଅଛି ବନବାସ ସୁଖ,

ସେ ସକଳ କରୁଥାନ୍ତେ ମୋ ଜୀବନ ଶୁଷ୍କ ।

କାନ୍ତା ବିନା କାନ୍ତ–ପ୍ରାଣ ସ୍ୱଭାବେ ବିକଳ,

ବିକଳ ଜୀବନ ମଣେ ଜଗତ ବିଫଳ ।

ଭାସୁଥାଏ ଜୀବ ଯଦି ସଂସାର–ସାଗରେ,

ଯଦି ବା ଭରସା ଥାଏ ବନିତା–ନାବରେ ।”

 

ଉପରୋକ୍ତ ଉଦ୍ଧୃତିରୁ ରାମଚନ୍ଦ୍ରଙ୍କର ପ୍ରେମିକତ୍ୱ ସ୍ପଷ୍ଟଭାବରେ ପ୍ରକାଶ ପାଇଅଛି । କବି ଗଙ୍ଗାଧର ମେହେର ରାମଚନ୍ଦ୍ରଙ୍କୁ ଆଦର୍ଶ ନରପତି ଭାବରେ ଯେତିକି ପରିମାଣରେ ଚିତ୍ରଣ କରିଅଛନ୍ତି, ଆଦର୍ଶ ପ୍ରେମିକ ଭାବରେ ତଦପେକ୍ଷା ଅଧିକ ପରିମାଣରେ ଚିତ୍ରଣ କରିଅଛନ୍ତି । ରାମଚନ୍ଦ୍ର ରଘୁବଂଶର ମହିମାନ୍ୱିତ ଗୌରବକୁ ରକ୍ଷା କରିବା ପାଇଁ ଯେପରି ଶାସକର ଦାୟିତ୍ୱକୁ ସୁଚାରୁରୂପେ ସଂପାଦନ କରିଅଛନ୍ତି, ରକ୍ତମାଂସଧାରୀ ମନୁଷ୍ୟର ସ୍ୱାଭାବିକ ଚରିତ୍ରର ବିକାଶ ନିମନ୍ତେ ପ୍ରେମିକର ଆସନରେ ଥାଇ ନିଜର ମହତ୍ତ୍ୱକୁ ସେହିପରି ଭାବରେ ବଜାୟ ରଖିଅଛନ୍ତି ।

 

ପତିର ଆଦର୍ଶ ପତ୍ନୀ ସମ୍ମୁଖରେ ହିମାଳୟ ଅପେକ୍ଷା ଉଚ୍ଚତର । ରାମଚନ୍ଦ୍ରଙ୍କର ଆଦର୍ଶ ସୀତାଙ୍କ ନିକଟରେ ଯେ କି ମହାନ୍ ରୂପ ଗ୍ରହଣ କରିଅଛି, ତାହା ବାକ୍ୟରେ ପ୍ରକାଶ କରିବା ଅସମ୍ଭବ । ଦୁଃଖର ସାଗର ଭିତରକୁ ଯେଉଁ ପତି ତାର ପତ୍ନୀକୁ ପେଲି ଦେଇଅଛି ସେହି ପତ୍ନୀ କବିଙ୍କ ଭାଷାରେ ପ୍ରକାଶ କରିଅଛି–

 

“କୀର୍ତ୍ତି ଅନୁରୋଧେ ସିନା କଲ ମୋତେ ତ୍ୟାଗ,

ଏ ତୁମର ଉପଯୁକ୍ତ କର୍ମ ମହାଭାଗ ।”

 

ରାମଚନ୍ଦ୍ରଙ୍କର ଆଦର୍ଶ ସୀତାଙ୍କୁ ଉତ୍ତମରୂପେ ବିଦିତ ନ ଥିଲେ ସୀତାଙ୍କର ମୁଖରୁ ଏ ପ୍ରକାର ଉକ୍ତି କେବେହେଲେ ବାହାରି ପାରି ନ ଥାନ୍ତା । ରାମଚନ୍ଦ୍ରଙ୍କ ଚରିତ୍ର ବିଷୟରେ କେବଳ ଏତିକି କଥା କୁହାଯାଇପାରେ ଯେ ରାମଚନ୍ଦ୍ର ହିଁ ରାମଚନ୍ଦ୍ର ।

★★★

 

ତପସ୍ଵିନୀରେ ବାଲ୍ମୀକି

 

ତପସ୍ଵିନୀ କାବ୍ୟରେ ଗଙ୍ଗାଧର ମେହେର ପ୍ରସଙ୍ଗ କ୍ରମରେ ବାଲ୍ମୀକି ମହର୍ଷିଙ୍କ ବିଷୟରେ ଅବତାରଣା କରିଅଛନ୍ତି । ଲକ୍ଷ୍ମଣ ଯେତେବେଳେ ଭାଗୀରଥୀ ତୀରରେ ସୀତାଙ୍କୁ ଛାଡ଼ିଦେଇ ଗଲେ ସୀତା ସେଠାରେ ଭୂମିରେ ପଡ଼ି ଅବିରଳ ଧାରାରେ ଅଶ୍ରୁବର୍ଷଣପୂର୍ବକ ପତିଙ୍କ ଗୁଣଗାନ କରିବା ସଙ୍ଗେ ସଙ୍ଗେ ନିଜର ଦୋଷ ବାହୁନି କାନ୍ଦିଥିଲେ । ସୀତାଙ୍କର କ୍ରନ୍ଦନ ସହି ନ ପାରି ପ୍ରକୃତି ସମବେଦନା ପ୍ରକାଶ କରିବା ପାଇଁ ନିୟତି ସହିତ ସଂଗ୍ରାମରତ ହେଲା । ବର୍ଷା ତୋଫାନରେ ପ୍ରଳୟଙ୍କରୀ ବାୟୁମଣ୍ଡଳ ସୃଷ୍ଟି ହେଲା । ବର୍ଷା ତୋଫାନ ବନ୍ଦ ହୋଇଯିବା ପରେ ବାଲ୍ମୀକି ଆଶ୍ରମର କୁମାରୀମାନେ ତାଙ୍କର ଉପବନର ଅବସ୍ଥା ପର୍ଯ୍ୟବେକ୍ଷଣ କରିବାକୁ ଆସିଥିଲେ-। ସେମାନେ ବନମଧ୍ୟରେ ଏପରି କ୍ରନ୍ଦନରତା ନାରୀର ବିଷୟ ଯାଇ ବାଲ୍ମୀକିଙ୍କ ଆଗରେ ପ୍ରକାଶ କଲେ । ବାଲ୍ମୀକି ଧ୍ୟାନବଳରେ ସବୁ କଥା ଜାଣିପାରି ଆଶ୍ରମସ୍ଥ ମୁନିକୁମାରୀମାନଙ୍କ ସହିତ ସୀତାଙ୍କ ନିକଟକୁ ଗଲେ । ବାଲ୍ମୀକି ଯେତେବେଳେ ଯାଇ ସୀତାଙ୍କ ଆଗରେ ଉଭା ହୋଇଅଛନ୍ତି ସେ ସମୟର ବର୍ଣ୍ଣନା କବି ଅତ୍ୟନ୍ତ ଚମତ୍କାର ଭାବରେ କରି ଅଛନ୍ତି–

 

ଶ୍ୱେତ-ଶ୍ମଶ୍ରୁ-କେଶ ବିଭୂତି-

ବପୁ ସୌମ୍ୟ ମୂରତୀ

ବାଲ୍ମୀକି ମହର୍ଷି ସମୀପେ

ହେମ ଗଉରୀ ସତୀ ।

ଦିଶିଲେ ଯେମନ୍ତ ତୁଷାର–

ତନୁ ହିମାଦ୍ରି ତଳେ

ତପସ୍ଵିନୀ ଉମା ମଉନେ

ରହିଛନ୍ତି ନିଶ୍ଚଳେ ।”

 

ବାଲ୍ମୀକି ସୀତାଙ୍କ ଦୁଃଖରେ ସମବେଦନା ପ୍ରକାଶ କରି ତାଙ୍କୁ ଧୈର୍ଯ୍ୟ ଧରିବାକୁ କହିଲେ । ସୀତାଙ୍କର ଯେଉଁ ଦୁଃଖ ଆସିଅଛି ସେ ଦୁଃଖରେ ଭାଙ୍ଗି ନ ପଡ଼ିବାକୁ କହି ବାଲ୍ମୀକି ସୀତାଙ୍କୁ ନିଜର ପରିଚୟ ଦେଇଅଛନ୍ତି–

 

“ଶ୍ଵଶୁର ତୋ ମୋର ସୁହୃଦ,

ସେହିପରି ତୋ ପିତା,

ଅସଂକୋଚେ ରହ ଆଶ୍ରମେ

ମଣି ସଂସାର ପିତା ।

ମୋ ଆଶ୍ରମେ ତୋର ନ ଥିବ

କଉଣସି ଭାବନା,

ଜନମିବ ଯେଉଁ ସନ୍ତାନ

ତାର ପାଇଁ ଭାବ ନା ।

ମୁନି ବାଣୀ ଶୁଣି ଜାନକୀ

ମୁନି ଚରଣ ତଳେ,

ପଡ଼ି ଉଠି ଗଣ୍ଡ ପୋଛିଲେ

ନିଜ ବସନାଞ୍ଚଳେ ।”

ବୀର ପ୍ରସବିନୀ ହୁଅ ମା”

ବୋଲି ଶୁଭଆଶିଷ

ଦେଇ ଆଶ୍ୱାସିଲେ ମଧୁରେ

ମୁନି ମଣ୍ତଳାଧୀଶ ।

 

ପ୍ରଥମ ସର୍ଗରେ ସୀତା ତାଙ୍କର ଗର୍ଭରେ ଥିବା ସନ୍ତାନର ଦଶା କ’ଣ ହେବ ବୋଲି ଯେଉଁ ଆଶଙ୍କା କରିଥିଲେ ତାହାର ଉତ୍ତର ଏଠାରେ ବାଲ୍ମୀକିଙ୍କଠାରୁ ପାଇଗଲେ । ତାପରେ ବାଲ୍ମୀକି ମହର୍ଷି ସୀତାଙ୍କୁ ନିଜ ଆଶ୍ରମକୁ ଯିବା ପାଇଁ ଡାକିଲେ । ମୁନିକୁମାରୀମାନେ ସୀତାଙ୍କର ପେଟିକାଦି ଜିନିଷପତ୍ର ଧରି ସୀତାଙ୍କୁ ସଙ୍ଗରେ ନେଇ ଆଶ୍ରମକୁ ବାହାରିଲେ । ସୀତା ଯେତେବେଳେ ଆଶ୍ରମକୁ ଯାଉଥିଲେ ସେତେବେଳର ବର୍ଣ୍ଣନା କବି ଦେଇଅଛନ୍ତି–

 

“କଷାୟ ବସନ ମହର୍ଷି

ହେଲେ ଅନୁ ରୂପମ,

ପଛେ ବଇଦେହୀ ଦିଶିଲେ

ଭାନୁ-ଦୀଧିତି-ସମ ।

ବୁଡ଼ିଥିଲା ସେହି ଦୀଧିତି

ଦୁଃଖ-ଅର୍ଣ୍ଣବ-ଅର୍ଣ୍ଣେ,

ଅନୁରୁ ତହିଁରେ ବିରାଜୁ–

ଥିଲେ ଉଜ୍ଜ୍ଵଳ ବର୍ଣ୍ଣେ ।”

 

ବାଲ୍ମୀକି ଆଶ୍ରମରେ ସୀତା ପହଞ୍ଚିବା ପରେ ବାଲ୍ମୀକିଙ୍କ ନିର୍ଦ୍ଦେଶରେ ସୀତାଙ୍କର ପେଟିକାପତ୍ର କୁଟୀରରେ ରଖାଗଲା । ଜଣେ ମୁନିକନ୍ୟା ସୀତାଙ୍କର ମୁଖ ଧୋଇଦେଲା । ବାଲ୍ମୀକି ଆଶ୍ରମର ମୁନିକନ୍ୟାମାନଙ୍କର ଆତିଥ୍ୟ ଓ ଅନୁକମ୍ପାଙ୍କର ମାତୃସୁଲଭ ସ୍ନେହମମତା ସୀତାଙ୍କ ପ୍ରାଣରେ ଶାନ୍ତି ବାରି ସେଚନ କଲା । ରାତ୍ରି ଶେଷରେ ପ୍ରଭାତର ଆଗମନରେ କବି ବାଲ୍ମୀକି ଆଶ୍ରମର ଯେଉଁ ବର୍ଣ୍ଣନା ପ୍ରଦାନ କରିଅଛନ୍ତି ତାହା ଅନୁପମ । ପ୍ରଭାତରେ ସୀତା ମୁନିକୁମାରୀମାନଙ୍କ ସହିତ ତମସା ନଦୀରେ ସ୍ନାନ କରି ଫେରିଲେ ।

 

“ସମସ୍ତେ ଅବଗାହନ ବଢ଼ାଇ ପ୍ରତ୍ୟାଗମନ

କରି ବାଲ୍ମୀକି ଚରଣ କଲେ ବନ୍ଦନା

ଆଶିଷେ ମୁନି-ପୁଙ୍ଗବ ବୋଇଲେ, “ଜ୍ଞାନ-ବିଭବ

ଅର୍ଜନେ ସୁସିଦ୍ଧି ଲାଭ କରି ସାଧନା,”

ବିଶେଷେ ସୀତାଙ୍କୁ ସାଦରେ

ବୋଇଲେ, “ବୀରସୂ ହୁଅ ଅପ୍ରମାଦରେ ।

ନନ୍ଦିନୀ ! ତୁ ଏ ଆଶ୍ରମ ପାଦପଙ୍କୁ ସ୍ନେହ ଶ୍ରମ

ପ୍ରୟୋଗ ନନ୍ଦନୋପମ କର ଯତନ,

ସେ ଭାବେ ତୋ ଅନୁଭବ ସ୍ଵଭାବେ ହେବ ସମ୍ଭବ

ଭବେ କେମନ୍ତ ଦୁର୍ଲଭ ସୁତରତନ,

ଅନୁକମ୍ପା ଥିବେ ନିୟତ

ସକଳ ଅଭାବ ତୋର ମୋଚନେ ରତ ।”

 

ସୀତା ତମସା ନଦୀରୁ ସ୍ନାନ ଶେଷ କରି ମୁନିକୁମାରୀଙ୍କ ସହିତ ବାଲ୍ମୀକିଙ୍କ ଚରଣ ବନ୍ଦନା କରିବା ସମୟରେ ବାଲ୍ମୀକି ତାଙ୍କୁ ପୁଣି ଥରେ ବୀରପ୍ରସବିନୀ ହୁଅ ବୋଲି ଆଶୀର୍ବାଦ କଲେ । କେବଳ ସେତିକି ନୁହେଁ, ଆଶ୍ରମରେ ରହି ଆଶ୍ରମର ବୃକ୍ଷଲତାଙ୍କୁ ସ୍ନେହ ମମତା ଦେଇ ବଢ଼ାଇଲେ ସୀତା ପୁତ୍ରଲାଭ କରିବା ପରେ ପୁତ୍ର ପ୍ରତି ସେହି ମମତା ପୋଷଣ କରିବା ତାଙ୍କ ପକ୍ଷରେ ସହଜ ହେବ । ବାଲ୍ମୀକି ଏଠାରେ ସତେ ଯେପରି ସୀତାଙ୍କର ଜନକର ଆସନରେ ଥାଇ କନ୍ୟାଙ୍କୁ ଉପଦେଶ ପ୍ରଦାନ କରିଅଛନ୍ତି । ବାଲ୍ମୀକି ମହର୍ଷିଙ୍କୁ ସୀତା ମଧ୍ୟ ପିତୃକଳ୍ପ ସମ୍ମାନ ପ୍ରଦର୍ଶନ କରିଅଛନ୍ତି ।

 

ଲବକୁଶ ଜନ୍ମ ହେବା ପରେ ବାଲ୍ମୀକି ମହର୍ଷି କୁମାରଦ୍ୱୟଙ୍କୁ ଦେଖିବା ସକାଶେ ଆସିଲେ । କୁମାରଦ୍ଵୟଙ୍କୁ ଦେଖି ମୁନିଙ୍କର ମନରେ ଆନନ୍ଦର କଲ୍ଲୋଳ ସୃଷ୍ଟି ହେଲା–

 

“ବାଲ୍ମୀକି ମହର୍ଷି ଆସି ତତକ୍ଷଣ

କୁମାର ଯୁୟଙ୍କୁ କଲେ ସନ୍ଦର୍ଶନ ।

ଭାବିଲେ ଏ ଗୁରୁ-ଶୁକ୍ର-ଗ୍ରହ ଦ୍ଵୟ

ଏକତ୍ର ଆଶ୍ରମ-ଆକାଶେ ଉଦୟ ।

ମହର୍ଷି ହୃଦୟ ପ୍ରଭାତର ପରି

ଆନନ୍ଦ କୁସୁମ ବାସେ ଗଲା ଭରି ।

କୁଶଗୁଚ୍ଛ ମୁନିବର ହସ୍ତେ ଘେନି ।

ମନ୍ତ୍ରୀ ଅଗ୍ର ଅଧ କଲେ ଖଣ୍ଡ ବେନି ।

ଅନୁକମ୍ପା କରେ କରି ସମର୍ପଣ

ବୋଇଲେ, ଶିଶୁଙ୍କୁ କର ସମାର୍ଜନ ।

ଅଗ୍ରଜେ ପ୍ରୟୋଗ ଅଗ୍ରଭାଗ କର

ଅଧୋଭାଗେ ତନୁ ମାଜ ଅନୁଜର ।”

 

ଲବକୁଶଙ୍କ ଜନ୍ମ ପରେ ବାଲ୍ମୀକି ଆଶ୍ରମରେ ସତେ ଯେପରି ଆନନ୍ଦର ବନ୍ୟା ମାଡ଼ିଯାଇଥିଲା । ଲବକୁଶଙ୍କ ନାମକରଣ ଉତ୍ସବର ବର୍ଣ୍ଣନା କବି ପ୍ରଦାନ କରିଅଛନ୍ତି । ଲବକୁଶ ଜନ୍ମ ହେବା ପରେ ବାଲ୍ମୀକି କୁଶଗୁଚ୍ଛକୁ ନିଜ ହାତରେ ଦୁଇ ଖଣ୍ଡ କରି ଅଗ୍ରଭାଗରେ ଅଗ୍ରଜର ଓ ଅଧୋଭାଗରେ ଅନୁଜର ତନୁକୁ ସମାର୍ଜନ କରିବା ନିମନ୍ତେ ଅନୁକମ୍ପାଙ୍କୁ ଆଦେଶ ଦେଲେ । ଏହି ସମାର୍ଜନ ନିମନ୍ତେ ବ୍ୟବହୃତ କୁଶଗୁଚ୍ଛ ଅନୁସାରେ କୁମାରଦ୍ଵୟଙ୍କର ନାମକରଣ ହୋଇଥିଲା । ଏହା ମୂଳ ରାମାୟଣ ଉତ୍ତରା କାଣ୍ଡର ଛାୟା ବୋଲି ଜଣାଯାଏ । ନାମକରଣ ଉତ୍ସବ ବିଷୟ କବି ବର୍ଣ୍ଣନା କରିଅଛନ୍ତି–

 

“ବେଦମତେ ହେଲା ଦେବ ଆରାଧନା,

ବାଜିଗଲା ଶଙ୍ଖ ଶିଙ୍ଗାର ବାଜଣା ।

ଜ୍ୟେଷ୍ଠ କୁମାରକୁ ଦେଇ ଶୁଭାଶିଷ

ପ୍ରସନ୍ନେ ବୋଇଲେ ମୁନିକୁଳାଧୀଶ,

କୁଶାଗ୍ରେ ମାର୍ଜିତ ହୋଇଅଛି “କୁଶ”

ନାମେ ହେବ ରିପୁ-କରୀନ୍ଦ୍ର ଅଙ୍କୁଶ ।

ସେ ରୂପେ କନିଷ୍ଠ କୁମାରକୁ “ଲବ”–

ନାମ ଦେଲେ ମୁନି-ମନୀଷି-ପୁଙ୍ଗବ ।”

 

କୁଶାଗ୍ରରେ ମାର୍ଜିତ ହୋଇଥିବାରୁ ଜ୍ୟେଷ୍ଠକୁମାରଙ୍କର ନାମ ହେଲା କୁଶ ଓ କନିଷ୍ଠ କୁମାରଙ୍କର ନାମ ହେଲା ଲବ । ଏହି ନାମକରଣ ଉତ୍ସବରେ ବାଲ୍ମୀକିଙ୍କର ଆଶ୍ରମରେ ଯେଉଁ ଆନନ୍ଦ ଉତ୍ସବର କଲ୍ଲୋଳ ଉଠିଥିଲା ତାହା କବି ଅତ୍ୟନ୍ତ ଚମତ୍କାର ଭାବରେ ବର୍ଣ୍ଣନା କରିଅଛନ୍ତି । କୁମାରଦ୍ଵୟ କ୍ରମେ ବିଦ୍ୟାଲାଭ କରିବା ଅବସ୍ଥାକୁ ଆସିଲେ । ବାଲ୍ମିକୀ କୁମାର ଦ୍ଵୟଙ୍କର ବିଦ୍ୟାଶିକ୍ଷା ଆରମ୍ଭ କଲେ ।

 

“କୁମାରଙ୍କ ଚୂଡ଼ାକର୍ମ ସବିଧି

ସମ୍ପାଦି ବାଲ୍ମୀକି ଜ୍ଞାନ-ବାରିଧି,

ଆଣି ସୁଦୁର୍ଗମ ବିଦ୍ୟା-କାନନ

ମଧ୍ୟେ କରିଦେଲେ ପଞ୍ଚ-ଆନନ,

କୁମାରେ ତହିଁ କରି ସଞ୍ଚାର

ଅଜ୍ଞାନ ମାତଙ୍ଗ କରି ସଂହାର ।”

 

ବାଲ୍ମୀକିଙ୍କ ନିକଟରେ ଲବକୁଶ ବିଦ୍ୟାଶିକ୍ଷା କଲେ । ବାଲ୍ମୀକି ନିଜ ରଚିତ ରାମାୟଣକୁ ଏହି କୁମାରଦ୍ଵୟଙ୍କ କଣ୍ଠରେ ଗାନ କରାଇଲେ । ଲବକୁଶ ରାମାୟଣ ଗାନକରି ବହୁ ଶ୍ରୋତାଙ୍କୁ ଆନନ୍ଦ ଦାନ କଲେ । ସୀତାଙ୍କ ନିକଟରେ ସେମାନେ ରାମାୟଣ ଗାନ କରିବା ସମୟରେ ସୀତା ନୀରବରେ ଶୁଣନ୍ତି । ରାମଚନ୍ଦ୍ର ଯେଉଁ ରାମାୟଣର ନାୟକ, ସୀତା ନାୟିକା, ସେହି ନାୟକ–ନାୟିକାଙ୍କର ସନ୍ତାନ ଯେ ଲବକୁଶ ଏକଥା ଯେପରି ଲବକୁଶ ନ ଜାଣନ୍ତି ସେଥିପାଇଁ ବାଲ୍ମୀକି ବାରଣ କରିଥିଲେ ।

 

ରାମଚନ୍ଦ୍ର ଯେତେବେଳେ ଅଶ୍ଵମେଧ ଯଜ୍ଞ ସଂପନ୍ନ କରିବା ପାଇଁ ଆୟୋଜନ କଲେ ସେତେବେଳେ ଦୂତ ପ୍ରେରଣ କରି ବାଲ୍ମୀକି ଓ ତାଙ୍କ ଆଶ୍ରମର ମୁନିବୃନ୍ଦଙ୍କୁ ନିମନ୍ତ୍ରଣ କରିଥିଲେ । ବାଲ୍ମିକୀ ଲବକୁଶଙ୍କୁ ସଙ୍ଗରେ ନେଇ ଅଶ୍ଵମେଧ ଯଜ୍ଞ ଦେଖିବାକୁ ଯିବେ ବୋଲି ସୀତାଙ୍କୁ କହିଲେ । ବାଲ୍ମିକୀଙ୍କର ଉଦ୍ଦେଶ୍ୟ ଥିଲା ଲବକୁଶଙ୍କ କଣ୍ଠରେ ରାମାୟଣ ଶୁଣାଇ ରାମ ଚରିତର ମହତ୍ଵ ପ୍ରଖ୍ୟାପନ କରିବା ।

 

କବି ଗଙ୍ଗାଧର ଏକାଦଶ ସର୍ଗରେ ବାଲ୍ମୀକିଙ୍କର ମନର ଭାବ ପ୍ରକାଶ କରିବା ଫଳରେ ଜଣାଯାଏ ସତେ ଯେପରି ବାଲ୍ମୀକି ରାମଚନ୍ଦ୍ର ଓ ସୀତାଙ୍କର ପୁନର୍ମିଳନ ଲାଗି ଯୋଗସୂତ୍ର ସ୍ଥାପନ କରିବାକୁ ବ୍ୟଗ୍ର ଥିଲେ । ତେଣୁ ସେ ଲବକୁଶଙ୍କୁ ଅଯୋଧ୍ୟାକୁ ନେଇଯିବା ପୂର୍ବରୁ ସବୁ କଥା ବୁଝାଇ ଦେଇଅଛନ୍ତି–

 

“ଆଖିରେ ଦେଖିବ ଯାହା ଦେଖିଛ ଅକ୍ଷରେ,

ଗାଇବ ସଭିଙ୍କ ସର୍ବ ସମକ୍ଷରେ ।

ସଙ୍ଗୀତ ଶୁଣିବେ ଶତ ଶତ ନରପତି,

ତପଃପ୍ରଭା ପୂର୍ଣ୍ଣ ତନୁ ଶତ ଶତ ଯତି ।

କେହି ପଚାରିଲେ ତହିଁ ତୁମ୍ଭ ପରିଚୟ,

ବୋଲିବ, ବାଲ୍ମୀକି-ଶିଷ୍ୟ ଆମ୍ଭେ ଭ୍ରାତୃଦ୍ଵୟ ।”

ରାଜା ରାମଚନ୍ଦ୍ର ଯେବେ କରିବେ ଆହ୍ଵାନ,

କରିବ ଛାମୁରେ ତାଙ୍କ ରାମାୟଣ ଗାନ ।

ପଚାରିଲେ ପରିଚୟ ଘେନି କୌତୂହଳ,

ବୋଲିବ, “ବାଲ୍ମୀକି-ଶିଷ୍ୟ ସୋଦର ଯୁଗଳ ।

ଧନ ଦେଲେ ଲୋଭ ତେଜି ବୋଲିବ ବିନୟେ,

କି କରିବୁ ଧନ ନେଇ ତାପସ ନିଳୟେ ?”

 

ବାଲ୍ମୀକି ମହର୍ଷିଙ୍କର ଆଦର୍ଶ ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ସ୍ପଷ୍ଟଭାବରେ ପ୍ରକାଶିତ ହୋଇଅଛି । ଗଙ୍ଗାଧର ମେହେର ତାଙ୍କର କାବ୍ୟରେ ଭାରତୀୟ ମୁନିଋଷିମାନଙ୍କର ଆଦର୍ଶର ଚିତ୍ର ଅଙ୍କନ କରିବା ଇଛାରେ ବାଲ୍ମୀକିଙ୍କର ଆଦର୍ଶ ଚିତ୍ରଣ କରିଅଛନ୍ତି । ବାଲ୍ମୀକିଙ୍କର ମହିମାନ୍ଵିତ କାବ୍ୟଗ୍ରନ୍ଥ ରାମାୟଣକୁ ଅନୁସରଣ କରି କବି ତାଙ୍କର କାବ୍ୟ ରଚନା କରିଅଛନ୍ତି । ବାଲ୍ମୀକିଙ୍କ ଆଦର୍ଶ ଚିତ୍ରଣ କରିବାକୁ ଯାଇ କବି ପୂଜ୍ୟପୂଜା ନିୟନ ପାଳନ କରିଅଛନ୍ତି । ଏହି ପୂଜ୍ୟପୂଜା କବିଙ୍କ ପକ୍ଷରେ ସୂର୍ଯ୍ୟକିରଣ ପାଇ ପ୍ରସ୍ଫୁଟିତ ପଦୁଦଳଦ୍ଵାରା ସୂର୍ଯ୍ୟଙ୍କୁ ପୂଜାକରିବା ପରି ସମ୍ଭବ ହୋଇଅଛି । ବାଲ୍ମୀକି ଆଶ୍ରମ ବର୍ଣ୍ଣନା ପ୍ରସଙ୍ଗରେ କବି ଭାରତୀୟ ମୁନି ଆଶ୍ରମର ପ୍ରକୃଷ୍ଟ ଚିତ୍ର ଅଙ୍କନ କରିବାରେ ସମର୍ଥ ହୋଇଅଛନ୍ତି । ବାଲ୍ମୀକିଙ୍କର ଅମ୍ଳାନ କୀର୍ତ୍ତିସ୍ତମ୍ଭ ରାମାୟଣ ଭାରତୀୟର ଗଣଜୀବନରେ ଚିର ଭାସ୍ୱର–କବି ଏହି ବିଷୟ ବା ଭୁଲିଯାଆନ୍ତେ କିପରି ?

★★★

 

ତପସ୍ଵିନୀରେ ଅନୁକମ୍ଫା

 

ବାଲ୍ମୀକି ଓ ମୁନିକୁମାରୀଙ୍କ ସହିତ ସୀତା ଯେତେବେଳେ ବାଲ୍ମୀକିଙ୍କ ଆଶ୍ରମରେ ଆସି ପହଞ୍ଚିଲେ, ସେତେବେଳେ ବାଲ୍ମୀକିଙ୍କ ନିର୍ଦ୍ଦେଶରେ ସୀତାଙ୍କର ପେଟିକାଦି ଜିନିଷପତ୍ର ଗୋଟିଏ କୁଟୀରରେ ରଖାଗଲା । ଜଣେ ମୁନିକୁମାରୀ ସୀତାଙ୍କର ମୁଖ ପ୍ରଖ୍ୟାଳନ କଲେ । ସୀତା ମୁନିକୁମାରୀ ହସ୍ତରୁ ଜଳପାତ୍ର ନେଇ ନିଜେ ପଦ ଧୌତ କଲେ । ତାପରେ ସୀତା ପଲ୍ଲୀବାସନରେ ଆସୀନା ହେଲେ । ଏହିଠାରେ କବି ଗଙ୍ଗାଧର ମେହେର ଅନୁକମ୍ପାଙ୍କ କଥା ପ୍ରକାଶ କରିଅଛନ୍ତି–

 

“ଅନୁକମ୍ପା ନାମେ ବୃଦ୍ଧାଏ

କରି ସତୀଙ୍କି କୋଳ

ପୋଛିଦେଲେ କର–କମଳେ

ତାଙ୍କ ଭାଲ କପୋଳ ।

ମମତା ପ୍ରପାତ ସେନେହ

ସ୍ୱଚ୍ଛ ଉଜ୍ଜ୍ୱଳ ଜଳ

ପକାଇ ସତୀଙ୍କ ପରାଣ

ପ୍ଳାବି କରି ଶୀତଳ ।

ମୁଖ ଚାହିଁ ଚାହିଁ ବୋଇଲେ

ଧୀରେ କୋମଳ ଭାଷେ,

“ମୋ ଭାଗ୍ୟକୁ ମାଆ ଆସିଛୁ

ଆଜ ତୁ ମୋର ପାଶେ ।”

 

ବିରହବିଧୁରା ସୀତା ଯେତେବେଳେ ବାଲ୍ମୀକି ମହର୍ଷିଙ୍କର ସାକ୍ଷାତ ପାଇଲେ ସେତେବେଳେ ସେ ବାଲ୍ମୀକିଙ୍କର ପ୍ରବୋଧ ବଚନରେ କିଛି ପରିମାଣରେ ଆଶ୍ଵସ୍ତି ଲାଭ କରିଥିଲେ-। ବାଲ୍ମୀକିଙ୍କର ସ୍ନେହ ଓ ମୁନିକୁମାରୀଙ୍କର ସ୍ନେହ ସୀତାଙ୍କ ପକ୍ଷରେ ମନେ ହୋଇଥିଲା ସତେ ଯେପରି ନିୟତିର ଅଦୃଶ୍ୟ ଆଶୀର୍ବାଦ ପରି । ମାତ୍ର ବାଲ୍ମୀକି ଆଶ୍ରମରେ ଅନୁକମ୍ପାଙ୍କର ମମତା ତାଙ୍କୁ ଏକାବେଳକେ ମମତାରେ ବାନ୍ଧି ଦେଇଥିଲା । ଅନୁକମ୍ପା ସତେଯେପରି ସୀତାଙ୍କର ମାତାର ଅଭାବ ପୂରଣ ପାଇଁ ଉଦ୍ଦିଷ୍ଟା ଥିଲେ ।

 

ଅନୁକମ୍ପା ସୀତାଙ୍କୁ ନିଜର କନ୍ୟା ପରି ଗ୍ରହଣ କରିନେଲେ । ମା’ ଯେପରି ନିଜର ସନ୍ତାନ ପ୍ରତି ଅକପଟ ବ୍ୟବହାର କରେ, ଅନୁକମ୍ପା ଏଠାରେ ସୀତାଙ୍କ ପ୍ରତି ଠିକ୍ ସେହିପରି ବ୍ୟବହାର କରିଅଛନ୍ତି । ଅନୁକମ୍ପା ମାତୃସୁଲଭ କୋମଳ ସ୍ଵରରେ କହିଛନ୍ତି–

 

“ଦିନଯାକ କରି ନ ଥିବୁ

ପରା କିଛି ଆହାର

ପୁଅ କରୁଥିବ ଗରଭେ

ଚଳି ପାଦ ପ୍ରହାର ।

ଖାଆ ମା ! ଖାଆ ମା ! ମା ଘରେ

ତୋର କି ଅଛି ଲାଜ,

ଚାହିଁ ରହିଛନ୍ତି ତୋତେ ତୋ

ଏହି ସଖୀସମାଜ ।”

 

ମା’ ଭଳି ଅନୁକମ୍ପା ସୀତାଙ୍କୁ ଖାଇବା ପାଇଁ ପ୍ରବର୍ତ୍ତାଇଅଛନ୍ତି । ପିଲା ଖାଇବା ବେଳେ ଯଦି କୌଣସି କାରଣବଶତଃ ଅଧିକ ଖାଇବାକୁ ଇଚ୍ଛା ନ କରେ, ତାହାହେଲେ ମା’ ପାଖରେ ବସି “ଆଉ ଦୁଇଟି, ଆଉ ଦୁଇଟି” କହି ବଳାଇ ବଳାଇ ପିଲାର ପେଟ ପୂରିବା ପର୍ଯ୍ୟନ୍ତ ତାକୁ ଖୁଆଇଥାଏ । ଏଠାରେ ଅନୁକମ୍ପା ଠିକ୍ ସେହିପରି ସୀତାଙ୍କୁ ବଳାଇ ବଳାଇ ଫଳାହାର କରାଇଅଛନ୍ତି । ସୀତା ଅନୁକମ୍ପାଙ୍କ ମମତାରେ ଏପରି ବାନ୍ଧିହୋଇ ଯାଇଥିଲେ ଯେ ସେ ଏହି ଅବସ୍ଥାରେ ମାତୃସ୍ନେହର ମଧୁରତା ଉପଲବ୍‍ଧି କରିପାରିଲେ । ବାଲ୍ୟକାଳରୁ ସୀତା ମାତୃସ୍ନେହରୁ ବଞ୍ଚିତା, ମାତ୍ର ବାଲ୍ମୀକିଙ୍କ ଆଶ୍ରମରେ ସେ ମାତୃସ୍ନେହ ପାଇ ତାହାର ମଧୁରତା ହୃଦୟଙ୍ଗମ କରିପାରିଲେ ।

 

ଆଶ୍ରମରେ ରାତ୍ରି ପ୍ରଭାତ ହୁଅନ୍ତେ ଅନୁକମ୍ପା ସୀତାଙ୍କୁ ଶଯ୍ୟା ତ୍ୟାଗ କରିବାକୁ ଡାକିଲେ-। ସୀତା ଶଯ୍ୟାତ୍ୟାଗ କରି ଅନୁକମ୍ପା ଓ ମୁନିକୁମାରୀମାନଙ୍କ ସହିତ ତମସା ନଦୀକୁ ସ୍ନାନ କରିବାକୁ ବାହାରିଲେ । ସ୍ନାନ ଶେଷରେ ସୀତା ମୁନିକୁମାରୀ ଓ ଅନୁକମ୍ପାଙ୍କ ସହିତ ଆସି ବାଲ୍ମୀକିଙ୍କ ପଦବନ୍ଦନା କରିବା ସମୟରେ ବାଲ୍ମୀକି ସୀତାଙ୍କୁ ଆଶିର୍ବାଦ କରିଅଛନ୍ତି ଏବଂ ଆଶ୍ରମରେ ଯେ କୌଣସି ଅବସ୍ଥାରେ ସୀତାଙ୍କର ବିଷୟ ବୁଝିବା ପାଇଁ ଅନୁକମ୍ପା ଅଛନ୍ତି ବୋଲି ପ୍ରକାଶ କରିଅଛନ୍ତି-। ଗର୍ଭବତୀ ସୀତାଙ୍କର ତତ୍ତ୍ଵ ନେବା ପାଇଁ ଅନୁକମ୍ପାଙ୍କ ବ୍ୟତୀତ ବାଲ୍ମୀକି ଆଶ୍ରମରେ ଆଉ କିଏ ସମର୍ଥ ହୋଇଥାଆନ୍ତା ?

 

ବାଲ୍ମୀକିଙ୍କ ଆଦେଶରେ ସୀତା ମୁନିକୁମାରୀମାନଙ୍କ ସହିତ ଉଦ୍ୟାନର ବୃକ୍ଷଲତାମାନଙ୍କୁ ଜଳଦାନ କରିବା ନିମନ୍ତେ ଅଗ୍ରସର ହୋଇଅଛନ୍ତି । ଅଯୋଧ୍ୟାର ରାଜବଧୂ ସୀତା କ’ଣ କେବେ କଳସୀରେ ଜଳ ବହନ କରିବାର ଅନୁଭୂତି ଲାଭ କରିଥିଲେ ? ମାତ୍ର ଏଠାରେ କର୍ତ୍ତବ୍ୟର ଅନୁରୋଧରେ ସୀତା ଯେତେବେଳେ କଟିଦେଶରେ ବସନ ଭିଡ଼ି, ମୁଣ୍ଡରେ ପାଣିକଳସ ଥୋଇ ଚଞ୍ଚଳ ଗତିରେ ଧାବମାନ ହେଉଥାଆନ୍ତି, ସେତେବେଳେ ତାଙ୍କର ସ୍ଵେଦ ନିର୍ଗତ ହେବାର ଦେଖି ଅନୁକମ୍ପା ମାତୃସୁଲଭ ମମତାରେ ସୀତାଙ୍କର ଏ ଦୁଃଖ ସହିପାରି ନାହାନ୍ତି । କବି ବର୍ଣ୍ଣନା କରିଅଛନ୍ତି–

 

“ଅନୁକମ୍ପା ଏହି ସମୟେ ଆସି

ବୋଇଲେ ମଧୁର ବାତ୍ସଲ୍ୟେ ଭାଷି

ସୀତା ମୋର ଜଳ ବହି ନ ଜାଣେ,

କଷ୍ଟ ହେଉଥିବ କୋମଳ ପ୍ରାଣେ,

ନ କରୁ ଅଧିକ ଶ୍ରମ,

ଉଦ୍ୟାନକୁ ଥରେ ଦେଖିନେଉ ମାତ୍ର

ଆସିଛି ହୋଇ ପ୍ରଥମ ।”

 

ଅନୁକମ୍ପାଙ୍କର ଏହି ବାଣୀ ଶ୍ରବଣ କରି ମୁନିକୁମାରୀମାନେ ଉଦ୍ୟାନର ପାଦପମାନଙ୍କୁ ଜଳଦାନ କଲେ । ସୀତାଙ୍କୁ ଅନୁକମ୍ପା ସଙ୍ଗରେ ନେଇ ବୃକ୍ଷଛାୟାରେ ଉପବେଶନପୂର୍ବକ କେତେକ ସାର ଉପଦେଶ ପ୍ରଦାନ କଲେ–

 

“ଅନୁକମ୍ପା ତହିଁ ବୋଇଲେ, ସୀତେ,

କାର୍ଯ୍ୟକରେ ଲୋକ ଶ୍ରଦ୍ଧା ସହିତେ,

ଫୁଲେ ଫୁଲେ ଯଥା ବିଭିନ୍ନ ବାସ,

ଜୀବନେ ଜୀବନେ ଶ୍ରଦ୍ଧା ନିବାସ ।

ଶରଧା ସ୍ଵଭାବ ବଶୁଁ

ଦଇବୀ ମାନବୀ ଆସୁରୀ ଭେଦରେ

ହୋଇଥାଏ ଫଳପ୍ରସୂ ।”

 

କେବଳ ଏତିକି ନୁହେଁ, ପଞ୍ଚମ ସର୍ଗର ୨୫ ପଦଠାରୁ ୩୦ ପଦ ପର୍ଯ୍ୟନ୍ତ ଅନୁକମ୍ପାଙ୍କର ସୀତାଙ୍କ ପ୍ରତି ଉପଦେଶ କବି ପ୍ରକାଶ କରିଅଛନ୍ତି । “ସଂସାରରେ ଲୋକମାନେ ଦମ୍ଭର ସହିତ, ଅହଙ୍କାରର ସହିତ କାମନା ପୋଷଣ କରିଥାଆନ୍ତି । ଆତ୍ମାର ଉନ୍ନତି ଲାଗି ଆସୁରୀ ସ୍ୱଭାବରେ ତପସ୍ୟା ଆଚରଣ କରିଥାଆନ୍ତି; ମାତ୍ର ତୋ ପକ୍ଷରେ ତାହା ସମ୍ଭବ ନୁହେଁ । ଦେବତା, ବ୍ରାହ୍ମଣ, ଗୁରୁ ଓ ପଣ୍ଡିତମାନଙ୍କୁ ତୁ ଶୁଚିତା ଓ ଋଜୁତାର ସହିତ ଶ୍ରଦ୍ଧାପୂର୍ଣ୍ଣ ପୂଜା କରିଥାଉ । ଶାନ୍ତିପ୍ରିୟ, ସତ୍ୟପ୍ରିୟ ଭାଷଣ ତୋର ଜୀବନର ଭୂଷଣ । ତୋ ମନରେ କପଟତା ପ୍ରବେଶ କରି ନାହିଁ । ତେଣୁ ତୋ ପାଖରେ ମାୟାର ସ୍ଥାନ ନାହିଁ । ତୋର ସୁନ୍ଦର ସୌମ୍ୟ ମୂର୍ତ୍ତି ଦେଖିଲେ ମନେହୁଏ ସଂସାରର ବିଷୟ–ବାସନାରେ ତୋର ଆଉ ଅନୁରକ୍ତି ନାହିଁ । ତୋତେ ଦେଖିବାମାତ୍ରେ ମୁଁ ଜାଣିପାରିଅଛି ଯେ ତୁ ଦୈବଯୋଗବଶତଃ ତପସ୍ଵିନୀ ହୋଇଅଛୁ । ତୋର ପବିତ୍ର ପ୍ରାଣ ନିତାନ୍ତ କୋମଳ । ଘୋର ତପସ୍ୟାର ଦୁର୍ଲଭ ଫଳ, ପୁଣ୍ୟ ରୂପକ ଲଟିକାର ଫୁଲ ଓ ନବତାପସୀଙ୍କର ଆଚରିତ ଶ୍ରମ ତୋ ପାଇଁ ଅନୁକୂଳ ନୁହେଁ । କୁମାରୀମାନଙ୍କ ସଙ୍ଗରେ ରହି ତୁମ୍ବିରେ ତୁ ଜଳ ବହି ଆଣୁଥିବୁ । ସେମାନଙ୍କୁ ତୁ ଏପରି ଉତ୍ସାହ ଦେଉଥିବୁ ଯାହା ଫଳରେ କି ସେମାନେ ତୋର ନିକଟରେ ସବୁବେଳେ ରହିଥିବେ । ମୁଁ ସେମାନଙ୍କୁ କହିଦେଇଅଛି ଯେ, ପାନ ଭୋଜନ ଲାଗି ଲଜ୍ଜାଭାବ ପୋଷଣ କରି କ୍ଷୁଧା ତୃଷାରେ ରହିବୁ ନାହିଁ । କନ୍ୟାମାନେ ଯେତେବେଳେ ଉପବନରେ ଥିବେ, ସେତେବେଳେ ତୁ ସ୍ୱଚ୍ଛନ୍ଦରେ ଥିବୁ । ଯେତେବେଳେ ଯେ କୌଣସି ଦ୍ରବ୍ୟ ଲାଗି ତୁ ଇଚ୍ଛା ପ୍ରକାଶ କରିବୁ ସେତେବେଳେ ସେମାନେ ତୋତେ ତାହା ଯୋଗାଇଦେବେ । ନିଜ ଇଚ୍ଛା ଅନୁସାରେ ଉପବନରେ ବୁଲି ବୁଲି ଫୁଲ ଫଳ ତୋଳିବା ପାଇଁ ମନରେ କୌଣସି ସଙ୍କୋଚ ଭାବ ରଖିବୁ ନାହିଁ-।”

 

ମା’ ଯେପରି ନିଜର କନ୍ୟାକୁ ସତ୍ଉପଦେଶ ପ୍ରଦାନ କରେ, ଅନୁକମ୍ପା ଏଠାରେ ସୀତାଙ୍କୁ ସେହିପରି ଉପଦେଶ ପ୍ରଦାନ କରିଅଛନ୍ତି । ସୀତା ଆସନ୍ନାପ୍ରସବା ଜାଣି ତାଙ୍କୁ କଷ୍ଟକର କାର୍ଯ୍ୟ କରିବା ପାଇଁ ଅନୁକମ୍ପା ମନା କରିଛନ୍ତି । ଗର୍ଭବତୀ ସୀତାଙ୍କର ମନର କୌଣସି ବାସନା ଜାତ ହେଲେ ତାହା ପୂରଣ କରିବା ନିମନ୍ତେ ଅନୁକମ୍ପା ମୁନିକନ୍ୟାମାନଙ୍କୁ ଆଦେଶ ଦେଇଅଛନ୍ତି ।

 

ଲବକୁଶ ଜନ୍ମ ହେବା ପରେ ବାଲ୍ମୀକି କୁଶ ନେଇ ତହିଁରେ କୁମାର ଦ୍ୱୟଙ୍କୁ ସମାର୍ଜନ କରିବାକୁ ଆଦେଶ ଦେଲେ । ବାଲ୍ମୀକିଙ୍କର ଆଦେଶ ଅନୁସାରେ ଅନୁକମ୍ପା କାର୍ଯ୍ୟ କରିଅଛନ୍ତି । କୁମାରଦ୍ୱୟଙ୍କର ନାଭିଚ୍ଛେଦନ କର୍ମ ମଧ୍ୟ ଅନୁକମ୍ପା ସମ୍ପନ୍ନ କରିଅଛନ୍ତି । ନାଭିଚ୍ଛେଦନ ପରେ ଅନୁକମ୍ପା କୁମାରଦ୍ୱୟଙ୍କୁ ମନ୍ତ୍ରପୂତ ଜଳରେ ସ୍ନାନ କରାଇ ବିଧିବିଧାନ ଅନୁଯାୟୀ ସର୍ବପ୍ରକାର କାର୍ଯ୍ୟ କରିଅଛନ୍ତି । କୁମାରଦ୍ଵୟଙ୍କର ନାମକରଣ ଉତ୍ସବ ଦିନ ଅନୁକମ୍ପା ତାଙ୍କୁ ନେଇ ମଣ୍ଡପ ନିକଟକୁ ଆସିଅଛନ୍ତି । କବିଙ୍କ ଭାଷାରେ–

 

“ଅଶ୍ଵିନୀ କୁମାରେ ଛାୟା ସଂଜ୍ଞା ପରି

କୁମାରଯୁଗଳ କରପଦ୍ମେ ଧରି ।

ସତୀ ଅନୁକମ୍ପା ଆସିଲେ ମଣ୍ଡପେ,

ଶୋଭା ତହିଁ ଉଭା ହୋଇଗଲା ଦର୍ପେ ।”

 

ବାଲ୍ମୀକି ଆଶ୍ରମରେ ଥିବା ଅନୁକମ୍ପା ନାମ୍ନୀ ବୃଦ୍ଧା ତପସ୍ଵିନୀଙ୍କ ବିଷୟରେ କବି ଗଙ୍ଗାଧର ମେହେର ଯେଉଁ ବର୍ଣ୍ଣନା ଦେଇଅଛନ୍ତି ତାହା ପାଠକଲେ ଜଣାଯାଏ ସତେ ଯେପରି ସେ ଅନୁକମ୍ପାର ମୂର୍ତ୍ତିମତୀ । ତପସ୍ଵିନୀ ସୀତାଙ୍କ ଲାଗି ମାତୃସ୍ନେହର ଉତ୍ସ ସୃଷ୍ଟି କରିବାପାଇଁ ବୋଧହୁଏ କବି ଅନୁକମ୍ପାଙ୍କୁ ସୃଷ୍ଟି କରିଅଛନ୍ତି । ତେଣୁ ବାଲ୍ମୀକି ଆଶ୍ରମସ୍ଥ ଅନୁକମ୍ପା ହିଁ ବାସ୍ତବରେ ମୂର୍ତ୍ତିମତୀ ଅନୁକମ୍ପା । ସୀତାଙ୍କର ଶୋକସନ୍ତପ୍ତ ବିରହବିଧୂରା ପ୍ରାଣକୁ ଶୀତଳ କରିବା ପାଇଁ ସ୍ନେହମମତାର ଯେଉଁ ପ୍ରଲେପ ଆବଶ୍ୟକ, ଅନୁକମ୍ପା ନ ଥିଲେ ସେ ପ୍ରଲେପ ଦେଇଥାଆନ୍ତା କିଏ ? ବାଲ୍ମୀକି ମହର୍ଷି ନିଜେ ବା ଆଶ୍ରମରେ ଥିବା ତାପସଗଣ ବା ମୁନିକୁମାରୀଗଣ କେବେହେଲେ ସୀତାଙ୍କ ମନରୁ ଦୁଃଖର ଭାର ଲାଘବ କରିବା ପାଇଁ ସମର୍ଥ ହୋଇପାରି ନ ଥାନ୍ତେ । ପୁଣି ଗର୍ଭବତୀ ସୀତାଙ୍କର ମନ ବୁଝି ତାଙ୍କର ତତ୍ତ୍ଵ ନେବା ପାଇଁ ମୁନିକୁମାରୀମାନେ ବା ତାପସମାନେ କେବେହେଲେ ସମର୍ଥ ହୋଇପାରି ନ ଥାନ୍ତେ । ଅନୁକମ୍ପାଙ୍କ ପରି ଜଣେ ବୃଦ୍ଧା ତପସ୍ଵିନୀ ହିଁ ଏଥିପାଇଁ ଗଙ୍ଗାଧରଙ୍କ ଲେଖନୀର ରୂପାୟିତ ହୋଇଅଛନ୍ତି ।

★★★

 

ତପସ୍ଵିନୀରେ ଲବକୁଶ

 

ରାମଚନ୍ଦ୍ର ସୀତାଙ୍କୁ ନିର୍ବାସନ ଦଣ୍ଡ ଦେବା ସମୟରେ ସୀତା ଗର୍ଭବତୀ ଥିଲେ । ସୀତା ଭାଗୀରଥୀ ତୀରରେ ପଡ଼ି ଶୋକ କରିବା ସମୟରେ ନିଜର ଭାଗ୍ୟକୁ ଦୋଷ ଦେଉଥିବା ଅବସ୍ଥାରେ ନିଜ ଗର୍ଭସ୍ଥ ଶିଶୁର ଅବସ୍ଥା ସ୍ମରଣ କରି ଅତ୍ୟନ୍ତ ମର୍ମାହତ ହୋଇଥିଲେ । ସୀତା ମନରେ କେତେ କଳ୍ପନାର ସ୍ୱପ୍ନ ଦେଖିଥିଲେ, ସନ୍ତାନଟିଏ ଜନ୍ମ କରି ପତିଙ୍କ କୋଳରେ ନେଇ ସମର୍ପଣ କରିଦେଇଥାଆନ୍ତେ । ପତିଙ୍କ କୋଳରେ ନିଜର ସନ୍ତାନକୁ ଦେଖି ସୀତା ଅଶେଷ ଆନନ୍ଦ ଲାଭ କରି ଥାଆନ୍ତେ । ମାତ୍ର ଦୈବର ନିର୍ଦ୍ଦେଶ ଅନ୍ୟ ପ୍ରକାର । ତେଣୁ ସୀତା ନିଜର ଦୋଷ ପାଇଁ ନିଜର ସନ୍ତାନର ଦୁର୍ଦ୍ଦଶା କଥା ଭାବି ଅତ୍ୟନ୍ତ ଦୁଃଖିତା ହେବା ସ୍ୱାଭାବିକ । କବି ଗଙ୍ଗାଧର ମେହେର ସୀତାଙ୍କ ମୁଖରେ ପ୍ରକାଶ କରାଇଛନ୍ତି ଯେ ଗିରି ଉପରେ ବଜ୍ରର ପ୍ରହାର ହୁଏ ସତ, ମାତ୍ର ପ୍ରକୃତ ପକ୍ଷରେ ଗିରିର ଯାହା କ୍ଷତି ହେଉନା କାହିଁକି, ତାହାଦ୍ୱାରା ଗିରିରେ ବାସ କରୁଥିବା ପ୍ରାଣୀମାନେ ପ୍ରାଣ ହରାନ୍ତି । ସେହିପରି ସୀତା ନିର୍ବାସିତା ହେଲେ ହେଁ ତାଙ୍କ ନିଜ ପାଇଁ ତାଙ୍କର ଦୁଃଖ ନାହିଁ; ମାତ୍ର ତାଙ୍କ ଗର୍ଭସ୍ଥ ଶିଶୁ ବିନା ଦୋଷରେ ଦୁର୍ଦ୍ଦଶା ଭୋଗ କରିବ । ଗର୍ଭସ୍ଥ ସନ୍ତାନ ପାଇଁ ସୀତାଙ୍କର ମନସ୍ତାପ ଅତ୍ୟନ୍ତ ଅଧିକ । ଏହିପରି ମନସ୍ତାପ କରିବା ସମୟରେ ବାଲ୍ମୀକିଙ୍କ କର୍ତ୍ତୃକ ଆଦିଷ୍ଟ ହୋଇ ସୀତା ବାଲ୍ମୀକିଙ୍କ ଆଶ୍ରମକୁ ଆସିଛନ୍ତି ଓ ସେଠାରେ ଆଶ୍ରୟ ଗ୍ରହଣ କରିଅଛନ୍ତି ।

 

ସେହି ବାଲ୍ମୀକି ଆଶ୍ରମରେ ଲବକୁଶ ଭୂମିଷ୍ଠ ହେଲେ । ଏକ ବର୍ଷାମୁଖର ପ୍ରଳୟଙ୍କରୀ ରାତିରେ ଲବକୁଶଙ୍କର ଜନ୍ମ । କବି ଏହି ରାତ୍ରିର ବର୍ଣ୍ଣନା ଅତ୍ୟନ୍ତ ଚମତ୍କାର ଭାବରେ କରିଅଛନ୍ତି । ଲବ କୁଶ ଜନ୍ମ ହେବାପରେ ବାଲ୍ମୀକି ଆଶ୍ରମରେ ଆନନ୍ଦର କଲ୍ଲୋଳ ଖେଳିଯାଇଅଛି । ଅନୁକମ୍ପା ଶିଶୁଦ୍ଵୟଙ୍କର ସବୁକାର୍ଯ୍ୟ ବିଧିବିଧାନ ଅନୁସାରେ ସଂପନ୍ନ କରିଅଛନ୍ତି । ବାଲ୍ମୀକି ମହର୍ଷି କୁଶଗୁଚ୍ଛକୁ ଆଣି କୁଶଗୁଚ୍ଛକୁ ଦ୍ଵିଖଣ୍ଡିତ କରି ଅନୁକମ୍ପାଙ୍କୁ ଦେଲେ ଓ ତାଙ୍କ ଆଦେଶ ଅନୁସାରେ ଅନୁକମ୍ପା କୁଶର ଅଗ୍ରଭାଗରେ ଅଗ୍ରଜକୁ ଓ ଅଧୋଭାଗରେ ଅନୁଜକୁ ସମାର୍ଜନ କଲେ । ନାଭିଚ୍ଛେଦନ ମନ୍ତ୍ରପୂତ ଜଳସ୍ନାନ ଇତ୍ୟାଦି ଶିଶୁଦ୍ଵୟଙ୍କ କାର୍ଯ୍ୟ ଅନୁକମ୍ପାହିଁ କରିଅଛନ୍ତି । ଏପରିକି ନାମକରଣ ଉତ୍ସବରେ ଅନୁକମ୍ପା ଶିଶୁଦ୍ଵୟଙ୍କୁ ଆଣି ମଣ୍ଡପରେ ଉପସ୍ଥିତ ହୋଇ ଅଛନ୍ତି ।

 

କୁମାରଦ୍ଵୟଙ୍କ ଜନ୍ମପରେ ବାଲ୍ମୀକିଙ୍କ ଆଶ୍ରମରେ ଆନନ୍ଦର କଲ୍ଲୋଳ ଖେଳିଯାଇଅଛି । ଏହି ଆନନ୍ଦ ଉତ୍ସବ ମଧ୍ୟରେ ଜନନୀ ସୀତାଙ୍କ ମନରେ ଯେ ଆପାର ଆନନ୍ଦ ଜାତ ହୋଇଥିବ ଏଥିରେ ସନ୍ଦେହ ନାହିଁ । ମାତ୍ର ଏହି ଆନନ୍ଦ ମଧ୍ୟରେ ସୀତାଙ୍କ ମନରେ ନିରାନନ୍ଦର ଉତ୍ସ ଦେଖାଦେଇଅଛି । କାରଣ–

 

“ଦୁଃଖ ବୋଇଲା, ଏ ନରେନ୍ଦ୍ର କୁମାରେ

ଶୋଭିଥାନ୍ତେ ଆଜି ମଣିମୟ ଘରେ ।

ହୋଇଥାନ୍ତେ ନୃପ-ହୃଦ ଆନନ୍ଦନ

ଦୀନ ଦୁଃଖୀଙ୍କର ଦାରିଦ୍ର୍ୟ-ଖଣ୍ଡନ ।

କେତେ ଧନରତ୍ନ ବସନ ଭୂଷଣ

ପାଇଥାନ୍ତେ ଆଜି ପୁରବାସୀଗଣ ।

ପୁର ପୂରୁଥାନ୍ତା ମଙ୍ଗଳ ନାଦରେ,

ନଭ ପୂରୁଥାନ୍ତା ମଙ୍ଗଳ ବାଦ୍ୟରେ ।

ଭାଗ୍ୟ ଦୋଷେ ଆହା ତାପସ-ତନୟ–

ରୂପେ ଆଶ୍ରାକଲେ ତାପସ-ଆଳୟ ।

ସୀତାନେତ୍ରୁ ବେନିଧାର ଜଳନେଇ

ଚାଲିଗଲା ଦୁଃଖ ସୁତ-ସ୍ନେହ ଦେଇ ।”

 

ଲବ କୁଶଙ୍କର ନାମକରଣର ଉତ୍ସବ ସେମାନଙ୍କର ଜନ୍ମର ଏକବିଂଶତି ଦିବସରେ ଅନୁଷ୍ଠିତ ହୋଇଅଛି । ସେଦିନ ବାଲ୍ମୀକି ଆଶ୍ରମରେ ମୁନିକୁମାରମାନେ ବିବିଧ ସାଜସଜ୍ଜା ପୂର୍ବକ ଆଡ଼ମ୍ବର ସହକାରେ ଏହି ଉତ୍ସବ ପାଳନ କରିଅଛନ୍ତି । ସୁସଜ୍ଜିତ ମଣ୍ଡପକୁ ଅନୁକମ୍ପା କୁମାରଦ୍ଵୟଙ୍କୁ ଆଣି ଆସିଲେ । ସେଠାରେ ବାଲ୍ମୀକି କୁମାରଦ୍ୱୟଙ୍କର ନାମକରଣ କରିଅଛନ୍ତି–

 

“ଜ୍ୟେଷ୍ଠକୁମାରକୁ ଦେଇ ଶୁଭାଶିଷ

ପ୍ରସନ୍ନେ ବୋଇଲେ ମୁନିକୁଳାଧୀଶ,

କୁଶାଗ୍ରେ ମାର୍ଜିତ ହୋଇଅଛି “କୁଶ”

ନାମ ହେବ ରିପୁ-କରୀନ୍ଦ୍ର ଅଙ୍କୁଶ ।

ସେ ରୂପେ କନିଷ୍ଠ କୁମାରକୁ “ଲବ”

ନାମଦେଲେ ମୁନି ମନୀଷି-ପୁଙ୍ଗବ ।”

 

କୁଶର ଅଗ୍ରଭାଗ ଦ୍ଵାରା ମାର୍ଜିତ ହୋଇଥିବାରୁ ଜ୍ୟେଷ୍ଠ କୁମାରଙ୍କ ନାମ କୁଶ ଓ କୁଶର ଅଧୋଭାଗ ଦ୍ଵାରା ମାର୍ଜିତ ହୋଇ ଥିବାରୁ କନିଷ୍ଠ କୁମାରଙ୍କ ନାମ ଲବ ବୋଲି ଦିଆଗଲା ।

 

କ୍ରମେ କୁମାରଦ୍ୱୟ ବାଲ୍ମୀକି ଆଶ୍ରମରେ ଦିନକୁ ଦିନ ଚନ୍ଦ୍ରକଳା ବୃଦ୍ଧି ପାଇବା ପରି ବୃଦ୍ଧିଲାଭ କଲେ । କୁମାରଦ୍ଵୟ ପଞ୍ଚମବର୍ଷରେ ପଦାର୍ପଣ କରନ୍ତେ ସେମାନଙ୍କର ଚୂଡ଼ାକର୍ମ ବିଧି ବିଧାନର ସହିତ ଅନୁଷ୍ଠିତ ହେଲା । ତା’ପରେ ବାଲ୍ମୀକି ମହର୍ଷି କୁମାରଦ୍ଵୟଙ୍କୁ ବିଦ୍ୟାଶିକ୍ଷା ପ୍ରଦାନ କଲେ । କୁମାରମାନେ ବିଦ୍ୟାଲାଭ କରିବା ସମୟରେ ବାଲ୍ମୀକି ତାଙ୍କୁ ରାମାୟଣ ଗାନ ଶିକ୍ଷା ଦେଲେ । ଲବ କୁଶ ରାମାୟଣ ଗାନକରି ସୀତାଙ୍କୁ ଆଶ୍ରମର ମୁନିକୁମାର ମୁନିକୁମାରୀମାନଙ୍କୁ ଶୁଣାଇ ମୁଗ୍‍ଧ କରିବାକୁ ଲାଗିଲେ । କେବଳ ଏମାନେ ନୁହଁନ୍ତି, ଆଶ୍ରମର ମୃଗମୃଗୀମାନେ ରାମାୟଣର ଲଳିତ ଗାନରେ ଏକାବେଳକେ ମୁଗ‌୍‍ଧ ହୋଇଥିଲେ । ସେମାନଙ୍କର ରାମାୟଣ ଗାନ ଏପରି ମଧୁର ଥିଲା ଯେ ମହର୍ଷି ନାରଦ ସେମାନଙ୍କର ବୀଣା ବାଦନ ଓ ରାମାୟଣ ଗାନକୁ ଉଚ୍ଛ୍ଵସିତ କଣ୍ଠରେ ପ୍ରଶଂସା କରିଥିଲେ ।

 

କୁମାରଦ୍ୱୟ ଏକାଦଶ ବର୍ଷରେ ପଦାର୍ପଣ କରନ୍ତେ ତାଙ୍କର ଉପନୟନ ଉତ୍ସବ ଅନୁଷ୍ଠିତ ହେଲା । ତା’ପରେ ସେମାନେ ବେଦ ଅଧ୍ୟୟନ କରି ସେମାନଙ୍କର ଜ୍ଞାନର ପ୍ରସାର କରିଥିଲେ । ପୁତ୍ରଦ୍ୱୟଙ୍କର ବେଦଜ୍ଞାନ ଦେଖି ସୀତା ସବୁ ଦୁଃଖକୁ ପାସୋରି ପକାଇଲେ । କୁମାରଦ୍ଵୟ ଧନୁର୍ବେଦ ଓ ରାଜଧର୍ମ ଶିକ୍ଷା କରିସାରିବା ପରେ ବାଲ୍ମୀକି ସେମାନଙ୍କର ଭବିଷ୍ୟତ ଚିନ୍ତା କରିଅଛନ୍ତି । ସେମାନଙ୍କୁ ନେଇ ଅଯୋଧ୍ୟାର ରାଜସିଂହାସନରେ ପ୍ରତିଷ୍ଠିତ ନ କଲେ ସେମାନଙ୍କର ଜନ୍ମ ବୃଥା ହୋଇଯିବ । ବାଲ୍ମୀକି ମହର୍ଷିଙ୍କର ଏହିପରି ଚିନ୍ତା ସମୟରେ ରାମଚନ୍ଦ୍ରଙ୍କର ଅଶ୍ଵମେଧ ଯଜ୍ଞର ନିମନ୍ତ୍ରଣ ତାଙ୍କୁ ମିଳିଲା । ବାଲ୍ମୀକି ଏହି ସୁଯୋଗରେ ଲବ କୁଶଙ୍କୁ ସଙ୍ଗରେ ନେଇ ରାମଚନ୍ଦ୍ରଙ୍କର ରାଜଦରବାରକୁ ଯାଇ ସେମାନଙ୍କ ମୁଖରେ ରାମାୟଣ ଗାନ କରି ସମସ୍ତଙ୍କୁ ଶୁଣାଇବାର ଉପାୟ ସ୍ଥିର କଲେ । ବାଲ୍ମୀକିଙ୍କ ଆଦେଶରେ ଲବକୁଶଙ୍କୁ ସୀତା ନିଜର ପରିଚୟ ଦେଇ ନ ଥିଲେ । ରାମାୟଣର ନାୟକ ରାମଚନ୍ଦ୍ର ଯେ ତାଙ୍କର ଜନକ ଏକଥା କୁମାରଦ୍ୱୟଙ୍କୁ ଅବିଦିତ ଥିଲା । ରାମଚନ୍ଦ୍ରଙ୍କର ଅଶ୍ଵମେଧ ଯଜ୍ଞ ସଂବାଦ ପାଇ ବ୍ୟଥିତା ସୀତା ରାମଚନ୍ଦ୍ରଙ୍କୁ ପତ୍ର ଲେଖିଥିଲେ । ତହିଁରେ ସେ ଲବ କୁଶଙ୍କର–କଥା ମଧ୍ୟ ଲେଖିଥିଲେ–

 

“ଆଉ ଏକ କଥା ମାତ୍ର ଅଛି ଅନୁରୋଧ

ଦୁଃଖିନୀର ପୁତ୍ରଯୁଗ ଅତ୍ୟନ୍ତ ଅବୋଧ ।

ନାହିଁ ତାଙ୍କ ପିତା-କୋଳ-ଆରୋହଣ-ଭାଗ୍ୟ

ନ ଜାଣନ୍ତି ବାଲ୍ୟକାଳୁ ପିତୃ-ଅନୁରାଗ ।

ଜାଣିଛନ୍ତି ଜନନୀର ଜୀବନ କନ୍ଦାଇ

ବୀଣା ତନ୍ତ୍ରୀ ସହକାରେ ରାମାୟଣ ଗାଇ ।”

 

ମନ ମଧ୍ୟରେ ଅସହ୍ୟ ବେଦନା ଧରି ସୀତା ରାମଚନ୍ଦ୍ରଙ୍କ ନିକଟକୁ ପତ୍ର ଲେଖିଥିଲେ । ଅଶ୍ଵମେଧ ଯଜ୍ଞ ସଂପନ୍ନ କରିବା ସମୟରେ ନରପତି ସସ୍ତ୍ରୀକ ଥିବାର କଥା । ସୀତାଙ୍କୁ ନିର୍ବାସନ ଦଣ୍ଡ ଦେଇ ରାମଚନ୍ଦ୍ର ଅଶ୍ଵମେଧ ଯଜ୍ଞ ସଂପନ୍ନ କରୁଥିବାରୁ ସୀତା ଭାବିଲେ ରାମଚନ୍ଦ୍ର ଦ୍ଵିତୀୟ ପତ୍ନୀ ଗ୍ରହଣ କରିଅଛନ୍ତି । ଏଥିପାଇଁ ତାଙ୍କ ମନର ସବୁ ସରସତା ଉଭେଇଗଲା ଓ ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା । ତେଣୁ ସେ ପତ୍ରରେ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲେ ଯେ ଯେଉଁ ନାରୀ ତାଙ୍କର ଦ୍ଵିତୀୟ ପତ୍ନୀତ୍ଵ ଗ୍ରହଣ କରିଅଛି ସେ ତାର ପୂର୍ବ ଜୀବନରେ କି ତପସ୍ୟା କରିଥିଲା ସେକଥା ତାଙ୍କୁ ଜଣାଇବା ପାଇଁ । ମାତ୍ର ସୀତାଙ୍କର ମନୋରାଜ୍ୟର ସମସ୍ତ ଘନୀଭୂତ ବ୍ୟଥା ଓ ବେଦନା ଲବକୁଶଙ୍କର କଥାରେ ମିଳେଇଗଲା–

 

“ବୋଇଲେ, ‘ଗୋ ମାତଃ ଧନ୍ୟ ଧନ୍ୟ ରଘୁପତି

ଧନ୍ୟ ତାଙ୍କ ପ୍ରଣୟିନୀ ସତୀ ଭାଗ୍ୟବତୀ ।

ଅଶ୍ଵମେଧ କରୁଛନ୍ତି କୌଶଲ୍ୟା ନନ୍ଦନ

ଦୂତ ଏକ ଆସିଛନ୍ତି ଧରି ନିମନ୍ତ୍ରଣ ।

ଦୂତକୁ ପଚାରି ଯାହା ହେଲୁ ଅବଗତ

ରାମଚନ୍ଦ୍ର ଯୋଗୁଁ ଆଜ ଧନ୍ୟ ଏ ଜଗତ ।

ଜନ ଅପବାଦ ରାମ କଲେ ବିଭଞ୍ଜନ

ପ୍ରାଣ-ପ୍ରଣୟିନୀ ସୀତା କରି ବିସର୍ଜନ ।

ଅଶ୍ଵମେଧ ଯଜ୍ଞେ ସହଧର୍ମିଣୀ ସକାଶେ

ଜାନକୀ ଜାନକୀ ରାମ ରଖିଛନ୍ତି ପାଶେ ।

ଥିଲା କି ଜନନୀ ତାଙ୍କୁ ଦୟିତା ଦୁର୍ଲଭ ?

ଅନ୍ୟ ଜାୟା ନ ଇଚ୍ଛିଲେ ଜାନକୀ-ବଲ୍ଲଭ !

କାହିଁଗଲେ ଜାନକୀ ମା’ ନ ଥିବେ ଜୀବନେ ?

ନ ପାରିଲୁ ଜାଣି ସେହି କଥା ରାମାୟଣେ ।”

 

କୁମାରଦ୍ୱୟଙ୍କ ମୁଖରୁ ଏହିକଥା ଶୁଣିବାପରେ ଜାନକୀଙ୍କର ସମସ୍ତ ମନୋବେଦନା ଅପସରି ଯାଇଅଛି । ତାପରେ ସୀତା ଲବକୁଶଙ୍କୁ ଅଶ୍ଵମେଧ ଯଜ୍ଞ ଦେଖିବା ନିମନ୍ତେ ଯିବାକୁ କହି କେତେକ ଉପଦେଶ ଦେଇଅଛନ୍ତି–

 

“ଡାକିଲେ ରାଘବ ଯିବ ତାଙ୍କ ସନ୍ନିଧାନେ,

ବନ୍ଦିବ ଚରଣେ ଭକ୍ତିପୂର୍ଣ୍ଣ ପ୍ରଣିଧାନେ ।

ଦେଖିବ ତହିଁରେ ତାଙ୍କ ଅଗରଜ ତ୍ରୟ,

ତାଙ୍କ ପଦେ ପ୍ରଣମିବ ଦେଖାଇ ବିନୟ ।

ରାଜମାତାଙ୍କର ପୂତ–ଚରଣ କମଳ–

ରଜ ଶିରେ ଘେନି ପ୍ରାଣ କରିବ ସଫଳ

ଜାନକୀ–ଭଗିନୀ ତିନି ଥିବେ ତାଙ୍କ ପାଶେ

ବନ୍ଦିବ ଚରଣ ତାଙ୍କ ଜାନକୀ ବିଶ୍ୱାସେ ।

ପଚାରିବେ କେହି ଯେବେ କାହାର ନନ୍ଦନ,

ଉତ୍ତରେ ବୋଲିବ ଆମ୍ଭେ ତପସ୍ଵିନୀ ଧନ ।”

 

ବାଲ୍ମୀକି ଲବକୁଶଙ୍କୁ ଉପଦେଶ ଦେଇଛନ୍ତି ଯେ, ତାଙ୍କର ପରିଚୟ କେହି ଜିଜ୍ଞାସା କଲେ ସେ ଦୁହେଁ ବାଲ୍ମୀକି ଶିଷ୍ୟ ବୋଲି ନିଜକୁ ପରିଚିତ କରାଇବେ । ପୁଣି ସୀତା ଏଠାରେ ଉପଦେଶ ପ୍ରଦାନ କରିଛନ୍ତି ଯେ, ସେମାନେ ନିଜକୁ “ତପସ୍ଵିନୀ ଧନ” ବୋଲି ପରିଚିତ କରାଇବେ-। ତେଣୁ ତପସ୍ଵିନୀ କାବ୍ୟର କଳେବର ମଧ୍ୟରେ ଲବ କୁଶଙ୍କର ଯଥାର୍ଥ ପରିଚୟ ରଘୁବଂଶର ରାଜକୁମାର ରୂପେ ନାହିଁ, ଅଛି “ବାଲ୍ମୀକି ଶିଷ୍ୟ” ଓ “ତପସ୍ଵିନୀ ଧନ” ରୂପରେ ।

★★★

 

ତପସ୍ଵିନୀରେ ଲକ୍ଷ୍ମଣ

 

ନିର୍ବାସିତା ସୀତା ଭାଗୀରଥୀ ତୀରରେ ଯେତେବେଳେ କ୍ରନ୍ଦନରତା ଥିଲେ, ସେତେବେଳେ ତାଙ୍କର ନିର୍ବାସନ ଲାଗି ସେ କେବଳ ନିଜର ଦୋଷଗୁଡ଼ିକ ପ୍ରକାଶ କରିଥିଲେ । ସେଥିରେ ସେ ଲକ୍ଷ୍ମଣଙ୍କ ବିଷୟରେ ପ୍ରକାଶ କରିଥିଲେ–

 

“ମହିମା-ସାଗର ନାଥେ ମଣି ମୁଁ ଇତର

‘ତ୍ରାହିରେ ଲକ୍ଷ୍ମଣ’ ରାବ ମଣିଲି ତାଙ୍କର ।

ନୀଚମନେ ଲକ୍ଷ୍ମଣଙ୍କୁ କରି ନୀଚଜ୍ଞାନ

ବଳାତ୍କାରେ ପଠାଇଲି ପ୍ରଭୁ ସନ୍ନିଧାନ ।

ସେହିପାପେ ସେ ନାଥଙ୍କ ମହିମା ବର୍ଦ୍ଧନ

ଲାଗି ହେଲା ପାପିନୀର ଚିର ବିସର୍ଜନ ।

ଦୋଷହୀନ ଲକ୍ଷ୍ମଣଙ୍କୁ ଯେଉଁ ତିରସ୍କାର

ଦେଇଥିଲି ପାଇଲି ତା ଯୋଗ୍ୟ ପୁରସ୍କାର ।

ଲକ୍ଷ୍ମଣଙ୍କୁ କରିବାକୁ ମୋ ନିକଟୁ ଦୂର

ହୃଦେ ତାଙ୍କ ମାରିଥିଲି ବଚନ ଭିଦୁର ।

ଭକ୍ତିଭରେ ସେ ଲକ୍ଷ୍ମଣ ପଡ଼ି ମୋ ଚରଣେ

ଦୂର କରିଦେଲେ ମୋତେ ବିନୟ ବଚନେ ।”

 

ପଞ୍ଚବଟୀରେ ବନବାସ କରିବା ସମୟରେ ରାବଣ ସୀତାଙ୍କୁ ଚୋରାଇ ନେବା ନିମିତ୍ତ ମାରୀଚକୁ ସ୍ଵର୍ଣ୍ଣମୃଗ କରି ପଠାଇଦେଲା ଓ ନିଜେ ଯୋଗୀବେଶ ଧାରଣ କରି ଭିକ୍ଷା ମାଗିବାକୁ ପ୍ରସ୍ତୁତ ହୋଇ ରହିଲା । ମାରୀଚ ଯେତେବେଳେ ସ୍ୱର୍ଣ୍ଣମୃଗ ରୂପ ଧରି ରାମଚନ୍ଦ୍ରଙ୍କ କୁଟୀର ସମ୍ମୁଖରେ ବିଚରଣ କଲା, ସେତେବେଳେ ସୀତା ତାକୁ ଦେଖି ତା ପ୍ରତି ଆକୃଷ୍ଟ ହେଲେ ଓ ସେହି ମୃଗକୁ ମାରି ଆଣି ଦେବାକୁ ରାମଚନ୍ଦ୍ରଙ୍କୁ କହିଲେ । ରାମଚନ୍ଦ୍ର ସେହି ମୃଗ ପଛରେ ଧାଇଁ ଯାଇ ତା ପ୍ରତି ଶର ନିଃକ୍ଷେପ କଲେ । ଶର ମୃଗ ଦେହରେ ବାଜିବାରୁ ମୃଗ “ତ୍ରାହି ରେ ଲକ୍ଷ୍ମଣ” ବୋଲି ଚିତ୍କାର କଲା । ଏହି ଚିତ୍କାରକୁ ରାମଚନ୍ଦ୍ରଙ୍କର ଚିତ୍କାର ମନେକରି ସୀତା ଲକ୍ଷ୍ମଣଙ୍କୁ ଶୀଘ୍ର ରାମଚନ୍ଦ୍ରଙ୍କ ନିକଟକୁ ଯିବାପାଇଁ ଆଦେଶ ଦେଲେ । ଲକ୍ଷ୍ମଣ ସୀତାଙ୍କର ଆଶଙ୍କା ଭୁଲ ବୋଲି କହି ସେଠାକୁ ଯିବାପାଇଁ ବାରଣ କରନ୍ତେ ସୀତା ତାଙ୍କୁ ନୀଚ ଦୃଷ୍ଟିରେ ଦେଖି ତିରସ୍କୃତ କରିଥିଲେ । ଏହି ତିରସ୍କାର ସହି ନ ପାରି ଲକ୍ଷ୍ମଣ ରାମଚନ୍ଦ୍ରଙ୍କ ନିକଟକୁ ଗଲେ ଓ ଏହି ଅବସରରେ ରାବଣ ଯୋଗୀର ଛଦ୍ମବେଶରେ ଭିକ୍ଷା ମାଗିବାକୁ ଆସି ସୀତାଙ୍କୁ ଚୋରାଇ ନେଇଗଲା । ସେ ଦିନ ସୀତା ଲକ୍ଷ୍ମଣଙ୍କୁ ନୀଚ ଜ୍ଞାନକରି ଯେଉଁ ତିରସ୍କାର କରିଥିଲେ, ତାହା ତାଙ୍କର ଦୋଷ ବୋଲି ସୀତା ନିର୍ବାସିତା ଅବସ୍ଥାରେ ପ୍ରକାଶ କରିଥିଲେ ।

 

କେବଳ ଏତିକି ନୁହେଁ, ସୀତାଙ୍କ ନିର୍ବାସନ ପ୍ରସଙ୍ଗରେ ଲକ୍ଷ୍ମଣଙ୍କ ବିଷୟରେ ଉଲ୍ଲେଖ ରହିଛି । ସୀତାଙ୍କୁ ସିନା ରାମଚନ୍ଦ୍ର ନିର୍ବାସନ ଦଣ୍ଡ ଦେଇଦେଲେ; ମାତ୍ର ଏହାକୁ କାର୍ଯ୍ୟରେ ପରିଣତ କରିବ କିଏ ? ଲକ୍ଷ୍ମଣ ହିଁ ଏହାକୁ କାର୍ଯ୍ୟରେ ପରିଣତ କରିଅଛନ୍ତି । ବନକୁ ବୁଲିବା ସକାଶେ ଯାଉଅଛନ୍ତି ବୋଲି କହି ସୀତାଙ୍କୁ ଲକ୍ଷ୍ମଣଙ୍କ ସହିତ ପଠାଇ ଦିଆଗଲା । ଲକ୍ଷ୍ମଣ ଭାଗୀରଥୀ ତୀରରେ ସୀତାଙ୍କୁ ଛାଡ଼ିଦେଇ ଆସିଲେ । ସୀତାଙ୍କ ପରି ଭ୍ରାତୃଜାୟାଙ୍କୁ ଅସହାୟ ଅବସ୍ଥାରେ ଭାଗୀରଥୀ ତୀରରେ ଛାଡ଼ି ଦେଇ ଆସିବା ଲକ୍ଷ୍ମଣଙ୍କ ପକ୍ଷରେ ନିତାନ୍ତ କଷ୍ଟକର କାର୍ଯ୍ୟ, ଏଥିରେ ସନ୍ଦେହ ନାହିଁ । ମାତ୍ର ରାମଚନ୍ଦ୍ରଙ୍କର ଆଦେଶ ବା ଅବଜ୍ଞା କରିବ କିଏ ? ରାମାୟଣର ପରମ୍ପରାରେ ଶୁଣାଯାଏ, ରାମଚନ୍ଦ୍ର ଯେତେବେଳେ ସୀତାଙ୍କୁ ନିର୍ବାସନ ଦଣ୍ଡ ଦେଲେ ଏବଂ ତାଙ୍କୁ ବନରେ ଛାଡ଼ିଦେଇ ଆସିବା ପାଇଁ ଲକ୍ଷ୍ମଣଙ୍କୁ ଆଦେଶ ଦେଲେ, ଲକ୍ଷ୍ମଣ ସେତେବେଳେ ସେ ଆଦେଶ ପାଳନ କରିପାରିବେ ନାହିଁ ବୋଲି ନିଜର ଅସାମର୍ଥ୍ୟ ପ୍ରକାଶ କରିଥିଲେ; ମାତ୍ର ରାମଚନ୍ଦ୍ର ଯେତେବେଳେ କେବଳ ଜ୍ୟେଷ୍ଠଭ୍ରାତା ହିସାବରେ ନୁହେଁ, ରାଜା ହିସାବରେ ଆଦେଶ ଦେଉଛନ୍ତି ବୋଲି ପ୍ରକାଶ କଲେ, ସେତେବେଳେ ରାଜାଦେଶ ଲଙ୍ଘନ କରିବା ଲକ୍ଷ୍ମଣଙ୍କ ପକ୍ଷରେ ଅସମ୍ଭବ ହୋଇ ପଡ଼ିଥିଲା । ଏହି ଆଦେଶ ପାଇ ଲକ୍ଷ୍ମଣ ସୀତାଙ୍କୁ ନେଇ ଭାଗୀରଥୀ ତୀରରେ ଛାଡ଼ି ଆସିଥିଲେ ।

 

ଲକ୍ଷ୍ମଣଙ୍କ ସହିତ ସୀତାଙ୍କୁ ବିଦାୟ ଦେଇ ରାମଚନ୍ଦ୍ର ଦୁଃଖିତ ଅବସ୍ଥାରେ ଲକ୍ଷ୍ମଣଙ୍କର ପ୍ରତ୍ୟାବର୍ତ୍ତନକୁ ପ୍ରତୀକ୍ଷା କରିଥିଲେ । କାରଣ କିପରି ଅବସ୍ଥାରେ କେଉଁଠାରେ ଲକ୍ଷ୍ମଣ ସୀତାଙ୍କୁ ଛାଡ଼ି ଆସିଲେ, ସେ ସମ୍ବାଦ ଶ୍ରବଣ କରିବାପାଇଁ ରାମଚନ୍ଦ୍ର ଅତ୍ୟନ୍ତ ଉଦ୍‍ଗ୍ରୀବ ଥିଲେ ।

 

ତପସ୍ୱିନୀ କାବ୍ୟର କଳେବର ମଧ୍ୟରେ କବି ଗଙ୍ଗାଧର ମେହେର ଲକ୍ଷ୍ମଣଙ୍କ ବିଷୟରେ ବିଶେଷ କିଛି ବର୍ଣ୍ଣନା କରିବାର ଅବକାଶ ପାଇ ନାହାନ୍ତି । କେବଳ କେତେକ ପରିସରରେ ଲକ୍ଷ୍ମଣଙ୍କର ଭ୍ରାତୃପ୍ରେମ ଓ ଭ୍ରାତୃଭକ୍ତିର ଉଦାହରଣ ଦେଇ ଅଛନ୍ତି । ସୀତାଙ୍କ ଜୀବନରେ ଲକ୍ଷ୍ମଣ ତାଙ୍କର ଦେବର ହେଲେହେଁ ପୁତ୍ରପ୍ରତିମ ବ୍ୟବହାର ସେ ତାଙ୍କ ପ୍ରତି ପ୍ରଦର୍ଶନ କରିଅଛନ୍ତି । ଭାରତୀୟ ଗଣଜୀବନରେ ଲକ୍ଷ୍ମଣଙ୍କର ଆଦର୍ଶ ସର୍ବଥା ସ୍ଵୀକୃତିଲାଭ କରିଅଛି ।

★★★

 

ତପସ୍ଵିନୀରେ ରାବଣ

 

ସୀତାଙ୍କୁ ପଞ୍ଚବଟୀରୁ ରାବଣ ଚୋରାଇ ନେଇଯିବାଠାରୁ ଅଶୋକ ବନରେ ବନ୍ଦିନୀ କରି ରଖିବା ପର୍ଯ୍ୟନ୍ତ କେତେଗୋଟି ଘଟଣା ପ୍ରସଙ୍ଗରେ କବି ରାବଣ ଚରିତ୍ରର ପ୍ରକାଶ କରିଅଛନ୍ତି-। ମୁଖ୍ୟତଃ ସପ୍ତମ ସର୍ଗରେ କବି ସୀତାଙ୍କ ମୁଖରେ ପ୍ରକାଶ କରାଇଅଛନ୍ତି ଯେ, ତାଙ୍କ କୁଟୀର ସମ୍ମୁଖରେ ସ୍ଵର୍ଣ୍ଣମୃଗର ବିଚରଣ ଦେଖି ସେ ମୃଗଟିକୁ ଆଣି ଦେବାପାଇଁ ରାମଚନ୍ଦ୍ରଙ୍କୁ ଅନୁରୋଧ କଲେ । ରାମଚନ୍ଦ୍ର ଧନୁଶର ଧରି ମୃଗର ଅନୁଧାବନ କଲେ । ତା’ ପରେ କିଛି ଦୂରରୁ “ତ୍ରାହି ରେ ଲକ୍ଷ୍ମଣ” ଡାକ ଶୁଣି ସୀତା ରାମଚନ୍ଦ୍ରଙ୍କ ଉପରେ କିଛି ବିପଦ ପଡ଼ିବାର ସମ୍ଭାବନା କରି ଲକ୍ଷ୍ମଣଙ୍କୁ ତାଙ୍କ ନିକଟକୁ ଯିବା ଲାଗି ଆଦେଶ ଦେଲେ । ଲକ୍ଷ୍ମଣ ଏହି ଡାକକୁ ରାମଚନ୍ଦ୍ରଙ୍କର ଡାକ ନୁହେଁ ବୋଲି ଯେତେ ପ୍ରକାର ବୁଝାଇ କହିଲେ ହେଁ ସୀତା ନ ବୁଝି ଲକ୍ଷ୍ମଣଙ୍କୁ ନୀଚଜ୍ଞାନ କରି ତିରସ୍କାର କଲେ । ତାପରେ ଲକ୍ଷ୍ମଣ ରାମଚନ୍ଦ୍ରଙ୍କ ନିକଟକୁ ଅଗ୍ରସର ହୁଅନ୍ତେ ଛଦ୍ମବେଶଧାରୀ ରାବଣ ସୀତାଙ୍କ ନିକଟରେ ଉପସ୍ଥିତ ହୋଇ ଭିକ୍ଷା ମାଗିଲା । ସୀତା ଭିକ୍ଷା ଦେବା ସମୟରେ ସେ ସୀତାଙ୍କୁ ବଳ ପ୍ରୟୋଗ କରି ହରଣ କରିନେଲା । ରାବଣ ସୀତାଙ୍କୁ ରଥରେ ବସାଇ ଦକ୍ଷିଣ ଦିଗକୁ ଅଗ୍ରସର ହେଲା । ଲଙ୍କାରେ ରାବଣ ରଥ ରଖି ସୀତାଙ୍କୁ ଅଶୋକ ବନରେ ନେଇ ରଖିଲା । ଅଶୋକ ବନରେ ଥିବା ଦାସୀମାନଙ୍କୁ ସୀତାଙ୍କ ବିଷୟରେ ଜାଗ୍ରତ ରହିବାକୁ କହି ରାବଣ ଚାଲିଗଲା । ସୀତା ଏତେବେଳ ପର୍ଯ୍ୟନ୍ତ ରାବଣର ପରିଚୟ ପାଇ ନ ଥିଲେ । ଯେତେବେଳେ ଦାସୀମାନେ ବହୁ ମୂଲ୍ୟବାନ୍ ବସନ ଭୂଷଣ ଆଣି ସୀତାଙ୍କୁ ମଣ୍ଡନ କରିବାକୁ ଚାହିଁଲେ, ସୀତା ସେମାନଙ୍କ କଥାରେ ସମ୍ମତ ହେଲେ ନାହିଁ । ସେହି ଦାସୀମାନଙ୍କ କଥାରୁ ସୀତା ବୁଝିଲେ ରାବଣର ପରିଚୟ–

 

“ଦାସୀଙ୍କ ବଚନରୁ ଜାଣିଲି କ୍ରମେ,

ରାବଣ ତ୍ରିଭୁବନ ଜୟୀ ବିକ୍ରମେ,

ଡରନ୍ତି ସୁରପତି ଶୁଣି ତା ନାମ,

ସିନ୍ଧୁ–ପରିଖୀକୃତ ଲଙ୍କା ତା ଧାମ ଗୋ

ସେହି ରାଜ୍ୟକୁ ମୁହିଁ ହୋଇଛି ନୀତ,

ନେଇଛି ଯୋଗୀବେଶେ ସେ ଦୁର୍ବିନୀତ,

ନଗର ନବର ତା ଅତୁଳ ରମ୍ୟ,

ନର କିନ୍ନରଙ୍କର ଦୂରଧିଗମ୍ୟ ଗୋ ।”

 

ରାବଣ ପୁରୀରେ ସୀତା ପହଞ୍ଚିବା ପରେ ରାବଣର ପରିଚୟ ଜାଣି ପାରିଥିଲେ । ସୀତାଙ୍କର ସେତେବେଳେ ମନେ ପଡ଼ିଲା, ରାବଣ ଶିବଧନୁ ଭାଙ୍ଗିବା ପାଇଁ ତାଙ୍କ ସ୍ଵୟମ୍ବର ସଭାକୁ ଯାଇ ଅପମାନିତ ହୋଇ ଫେରିଥିଲା । ତାର ନୀଚତାକୁ ସୀତା ଘୃଣା କରିଅଛନ୍ତି ।

 

ସୀତା ଅଶୋକ ବନରେ ଥିବା ସମୟରେ ରାବଣ ଦିନେ ଆସି ସୀତାଙ୍କ ନିକଟରେ ପହଞ୍ଚିଲା ଓ ତାର ପାପାଶା ପ୍ରକାଶ କଲା । ଏହି ପ୍ରସଙ୍ଗରେ ସେ ତାର ନିଜର ଆତ୍ମପ୍ରଶଂସା ବହୁ ପ୍ରକାରରେ ଗାନ କରିଥିଲା । ମାତ୍ର ସୀତାଙ୍କ ପରି ସତୀ ନାରୀ ନିକଟରେ ରାବଣର ସେ ପାପାଶା କେବେହେଲେ ଚରିତାର୍ଥ ହେବାର ନୁହେଁ । ରାବଣ ଯେତେବେଳେ ସୀତାଙ୍କୁ ବଳ ପ୍ରୟୋଗପୂର୍ବକ ହରଣ କରିନେଲା, ସେତେବେଳେ ସେ ସୀତାଙ୍କ ହାତର ଗୋଟିଏ ଆଙ୍ଗୁଠି ଧରି ତାଙ୍କୁ ଟାଣି ନେଇଥିଲା । ରାବଣ ସୀତାଙ୍କର ଯେଉଁ ଆଙ୍ଗୁଠିଟି ଧରି ପକାଇଥିଲା, ତାହା ବରାବର ପୋଡ଼ାଜଳା କଲା ଭଳି ବେଦନା ଦେଇଥିଲା । ସୀତା ଯେତେବେଳେ ରାବଣର ପାପାଶା ରୂପକ ଇନ୍ଦ୍ରଜାଲରେ ପଡ଼ି ଛଟପଟ ହେଉଥିଲେ, ସେତେବେଳେ ହନୁମାନ ଲଙ୍କାରେ ପ୍ରବେଶ କରି ରାମ ନାମ ଉଚ୍ଚାରଣପୂର୍ବକ ସୀତାଙ୍କୁ ସାନ୍ତ୍ଵନା ପ୍ରଦାନ କରିଥିଲା ।

 

ତପସ୍ଵିନୀର ପ୍ରଥମ ସର୍ଗରେ କବି ସୀତାଙ୍କ ରୋଦନ ପ୍ରସଙ୍ଗରେ ରାବଣ ବିଷୟରେ ବର୍ଣ୍ଣନା କରିଅଛନ୍ତି । ରାବଣ ସୀତାଙ୍କୁ ନିଜର ପ୍ରେୟସୀ କରିରଖିବା ପାଇଁ ଯେତେ ପ୍ରକାର ପ୍ରଲୋଭନ ଦେଖାଇଲେ ମଧ୍ୟ ସୀତା ସେଥିରେ ଆଦୌ ଭୁଲି ନ ଥିଲେ । ସୀତା ସବୁବେଳେ ପ୍ରକାଶ କରିଥିଲେ, “କୌଶଲ୍ୟାସୁତ ଏକା ମୋର ଶରଣ ।” ରାବଣ ଏଥିରେ ନିତାନ୍ତ ମ୍ରିୟମାଣ ହୋଇପଡ଼ି ଏକ କୌଶଳ ପାଞ୍ଚିଲା । ଦିନେ ମାୟାରେ ରାବଣ ରାମଚନ୍ଦ୍ରଙ୍କର ଗୋଟିଏ କଟା ମୁଣ୍ଡ ଆଣି ସୀତାଙ୍କୁ ଦେଖାଇ କହିଲା ଯେ, ସେ ରାମଚନ୍ଦ୍ରଙ୍କୁ ବଧ କରିସାରିଛି । ତେଣୁ ତାଙ୍କର ଆଉ କେହି ସାହା ଭରଷା ନାହିଁ । ସେହି କଟା ମୁଣ୍ଡକୁ ଦେଖି ସୀତା ଅତ୍ୟନ୍ତ ଅଧୀର ହୋଇ କାନ୍ଦି ପକାଇଲେ ।

 

ରାବଣ ସୀତାଙ୍କୁ ହରଣ କରିନେବା ପରେ ତାର ପ୍ରେୟସୀ କରି ରଖିବା ପାଇଁ ବହୁ ଚେଷ୍ଟା କରି ବିଫଳ ହୋଇଥିଲା । ଲଙ୍କାରେ ସୀତାଙ୍କୁ ହନୁମାନ ଦେଖି ରାମଚନ୍ଦ୍ରଙ୍କୁ ସମ୍ବାଦ ଦେବା ପରେ ରାମଚନ୍ଦ୍ର ଲଙ୍କାକୁ ଯାଇ ତାକୁ ବଧ କରି ସୀତାଙ୍କୁ ମୁକ୍ତ କରିଥିଲେ । ରାବଣ ଚରିତ୍ରର ଅନ୍ୟ କୌଣସି ଦିଗ କବି ତପସ୍ଵିନୀ କାବ୍ୟରେ ପ୍ରକାଶ କରିନାହାନ୍ତି । ସୀତାଙ୍କର ମହତ୍ତ୍ଵ ପ୍ରକାଶ ନିର୍ମିତ୍ତ ରାବଣ ବିଷୟ ଯେତିକି ପ୍ରକାଶ କରାଯିବାର କଥା, କବି କେବଳ ସେତିକି ପ୍ରକାଶ କରିଅଛନ୍ତି ।

★★★

 

ତପସ୍ଵିନୀରେ ରଘୁବଂଶର ପ୍ରଶସ୍ତି

 

ମହାକବି କାଳିଦାସ ରଘୁବଂଶ ରଚନା କରିବା ସମୟରେ କାବ୍ୟାରମ୍ଭରେ ରଘୁବଂଶର ପ୍ରଶସ୍ତି ଗାନ କରିଅଛନ୍ତି । ସେ ପ୍ରକାଶ କରିଅଛନ୍ତି ଯେ ସୂର୍ଯ୍ୟବଂଶ ଭଳି ବିଖ୍ୟାତ ରାଜବଂଶର କୀର୍ତ୍ତି ଗାନ କରିବାର ଯୋଗ୍ୟତା ତାଙ୍କର ନାହିଁ । ତଥାପି ସେ ସେହି ବଂଶର ଗୌରବ ଗାନ କରିବା ନିମିତ୍ତ ଲେଖନୀ ଧାରଣ କରିଅଛନ୍ତି । ତାଙ୍କର ଏହି ପ୍ରୟାସ ଜଣେ ଖର୍ବକାୟ ବ୍ୟକ୍ତିର ଚନ୍ଦ୍ରକୁ ଧରିବା ପରି ବା ମହାସାଗରକୁ ଗୋଟିଏ ଭେଳାରେ ପାରିହେବା ପରି କର୍ମ ସହିତ ସମାନ-। ମହାକବି କାଳିଦାସ ନିଜର ଦୈନ୍ୟ ପ୍ରଦର୍ଶନ କରିବାକୁ ଯାଇ ଏ କଥା ପ୍ରକାଶ କରିଅଛନ୍ତି-। ମାତ୍ର କବି ଗଙ୍ଗାଧର ତପସ୍ଵିନୀ କାବ୍ୟରେ ରଘୁବଂଶର କୁଳବଧୂ ସୀତାଙ୍କର ତପସ୍ଵିନୀ ଜୀବନର ଚିତ୍ର ଅଙ୍କନ କରିବାକୁ ଯାଇ ପ୍ରସଙ୍ଗକ୍ରମରେ ରଘୁବଂଶର ଐତିହ୍ୟ ବର୍ଣ୍ଣନା କରିଥିଲେ ହେଁ କାଳିଦାସଙ୍କ ପରି ରଘୁବଂଶର ପ୍ରଶସ୍ତି ଗାନରେ ଶତମୁଖ ହୋଇ ପଡ଼ି ନାହାନ୍ତି ।

 

ତପସ୍ଵିନୀ କାବ୍ୟର ପ୍ରଥମ ସର୍ଗରେ ସୀତା ଯେତେବେଳେ ଭାଗୀରଥୀ ତୀରରେ ପଡ଼ି କ୍ରନ୍ଦନରତା ଥିଲେ, ସେତେବେଳେ ସେ ରାମଚନ୍ଦ୍ରଙ୍କର ଗୁଣ ପ୍ରକାଶ କରିଥିଲେ । ରାମଚନ୍ଦ୍ରଙ୍କ ଗୁଣ ବାହୁନି କାନ୍ଦିବା ସମୟରେ ପ୍ରସଙ୍ଗକ୍ରମରେ ସୀତା ରଘୁବଂଶର ପ୍ରଶସ୍ତି ଗାନ କରିଅଛନ୍ତି–

 

“ବଂଶର ଜନକ ତୁମ୍ଭ ଏହି ଦିବାକର

ଭୁବନ-ମଙ୍ଗଳ ଦାନେ ସଦା ମୁକ୍ତକର ।

ଧରା-ଧାତ୍ରୀ ସ୍ଵରୂପିଣୀ ଏହି ଭାଗୀରଥୀ

ତୁମ୍ଭରି ବଂଶର ଚିର ଆଖ୍ୟାତ କୀରତି ।”

 

ରଘୁବଂଶର ଅନ୍ୟ ନାମ ସୂର୍ଯ୍ୟବଂଶ । ସୀତା ସୂର୍ଯ୍ୟଙ୍କୁ ସାକ୍ଷୀ କରି କହିଛନ୍ତି, ତୁମ୍ଭର ବଂଶର ଜନକ ଏହି ସୂର୍ଯ୍ୟ, ସେ ସର୍ବଦା ଜଗତକୁ ମଙ୍ଗଳ ଦାନ କରନ୍ତି । ପୁଣି ଧରାର ପାଳନକର୍ତ୍ତ୍ରୀ, ସ୍ୱରୂପା ଏହି ଭାଗୀରଥୀ ମଧ୍ୟ ତୁମର ବଂଶର କୀର୍ତ୍ତି । ଭଗୀରଥ ତପସ୍ୟା କରି ଗଙ୍ଗାଙ୍କୁ ମର୍ତ୍ତ୍ୟଭୁବନକୁ ଆଣିଥିଲେ ବୋଲି ଗଙ୍ଗାଙ୍କର ଅନ୍ୟ ନାମ ଭାଗୀରଥୀ । ଏକଥା କହିବାର ଉଦ୍ଦେଶ୍ୟ ହେଉଛି, ରଘୁବଂଶର ସ୍ରଷ୍ଟା ସୂର୍ଯ୍ୟ ଜଗତର ମଙ୍ଗଳକାରୀ, ଭଗୀରଥ ଠିକ୍ ସେହିପରି ଜଗତର ମଙ୍ଗଳକାରୀ; ତେଣୁ ତୁମ୍ଭେ ଜଗତର ମଙ୍ଗଳ, ଅର୍ଥାତ୍ ପ୍ରଜାମାନଙ୍କର ହିତସାଧନ ଲାଗି ମୋତେ ଯେଉଁ ବିସର୍ଜନ ଦଣ୍ଡ ଦେଲ, ତାହା ତୁମ୍ଭର ଉପଯୁକ୍ତ କର୍ମ ।

 

ସୀତାଙ୍କର ଏ ଦୁର୍ବିପାକ ନିତାନ୍ତ ଅସହ୍ୟ ମନେ ହେବାରୁ ସୂର୍ଯ୍ୟ ଲାଜରେ ମୁହଁ ଲୁଚାଇଦେଲେ । ସୀତା ଯେତେବେଳେ ଭାଗୀରଥୀ ତୀରରେ ନିର୍ବାସିତା ଅବସ୍ଥାରେ କ୍ରନ୍ଦନରତା ଥିଲେ, ସେତେବେଳେ ଭୀଷଣ ଝଡ଼ତୋଫାନ ସୃଷ୍ଟି ହୋଇଅଛି । ମାତ୍ର କବି ତାକୁ ପ୍ରକାଶ କରିଅଛନ୍ତି–

 

“ରାଘବ–ବଧୂର ନିର୍ଯ୍ୟାତନ ସୁର–

ପୁରକୁ ଦିଶିଲେ ଲଜ୍ଜା

ହେବ ବୋଲି ଦିବାନାଥଙ୍କ ସେ କିବା

ଶୁଭ୍ର ଯବନିକା–ସଜ୍ଜା !

ଜାଣି ସେ ରହସ୍ୟ କରିବାକୁ ଦୃଶ୍ୟ

ଭାସ୍କର ବଂଶର ଦୋଷ,

ଅଚିରେ ଅବନୀପୃଷ୍ଠୁ ସେ ଯବନୀ

ଉଠାଇ ଦେଲା ପ୍ରଦୋଷ ।”

 

ସେହି ମହିମାନ୍ୱିତ ରଘୁବଂଶରେ ଜନ୍ମ ହୋଇଥିଲେ ରାମଚନ୍ଦ୍ର । ରାମଚନ୍ଦ୍ରଙ୍କର ଭୁବନବିଦିତ ଜୀବନଚରିତ ରଘୁବଂଶର ଗୌରବ–ପ୍ରଖ୍ୟାପକ । ପିତୃ ଆଦେଶ ପାଳନ କରି ରାଜସିଂହାସନର ମୋହକୁ ଅକ୍ଳେଶରେ ଏଡ଼ିଦେଇ କେବଳ ରଘୁବଂଶର ରାଜପୁତ୍ର ବନଗାମୀ ହୋଇ ପାରନ୍ତି । ଅଗ୍ରଜଙ୍କର ଅନୁବର୍ତ୍ତୀ ହୋଇପାରନ୍ତି ସେହି ରଘୁବଂଶର ରାଜକୁମାରଗଣ । ଉପଯୁକ୍ତ ପତିଙ୍କର ଉପଯୁକ୍ତା ପତ୍ନୀ ଭାବରେ ସୀତାଙ୍କ ବ୍ୟତୀତ ଆଉ କିଏ ରାମଚନ୍ଦ୍ରଙ୍କର ଅଙ୍କଲକ୍ଷ୍ମୀ ହୋଇ ପାରିଥାଆନ୍ତେ ? ଏମାନଙ୍କର କ୍ରିୟାକଳାପ ହିଁ ରଘୁବଂଶର ଗୌରବମୟ ପରମ୍ପରାରେ ଗୋଟିଏ ଗୋଟିଏ ଉଜ୍ଜ୍ୱଳ ଅଧ୍ୟାୟ । କବିଙ୍କ ଭାଷାରେ–

 

“ଯେ ଦୁର୍ଲ୍ଲଭ ରାଜଲକ୍ଷ୍ମୀ ପ୍ରେମ ଆଲିଙ୍ଗନ

ଭ୍ରାତୃଭକ୍ତି ବଳେ ହେଳେ କରି ଉଲ୍ଲଙ୍ଘନ,

ଅଗ୍ରଜ ପାଦୁକା ଥୋଇ ରାଜସିଂହାସନେ

ଯାପିଲେ ଚଉଦ ବର୍ଷ ଫଳ–ମୂଳାଶନେ,

ଜୀବନ ଉନ୍ନତ କଲେ ବାନ୍ଧି ଜଟାଜୁଟ

ଉର୍ଦ୍ଧ୍ଵମୁଖେ ଚାହେଁ ଯାହା ହିମାଚଳ କୂଟ,

ସେ ଭରତ ଥିବେ ତହିଁ ରାମେ ଅନୁସରି,

ବିଷ୍ଣୁ ପଦେ ବିଧୁତୁଲ୍ୟ କୀର୍ତ୍ତିକାନ୍ତି ଧରି ।

କ୍ଷଣଜନ୍ମା ଲକ୍ଷ୍ମଣଙ୍କୁ ଦେଖିବ ତହିଁରେ,

ଯା ସମ ଦ୍ୱିତୀୟ ଜଣେ ନାହାନ୍ତି ମହୀରେ ।

ନିଜେ ବଜ୍ରଧର ଯାର ଭୟରେ ଚକିତ

ତା ଦର୍ପ ସେ କରିଛନ୍ତି ପୟରେ ଦଳିତ ।”

 

ରଘୁବଂଶର ମହିମା ପ୍ରଖ୍ୟାପନ କରିବା ତପସ୍ଵିନୀ କାବ୍ୟର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ । ବାଲ୍ମୀକିଙ୍କର ରାମାୟଣ, କାଳିଦାସଙ୍କର ରଘୁବଂଶ, ଭବଭୂତିଙ୍କର ଉତ୍ତର ରାମଚରିତ ପ୍ରଭୃତି ଗ୍ରନ୍ଥମାନଙ୍କରେ ରଘୁବଂଶର ପ୍ରଶସ୍ତି ବିଶେଷ ଭାବରେ ସ୍ଥାନ ପାଇଅଛି । କବି ଗଙ୍ଗାଧର ମେହେର କେବଳ ପ୍ରସଙ୍ଗ–କ୍ରମରେ ଯେତିକି ପ୍ରକାଶ କରିବାର କଥା, ସେତିକି ପ୍ରକାଶ କରିଅଛନ୍ତି ।

★★★

 

ତପସ୍ଵିନୀରେ ଅଯୋଧ୍ୟାର ଦୃଶ୍ୟ

 

ତପସ୍ଵିନୀର କଳେବର ମଧ୍ୟରେ କବି ଅଯୋଧ୍ୟାର ସୁଦିନର କୌଣସି ଚିତ୍ର ପ୍ରଦାନ କରି ନାହାନ୍ତି । ସୀତା ନିର୍ବାସିତା ହୋଇ ଅଯୋଧ୍ୟାରୁ ଚାଲିଯିବା ପରେ ଅଯୋଧ୍ୟାର ଦୁର୍ଦ୍ଦିନର ସଙ୍କେତ ମିଳିଅଛି । ସୀତାଙ୍କ ବିଛେଦରେ ଅଯୋଧ୍ୟାର ଅବସ୍ଥା କି ପ୍ରକାର ଶୋଚନୀୟ ହୋଇଅଛି, ସେହି କଥା କବି ଅଷ୍ଟମ ସର୍ଗରେ ବର୍ଣ୍ଣନା କରିଅଛନ୍ତି । ଅଯୋଧ୍ୟାକୁ କବି ମୂର୍ତ୍ତିମତୀ କରି ସୀତାଙ୍କ ଦର୍ଶନ ନିମିତ୍ତ ପ୍ରେରଣ କରିଅଛନ୍ତି । ଅଯୋଧ୍ୟା ଏଠାରେ ରାଜଲକ୍ଷ୍ମୀଙ୍କ ନିକଟରୁ ଆଣିଥିବା ଏକ ପତ୍ର ସୀତାଙ୍କ ସମକ୍ଷରେ ପାଠ କରିଅଛି । ତହିଁରେ ଅଯୋଧ୍ୟାର ଦୁର୍ଦ୍ଦଶା କେବଳ ବର୍ଣ୍ଣିତ ।

 

ଅଯୋଧ୍ୟାର ରାଜଲକ୍ଷ୍ମୀ ସୀତାଙ୍କୁ ପତ୍ରରେ ଲେଖିଅଛନ୍ତି ଯେ, ସୀତା ଅଯୋଧ୍ୟା ପରିତ୍ୟାଗ କରିବା ପରେ ଅଯୋଧ୍ୟାର ଅବସ୍ଥା ବିପର୍ଯ୍ୟସ୍ତ ହୋଇଅଛି । ଅଯୋଧ୍ୟାର ରାଜଲକ୍ଷ୍ମୀ ସୀତାଙ୍କ ବିରହରେ ଏତେଦୂର ବ୍ୟଥିତା ଯେ, ସେ ଭୂଷା–ହୀନ–ଯୋଷାର ବେଶ ଧାରଣ କରିଅଛନ୍ତି । ଅଯୋଧ୍ୟାର ରାଜଭବନ ସତେ ଯେପରି ଅରଣ୍ୟରେ ପରିଣତ ହୋଇଅଛି । ସୀତାଙ୍କର ବିରହ ଏହି ଅରଣ୍ୟର ଦାବାନଳ ସଦୃଶ ବ୍ୟାପିଯାଇ ସମସ୍ତ ଶୋଭାସମ୍ପଦକୁ ନଷ୍ଟ କରି ଦେଇଅଛି । ଏହି ଦାବାନଳରେ ଉଲ୍ଲାସମୟ ନବପଲ୍ଲବଶୋଭିତ ସାଧୁହୃଦ ରୂପକ ବୃକ୍ଷସମୂହ ଜଳିଯାଇଅଛନ୍ତି, ଅର୍ଥାତ୍‍ ସୀତାଙ୍କ ବିରହରେ ଅଯୋଧ୍ୟାରେ ସାଧୁବ୍ୟକ୍ତିମାନେ ଏକାବେଳକେ ଭାଙ୍ଗି ପଡ଼ିଅଛନ୍ତି । ଯେଉଁ ଅଯୋଧ୍ୟାରେ ପୁରବାସୀମାନେ ହସିଦେଲେ ସୁବାସିତ କୁସୁମ ଝରିପଡ଼ୁଥିଲା, ସେହି ଅଯୋଧ୍ୟାପୁରୀର ଅରଣ୍ୟରେ ଦାବାନଳ ପ୍ରବେଶ କରିବାକୁ ସେ କୁସୁମ ଜଳିପୋଡ଼ି ଛାରଖାର ହୋଇ ଯାଇଅଛି, ଅର୍ଥାତ୍ ଅଯୋଧ୍ୟାର ରାଜପୁରୀରେ ଆଉ କାହାରି ମୁଖରେ ହସର ସଙ୍କେତ ନାହିଁ । ଯେଉଁ ଅଯୋଧ୍ୟାରେ ଶାନ୍ତି ବିରାଜମାନ କରୁଥିଲା, ସେହି ଅଯୋଧ୍ୟାରୁ ଆଜି ଶାନ୍ତି ବିଦାୟ ନେଇଛି । ଚାରିଆଡ଼େ କେବଳ ଅଶାନ୍ତିର ରାଜତ୍ଵ । ଏହି ଅଶାନ୍ତି ରାମଚନ୍ଦ୍ରଙ୍କର ହୃଦୟର ନିଭୃତ କନ୍ଦରରେ ଏପରି ପ୍ରଭାବ ବିସ୍ତାର କରିଅଛି ଯେ, ତାହା ସାଗରର ନିମ୍ନଦେଶରେ ବାଡ଼ବାଗ୍ନିର ଲକ୍ଷଣ ଧାରଣ କଲା ପରି ହେଉଅଛି । ରାମଚନ୍ଦ୍ର କେବଳ ଶରୀର ମାତ୍ର ଧାରଣ କରିଅଛନ୍ତି । ରାହୁ ଗ୍ରାସିଲେ ଯେପରି ଚନ୍ଦ୍ରମାର ଆକୃତି କେବଳ ଜଣାଯାଏ, ଚନ୍ଦ୍ରମାର ଦୀପ୍ତି ମଉଳିଯାଏ, ଠିକ୍ ସେହିପରି ରାମଚନ୍ଦ୍ର ଆଜି ତେଜ–ଦୀପ୍ତିହୀନ କଳେବର ଧାରଣ କରି ରହିଅଛନ୍ତି-

 

ଅଯୋଧ୍ୟାର ରାଜପ୍ରାସାଦରେ ଆଜି ଭରିଯାଇଛି ନିବିଡ଼ ଅନ୍ଧକାର । ଏହି ଅନ୍ଧକାର ସ୍ୱାଭାବିକ ଅନ୍ଧକାର ନୁହେଁ । ତାରାଙ୍କିତ ନିର୍ମଳ ଆକାଶକୁ କଳାମେଘ ଢାଙ୍କିଦେଲେ ଯେପରି ଅନ୍ଧକାର ବ୍ୟାପିଯାଏ, ଅଯୋଧ୍ୟାର ରାଜପ୍ରାସାଦରେ ଆଜି ସେହିପରି ଅନ୍ଧକାର ବ୍ୟାପି ଯାଇଅଛି । ସରସୀରୁ ଜଳ ଶୁଖିଗଲେ ତାହା ଯେପରି ଶୂନ୍ୟ ଓ ଶ୍ରୀହୀନ ହୋଇପଡ଼େ, ଅଯେଧ୍ୟାର ରାଜଅନ୍ତଃପୁରରେ ଆଜି ଦଶରଥଙ୍କର ରାଣୀମାନେ ସେହିପରି ହୋଇ ବସିଅଛନ୍ତି । ସର୍ପ ଯେପରି ତାର ମଥାରେ ଥିବା ମଣିକୁ ପ୍ରାଣର ସମ୍ବଳ ରୂପେ ମନେକରିଥାଏ, ଦଶରଥଙ୍କର ରାଣୀମାନେ ବା ସୀତାଙ୍କର ଶାଶୁମାନେ ସୀତାଙ୍କୁ ସେହିପରି ମନେ କରିଥାଆନ୍ତି । ଏପରି ସ୍ଥଳେ ସେମାନେ ସୀତାଙ୍କର ବିଚ୍ଛେଦକୁ ସହଜରେ ବା ସହିବେ କିପରି ? ପ୍ରମୋଦ ଉଦ୍ୟାନ ଆଜି ଶ୍ରୀହୀନ । ପ୍ରମୋଦ ଉଦ୍ୟାନର ଦ୍ୱାର ଆଜି ରୁଦ୍ଧ । ଉଦ୍ୟାନରେ ଫୁଲ ଫୁଟିଛି କି ନାହିଁ ତାହା ଦେଖିବାକୁ ଆଜି କେହି ନାହାନ୍ତି । ଯେଉଁ ପ୍ରମୋଦ ଉଦ୍ୟାନ ଅତ୍ୟନ୍ତ ଯତ୍ନର ସହିତ ରକ୍ଷିତ ହେଉଥିଲା, ସେ ପ୍ରମୋଦ ଉଦ୍ୟାନରେ ଆଜି ମୁଥାଗଛ ଉଠି ଉଦ୍ୟାନର ଶୋଭାକୁ ନଷ୍ଟ କରିଦେଇଛି । ମୁଥାଗଛଗୁଡ଼ିକ ଏପରି ଭାବରେ ବ୍ୟାପିଯାଇଅଛନ୍ତି ଯେ, ଫୁଲଗଛରୁ ଫୁଲ ଝଡ଼ି ମୁଥାଗଛ ଉପରେ ପଡ଼ି ଶୁଖିଯାଉଛି । ଉଦ୍ୟାନରେ କେବଳ ଆଜି ଫୁଲର ଆସ୍ତରଣ । ପ୍ରମୋଦ ଉଦ୍ୟାନରେ ଥିବା ବୃକ୍ଷଲତାଗୁଡ଼ିକ ସୀତାଙ୍କ ବିରହରେ ଦୁଃଖ ପ୍ରକାଶ କରି କରି ଶୁଖି ଯାଉଛନ୍ତି । ପ୍ରମୋଦ ଉଦ୍ୟାନରେ ଥିବା ଶଙ୍ଖମର୍ମର ପ୍ରସ୍ତରନିର୍ମିତ ପଥ ଉପରେ ଶୁଖିଲା ପତ୍ର ପଡ଼ି ତାହା ଅପରିଷ୍କୃତ ରହିଅଛି । ସୀତାଙ୍କର ଦେବରମାନେ ସୀତାଙ୍କର ବିଚ୍ଛେଦରେ ଅତ୍ୟନ୍ତ ଦୁଃଖିତ । ମାତ୍ର ସେମାନେ ରାମଚନ୍ଦ୍ରଙ୍କର କଥାକୁ ମାନି ଦୁଃଖରେ ମଥାନତ କରି ରହିଅଛନ୍ତି । ସୀତାଙ୍କର ଯେଉଁ ଭଗିନୀମାନେ ରାମଚନ୍ଦ୍ରଙ୍କର ଅନୁଜମାନଙ୍କୁ ବିବାହ କରିଥିଲେ, ସେମାନେ ଅଯୋଧ୍ୟାର ରାଜଅନ୍ତଃପୁରର ହାତ ଉପରେ କପାଳ ରଖି ବସିଅଛନ୍ତି । ସେମାନଙ୍କର ଶରୀର ଦିନକୁ ଦିନ କୃଷ୍ଣପକ୍ଷ ଚନ୍ଦ୍ରର ଶରୀର ପରି କ୍ଷୟପ୍ରାପ୍ତ ହେଉଅଛି । ସୀତାଙ୍କ ସହିତ ଯେଉଁ ସଖୀମାନେ ଅଯୋଧ୍ୟାର ରାଜଅନ୍ତଃପୁରରେ ସଙ୍ଗୀତ ଗାନ କରୁଥିଲେ, ସେମାନେ ସୀତାଙ୍କ ବିରହରେ ମୂକ ପାଲଟି ଯାଇଅଛନ୍ତି । ସୀତାଙ୍କର ଦାସୀମାନେ ବାସି–ଫୁଲ ପରି ମଉଳି ପଡ଼ିଛନ୍ତି ।

 

ଅଯୋଧ୍ୟାର ରାଜଲକ୍ଷ୍ମୀ ସୀତାଙ୍କ ନିକଟକୁ ପତ୍ରରେ ଆହୁରି ଅନେକ କିଛି ଲେଖିଥିଲେ; ମାତ୍ର ଅଯୋଧ୍ୟା ତାକୁ ପାଠ କଲାବେଳେ ମର୍ମାନ୍ତିକ ବେଦନା ଅନୁଭବ କରିବାରୁ ସୀତା ତାହାକୁ ପତ୍ରପାଠରୁ ବିରତ କରାଇଲେ । ଅଯୋଧ୍ୟାର ସୁଦିନର ବର୍ଣ୍ଣନା ଦେବା ପାଇଁ କବି ଯଦି ଅବକାଶ ପାଇଥାଆନ୍ତେ, ତାହା ଯେ ନିତାନ୍ତ ଆକର୍ଷଣୀୟ ହୋଇଥାଆନ୍ତା, ଏଥିରେ ସନ୍ଦେହର ଅବକାଶ ନାହିଁ । ଏହି ଦୁର୍ଦ୍ଦିନର ଚିତ୍ର ପାଠକ–ପ୍ରାଣକୁ ଦୁଃଖରେ ଭରିଦିଏ । ଏହା ହିଁ କବିଙ୍କର ଲେଖନୀର ସାର୍ଥକତା ।

★★★

 

Unknown

ତପସ୍ୱିନୀରେ ରାବଣ-ପୁରୀ

 

ରାବଣ ଯେତେବେଳେ ସୀତାଙ୍କୁ ଚୋରାଇ ନେଇ ରଥରେ ବସାଇ ଲଙ୍କାକୁ ଯାଉଥିଲା, ସେତେବେଳେ ସୀତା ଅତ୍ୟନ୍ତ ଆତୁରତାର ସହିତ କ୍ରନ୍ଦନ କରିଥିଲେ । ରାବଣର ରଥ ଲଙ୍କା ଆଡ଼କୁ ଯାଉଥିବା ସମୟରେ କବି ରଥ ଉପରୁ ଭୂପୃଷ୍ଠର ଦୃଶ୍ୟ କେତେକାଂଶରେ ବର୍ଣ୍ଣନା କରିଅଛନ୍ତି । ରାବଣପୁରୀ ନିକଟ ହୋଇଆସିବାରୁ ସୀତା ଦେଖିପାରିଲେ ଉଜ୍ଜ୍ୱଳ ଆଲୋକର ପ୍ରକାଶ । ରଥ ଯେତେ ନିକଟତର ହୋଇଆସୁଥାଏ, ଆଲୋକର ଉଜ୍ଜ୍ଵଳତା ସେତେ ବଢ଼ି ଯାଉଥାଏ । ସୀତାଙ୍କର ମନେହେଲା, ସତେ ଯେପରି ତାରାମାନେ ଆକାଶ ଛାଡ଼ି ସେହି ସ୍ଥାନରେ ଦିନରେ ସମବେତ ହୋଇଥିଲେ । ସୀତା ଭାବିଲେ, ତାଙ୍କର ଜୀବନକାଳ ଶେଷ ହୋଇଯିବା ଯୋଗୁଁ ସେ ଯମଭୁବନକୁ ଯାଉଅଛନ୍ତି କି ? ତାପରେ ସୀତାଙ୍କ ଚକ୍ଷୁ ସମକ୍ଷରେ ମନୋହର ଅଟ୍ଟାଳିକାଶ୍ରେଣୀ ପ୍ରତିଭାତ ହେଲା । ସେହି ଅଟ୍ଟାଳିକାଗୁଡ଼ିକର ଶୀର୍ଷଦେଶରେ ସୁନାର କଳସମାନ ବସାଯାଇଥିଲା । ସେହି କଳସଗୁଡ଼ିକର ଔଜ୍ଜ୍ୱଲ୍ୟ ବିଶେଷ ଭାବରେ ପ୍ରକାଶ ପାଉଥିଲା ।

 

ନଗରର ପ୍ରାନ୍ତଦେଶରେ ରଥ ରହିଲା । ତା’ପରେ ସୀତାଙ୍କୁ ନେଇ ରାବଣ ଅଶୋକ ବନକୁ ଗଲା । ଏହି ବନର ପଥ ମର୍ମର ପ୍ରସ୍ତରରେ ନିର୍ମିତ । ଉପବନରେ ନାନାବିଧ ପୁଷ୍ପ ଓ ଫଳବୃକ୍ଷ ଶୋଭା ପାଉଥିଲା । ଉଦ୍ୟାନର ବୃକ୍ଷ ମଧ୍ୟରେ ଅଶୋକ ବୃକ୍ଷ ଅଧିକ ପରିମାଣରେ ଥିଲା-। ସେହି ଉଦ୍ୟାନର ମଧ୍ୟସ୍ଥଳରେ ଏକ ମନୋହର ପ୍ରାସାଦ ଥିଲା । ପ୍ରାସାଦରେ ନାନାବିଧ ମଣିମୁକ୍ତା ମଣ୍ଡିତ ହୋଇଥିବାରୁ ତାହା ଅତ୍ୟନ୍ତ ଉଜ୍ଜ୍ଵଳ ଦେଖାଯାଉଥିଲା ।

 

ରାବଣ ସେହି ପ୍ରାସାଦରେ ସୀତାଙ୍କୁ ରହିବା ପାଇଁ ଆଦେଶ ଦେଲା ଓ ଦାସୀମାନଙ୍କୁ ଡାକି ସୀତାଙ୍କର ସେବାରେ ନିଯୁକ୍ତ କଲା । ରାବଣ ଦାସୀମାନଙ୍କୁ ସୀତାଙ୍କ ପ୍ରତି ସଦାଜାଗ୍ରତ ରହିବାକୁ ନିର୍ଦ୍ଦେଶ ଦେଇ ଚାଲିଗଲା । ଦାସୀମାନେ ବହୁ ମୂଲ୍ୟବାନ ଅଳଙ୍କାରରେ ଅଙ୍ଗ ମଣ୍ଡନ କରିଥିଲେ । ସେମାନେ ରାବଣର ଆଦେଶ ଅନୁସାରେ ସୀତାଙ୍କ ନିକଟରେ ବହୁ ମୂଲ୍ୟବାନ୍ ବସ୍ତ୍ର ଓ ଅଳଙ୍କାର ଆଣି ରଖିଲେ; ମାତ୍ର ସୀତା ସେସବୁ ପ୍ରତି ଭ୍ରୂକ୍ଷେପ ନ କରି ରାମଚନ୍ଦ୍ରଙ୍କ ବିଷୟ କେବଳ ମନମଧ୍ୟରେ ସ୍ଥାନ ଦେଇ ରହିଲେ ।

 

ଅନ୍ୟ ଏକ ଦିନ ରାବଣ ସୀତାଙ୍କ ସମୀପରେ ଉପସ୍ଥିତ ହୋଇ ତାର ମନର କାମନା ପ୍ରକାଶ କଲା । ମାତ୍ର ସେ ତାର କାମନା ପୂରଣର ଯୋଗ ଲାଭ କରିପାରିଲା ନାହିଁ । ଅଶୋକ ବନରେ ସୀତା ମର୍ମାନ୍ତିକବେଦନା ଅନୁଭବ କରି ରହିଥିବା ଅବସ୍ଥାରେ ହନୁମାନ ସୀତାଙ୍କର ସାକ୍ଷାତ ପାଇ ରାମଚନ୍ଦ୍ରଙ୍କ କଥା ପ୍ରକାଶ କରିଥିଲା । ତା’ପରେ ରାମଚନ୍ଦ୍ର ସୈନ୍ୟସାମନ୍ତ ନେଇ ଲଙ୍କାରେ ପ୍ରବେଶ କରି ରାବଣକୁ ବଧ କରି ସୀତାଙ୍କୁ ମୁକ୍ତ କରିଥିଲେ ।

 

ସୀତା ମୁକ୍ତିପାଇବା ପରେ ରାମଚନ୍ଦ୍ର ସେଠାରେ ସୀତାଙ୍କ ଚରିତ୍ର ପ୍ରତି ସନ୍ଦେହ ପ୍ରକାଶ କରି ତାଙ୍କୁ ଅଗ୍ନିପରୀକ୍ଷାର ସମ୍ମୁଖୀନ କରାଇଥିଲେ । ଅଗ୍ନିପରୀକ୍ଷାରେ ସୀତା ଉତ୍ତୀର୍ଣ୍ଣ ହେବା ପରେ ପୁଷ୍ପକ ବିମାନରେ ବସି ରାମଚନ୍ଦ୍ରଙ୍କ ସହିତ ପ୍ରତ୍ୟାବର୍ତ୍ତନ କଲେ ।

 

ଲଙ୍କାର ବର୍ଣ୍ଣନା କବି ଗଙ୍ଗାଧର ମେହେର ତପସ୍ୱିନୀର କଳେବର ମଧ୍ୟରେ ନିତାନ୍ତ ସୀମିତ ପରିସରରେ ପ୍ରଦାନ କରିଅଛନ୍ତି । ଆଧୁନିକ ଯୁଗର କାବ୍ୟ ନ ହୋଇ ତପସ୍ୱିନୀ ଯେବେ ମଧ୍ୟଯୁଗର ଏକ କାବ୍ୟ ହୋଇଥାଆନ୍ତା; ତାହାହେଲେ କବି ଲଙ୍କାର ବର୍ଣ୍ଣନା ବିସ୍ତୃତ ପରିସର ମଧ୍ୟରେ ପ୍ରଦାନ କରିଥାଆନ୍ତେ । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ସିଂହଳ ବର୍ଣ୍ଣନା ତାଙ୍କର ବିଖ୍ୟାତ ଲାବଣ୍ୟବତୀ କାବ୍ୟରେ ସ୍ଥାନ ପାଇଅଛି । ଏଥିରେ ଉପେନ୍ଦ୍ରଭଞ୍ଜ ସିଂହଳର ବର୍ଣ୍ଣନା ଯେପରି ପ୍ରଦାନ କରିଅଛନ୍ତି, ତହିଁରୁ ସିଂହଳର ଐଶ୍ଵର୍ଯ୍ୟ ପ୍ରକାଶିତ ହୋଇଅଛି । ଉପେନ୍ଦ୍ର ଭଞ୍ଜଙ୍କର ଏହି ବର୍ଣ୍ଣନାଭଙ୍ଗୀ ବିଶେଷତଃ ସଂସ୍କୃତ ସାହିତ୍ୟଦ୍ୱାରା ପ୍ରଭାବିତ । ମାତ୍ର କବି ଗଙ୍ଗାଧର ସ୍ଵକୀୟ ଚିନ୍ତାଧାରା ଅନୁସାରେ ସୀମିତ ପରିସର ମଧ୍ୟରେ ଲଙ୍କାପୁରୀର ଯେଉଁ ବର୍ଣ୍ଣନା ପ୍ରଦାନ କରିଅଛନ୍ତି, ତାହା ହୃଦ୍ୟ ହୋଇଅଛି ।

★★★

 

ତପସ୍ୱିନୀରେ ଆଦର୍ଶ ପତ୍ନୀର ଚିତ୍ର

 

ତପସ୍ୱିନୀ କାବ୍ୟ ପାଠକଲେ ଜଣାଯାଏ, ନାରୀଜୀବନର ଆଦର୍ଶ ଚିତ୍ର ଅଙ୍କନ କରିବା କବିଙ୍କର ପ୍ରଧାନ ଲକ୍ଷ୍ୟ । ତେଣୁ ତପସ୍ୱିନୀର କଳେବର ମଧ୍ୟରେ କବି ଗଙ୍ଗାଧର ମେହେର ସୀତାଙ୍କ ଜୀବନର ଉନ୍ନତ ଆଦର୍ଶକୁ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଆଦର୍ଶ ପତ୍ନୀ ଓ ଆଦର୍ଶ ଜନନୀର ଚିତ୍ରଅଙ୍କନ କରିଅଛନ୍ତି । ସୀତା ରାମଚନ୍ଦ୍ରଙ୍କର ପତ୍ନୀ । ରାମଚନ୍ଦ୍ର ଜଣେ ଆଦର୍ଶ ନରପତି-। ଲଙ୍କାରେ ରାବଣକୁ ବଧ କରି ସୀତାଙ୍କୁ ମୁକ୍ତ କରି ରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲେ । ଅଯୋଧ୍ୟାର ରାଜସିଂହାସନରେ ରାମଚନ୍ଦ୍ର ଅଭିଷିକ୍ତ ହେଲେ-। ଅଯୋଧ୍ୟାବାସୀଙ୍କୁ ଆନନ୍ଦରେ ପ୍ରତିପାଳନ କରିବା ରାମଚନ୍ଦ୍ରଙ୍କର ମୁଖ୍ୟ ଲକ୍ଷ୍ୟ ହେଲା । ଯେଉଁ ରାମଚନ୍ଦ୍ର ପ୍ରଜାମାନଙ୍କର ହିତ ପାଇଁ ସଦାତତ୍ପର ଥିଲେ, ସେହି ରାମଚନ୍ଦ୍ରଙ୍କର କାର୍ଯ୍ୟକୁ ପ୍ରଜାମାନେ ସମର୍ଥନ କରିପାରିଲେ ନାହିଁ-। ସୀତା ରାବଣପୁରୀରେ ଥିବାରୁ ତାଙ୍କର ସତୀତ୍ୱରେ କଳଙ୍କ ଲାଗିଥିଲା ବୋଲି ପ୍ରଜାମାନେ ମତ ପ୍ରକାଶ କଲେ । ପ୍ରଜାମାନଙ୍କର ଏ ପ୍ରକାର ମତ ଶ୍ରବଣ କରି ରାମଚନ୍ଦ୍ର ବ୍ୟଥିତ ହେଲେ । କାରଣ ସୀତାଙ୍କୁ ଯେ କୌଣସି ପ୍ରକାରର ପାପ ସ୍ପର୍ଶ କରିପାରି ନ ଥିଲା, ଏ ବିଷୟ ରାମଚନ୍ଦ୍ର ଉତ୍ତମରୂପେ ହୃଦୟଙ୍ଗମ କରିଥିଲେ । ଲଙ୍କାରେ ରାବଣ ବଧ ପରେ ସୀତାଙ୍କୁ ଅଗ୍ନିପରୀକ୍ଷାର ସମ୍ମୁଖୀନ ହୋଇ ତହିଁରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥିଲା । ତଥାପି ପ୍ରଜାମାନଙ୍କର ମତକୁ ରାମଚନ୍ଦ୍ରଙ୍କ ପରି ପ୍ରଜାବତ୍ସଳ ନରପତି ଏଡ଼ି ଦେଇପାରିଲେ ନାହିଁ । ଫଳରେ ସୀତାଙ୍କୁ ଭୋଗ କରିବାକୁ ପଡ଼ିଲା ନିର୍ବାସନ ଦଣ୍ଡ-

 

ନିର୍ବାସିତା ସୀତା ଭାଗୀରଥୀ ତୀରରେ ପଡ଼ି ଅତ୍ୟନ୍ତ ଆକୁଳ ଭାବରେ କ୍ରନ୍ଦନ କରି ନିଜ ପତିଙ୍କର ଗୁଣରାଶୀ ବାହୁନି ନିଜର ଦୋଷ ପ୍ରକାଶ କରିଥିଲେ । ସୀତାଙ୍କର ଏହି କ୍ରନ୍ଦନ ସମୟରେ କବି ଯେଉଁ ପ୍ରକାର ଭାଷା ସୀତାଙ୍କ ମୁଖରେ ପ୍ରକାଶ କରାଇ ଅଛନ୍ତି, ତାହା ଏକ ଆଦର୍ଶ ପତ୍ନୀର ଭାଷାରୂପେ ପ୍ରତୀତ ହୁଏ । ତେଣୁ ସୀତା ଚରିତ୍ର ମାଧ୍ୟମରେ କବି ଆଦର୍ଶ ପତ୍ନୀର ଚିତ୍ର ତପସ୍ଵିନୀ କାବ୍ୟରେ ଅଙ୍କନ କରିବାକୁ ସମର୍ଥ ହୋଇଅଛନ୍ତି । ସାରାଜୀବନ ରାମଚନ୍ଦ୍ରଙ୍କ ସହିତ କଟାଇବା ସମୟ ମଧ୍ୟରେ ସୀତା ବହୁ କାର୍ଯ୍ୟରେ ନିଜର ଦୋଷ ପ୍ରଦର୍ଶନ କରିଛନ୍ତି । କୌଣସି ଗୋଟିଏ ହେଲେ ଘଟଣାରେ ସେ ରାମଚନ୍ଦ୍ରଙ୍କର ଦୋଷ ପ୍ରଦର୍ଶନ କରି ନାହାନ୍ତି । ତେଣୁ ସୀତାଙ୍କର ଏହି ଆଦର୍ଶ ଜରିଆରେ କବି ପ୍ରକାଶ କରିଅଛନ୍ତି ଯେ, ଆଦର୍ଶପତ୍ନୀ ହେବାକୁ ହେଲେ ନିଜର ଦୋଷ ପ୍ରତି ସଚେତନ ରହିବାକୁ ପଡ଼ିବ । ପତିଙ୍କର ଦୋଷାଦୋଷ ବିବେଚନା କରିବାର ଶକ୍ତି ପତ୍ନୀର ନାହିଁ । ପତ୍ନୀର ଆଖିରେ ପତି ହିଁ ଦେବତା ।

 

କବିଙ୍କର ଏ ପ୍ରକାର ମତବାଦ ଆଧୁନିକ ଜଗତରେ ଯେ ଏକାବେଳକେ ଗ୍ରହଣୀୟ, ଏକଥା ଅନେକ ଅସ୍ଵୀକାର କରିପାରନ୍ତି । କାରଣ ପତି ଯଦି ମନଇଚ୍ଛା କାର୍ଯ୍ୟ କରେ, ତାହାହେଲେ ତାକୁ କ’ଣ ପତ୍ନୀ ସହିଯିବ ? ଏ କ୍ଷେତ୍ରରେ ଆମକୁ ମନେରଖିବାକୁ ପଡ଼ିବ ଯେ, ପତ୍ନୀର ଯେପରି ଆଦର୍ଶ ଥିବା ଉଚିତ, ପତିର ଠିକ୍ ସେହିପରି ଆଦର୍ଶ ଥିବା ଉଚିତ । ତା ନ ହେଲେ ଦାମ୍ପତ୍ୟ ଜୀବନରେ ବହୁ ଝଡ଼ଝଞ୍ଜାର ସୃଷ୍ଟି ଦେଖାଯିବ । ସୀତା ଯେପରି ପତିପ୍ରାଣା, ରାମଚନ୍ଦ୍ର ସେହିପରି ପତ୍ନୀପ୍ରାଣ । ଅବସ୍ଥାଚକ୍ରରେ ଯେ କୌଣସି ପ୍ରକାର ପରିସ୍ଥିତି ଆସୁନା କାହିଁକି, ପତ୍ନୀ ସାହସର ସହିତ ତାର ସମ୍ମୁଖୀନ ହେବା ଉଚିତ । ଗର୍ଭଧାରିଣୀ ସୀତା, ଅଯୋଧ୍ୟାର ରାଜବଧୂ ସୀତା ଯେପରି ଅସହାୟା ଅବସ୍ଥାରେ ଭାଗୀରଥୀ ତୀରରେ ପଡ଼ି ରହିଥିଲେ, ତହିଁରୁ ତାଙ୍କର ଅପୂର୍ବ ସାହସିକତାର ପରିଚୟ ମିଳେ ।

 

ଉପଯୁକ୍ତ ପତିର ଆଦର୍ଶରେ ପରିଚାଳିତ ହେଲେ ସିନା ଉପଯୁକ୍ତ ପତ୍ନୀତ୍ଵ ପ୍ରକାଶ ପାଏ-! ରାମଚନ୍ଦ୍ରଙ୍କର ଆଦର୍ଶ ସୀତାଙ୍କର ଆଦର୍ଶରେ ପରିଣତ ହୋଇଅଛି । ସୀତା ପ୍ରକାଶ କରିଅଛନ୍ତି–

 

“ପିତୃବାକ୍ୟ ପାଳନରେ ତୁମ୍ଭେ ଅବିମୁଖ

ପତିବାକ୍ୟ ପାଳନରେ ନ ହେଲେ ମୋ ଦୁଃଖ,

ତେବେ ସିନା ତୁମ୍ଭ ପତ୍ନୀ ପଦର ଭାଜନ

ମୁଁ ହେବି, ଏକଥା ନିଶ୍ଚେଁ ବୁଝିବ ମୋ ମନ ।

ପରଜାରଞ୍ଜନ-ବ୍ରତେ ଅଟ ତୁମେ ବ୍ରତୀ,

ମୁଁ ସହଧର୍ମିଣୀ ତୁମ୍ଭ ପଦାଙ୍କେ ମୋ ଗତି ।”

 

ରାମଚନ୍ଦ୍ର ପିତୃବାକ୍ୟ ପାଳନ କରି ଚଉଦ ବର୍ଷ ବନବାସ କରିଥିଲେ । ରାଜସିଂହାସନର ମୋହ ତ୍ୟାଗକରି ପିତାଙ୍କ ଆଦେଶରେ ଦୀର୍ଘକାଳ ବନବାସୀ ହେବା ଯେ କି ମହତ୍ ଆଦର୍ଶ, ତାହା ସୀତା ହୃଦୟଙ୍ଗମ କରିପାରିଥିଲେ । ତେଣୁ ସେ ମତପ୍ରକାଶ କରିଅଛନ୍ତି ଯେ, ତାଙ୍କର ପତି ପିତୃବାକ୍ୟ ପାଳନ କରି ନିଜର ଆଦର୍ଶକୁ ପ୍ରତିଷ୍ଠିତ କଲେ । ସେହିପରି ସେ ନିଜେ ଅମ୍ଳାନ ବଦନରେ ପତିଙ୍କର ଆଦେଶ ପାଳନ କରି ନିଜର ଆଦର୍ଶ ପ୍ରତିଷ୍ଠା କଲେ, ଉପଯୁକ୍ତ ପତିଙ୍କର ଉପଯୁକ୍ତା ପତ୍ନୀ ଭାବରେ ନିଜର ପରିଚୟ ଦେଇପାରିବେ । ପୁଣି ପତିଙ୍କର ଆଦର୍ଶ ପ୍ରଜାରଞ୍ଜନ, ସେ କ୍ଷେତ୍ରରେ ପତ୍ନୀ ହିସାବରେ କ’ଣ ତାଙ୍କର କର୍ତ୍ତବ୍ୟ ନାହିଁ ? ପତି ସହିତ ସମାନ ଧର୍ମ ଆଚରଣ କରିବା ଯୋଗୁ ହିଁ ପତ୍ନୀର ଅନ୍ୟ ନାମ “ସହଧର୍ମିଣୀ” ।

 

ଜୀବନରେ ଯେ କୌଣସି ଅବସ୍ଥାରେ ରହିଲେ ମଧ୍ୟ ପତ୍ନୀର ହୃଦୟରେ କେବଳ ପତିର ଆସନ । ପତି ପତ୍ନୀକୁ କର୍ତ୍ତବ୍ୟ ଅନୁରୋଧରେ ପରିତ୍ୟାଗ କଲେ ହେଁ ପତ୍ନୀ ପତିର ବିରୁଦ୍ଧାଚରଣ କରିବା ଏକ ଗର୍ହିତ ଅପରାଧ । ସୀତା ଯେତେବେଳେ ବାଲ୍ମୀକି ଆଶ୍ରମରେ ଥିଲେ, ସେତେବେଳେ ଆଶ୍ରମର ଉଦ୍ୟାନରେ ବିଚରଣ କରିବା ଅବସ୍ଥାରେ ସୀତାଙ୍କର ହୃଦୟ କିପରି ରାମଚନ୍ଦ୍ରଙ୍କ ପାଇଁ ବ୍ୟାକୁଳ ଥିଲା, ତାହା କବି ତପସ୍ଵିନୀର ପଞ୍ଚମ ସର୍ଗରେ ପ୍ରକାଶ କରିଅଛନ୍ତି–

 

“ସତୀ-ହୃଦ ଶ୍ୟାମ ଶ୍ରୀରାମମୟ,

ସେ ହୃଦୟ ହରି ପାଦପଚୟ

କ୍ରମେ ହେଲେ ଘନଶ୍ୟାମ ବରଣ,

ପତି ଏକା ସତୀ ମତି ଶରଣ

ଅବୟବ କାନ୍ତିମାନ

ଆକର୍ଷିତ ହୋଇ କୁସୁମେ କୁସୁମେ

କ୍ରମେ ଯାଇ କଲେ ସ୍ଥାନ ।”

 

ନିର୍ବାସିତା ସୀତା ବାଲ୍ମୀକି ଆଶ୍ରମରେ ଥାଇ ପତିଙ୍କ ଚିନ୍ତାଛଡ଼ା ଅନ୍ୟ କୌଣସି ଚିନ୍ତାକୁ ମନରେ ସ୍ଥାନ ଦେଇପାରି ନାହାନ୍ତି । ନିଜର କୌଣସି ଦୋଷ ନ ଥାଇ ପତିଙ୍କ କର୍ତ୍ତୃକ ନିର୍ବାସିତା ହୋଇଥିବାରୁ ଅନ୍ୟ କୌଣସି ନାରୀ ହୋଇଥିଲେ ପତି ବିରୁଦ୍ଧରେ ବିପ୍ଳବ କରିଥାଆନ୍ତା, ପତିଠାରେ ପ୍ରତିହିଂସାପରାୟଣା ହୋଇ ଉଠିଥାଆନ୍ତା । ମାତ୍ର ସୀତା ଏପରି ପରିସ୍ଥିତିରେ ହୃଦୟର ସିଂହାସନରେ କେବଳ ସେହି ରାମଚନ୍ଦ୍ରଙ୍କୁ ଆସୀନ କରାଇଅଛନ୍ତି । ତେଣୁ କବି ଏଠାରେ ଅତ୍ୟନ୍ତ ସ୍ପଷ୍ଟଭାବରେ ପ୍ରକାଶ କରିଅଛନ୍ତି–

“ପତି ଏକା ସତୀମତି ଶରଣ” ।

ପତ୍ନୀର କର୍ତ୍ତବ୍ୟ ହେଉଛି, ଜୀବନର ଯେ କୌଣସି ଅବସ୍ଥାରେ ପତି ସହିତ ରହି ସମାନ ଧର୍ମ ଆଚରଣ କରିବା । ତେଣୁ ରାମଚନ୍ଦ୍ର ଯେତେବେଳେ ପିତାଦେଶ ପାଳନ କରି ଚଉଦ ବର୍ଷ ବନବାସ କରିବାକୁ ବାହାରିଲେ, ସେତେବେଳେ ସେ ସୀତାଙ୍କ ନିକଟରୁ ବିଦାୟ ନେବା ବେଳେ ସୀତାଙ୍କୁ କେତେକ ଉପଦେଶ ପ୍ରଦାନ କରିଥିଲେ । ସୀତା ସେ ଉପଦେଶ ଶ୍ରବଣ କରିବା ପରେ ରାମଚନ୍ଦ୍ରଙ୍କର ବନଗମନ ବିଷୟକୁ ରାମଚନ୍ଦ୍ରଙ୍କର ପରିହାସ ମନେ କରିଥିଲେ । ମାତ୍ର ଯେତେବେଳେ ଅଯୋଧ୍ୟାରେ ଚାରିଆଡ଼େ କ୍ରନ୍ଦନର ରୋଳ ପୂରିଗଲା, ସେତେବେଳେ ସେ ଏହାକୁ ସତ୍ୟ ବୋଲି ମନେ କଲେ ।

ରାମଚନ୍ଦ୍ର ବନଗମନ କରିବାରୁ ସୀତା ତାଙ୍କ ସଙ୍ଗରେ ବନକୁ ଯିବାକୁ ବାହାରିଲେ । ସୀତା ରାମଚନ୍ଦ୍ରଙ୍କୁ କହିଥିଲେ–

“ନାଥ ତୁମ୍ଭେ ଗଲେ ବନ,

ରାଜପୁରେ ଏ ଦାସୀର କିସ ପ୍ରୟୋଜନ ?

ହୋଇଥାନ୍ତି ରାଜରାଣୀ ହେବି ଭିକାରୁଣୀ,

ଶ୍ରୀପଦ ସେବିବି ହୋଇ କାନନ–ଚାରିଣୀ ।

ଶ୍ରୀଚରଣେ ମତି ମୋର, ଶ୍ରୀଚରଣେ ଗତି,

ତୁମ୍ଭ ବିନା ନ ବାଞ୍ଛଇ ସ୍ୱରଗ ସମ୍ପତ୍ତି ।

ତୁମ୍ଭ ପ୍ରିୟ ଅବରଜ ଯୁବରାଜ ହେବେ,

ହସି ହସି ବନଗାମୀ ତୁମ୍ଭେ ହେବ ଯେବେ,

ଯୁବରାଜ୍ଞୀ ହେବେ ମୋର ମାଣ୍ଡବୀ ଭଗିନୀ,

ମୁଁ କିମ୍ପା ନ ହେବି ତୁମ୍ଭ ପଦାଙ୍କ ଗାମିନୀ ?

ସେ ସୁଖୁ ବଞ୍ଚିତା ହେଲେ ନ ବଞ୍ଚିବ ସୀତା,

ପ୍ରଭୁପାଦ ସେବା ବିନା ବିଶ୍ଵ ତାକୁ ପିତା ।’

 

ସୀତାଙ୍କର ଏହି ବାଣୀ ଏକ ଆଦର୍ଶ ପତ୍ନୀର ବାଣୀ । ପତିଙ୍କ ସହିତ ରହି ସମଧର୍ମ ଆଚରଣ କରିବା ଯେବେ ସହଧର୍ମିଣୀର ନୀତି, ତା’ହେଲେ ସ୍ୱାମୀ ବନକୁ ଯିବାବେଳେ ସୀତା ରାଜ–ଉଆସରେ ବା ରହନ୍ତେ କିପରି ? ତେଣୁ ଯେ କୌଣସି ଅବସ୍ଥାରେ; ଅର୍ଥାତ୍ ସମ୍ପଦରେ ବା ବିପଦରେ ପତ୍ନୀ ପତିର ସହଧର୍ମ ଆଚରଣ କରିବାର କଥା । କବି ଗଙ୍ଗାଧର ମେହେର ଏଠାରେ ଏହି ନୀତି ପ୍ରକାଶ କରିଅଛନ୍ତି ।

 

ଅବସ୍ଥାଚକ୍ରରେ ପଡ଼ି ଯଦି କୌଣସି ନାରୀ ଅପହୃତା ହୁଏ, ତା’ହେଲେ ତାର ଦୃଢ଼ ଚରିତ୍ର ହିଁ ତାକୁ ରକ୍ଷା କରିଥାଏ । ସୀତା ରାବଣକର୍ତ୍ତୃକ ଅପହୃତା ହୋଇ ରାବଣର ବହୁ ପ୍ରଲୋଭନକୁ ଏଡ଼ି ଦେଇଥିଲେ । ସେ ସବୁବେଳେ ରାମଚନ୍ଦ୍ରଙ୍କଠାରେ ଲୟ ରଖିଥିଲେ । ରାବଣ ଯେତେବେଳେ ତାଙ୍କୁ ହୃଦୟେଶ୍ଵରୀ ବୋଲି ସମ୍ବୋଧନ କରିଥିଲା, ସେତେବେଳେ ସେ ଏକାବେଳକେ ସ୍ତମ୍ଭିତା ହୋଇ ଯାଇଥିଲେ । ସେ ସ୍ଥଳରେ ସୀତା ନିଜର ମନର କଥାକୁ ପ୍ରକାଶ କରିଥିଲେ–

 

“ହେଉ ଏ ଯମାଳୟ ଅଥବା ସ୍ୱର୍ଗ,

ବିହରୁଥାନ୍ତି ଏଥି ଦେବତାବର୍ଗ

କେ କରିପାରିବ ମୋ ଚିତ୍ତ ହରଣ ?

କୌଶଲ୍ୟାସୁତ ଏକା ମୋର ଶରଣ ଗୋ ।”

 

ପତ୍ନୀର ଚରିତ୍ର ଏପରି ନିଷ୍କଳଙ୍କ ଓ ବଳିଷ୍ଠ ହେବା ଉଚିତ ଯେ, ପତି ଓ ପତ୍ନୀଙ୍କ ମଧ୍ୟରେ ଯେପରି କୌଣସି ସନ୍ଦେହର ପାଚେରୀ ଗଢ଼ି ନ ଉଠେ । ପତି ଯଦି ପତ୍ନୀଙ୍କୁ କୌଣସି କଥାରେ ସନ୍ଦେହ କରନ୍ତି, ପତ୍ନୀ ସନ୍ଦେହକୁ ମୋଚନ କରିବା ନିମନ୍ତେ ଶକ୍ତିଶାଳିନୀ ଥିବା ଉଚିତ । ରାମଚନ୍ଦ୍ର ରାବଣକୁ ବଧ କରି ସୀତାଙ୍କୁ ମୁକ୍ତ କରିବାପରେ, ସୀତା ଏତେ ଦିନଧରି ରାବଣପୁରରେ ରହିଥିବାରୁ ତାଙ୍କର ଚରିତ୍ର ନଷ୍ଟ ହୋଇଥିବାର ଆଶଙ୍କା ପ୍ରକାଶ କଲେ । ରାମଚନ୍ଦ୍ରଙ୍କର ଏହି ସନ୍ଦେହର ଦୂରୀକରଣ ଲାଗି ସୀତା ଅତ୍ୟନ୍ତ ସାହସର ସହିତ ଅଗ୍ନି ପରୀକ୍ଷାର ସମ୍ମୁଖୀନା ହେଲେ । ସୀତାଙ୍କ ଚରିତ୍ରରେ କଳଙ୍କର କାଳିମା ଲାଗି ନ ଥିବାରୁ ସେ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣା ହୋଇପାରିଲେ ।

 

ଲବକୁଶଙ୍କର ଜନ୍ମ ପରେ ସୀତା ଜନନୀ ଭାବରେ ତାଙ୍କର ଉପଯୁକ୍ତ ଲାଳନପାଳନ କରିଥିଲେ । ଲବକୁଶ ବଡ଼ ହୋଇଯିବା ପରେ ସୀତା ମନେକଲେ ସତେ ଯେପରି ସଂସାରରୁ ତାଙ୍କର କର୍ତ୍ତବ୍ୟ ଶେଷହୋଇ ଆସିଲା । ସୀତାଙ୍କ ମନର ଭାବନା ପ୍ରକାଶ କରି କବି ଲେଖିଛନ୍ତି–

 

“ନିଦାଘ-ସରିତ-ସ୍ରୋତ ସଦୃଶ

ସତୀ ପ୍ରାଣ ହୋଇ ଆସିଲା କୃଶ,

ଅସିତ ପକ୍ଷର ଶଶାଙ୍କ ପରି

ଲକ୍ଷ୍ୟକଲା ମୃତ୍ୟୁ ଅମା ଶର୍ବରୀ;

ସ୍ଵାମୀଙ୍କି ମଣି ଦିନେଶ ସମ,

ଆଶାକଲା ତହିଁ ହେବ ସଙ୍ଗମ ।

ଭାବୁଥାନ୍ତି, “ଥରେ କେଉଁ ଉପାୟେ”

ଦୃଷ୍ଟିଦେଇ ସ୍ୱାମୀ-ପବିତ୍ର-ପାଏ

ସମର୍ପଣ କରି ପୁତ୍ର ଯୁଗଳ

ଭାଙ୍ଗି ଦିଅନ୍ତି ମୋ ତନୁ ଅର୍ଗଳ ।”

 

ସୀତା ଗର୍ଭବତୀ ଥିବା ସମୟରେ ନିର୍ବାସିତା ହୋଇଥିଲେ । ରାମଚନ୍ଦ୍ର ଲବ ଓ କୁଶଙ୍କ ବିଷୟରେ ଦାୟିତ୍ଵମୁକ୍ତ ଥିଲେ ହେଁ ସୀତା ମନେ କରିଥିଲେ, ରାମଚନ୍ଦ୍ରଙ୍କ ନିକଟରେ ଲବ କୁଶଙ୍କୁ ସମର୍ପଣ କରି ତାଙ୍କର ପବିତ୍ର ପଦଯୁଗଳରେ ଲୟ ରଖି ପ୍ରାଣ ତ୍ୟାଗ କରନ୍ତେ । ସତେ ଯେପରି ପତିଙ୍କ ନିକଟରେ ସନ୍ତାନ ଦୁଇଟିଙ୍କୁ ନ ପହୁଞ୍ଚାଇଲେ ସୀତାଙ୍କର ମୁକ୍ତି ନାହିଁ । ଯେ କୌଣସି ପତ୍ନୀ ଚାହେଁ, ତାର ସନ୍ତାନକୁ ତାର ପତିଙ୍କ କୋଳରେ ଦେଖିବାକୁ । ପତିଙ୍କ କୋଳରେ ସନ୍ତାନଙ୍କୁ ଦେଖି ପତ୍ନୀ ପାଏ ଅଶେଷ ଆନନ୍ଦ । ଭାରତୀୟ ସଂସ୍କୃତିର ଧାରାରେ ଏହି ନୀତି ବା ଆଦର୍ଶ ସବୁବେଳେ ରହିଆସିଛି ।

 

ଭାରତୀୟ ସଂସ୍କୃତିରେ ପତି ପତ୍ନୀର ସମ୍ପର୍କ ଗୋଟିଏ ଜନ୍ମପାଇଁ ନୁହେଁ । ଏହି ସମ୍ପର୍କ ଜନ୍ମଜନ୍ମାନ୍ତରର । ପୁନର୍ଜନ୍ମରେ ଆସ୍ଥା ସ୍ଥାପନ କରିଥିବା ଭାରତୀୟ ଆର୍ଯ୍ୟ ପରମ୍ପରା ଏକଥାକୁ ସ୍ଵୀକାର କରେ । ସୀତା ଯେତେବେଳେ ରାମଚନ୍ଦ୍ର ଦ୍ୱାରା ନିର୍ବାସିତା ହେଲେ, ସେତେବେଳେ ସେ ଦୁଃଖିତା ହୋଇଥିଲେ ଏ ପ୍ରକାର ପରିସ୍ଥିତି ପାଇଁ । ତାଙ୍କ ମନରେ ବିଶ୍ୱାସ ଥିଲା; ହୁଏତ ଭାଗ୍ୟଚକ୍ରର ଏ କରାଳ ଅଟ୍ଟହାସର ପରିସମାପ୍ତରେ ପୁଣି ସେ ରାମଚନ୍ଦ୍ରଙ୍କୁ ଫେରିପାଇବେ । ଗୋଟିଏ ଜନ୍ମ ପାଇଁ ଏ ସାମୟିକ ବିଚ୍ଛେଦ ହୋଇପାରେ; ମାତ୍ର ଜନ୍ମ ଜନ୍ମାନ୍ତର ପାଇଁ ନୁହେଁ । ମାତ୍ର ଯେତେବେଳେ ସେ ଶୁଣିଛନ୍ତି ଯେ, ରାମଚନ୍ଦ୍ର ଅଶ୍ଵମେଧ ଯଜ୍ଞ ସମାପନ କରୁଅଛନ୍ତି, ସେତେବେଳେ ସେ ଏକାବେଳେକେ ଭାଙ୍ଗିପଡ଼ିଛନ୍ତି । କାରଣ ସେ ଆଶଂକା କଲେ ହୁଏତ ରାମଚନ୍ଦ୍ର ଦ୍ଵିତୀୟ ପତ୍ନୀ ଗ୍ରହଣ କରିଅଛନ୍ତି । ତେଣୁ ଅତ୍ୟନ୍ତ ବିସ୍ମୟର ସହିତ ସେ ରାମଚନ୍ଦ୍ରଙ୍କ ନିକଟକୁ ପତ୍ର ଲେଖିଛନ୍ତି । ପତ୍ରରେ ସେ ପ୍ରଶ୍ନ କରିଥିଲେ–

 

“ଯେ ହୋଇଛି ଆଜ ତୁମ୍ଭ ଅଙ୍କର ଭାଜନ

ଭକ୍ତିଭରେ ଦେଖୁଥିବେ ଜଗତର ଜନ ।

ପୂର୍ବେ ସେହୁ କରିଥିଲା କେଉଁ ଘୋର ତପ

କେଉଁଠାରେ କେତେକାଳ କିବା ମନ୍ତ୍ରଜପ ।

ଏହାମାତ୍ର ପ୍ରଭୋ ମୋତେ ଦେବଟି ଜଣାଇ

ଆନ କିଛି ଧନେ ମୋର ପ୍ରୟୋଜନ ନାହିଁ ।’’

 

ଏତିକି କଥା ସେ ଚାହିଁଥିଲେ ରାମଚନ୍ଦ୍ରଙ୍କଠାରୁ ଜାଣିବା ପାଇଁ । କାରଣ ଯଦି ରାମଚନ୍ଦ୍ର ଦ୍ଵିତୀୟ ପତ୍ନୀ ଗ୍ରହଣ, କରିଥାଆନ୍ତି ତାହାହେଲେ ସେ ନିଶ୍ଚିତ ଭାବରେ ଜଣେ ଭାଗ୍ୟବତୀ ନାରୀ । ପୂର୍ବଜନ୍ମରେ କେଉଁଠାରେ ସେ କି ତପସ୍ୟା କରିଥିଲା, ଯାହା ଫଳରେ କି ଏ ଜନ୍ମରେ ରାମଚନ୍ଦ୍ରଙ୍କୁ ସ୍ୱାମୀରୂପେ ପାଇଲା । ସୀତା ରାମଚନ୍ଦ୍ରଙ୍କଠାରୁ ସେହି ତପସ୍ୟାର ବିବରଣ ଚାହିଁଥିଲେ । କାରଣ, ଏ ଜନ୍ମରେ ସେହି ତପସ୍ୟା କରି ସୀତା ପୁଣି ଅନ୍ୟ ଜନ୍ମରେ ରାମଚନ୍ଦ୍ରଙ୍କୁ ପାଇ ପାରିବେ । କେବଳ ଭାରତ ଭୂମିରେ, ଆର୍ଯ୍ୟଜାତିର ପରଂପରାରେ ନାରୀ ଏପରି ବିଶ୍ୱାସ କରିପାରେ । ଏ ବିଶ୍ୱାସ ଆଧ୍ୟାତ୍ମିକ ଚେତନାର ବିଶ୍ୱାସ । ଏ ବିଶ୍ୱାସରେ ଜଡ଼ବାଦର ସତ୍ତା ନାହିଁ । ତେଣୁ ଆଦର୍ଶ ପତ୍ନୀର ପତିପାଇଁ ତ୍ୟାଗ, ବ୍ୟାକୁଳତା, ଭକ୍ତି, ବିଶ୍ୱାସ, ଆନନ୍ଦ ଯେ କିପରି ଥାଏ, ତାହାର ପରିଚୟ ଗଙ୍ଗାଧରଙ୍କ ଲେଖନୀ ପ୍ରଦାନ କରିଅଛି ।

 

ପତିଙ୍କ କର୍ତ୍ତୃକ ନିର୍ବାସିତା ଭାରତୀୟା ନାରୀର ମନରେ ବିଦ୍ରୋହର ବହ୍ନି ଜଳିଉଠି ନ ପାରେ । ପତିଙ୍କର କାର୍ଯ୍ୟକୁ ସେ ଉଚିତ ଜ୍ଞାନକରି ନିଜର ଆତ୍ମଶୁଦ୍ଧି ପାଇଁ ସେ ସାଜେ ତପସ୍ୱିନୀ । ସୀତାଙ୍କର ଏହି ତପସ୍ୱିନୀ ଜୀବନ ତାହାର ଜ୍ୱଳନ୍ତ ଉଦାହରଣ । ଭାରତୀୟ ପରଂପରାରେ ଆଦର୍ଶ ପତ୍ନୀର ଚିତ୍ର ପ୍ରଦାନ କରିବାକୁ ହେଲେ ସୀତାଙ୍କ ଅପେକ୍ଷା ଅନ୍ୟ କୌଣସି ନାରୀର ଅଧିକ ଯୋଗ୍ୟତା ଅଛି ବୋଲି ମନେହୁଏ ନାହିଁ । ସେ ଥିଲେ ଧରିତ୍ରୀ ପରି ସର୍ବଂସହା, ଉଦାର ଓ ମହୀୟସୀ । ଏହାହିଁ ଆଦର୍ଶ ପତ୍ନୀର ଚରିତ୍ର ।

★★★

 

ତପସ୍ୱିନୀରେ ଆଦର୍ଶ ଜନନୀ

 

ନାରୀ ଜୀବନର, ବିଶେଷତଃ ଭାରତୀୟା ନାରୀ ଜୀବନର ଆଦର୍ଶ ଚିତ୍ରଣ କରିବାପାଇଁ ଗଙ୍ଗାଧର ମେହେରଙ୍କର ଲେଖନୀ “ତପସ୍ୱିନୀ” ସୃଷ୍ଟିପାଇଁ ଉଦ୍ୟତ ହୋଇଥିଲା । ତପସ୍ୱିନୀର କଳେବର ମଧ୍ୟରେ କବି ନାରୀ ଜାତିର ମହତ୍ତ୍ଵ ପ୍ରଖ୍ୟାପନ ଲାଗି ନାରୀର ବିଭିନ୍ନ ରୂପର ପ୍ରକାଶ କରିଅଛନ୍ତି । ଜନନୀ ରୂପରେ ଓ ଜାୟା ରୂପରେ ତପସ୍ୱିନୀ କାବ୍ୟରେ ନାରୀ ଜୀବନର ଭୂମିକା ପ୍ରଣିଧାନର ଯୋଗ୍ୟ । ଜନନୀ ରୂପରେ ହେଉ ବା ଜାୟା ରୂପରେ ହେଉ, ଭାରତୀୟା ନାରୀ ତାର କର୍ତ୍ତବ୍ୟ ସାଧନ କରେ ଧର୍ମର ପରିସର ମଧ୍ୟରେ । ପତିର ସୋହାଗରେ ନିଜ ଜୀବନକୁ ଆନନ୍ଦ ସାଗରରେ ଭସାଇଦେଇ ନାରୀ ଯେତିକି ସୁଖ ପାଏ, ତାହା ଅପେକ୍ଷା ଅଧିକ ସୁଖ ସେ ପାଏ ସନ୍ତାନର ମମତା ଡୋରିରେ ନିଜକୁ ବାନ୍ଧିଦେଇ ।

 

ବାଲ୍ମୀକି ଆଶ୍ରମରେ ସୀତାଙ୍କୁ ମାତୃସୁଲଭ ମମତା ପ୍ରଦାନ କରିବା ନିମିତ୍ତ କବି ଉଦ୍ଦେଶ୍ୟମୂଳକ ଭାବରେ ଅନୁକମ୍ପାଙ୍କ ଚରିତ୍ର ସୃଷ୍ଟି କରିଅଛନ୍ତି । ସୀତାଙ୍କ ପ୍ରତି ଅନୁକମ୍ପାଙ୍କର ବ୍ୟବହାର ବିଷୟ ପାଠକଲେ ମନେହୁଏ, ସତେ ଯେପରି ଜନନୀର ଅନ୍ୟ ନାମ ଅନୁକମ୍ପା । ବ୍ୟଥିତା ସୀତାଙ୍କୁ ଅନୁକମ୍ପା ଯେତେବେଳେ ଫଳ ଭୋଜନ କରାଇଲେ, ସେତେବେଳେ ସ୍ୱତଃ ପାଠକରଚକ୍ଷୁ ସମକ୍ଷରେ ଜଣେ ମା’ ତାର କନ୍ୟାକୁ ଭୋଜନ କରାଉଥିବାର ଚିତ୍ର ଭାସିଯାଏ । ସୀତା ଗର୍ଭାବସ୍ଥାରେ କଠିନ ପରିଶ୍ରମ କରିବାକୁ ଅସମର୍ଥା ଜାଣି ବାଲ୍ମୀକିଙ୍କ ଆଦେଶରେ ଉଦ୍ୟାନର ବୃକ୍ଷରେ ଜଳଦାନ କରିବାକୁ କଳସୀ ଆଣିବାବେଳେ ଅନୁକମ୍ପା ଅନ୍ୟ ମୁନିକୁମାରୀମାନଙ୍କୁ ଜଳ ବହିବାକୁ କହିଥିଲେ । ସୀତାଙ୍କୁ ଉପବନର ସୁଶୀତଳ ଛାୟାରେ ଉପବେଶନ କରାଇ ଅନୁକମ୍ପା ତାଙ୍କୁ ବହୁ ଉପଦେଶ ପ୍ରଦାନ କରିଥିଲେ । ଲବକୁଶ ଜନ୍ମହେବା ସମୟରେ ଅନୁକମ୍ପା ସମସ୍ତ କାର୍ଯ୍ୟ ସମାପନ କରିଥିଲେ । ବାଲ୍ମୀକି ଆଶ୍ରମରେ ଅନୁକମ୍ପାଙ୍କୁ ପାଇ ସୀତା ଅନୁଭବ କରିଥିଲେ ସତେ ଯେପରି ସେ ତାଙ୍କର ଜନନୀଙ୍କୁ ହିଁ ପାଇଥିଲେ ।

 

ଆଦର୍ଶ ପତ୍ନୀ ସୀତା ଯେତେବେଳେ ଜନନୀରେ ପରିଣତ ହେଲେ, ସେତେବେଳେ ସେ ଆଦର୍ଶ ଜନନୀ ବା ନ ହୁଅନ୍ତେ କିପରି ? ଲବକୁଶଙ୍କ ଜନ୍ମପରେ ସୀତା ଯେତିକି ଆନନ୍ଦିତା ହୋଇଥିଲେ, ସେତିକି ଦୁଃଖିତା ମଧ୍ୟ ହୋଇଥିଲେ । ଦୁଃଖର କାରଣ କେବଳ କୁମାର ଦ୍ଵୟଙ୍କ ପାଇଁ-। ରାଜପ୍ରାସାଦରେ ସେମାନେ ଜନ୍ମ ହୋଇଥିଲେ କି ଆନନ୍ଦର କଲ୍ଲୋଳ ଛୁଟିଯାଇ ଥାଆନ୍ତା; ମାତ୍ର ମୁନି ଆଶ୍ରମରେ ସେମାନେ ଜନ୍ମ ହେଲେ । ଏହି ଦୁଃଖରେ ସୀତାଙ୍କର ଚକ୍ଷୁରୁ ଲୋତକଧାର ବହିଯାଇଥିଲା ।

 

“ଏ ନରେନ୍ଦ୍ର କୁମରେ

ଶୋଭିଥାନ୍ତେ ଆଜି ମଣିମୟ ଘରେ ।

ହୋଇଥାନ୍ତେ ନୃପ-ହୃଦ-ଆନନ୍ଦନ

ଦୀନ ଦୁଃଖୀଙ୍କର ଦାରିଦ୍ର୍ୟ-ଖଣ୍ତନ ।

କେତେ ଧନରତ୍ନ ବସନ ଭୂଷଣ

ପାଇଥାନ୍ତେ ଆଜି ପୁରବାସୀଗଣ ।

ପୁର ପୁରୁଥାନ୍ତା ମଙ୍ଗଳ ନାଦରେ,

ନଭ ପୁରୁଥାନ୍ତା ମଙ୍ଗଳ ବାଦ୍ୟରେ ।

ଭାଗ୍ୟଦୋଷେ ଆହା ତାପସ-ତନୟ-

ରୂପେ ଆଶ୍ରାକଲେ ତାପସ-ଆଳୟ ।

ସତୀନେତ୍ରୁ ବେନି ଧାର ଜଳ ନେଇ

ଚାଲିଗଲା ଦୁଃଖ ସୁତ-ସ୍ନେହ ଦେଇ ।

କୁମାରଙ୍କ ରୂପେ ସତୀଙ୍କ ହୃଦୟ

ହୋଇଗଲା ତହୁଁ ଶୁଦ୍ଧ ସୁଖମୟ

କୁମାରଙ୍କ ବିନା ଅନ୍ୟତ୍ର ନୟନ

ଚାଳିବାକୁ ଲେଶେ ହେଲା ନାହିଁ ମନ !”

 

ସନ୍ତାନର ଜନନୀ ହେବାପରେ ନାରୀ ମନେକରେ ସତେ ଯେପରି ତାର ଜୀବନର ଚରମ ସାର୍ଥକତା ହିଁ ପ୍ରକାଶିତ ହେଲା । ସନ୍ତାନର ମମତାରେ ଜନନୀ ବାନ୍ଧି ହୋଇଯାଏ । ଜଗତର ସବୁକିଛି ସୁଖ ତା ନିକଟରେ ସନ୍ତାନର ମମତା ଅପେକ୍ଷା ନ୍ୟୂନ ମନେହୁଏ । ସୀତାଙ୍କ ଜୀବନରେ ଠିକ୍ ତାହାହିଁ ଘଟିଥିଲା । ସେ ଲବକୁଶଙ୍କର ଜନ୍ମପରେ ତାଙ୍କର ଦୁଃଖଭାର ଲାଘବ ହେଲା ବୋଲି କ୍ରମଶଃ ଅନୁଭବ କଲେ । ସନ୍ତାନର ମଙ୍ଗଳପାଇଁ ଜନନୀ କେତେ କାମନା କରେ । ଲବକୁଶ ଜନ୍ମହେବା ପରେ ସେମାନଙ୍କର ମଙ୍ଗଳ କାମନା କରି ସୀତା ତାଙ୍କ ସଙ୍ଗରେ ଆଣିଥିବା ବସନ ଭୁଷଣ ତାପସୀଙ୍କ ମଧ୍ୟରେ ବଣ୍ଟନ କରିଥିଲେ । ଆନନ୍ଦ ଚିତ୍ତରେ ସୀତା ପଶୁପକ୍ଷୀମାନଙ୍କୁ ଫଳ, ଶସ୍ୟ, ଧାନ୍ୟ ଇତ୍ୟାଦି ଖାଇବାକୁ ଦେଲେ ।

 

ଲବକୁଶଙ୍କୁ ଲାଳନପାଳନ କରିବାରେ ସୀତା ଅତ୍ୟନ୍ତ ମୋହଗ୍ରସ୍ତା ହୋଇପଡ଼ିଲେ । ସେ ସବୁବେଳେ ସେମାନଙ୍କ ପାଖରେ ଜଗିରହିଲେ । ଶିଶୁଦ୍ୱୟଙ୍କ ମମତା ଫଳରେ ସେ ନିଜ ଜୀବନର ଦୁଃଖଭାର ଲାଘବ କରିପାରିଥିଲେ । କେବଳ ସ୍ନାନ କରିବା ନିମନ୍ତେ ସୀତା ଲବ କୁଶଙ୍କୁ ଛାଡ଼ି ଅଳ୍ପ ସମୟପାଇଁ ଯାଉଥିଲେ ଏବଂ ସ୍ନାନ ଶେଷ ହେବା ସଙ୍ଗେ ସଙ୍ଗେ ଓଦାଲୁଗାରେ ତର ତର ହୋଇ ଆସି କୁମାରଙ୍କ ନିକଟରେ ଉପସ୍ଥିତ ହେଉଥିଲେ । କୁମାରଦ୍ଵୟ କ୍ରମେ କ୍ରମେ ବଢ଼ିବାକୁ ଲାଗିଲେ । ବାଲ୍ୟାବସ୍ଥାରେ ସେମାନଙ୍କର ଖେଳାଲୀଳା ସୀତାଙ୍କର ପରମ ଆନନ୍ଦର କାରଣ ହୋଇଥିଲା । ଲବକୁଶଙ୍କର ବାଲ୍ୟକାଳର ଏହି ଲୀଳାଖେଳାକୁ କବି ଅତ୍ୟନ୍ତ ମଞ୍ଜୁଳ ଭାବରେ ପ୍ରକାଶ କରିଅଛନ୍ତି–

 

“ଉଭା ହେଲେ ଧରି ଜନନୀ-କର,

ତହୁଁ ନିଜ ପଦେ କରି ନିର୍ଭର ।

ଗତିକଲେ କରି କର ଧାରଣ,

ନିଜେ ନିଜେ ପୁଣି ଚାଲି ଚରଣ ।

ଗମନେ ପଡ଼ି କଲେ ରୋଦନ,

ତୋଷନ୍ତି ଜନନୀ ଚୁମ୍ବି ବଦନ ।”

 

ପିଲା ପ୍ରଥମରେ ଚାଲି ଶିଖିବା ବେଳର ଏହି ଚିତ୍ର ଯେ କୌଣସି ମା ଓ ପିଲା କ୍ଷେତ୍ରରେ ଦେଖାଯାଏ । ଏହି ଚିତ୍ରର ସ୍ୱାଭାବିକତା ଲକ୍ଷ୍ୟ କରିବାର କଥା । କୁମାରଦ୍ୱୟଙ୍କଠାରେ ଅଶେଷ ସ୍ନେହ ଢାଳିଦେଇ ସୀତା ନିଜ ମାତୃତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । କୁମାରଦ୍ଵୟ ଯେତେବେଳେ ବିଦ୍ୟାଲାଭ କଲେ, ବେଦ ବେଦାନ୍ତରେ ଜ୍ଞାନଲାଭ କଲେ, ସେତେବେଳେ ଅତ୍ୟନ୍ତ ଆନନ୍ଦିତା ହୋଇଥିଲେ । ସନ୍ତାନର ଉନ୍ନତି ଦେଖିଲେ ମାତୃହୃଦୟ ଆନନ୍ଦରେ ପୂରିଯାଏ । ଲବକୁଶ ଯେତେବେଳେ ସୀତାଙ୍କ ପାଖରେ ରାମାୟଣ ଗାନ କରୁଥିଲେ, ସୀତା ସେତେବେଳେ କେବଳ ଅଶ୍ରୁର ଝରଣା ବୁହାଉଥିଲେ । ଜନନୀର ଦାଇତ୍ୱ ତୁଲାଇବା ପରେ ସୀତା ତାଙ୍କର ଦାଇତ୍ୱକୁ ରାମଚନ୍ଦ୍ରଙ୍କ ନିକଟରେ ସମର୍ପଣ କରିଦେବାକୁ ଇଚ୍ଛା କରିଥିଲେ । ତେଣୁ ସେ ରାମଚନ୍ଦ୍ରଙ୍କ ନିକଟକୁ ପତ୍ରରେ ଲେଖିଥିଲେ–

 

“ଆଉ ଏକ କଥା ମାତ୍ର ଅଛି ଅନୁରୋଧ,

ଦୁଃଖିନୀର ପୁତ୍ରଯୁଗ ଅତ୍ୟନ୍ତ ଅବୋଧ ।

ନାହିଁ ତାଙ୍କ ପିତୃକୋଳ–ଆରୋହଣ–ଭାଗ୍ୟ,

ନ ଜାଣନ୍ତି ଜନ୍ମକାଳୁ ପିତୃ–ଅନୁରାଗ ।

ଜାଣିଛନ୍ତି ଜନନୀର ଜୀବନ କନ୍ଦାଇ,

ବୀଣାତନ୍ତ୍ରୀ ସହକାରେ ରାମାୟଣ ଗାଇ ।”

 

ସନ୍ତାନର ମମତା ଯୋଗୁଁ ସୀତାଙ୍କ ପ୍ରାଣ କିପରି ବିଚଳିତ ହୋଇଥିଲା, ତାହା କବି ପ୍ରକାଶ କରିଅଛନ୍ତି । ସନ୍ତାନର ସୌଭାଗ୍ୟ କାମନା କରିବା ଓ ଦୁର୍ଭାଗ୍ୟରେ ମର୍ମାନ୍ତିକ ଯନ୍ତ୍ରଣା ଭୋଗ କରିବା ଜନନୀ ପକ୍ଷରେ ଅତ୍ୟନ୍ତ ସ୍ଵାଭାବିକ ।

 

କବି ଗଙ୍ଗାଧର ମେହେର ସୀତାଙ୍କୁ ଚରିତ୍ରରେ ଆଦର୍ଶ ଜନନୀର ଯେଉଁ ପରିଚୟ ପ୍ରଦାନ କରିଛନ୍ତି, ତାହା ନିତାନ୍ତ ସ୍ଵାଭାବିକ । ଜନନୀର କାମନା ବାସନା ସବୁ କେବଳ ସନ୍ତାନର ସୁଖପାଇଁ । ସନ୍ତାନର ଶତ ଅପରାଧ ଜନନୀ ଚକ୍ଷୁରେ ଦୋଷାବହ ନୁହେଁ । କାରଣ ସେ ସନ୍ତାନର ମମତାର ଅନ୍ଧ । ଜୀବନରେ ନାରୀ ଚାହେଁ ପୂର୍ଣ୍ଣତା–ଏହି ପୂର୍ଣ୍ଣତା ତାକୁ ଆଣିଦିଏ ସନ୍ତାନ । ନାରୀର ପଶ୍ଚିମ ଜୀବନ କେବଳ ସନ୍ତାନର ପ୍ରଭାବରେ ପ୍ରଭାବିତ । ସନ୍ତାନର ରକ୍ତମାଂସ ଭିତରେ ନାରୀ ବଞ୍ଚିରହେ–ମରି ମଧ୍ୟ ଅମର ହୁଏ । ସେ ମନେକରେ ସନ୍ତାନ ହିଁ ତା ଜୀବନର ପ୍ରତିଫଳନ ।

★★★

 

ତପସ୍ୱିନୀରେ ଆଶ୍ରମ ବର୍ଣ୍ଣନା

 

ତପସ୍ୱିନୀର ଦ୍ଵିତୀୟ ସର୍ଗରେ କବି ବାଲ୍ମୀକି ଆଶ୍ରମର ବର୍ଣ୍ଣନା ପ୍ରଦାନ କରିଅଛନ୍ତି । ବାଲ୍ମୀକି ଆଶ୍ରମରେ ସର୍ବଦା କିପରି ଶାନ୍ତିପୂର୍ଣ୍ଣ ବାୟୁମଣ୍ଡଳ ରହିଥିଲା, ସେହି ବିଷୟକୁ ପ୍ରକାଶ କରିବା ନିମିତ୍ତ କବି ବାଲ୍ମୀକି ଆଶ୍ରମକୁ ଗୋଟିଏ ରାଜ୍ୟରୂପେ ବର୍ଣ୍ଣନା କରି ତହିଁରେ ଶାନ୍ତିର ରାଜତ୍ୱ ବିଷୟ ବର୍ଣ୍ଣନା କରିଅଛନ୍ତି ।

 

ବାଲ୍ମୀକି ଆଶ୍ରମ ରୂପକ ରାଜ୍ୟରେ ଶାନ୍ତି ରାଜତ୍ୱ କରେ । ସେଠାରେ ଥିବା ପାଦପଗଣ ସେ ରାଜ୍ୟର ପ୍ରଜାସ୍ୱରୂପ । ପ୍ରଜାମାନେ ଯେପରି ରାଜାଙ୍କୁ କରିଦେଇ ରାଜକୋଷ ପୂର୍ଣ୍ଣ କରନ୍ତି, ଏହି ପାଦପମାନେ ସେହିପରି ନିଜ ଶରୀର ଅନୁପାତରେ ଛାୟାରୂପକ କର ପ୍ରଦାନ କରନ୍ତି । ପୁଣି ଏମାନଙ୍କୁ କେହି କର ମାଗେ ନାହିଁ । ଏମାନେ ନିଜେ ନିଜେ ନିଜର ସାଧ୍ୟ ଅନୁସାରେ ଅଯାଚିତ ଭାବରେ କର ପ୍ରଦାନ କରିଥାଆନ୍ତି । ରାଜ୍ୟରେ ଯେତେବେଳେ ଯୁଦ୍ଧର ଡାକରା ଆସେ, ସେତେବେଳେ ପ୍ରଜାମାନଙ୍କ ମଧ୍ୟରୁ ସୈନ୍ୟବାହିନୀରେ ଯୋଗଦେଇ ଯୁଦ୍ଧକରି ଥାଆନ୍ତି । ସେହିପରି ବାଲ୍ମୀକି ଆଶ୍ରମ ରୂପକ ରାଜ୍ୟରେ ଯେତେବେଳେ ପ୍ରକୃତି ଯୁଦ୍ଧ ଘୋଷଣା କରେ, ସେତେବେଳେ ଏହି ପାଦପମାନେ ସୈନ୍ୟ ରୂପରେ ଯୁଦ୍ଧ କରନ୍ତି । ସୈନ୍ୟମାନେ ଶରୀରକୁ ରକ୍ଷା କରିବାପାଇଁ ଯେପରି କବଚ ଧାରଣ କରି ଥାଆନ୍ତି, ଏହି ପାଦପମାନେ ସେହିପରି ଘନପଲ୍ଲବରୂପକ କବଚ ଶରୀରରେ ଧାରଣ କରିଥାଆନ୍ତି । ଏହି ପାଦପ ରୂପକ ସୈନ୍ୟମାନେ ବର୍ଷାଦ୍ୱରା ବ୍ୟାୟାମ କରି ଅଙ୍ଗର ପୁଷ୍ଟିସାଧନ କରନ୍ତି । ସୈନ୍ୟମାନେ ଯେପରି ବ୍ୟାୟାମ କରନ୍ତି ଓ ବ୍ୟାୟାମ ଯେପରି ସେମାନଙ୍କର ଅଙ୍ଗର ପୁଷ୍ଟିସାଧନ କରେ, ସେହିପରି ବର୍ଷା ପାଦପମାନଙ୍କ ଅଙ୍ଗର ପୁଷ୍ଟିସାଧନ କରେ । ପାଦପ ରୂପକ ସୈନ୍ୟମାନେ ପ୍ରକୃତି ସହିତ ସଂଗ୍ରାମରତ ହୋଇ ସଂଗ୍ରାମରେ ଜୟଲାଭ କରି ଆତପକୁ ଲାଭ କରନ୍ତି । ଶୀତ ଆକ୍ରମଣରୁ ନିଜ ରାଜ୍ୟକୁ ଅର୍ଥାତ୍‍ ଆଶ୍ରମକୁ ରକ୍ଷା କରିବାପାଇଁ ଏମାନେ ବନାଗ୍ନି ସୃଷ୍ଟି କରନ୍ତି । ପ୍ରକୃତି ସହିତ ଏମାନେ ସଂଗ୍ରାମ କରି ପ୍ରକୃତିକୁ ପରାଜିତ କରିବାରୁ ପ୍ରକୃତି ଏମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ଏମାନଙ୍କ ହାତରେ ଫଳ ଓ ଫୁଲ ରୂପକ ଧନ ପ୍ରଦାନ କରେ ।

ବାଲ୍ମୀକି ଆଶ୍ରମର ମହତ୍ତ୍ଵ ପ୍ରକାଶ କରିବାକୁ ଯାଇ କବି ଲେଖିଅଛନ୍ତି ଯେ, ଆଶ୍ରମର ପ୍ରତ୍ୟେକ ଶିଶିର ବିନ୍ଦୁ ଅଗସ୍ତି ମହର୍ଷିଙ୍କର ଗର୍ବକୁ ହରଣ କରନ୍ତି । ଅଗସ୍ତି ମହର୍ଷି ସାତ ସମୁଦ୍ରକୁ ଚଳୁ କରି ଦେଇଥିଲେ । ସେଥିପାଇଁ ତାଙ୍କର ଗର୍ବ କରିବାର କଥା; ମାତ୍ର ବାଲ୍ମୀକି ଆଶ୍ରମର ପ୍ରତ୍ୟେକ ଶିଶିର ବିନ୍ଦୁ ଅଗସ୍ତି ମହର୍ଷିଙ୍କର ଏହି ଗର୍ବକୁ ଖଣ୍ଡନ କରିଥାଆନ୍ତି; ଅର୍ଥାତ୍ ଆଶ୍ରମର ବୃକ୍ଷପତ୍ର ଉପରେ ବା ଶ୍ୟାମଳ ଦୂର୍ବାଦଳ ଉପରେ ପଡ଼ିଥିବା ପ୍ରତ୍ୟେକ ଶିଶିର ବିନ୍ଦୁରେ ଆକାଶର ପ୍ରତିବିମ୍ବ ପଡ଼ିଥାଏ । ଆକାଶକୁ କବି ଏଠାରେ ସାଗର ସହିତ ତୁଳନା କରିଅଛନ୍ତି । କାରଣ ସାଗରର ଅତଳ ବକ୍ଷରେ ରତ୍ନ ରହିଥାଏ । ଆକାଶ ନୀଳବର୍ଣ୍ଣ, ପୁଣି ଆକାଶରେ ଥିବା ତାରାଗୁଡ଼ିକ ରତ୍ନ ସଦୃଶ ।

ସାଗର ଗର୍ଭରେ ଚନ୍ଦ୍ରମଣ୍ଡଳ ଛାୟା ପ୍ରତିବିମ୍ବିତ ହୁଏ । ମାତ୍ର ବାଲ୍ମୀକି ଆଶ୍ରମରେ ଥିବା ବୃକ୍ଷମାନଙ୍କ ମୂଳରେ ଯେଉଁ ମନ୍ଦା ଖୋଳାଯାଇ ପାଣି ଦିଆଯାଇଥାଏ, ତହିଁରେ ଚନ୍ଦ୍ରମଣ୍ଡଳର ଛାୟା ପ୍ରତିବିମ୍ବିତ ହୋଇଥାଏ । ତେଣୁ ବାଲ୍ମୀକି ଆଶ୍ରମର ବୃକ୍ଷ ମୂଳରେ ଥିବା ମନ୍ଦା ସାଗରର ଗର୍ବକୁ ଗଞ୍ଜନ କରିଥାଏ । ଏହିପରି ଭାବରେ ବାଲ୍ମୀକି ଆଶ୍ରମର ଉପବନର ବର୍ଣ୍ଣନା କବି କରିଅଛନ୍ତି । ଏହି ଉପବନର ବୃକ୍ଷଲତା ଓ ଝଡ଼ ତୋଫାନରେ ନଷ୍ଟ ହୋଇଯିବା ଆଶଙ୍କା କରି ଝଡ଼ ଶେଷରେ ମୁନିକୁମାରୀମାନେ ଯେତେବେଳେ ଉପବନରେ ବିଚରଣ କରୁଥିଲେ, ସେତେବେଳେ ସେମାନେ ଅଦୂରରେ ସୀତାଙ୍କର କ୍ରନ୍ଦନ ଶୁଣି ପାରିଥିଲେ ।

ଆଶ୍ରମରେ ହରିଣ, ହରିଣୀ, ପିକ, ମୟୂର, ବକ ପ୍ରଭୃତି ପଶୁପକ୍ଷୀମାନେ ଆନନ୍ଦରେ ବାସ କରୁଥିଲେ । ବାଲ୍ମୀକି ମହର୍ଷି ଯେତେବେଳେ ମୁନିକୁମାରୀମାନଙ୍କ ସଙ୍ଗରେ ସୀତାଙ୍କ ନିକଟକୁ ଯାଇଥିଲେ, ସେତେବେଳେ ଏମାନେ ତାଙ୍କ ସଙ୍ଗରେ ଯାଇଥିଲେ ବୋଲି କବି ବର୍ଣ୍ଣନା କରିଅଛନ୍ତି । ଆଶ୍ରମର ତାପସ ତାପସୀମାନେ କୁଟୀରରେ ବାସ କରୁଥିଲେ । ସୀତା ଯେତେବେଳେ ବାଲ୍ମୀକି ମହର୍ଷିଙ୍କ ଆଶ୍ରମରେ ପ୍ରବେଶ କରିଥିଲେ, ସେତେବେଳେ ତାଙ୍କ ରହିବା ନିମିତ୍ତ ଏକ କୁଟୀର ନିର୍ଦ୍ଦିଷ୍ଟ କରି ଦିଆଯାଇଥିଲା । ଆଶ୍ରମରେ ତାପସ ତାପସୀମାନେ ଫଳମୂଳ ଭକ୍ଷଣ କରୁଥିଲେ । ସୀତା ବାଲ୍ମୀକି ଆଶ୍ରମରେ ପ୍ରବେଶ କରିବା ପରେ ତାଙ୍କୁ ଫଳମୂଳ ଭକ୍ଷଣ କରିବାକୁ ଦିଆଯାଇଥିଲା । ଆଶ୍ରମରେ ବାଲ୍ମୀକି ମହର୍ଷିଙ୍କର ଦେବୋପମ ଆଚରଣ, ତାପସ ତାପସୀମାନଙ୍କର ସ୍ନେହପୂର୍ଣ୍ଣ ଆଚରଣ ଏବଂ ଅନୁକମ୍ପାଙ୍କର ମମତାପୂର୍ଣ୍ଣ ଆଚରଣ ସୀତାଙ୍କ ପକ୍ଷରେ ଅତ୍ୟନ୍ତ ଆନନ୍ଦମୟ ହୋଇଥିଲା ।

ତପସ୍ୱିନୀ କାବ୍ୟର ଚତୁର୍ଥ ସର୍ଗରେ କବି ଆଶ୍ରମର ପ୍ରଭାତ ସମୟର ବର୍ଣ୍ଣନା କରିଅଛନ୍ତି-। ଏହି ବର୍ଣ୍ଣନାରୁ କବିଙ୍କର ପ୍ରକୃତିପ୍ରେମିକତା ସ୍ପଷ୍ଟ ଭାବରେ ପ୍ରକାଶ ପାଇଅଛି । ସୀତା ବାଲ୍ମୀକି ମହର୍ଷି ଆଶ୍ରମରେ ଆସି ପ୍ରବେଶ କରିବା ପର ଦିନର ପ୍ରଭାତ କବିଙ୍କ ଲେଖନୀରେ ପୁଷ୍କଳ ହୋଇ ଉଠିଅଛି ।

“ମଙ୍ଗଳେ ଅଇଲା ଉଷା ବିକଚ ରାଜୀବ ଦୃଶା

ଜାନକୀ-ଦର୍ଶନ-ତୃଷା ହୃଦୟେ ବହି,

କର-ପଲ୍ଲବେ ନୀହାର– ମୁକ୍ତା ଧରି ଉପହାର

ସତୀଙ୍କ ବାସ-ବାହାର-ପ୍ରାଙ୍ଗଣେ ରହି

ନୀଳକଣ୍ଠ-କଣ୍ଠେ କହିଲା,

ଦରଶନ ଦିଅ ସତୀ ରାତି ପାହିଲା ।”

 

ବାଲ୍ମୀକି ଆଶ୍ରମରେ ପ୍ରଭାତ ହୋଇଛି । ପ୍ରଭାତ ସମୟରେ ଆଶ୍ରମରେ କାକର ବିନ୍ଦୁଗୁଡ଼ିଏ ପଡ଼ିଛି । ବୃକ୍ଷ ଡାଳରେ ବସି କୋକିଳ ତାର ସ୍ୱର ମେଲିଦେଇଛି । କେବଳ ଏତିକି କଥା ମାତ୍ର କବିଙ୍କ ଦୃଷ୍ଟିରେ ତାହା ଭିନ୍ନରୂପ ଗ୍ରହଣ କରିଅଛି । କବି ବର୍ଣ୍ଣନା କରିଅଛନ୍ତି, ବାଲ୍ମିକୀ ଆଶ୍ରମରେ ଉଷାର ଆବିର୍ଭାବ ଘଟିଛି । ସେ ଉଷା ପୁଣି ପ୍ରସ୍ଫୁଟିତ ପଦ୍ମର ସୋନ୍ଦର୍ଯ୍ୟ ଓ ପବିତ୍ରତା ଧାରଣ କରିଅଛି । ଉଷା ବାଲ୍ମିକୀ ମହର୍ଷିଙ୍କ ଆଶ୍ରମକୁ ଆସିବାର ପୁଣି ଅଭିପ୍ରାୟ ଅଛି । ସେ ଜାନକୀଙ୍କର ଦର୍ଶନପ୍ରାର୍ଥିନୀ । ଦର୍ଶନ ଉଦ୍ଦେଶ୍ୟରେ ଉଷା ଆସିଥିବାରୁ ଜାନକୀଙ୍କ ପାଇଁ ନିଜ ହାତରେ ନୀହାର ରୂପକ ମୁକ୍ତାଗୁଡ଼ିଏ ଉପହାର ଦେବାପାଇଁ ଆଣିଅଛି । ଉଷା ଜାନକୀଙ୍କ ଦର୍ଶନପାଇଁ ଆସି ଜାନକୀଙ୍କ ବାସ କରୁଥିବା କୁଟୀର ମଧ୍ୟକୁ ହଠାତ୍ ପ୍ରବେଶ କରିନାହିଁ । କୁଟୀରର ବାହାର ପଟେ ଥାଇ କୋକିଳ କଣ୍ଠରେ ଜାନକୀଙ୍କୁ ଅତ୍ୟନ୍ତ ବିନୟ ସହକାରେ ଆହ୍ଵାନ କରିଛି–“ଦରଶନ ଦିଅ ସତୀ, ରାତି ପାହିଲା ।” କବି ଗଙ୍ଗାଧରଙ୍କ ବର୍ଣ୍ଣନାର ଏହି ଚମତ୍କାରିତା ପ୍ରତ୍ୟକ୍ଷ ଭାବରେ ବାଲ୍ମୀକି ଆଶ୍ରମର ଚମତ୍କାରିତା ପ୍ରଦର୍ଶନ କରିବାକୁ ସମର୍ଥ ହୋଇଅଛି ।

 

ଉଷାଙ୍କର ପରିଧାନ ଅରୁଣ–କଷାୟ ବସନ । ତାଙ୍କ ଶରୀରରେ କୁସୁମ କାନ୍ତିର ବିକାଶ-। ତାଙ୍କ ରୂପ ପ୍ରଶାନ୍ତ । ଏପରି ରୂପ ଧାରଣ କରିଥିବା ଉଷାଙ୍କୁ ଦେଖି ମନେହୁଏ, ସତେ ଯେପରି କେଉଁ ଯୋଗେଶ୍ଵରୀ ସୀତାଙ୍କର ଦୁଃଖରାଶି ଉପଶମ କରିବା ପାଇଁ ମଧୁର ଭାଷାରେ ତାଙ୍କୁ ଆହ୍ଵାନ କରୁଅଛନ୍ତି । ପୁଣି ଏହି ଯୋଗେଶ୍ଵରୀ ସୀତାଙ୍କୁ ନବଜୀବନ ଦାନ କରିବା ଉଦ୍ଦେଶ୍ୟରେ ସତେ ଯେପରି ସ୍ଵର୍ଗରୁ ମର୍ତ୍ତ୍ୟକୁ ଆଗମନ କରିଅଛନ୍ତି । ତାଙ୍କରି ଆଦେଶରେ ସମୀରଣ ସଙ୍ଗୀତ ଗାନ କରୁଥିଲା, ଭ୍ରମର ବୀଣା ବାଦନ କରୁଥିଲା ଓ ସୁରଭି ନୃତ୍ୟ ପରିବେଷଣ କରୁଥିଲା । କୁମ୍ଭାଟୁଆ ଭାଟର କାର୍ଯ୍ୟ କରି ସ୍ତବପାଠ କରୁଥିଲା । କଜଳପାତୀ ଜଣେ ଶ୍ରେଷ୍ଠଦୂତ ଭାବରେ ଆସି ଅତ୍ୟନ୍ତ ମଧୁର କଣ୍ଠରେ ସୀତାଙ୍କୁ ସମ୍ବୋଧନ କରି କହିଲା, “ଉଠ ସତୀ ରାଜ୍ୟ–ରାଣୀ, ରାତି ପାହିଲା-।”

 

ପ୍ରଭାତ ହେଲାରୁ ମୁନି ବେଦପାଠ କଲେ । ବେଦପାଠରେ “ଓଁ” କାରର ଝଙ୍କାର ବନଭୂମିକୁ ପ୍ରକମ୍ପିତ କରିଦେଲା । ଏହି ‘‘ଓଁ’’ କାରର ଧ୍ଵନି ବିଷ୍ଣୁଙ୍କୁ ସନ୍ତୁଷ୍ଟ କରି ଶେଷଦେବଙ୍କର କର୍ଣ୍ଣକୁ ପବିତ୍ର କରୁଥିବା ସରସ୍ଵତୀଙ୍କର ବୀଣାର ଝଙ୍କାର ତୁଲ୍ୟ ପ୍ରତୀତ ହେଲା । କ୍ରମେ ଦିବାଲୋକର ପ୍ରସାର ଫଳରେ ବନଭୂମି ଉଜ୍ଜ୍ୱଳ ହୋଇଉଠିଲା । ଏହି ସମୟରେ ଅନୁକମ୍ପା ସୀତାଙ୍କ ନିକଟରେ ପ୍ରବେଶ ହେଲେ ଓ ଶଯ୍ୟାତ୍ୟାଗ କରି ଉଷାଙ୍କୁ ଦର୍ଶନ ଦେଇ ତମସା ନଦୀକୁ ସ୍ନାନ ନିମନ୍ତେ ଯିବାପାଇଁ ସୀତାଙ୍କୁ ଜଣାଇଲେ ।

 

ସୀତା ଶଯ୍ୟା ତ୍ୟାଗକରି ପ୍ରଥମରେ ରାମଚନ୍ଦ୍ରଙ୍କୁ ସ୍ମରଣ କଲେ ଓ ରଘୁବଂଶ ପ୍ରତି ସଦୟ ହେବାକୁ ଉଷାଙ୍କୁ ପ୍ରାର୍ଥନା କରି ମୁନିକୁମାରୀମାନଙ୍କ ସହିତ ତମସା ନଦୀକୁ ସ୍ନାନ ଉଦ୍ଦେଶ୍ୟରେ ବାହାରିଲେ । ତମସାରେ ସ୍ନାନ ଶେଷକରି ସୀତା ଅନୁକମ୍ପା ଓ ମୁନିକୁମାରୀମାନଙ୍କ ସହିତ ଆଶ୍ରମକୁ ଫେରିଲେ । ଆଶ୍ରମରେ ବାଲ୍ମୀକି ମହର୍ଷିଙ୍କର ପଦବନ୍ଦନା କରିବା ସମୟରେ ବାଲ୍ମୀକି ମହର୍ଷି ତାଙ୍କୁ “ବୀର ପ୍ରସବିନୀ ହୁଅ” ବୋଲି ଆଶୀର୍ବାଦ କଲେ । ତା’ପରେ ବାଲ୍ମୀକି ସୀତାଙ୍କୁ ଆଦେଶ ଦେଲେ ଯେ, ଆଶ୍ରମର ବୃକ୍ଷଲତାମାନଙ୍କୁ ସ୍ନେହ ମମତାରେ ପୁତ୍ରପରି ସେ ପାଳନ କରନ୍ତୁ । ପଞ୍ଚମ ସର୍ଗରେ, ବାଲ୍ମୀକିଙ୍କ ଆଦେଶରେ ସୀତା ମୁନିକୁମାରୀମାନଙ୍କ ସହିତ କଳସୀ ଧରି ବୃକ୍ଷଲତାମାନଙ୍କୁ ଜଳଦାନ କରିବାକୁ ବାହାରିଲେ । ରଘୁକୁଳ ବଧୂ ସୀତା କଳସୀରେ ଜଳ ବହନ କରିବାରେ ଅନଭ୍ୟସ୍ତା । ତାଙ୍କର ଦୁଃଖ ବୁଝିପାରି, ତାଙ୍କର ଶ୍ରମ ଦେଖି ଅନୁକମ୍ପା ତାଙ୍କୁ ଜଳ ବହନ କରିବାରୁ ନିବୃତ୍ତ କରି ଉପବନର ଛାୟାରେ ତାଙ୍କ ସହିତ ଉପବେସନ କରି ଜୀବନ ଓ ଜଗତ ବିଷୟରେ ବହୁ ଉପଦେଶ ପ୍ରଦାନ କଲେ ।

ପଞ୍ଚମ ସର୍ଗରେ କବି ଆଶ୍ରମର ଉପବନ ବର୍ଣ୍ଣନା ଅତ୍ୟନ୍ତ ଦକ୍ଷତାର ସହିତ ପ୍ରଦାନ କରିଅଛନ୍ତି । ମଧ୍ୟଯୁଗର କୌଣସି କାବ୍ୟରେ ନାୟିକାଙ୍କୁ କେନ୍ଦ୍ରକରି କବିମାନେ ଯେପରି ଉପବନ ବିହାରର ବର୍ଣ୍ଣନା ଦେଇଥାଆନ୍ତି, ଏହି ବର୍ଣ୍ଣନା ସେ ରୀତିରେ ଦିଆଯାଇ ନାହିଁ; ମାତ୍ର କବିଙ୍କର ବର୍ଣ୍ଣନାଚାତୁରୀ ଏପରି ଅଳଙ୍କାରବହୁଳ ହୋଇ ପଡ଼ିଅଛି ଯେ, ଏହି ସର୍ଗକୁ ପାଠକରିବା ସମୟରେ ପାଠକ ମଧ୍ୟଯୁଗର କୌଣସି କାବ୍ୟର ଉପବନ ବିହାର ବିଷୟ ମନେ ପକାଇଥାଏ । ଏହି ଉଦ୍ୟାନ ବର୍ଣ୍ଣନାରେ ଗଙ୍ଗାଧର ମେହେରଙ୍କ ଉପରେ ବହୁ ସ°ସ୍କୃତ କବିଙ୍କର ପ୍ରଭାବ ପଡ଼ିଥିବାର ଅନୁମିତ ହୁଏ । ସତୀ ସୀତାଙ୍କର ଆଗମନ, ସେ ପୁଣି ବାଲ୍ମୀକି ମହର୍ଷିଙ୍କର ଆଶ୍ରମର ତପୋବନ; ତେଣୁ ସେଠାରେ କେବଳ ପବିତ୍ରତାର ବାୟୁମଣ୍ଡଳ ସୃଷ୍ଟି ହୋଇଅଛି । ଆଶ୍ରମ ଉଦ୍ୟାନର ବୃକ୍ଷଲତାମାନେ ସୀତାଙ୍କୁ ପାଇ ସେମାନଙ୍କର ବହୁ କାଳର ବାଞ୍ଛିତ ଫଳ ପାଇଯିବାପରି ମନେ କରିଥିଲେ ।

“ସ୍ଥାନେ ସ୍ଥାନେ ଚନ୍ଦ୍ରକଳା କୋମଳ

ମନୋହର ବାଳତରୁ ସକଳ

ବାଡ଼ ଉପରକୁ ମସ୍ତକ ଟେକି

ସତୀଙ୍କି ସତୃଷ୍ଣେ ଥାନ୍ତି ନିରେଖି

ପାଇଲା ନାହିଁ ଯା ଶିର,

ବାଡ଼ ମଧ୍ୟେ ରହି ରନ୍ଧ୍ର ପଥେ ପଥେ

ଦର୍ଶନେ ହେଲେ ଅସ୍ଥିର ॥

ଚାଞ୍ଚୀ ଫୁଲଚୁଇଁ ପାଦପ ବାଡ଼େ,

ବସି ଚାହିଁଥାନ୍ତି ସୀତାଙ୍କ ଆଡ଼େ,

କରୁଥାନ୍ତି ଥରେ ଥରେ କାକଳି

ମୁଦେ ଯାଉଥାଏ ଲାଙ୍ଗୁଳ ହଲି,

ସତୀ ଢାଳିଦେଲେ ପୟ,

ମନେ କରିଛନ୍ତି ଆଳବାଳେ ବସି

ପିଇବେ ହୋଇ ନିର୍ଭୟ ।”

କବିଙ୍କର ବର୍ଣ୍ଣବାଚାତୁରୀ ବିଷୟରେ ଏଠାରେ କିଛି କହିବାର ନାହିଁ । କେବଳ ଆଶ୍ରମ–ପ୍ରକୃତିର ସାର୍ଥକ ରୂପାୟନ କିପରି ତାଙ୍କ ଲେଖନୀରେ ସମ୍ଭବ ହୋଇ ପାରିଅଛି, ସେତିକି ଲକ୍ଷ୍ୟ କରିବାର କଥା । ବାଲ୍ମୀକି ଆଶ୍ରମରେ ସୀତା ଅବସ୍ଥାନ କରି ତପସ୍ଵିନୀ ଜୀବନ ଯାପନ କରିଥିଲେ । ବାଲ୍ମୀକି ଆଶ୍ରମରେ ଲବକୁଶଙ୍କର ଜନ୍ମ । ଲବକୁଶଙ୍କର ଲାଳନ ପାଳନ ଓ ବିଦ୍ୟାଶିକ୍ଷା ବାଲ୍ମୀକି ଆଶ୍ରମରେ ହିଁ ହୋଇଥିଲା । ଲବକୁଶଙ୍କର ନାମକରଣ ଉତ୍ସବର ଅବକାଶରେ କବି ବାଲ୍ମୀକି ଆଶ୍ରମର କିଞ୍ଚିତ ବର୍ଣ୍ଣନା କରିଅଛନ୍ତି । ସେଦିନ ଆଶ୍ରମର ସାଜସଜ୍ଜା ଓ ଉତ୍ସବମୁଖର ବାୟୁମଣ୍ଡଳ ଆଶ୍ରମକୁ ଅତ୍ୟନ୍ତ ମନୋରମ କରିଥିଲା ।

“ବାଲ୍ମୀକି–ନିର୍ଦ୍ଦେଶେ ତାପସ ତାପସୀ

ଦ୍ଵିଗୁଣ ମୁଦରେ ଉପବନେ ପଶି

ବିବିଧ କୁସୁମ ନବ ପତ୍ରମାନ

ଆଣି କଲେ ମଞ୍ଜୁ ମଣ୍ଡପ ନିର୍ମାଣ ।

ରଜନୀ ପ୍ରଥମ ପ୍ରହରେ ଆଶ୍ରମ

ପ୍ରଦୀପ ମାଳାରେ ହେଲା ମନୋରମ ।

ପ୍ରଦୀପେ ଐଙ୍ଗୁଦ ତଇଳ ପ୍ରଚୁର

ତାପସଙ୍କ କରୁ କରୁଥାନ୍ତି ଜୂର ।

ଚୌଦିଗେ ପୁଷ୍ପିତ ପାଦପ ବଲ୍ଲରୀ

ହସୁଥାନ୍ତି ପାଇ ଆଲୋକଲହରୀ ।’’

 

ବାଲ୍ମୀକି–ଆଶ୍ରମ ବର୍ଣ୍ଣନାରେ କବି ନିଜର ପ୍ରକୃତି ପ୍ରେମପ୍ରବଣତା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଆଶ୍ରମର ଜୀବନ ଚିତ୍ର ଅଙ୍କନ କରିଅଛନ୍ତି । ଆଶ୍ରମ ବର୍ଣ୍ଣନାରେ ପ୍ରକୃତିର ଆତ୍ମପ୍ରକାଶ ଯେପରି ଘଟିଅଛି, ତାହା କବିଙ୍କର ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ଶକ୍ତିର ପରିଚୟ ପ୍ରଦାନ କରେ । ଆଶ୍ରମ ପ୍ରକୃତି ଚିତ୍ରଣ କରିବାକୁ ଯାଇ କବି ଅନେକ ସ୍ଥଳରେ ଉତ୍କଳୀୟ ପ୍ରକୃତିକୁ ଜୀବନ୍ତ ଭାବରେ ପ୍ରକାଶ କରିଅଛନ୍ତି । ସ୍ୱଦେଶ ଓ ସ୍ୱଜାତିର ପ୍ରଶ°ସା କରିବା ହୁଏତ କବିଙ୍କର ଲକ୍ଷ୍ୟ ହୋଇ ପଡ଼ିଅଛି । ତା ନ ହୋଇଥିଲେ ଅନୁକମ୍ପାଙ୍କୁ କବି ଜଣେ ଓଡ଼ିଆଣୀ ମା ଭଳି, ଆଉ ସୀତାଙ୍କୁ ଜଣେ ଓଡ଼ିଆଣୀ ଘରର କୁଳବଧୂ ଭଳି ଚିତ୍ରଣ କରି ନ ଥାନ୍ତେ ।

★★★

 

ତପସ୍ଵିନୀରେ ସାମାଜିକ ଚଳଣି ଓ ପରମ୍ପରା

 

ତପସ୍ଵିନୀ କାବ୍ୟରେ ରାମଚନ୍ଦ୍ର ଓ ସୀତାଙ୍କର ଯେଁଉ ଜୀବନର ଚିତ୍ର ଅଙ୍କିତ ହୋଇଅଛି, ତାହା ରାମାୟଣର ଜୀବନଚିତ୍ର । ରାମାୟଣର ଜୀବନ ଚିତ୍ର ଆଦର୍ଶର ଚିତ୍ର । ରାମଚନ୍ଦ୍ର ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କରନ୍ତି । ସୀତାଙ୍କ ସହିତ ବନବାସ କରନ୍ତି । ସୀତା ଚୋରିଯିବା ପରେ ରାବଣକୁ ବଧକରି ସୀତାଙ୍କୁ ଅଗ୍ନି ପରୀକ୍ଷା କରାଇ ପୁଣି ତାଙ୍କୁ ଗ୍ରହଣ କରନ୍ତି । ମାତ୍ର ପ୍ରଜାଗଣଙ୍କ ଅସନ୍ତୋଷରୁ ପ୍ରାଣପ୍ରିୟା ସୀତାଙ୍କୁ ରାମଚନ୍ଦ୍ର ନିର୍ବାସନ ଦଣ୍ଡ ଦିଅନ୍ତି । ସୀତା ବାଲ୍ମୀକି ଆଶ୍ରମରେ ତପସ୍ଵିନୀ ଜୀବନ ଯାପନ କରନ୍ତି । ସେହିଠାରେ ହୁଏ ଲବ କୁଶଙ୍କର ଜନ୍ମ । ଏହି ପ୍ରକାର ଘଟଣା ପ୍ରବାହ ମଧ୍ୟରେ ସାମାଜିକତା କେତେଦୂର ରକ୍ଷିତ ହୋଇଅଛି, ସେ କଥା ବିଚାର କରିବାର କଥା ନୁହେଁ । କାରଣ ରାମାୟଣର ଆଦର୍ଶ ଆମ ସମାଜକୁ ଆଲୋକ ପ୍ରଦର୍ଶନ କରିବାପାଇଁ ଉଦ୍ଦିଷ୍ଟ । ତେଣୁ ରାମାୟଣରେ ଦିଆଯାଇଥିବା ଚିତ୍ରରୁ ସାମାଜିକତା ଖୋଜି ବସିବା ଏ ଯୁଗରେ ସହଜସାଧ୍ୟ ହୋଇ ନ ପାରେ । ବାଲ୍ମୀକି–ଆଶ୍ରମରେ ଲବକୁଶଙ୍କର ଜନ୍ମ ପରେ ଶିଶୁଦ୍ୱୟଙ୍କ ଉଦ୍ଦେଶ୍ୟରେ ଆଶ୍ରମରେ ପାଳିତ ହୋଇଥିବା ସାମାଜିକ ବିଧି ବିଧାନରୁ ଆମ ସମାଜର ଚଳଣି ଓ ପରମ୍ପରାର ପରିଚୟ ମିଳିଥାଏ ।

 

କବି ଗଙ୍ଗାଧର ମେହେର ତପସ୍ଵିନୀ କାବ୍ୟରେ ସାମାଜିକ ବିଧିବିଧାନ ପ୍ରତି ଯଥେଷ୍ଟ ସଚେତନ ହୋଇଅଛନ୍ତି । ସୀତା ଯେତେବେଳେ ଗର୍ଭଧାରଣ କଲେ, ସେତେବେଳେ ତାଙ୍କର ଦୋହଦ ପୂରଣ କରିବା ଉଦ୍ଦେଶ୍ୟରେ ରାମଚନ୍ଦ୍ର ତାଙ୍କୁ ପ୍ରଶ୍ନ କରିଥିଲେ । ସୀତା ରାମଚନ୍ଦ୍ରକୁ କହିଥିଲେ ଯେ, ସେ ଥରେ ବନଗମନ କରି ଅତୀତର ବନବାସର ଅନୁଭୂତି ଲାଭ କରିବାକୁ ଇଚ୍ଛା କରନ୍ତି । ତାଙ୍କର ଏହି ଇଚ୍ଛାକୁ ରାମଚନ୍ଦ୍ର ପୂର୍ଣ୍ଣ କରିଥିଲେ । ଏହି ଇଚ୍ଛା ତାଙ୍କ ଜୀବନରେ ନିର୍ବାସନ ରୂପରେ କାର୍ଯ୍ୟରେ ପରିଣତ ହେଲା ବୋଲି ସେ ପ୍ରକାଶ କରିଥିଲେ ।

 

ବାଲ୍ମିକୀ ଆଶ୍ରମରେ ଲବକୁଶଙ୍କର ଜନ୍ମ ସମୟରେ ଅନୁକମ୍ପା ସୀତାଙ୍କ ନିକଟରେ ରହି ସମସ୍ତ କାର୍ଯ୍ୟ ସମାପନ କରିଥିଲେ । ଶିଶୁ ଜନ୍ମ ପରେ ଭୂତ ଦୃଷ୍ଟିରୁ ତାକୁ ମୁକ୍ତ ରଖିବାଲାଗି ମନ୍ତ୍ରପାଠ ପୂର୍ବକ ଝଡ଼ାଯାଏ । ଲବକୁଶଙ୍କ ଜନ୍ମ ପରେ ବାଲ୍ମିକୀ ମହର୍ଷି ନିଜେ ଆସି କୁଶଗୁଚ୍ଛକୁ ଦ୍ଵିଖଣ୍ଡିତ କରି ଶିଶୁଦ୍ୱୟଙ୍କୁ ଝାଡ଼ି ଦେବାପାଇଁ ଅନୁକମ୍ପାଙ୍କୁ ଆଦେଶ ଦେଇଥିଲେ । ଅନୁକମ୍ପା ବାଲ୍ମୀକିଙ୍କ ଆଦେଶମତେ କାର୍ଯ୍ୟ କରିଥିଲେ । ତା’ପରେ ଅନୁକମ୍ପା ସ୍ଵହସ୍ତରେ ଶିଶୁ ଦୁହିଁଙ୍କର ନାଭି ଛେଦନ କରିଥିଲେ ଓ ନାଭିଛେଦନ ପରେ ସେ ଦୁହିଁଙ୍କୁ ମନ୍ତ୍ରପୂତ ଜଳରେ ସ୍ନାନ କରାଇଥିଲେ ।

 

ସନ୍ତାନ ଜନ୍ମ ପରେ ପିତାମାତା ଆନନ୍ଦ ଚିତ୍ତରେ ସନ୍ତାନର ମଙ୍ଗଳ କାମନା କରି ଦୀନଦୁଃଖୀମାନଙ୍କୁ, ବ୍ରାହ୍ମଣ ଓ ସାଧୁମାନଙ୍କୁ ଦାନ ଦିଅନ୍ତି । ବାଲ୍ମିକୀ ଆଶ୍ରମରେ ଲବକୁଶଙ୍କ ଜନ୍ମ ପରେ ସୀତା ଏହି କାର୍ଯ୍ୟ ସମାପନ କରିଥିଲେ । ସୀତା ଯେତେବେଳେ ଲକ୍ଷ୍ମଣଙ୍କ ସହିତ ଅଯୋଧ୍ୟାର ରାଜପୁରୀରୁ ଆସିଲେ, ସେତେବେଳେ ସେ ନିର୍ବାସିତା ହୋଇଥିଲେ ବୋଲି ଜାଣି ନ ଥିଲେ । ଦୋହଦ ପୂରଣ ଲାଗି ସେ ବନଭ୍ରମଣ କରିବାକୁ ଯାଉଛନ୍ତି ବୋଲି ଭାବିଥିଲେ । ବନରେ ମୁନିକୁମାର–ମୁନିକୁମାରୀମାନଙ୍କୁ ବିତରଣ କରିବା ଉଦ୍ଦେଶ୍ୟରେ ସୀତା ସଙ୍ଗରେ କେତେକ ବସନଭୂଷଣ ଆଣିଥିଲେ । ବାଲ୍ମୀକି–ଆଶ୍ରମରେ ଲବକୁଶଙ୍କର ଜନ୍ମପରେ ସେହି ବସନ ଭୂଷଣକୁ ଆଶ୍ରମସ୍ଥିତ ମୁନିକୁମାର ଓ ମୁନିକୁମାରୀଙ୍କ ମଧ୍ୟରେ ବିତରଣ କରିଥିଲେ ।

 

ଶିଶୁ ଜନ୍ମ ହେବାର ଷଷ୍ଠ ଦିବସରେ ଷଷ୍ଠୀଦେବୀଙ୍କର ପୂଜା କରାଯାଏ । ବାଲ୍ମୀକି ଆଶ୍ରମରେ ଲବକୁଶଙ୍କର ଜନ୍ମ ପରେ ଷଷ୍ଠ ଦିବସରେ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଥିଲା । ଏହାପରେ ଶିଶୁଜନ୍ମର ଏକବିଂଶତି ଦିବସରେ ଶିଶୁର ନାମକରଣ ଉତ୍ସବ ଅନୁଷ୍ଠିତ ହେବାର କଥା । ବାଲ୍ମୀକି ଆଶ୍ରମରେ ଲବକୁଶଙ୍କର ଜନ୍ମର ଏକବିଂଶତ ଦିବସରେ ସେମାନଙ୍କର ନାମକରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ଯେପରି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବାର କଥା, ବାଲ୍ମୀକି–ଆଶ୍ରମରେ ସେହିପରି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା । ଏହି ଆନନ୍ଦ ଉତ୍ସବରେ ନିକଟ ସମ୍ପର୍କୀୟମାନଙ୍କୁ ନୂତନ ବସ୍ତ୍ର ଦିଆଯାଏ । ଆଶ୍ରମରେ ଥିବା ତାପସୀ କନ୍ୟାମାନେ ସୀତାଙ୍କ ଠାରୁ ପାଇଥିବା ନୂତନ ବସ୍ତ୍ର ପରିଧାନ କରି ସୀତାଙ୍କ ନିକଟରେ ଉତ୍ସବ ମଣ୍ଡପରେ ବସିଥିଲେ ।

 

ପୁତ୍ର ସନ୍ତାନର ପଞ୍ଚମବର୍ଷ ବୟସରେ ଚୂଡ଼ାକର୍ମ ଅନୁଷ୍ଠାନ କରାଯାଏ ଏବଂ ତତ୍ପରେ ବିଦ୍ୟାରମ୍ଭ କରାଯାଏ । ଲବକୁଶଙ୍କ ପଞ୍ଚମବର୍ଷ ବୟସରେ ବାଲ୍ମୀକି ମହର୍ଷି ଚୂଡ଼ାକର୍ମ ସମ୍ପାଦନ କରି ବିଦ୍ୟାରମ୍ଭ କରାଇଲେ । ଲବକୁଶଙ୍କର ପ୍ରତ୍ୟେକ କର୍ମ ଆମର ସାମାଜିକ ପରମ୍ପରା ଅନୁସାରେ ବାଲ୍ମୀକି ଆଶ୍ରମରେ ଅନୁଷ୍ଠିତ ହୋଇଥିଲା । ଏକାଦଶ ବର୍ଷରେ ଉପନୟନ କରାଯାଏ । ଲବକୁଶଙ୍କର ଏକାଦଶ ବର୍ଷ ବୟସରେ ଉପନୟନ କର୍ମ ଅନୁଷ୍ଠିତ ହେବାପରେ ସେ ଦୁହେଁ ବେଦ ଅଧ୍ୟୟନ ଶିକ୍ଷାକଲେ ।

 

ବାଲ୍ମୀକି–ମହର୍ଷି ଲବକୁଶଙ୍କର ପ୍ରତ୍ୟେକ କର୍ମ ବିଧିବିଧାନ ଅନୁସାରେ ସଂପନ୍ନ କରିଥିଲେ । ସାମାଜିକ ରୀତି ନୀତି ଅନୁସାରେ ମୁନିଆଶ୍ରମରେ ଯେତେବେଳେ ଏସବୁ କର୍ମ ଅନୁଷ୍ଠିତ ହୋଇଥିଲା, ସେତେବେଳେ ପ୍ରତ୍ୟେକ ଅନୁଷ୍ଠାନର ବା ଉତ୍ସବର ମହତ୍ତ୍ଵ ପ୍ରକାଶିତ ହୋଇଅଛି । ଲବକୁଶଙ୍କର ଷଷ୍ଠୀ ଉତ୍ସବରେ ନିଜେ ପାର୍ବତୀ ପୂଜା ଗ୍ରହଣ କରିବାକୁ ବାଲ୍ମୀକି ଆଶ୍ରମରେ ଉପନୀତା ହୋଇଥିଲେ । ଲବକୁଶଙ୍କର ନାମକରଣ ଉତ୍ସବରେ ନାମ ଶୁଣିବା ପାଇଁ ସ୍ଵର୍ଗରୁ ଦେବତାମାନେ ଆସିଥିଲେ । ରାମଚନ୍ଦ୍ର ଓ ସୀତାଙ୍କର ଅତିମାନବିକତ୍ଵ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ କବି ଏପରି ବର୍ଣ୍ଣନା କରିଅଛନ୍ତି । ଏହାହିଁ ରାମାୟଣର ପରମ୍ପରା । କବି ଯେତେ ଆଧୁନିକ ହେଲେହେଁ ଏ ପରମ୍ପରାକୁ ଏଡ଼ିଦେବା ସହଜ ନୁହେଁ ।

★★★

 

ତପସ୍ୱିନୀରେ ଆଦର୍ଶ ଶାସକର ଚିତ୍ର

 

ତପସ୍ଵିନୀ କାବ୍ୟରେ କବି ଗଙ୍ଗାଧର ମେହେର ରାମଚନ୍ଦ୍ରଙ୍କର ଚରିତ୍ର ଚିତ୍ରଣ ପ୍ରସଙ୍ଗରେ ଆଦର୍ଶ ନରପତିର ଚିତ୍ର ଅଙ୍କନ କରିଅଛନ୍ତି । ତପସ୍ଵିନୀ କାବ୍ୟର ପ୍ରଥମ ସର୍ଗରେ ସୀତା ଯେତେବେଳେ ନିର୍ବସିତା ହୋଇ ଭାଗୀରଥୀ ତୀରରେ ନିରାଶ୍ରୟା ଭାବରେ ପଡ଼ି ଆକୁଳରେ କ୍ରନ୍ଦନ କରିଥିଲେ, ସେତେବେଳେ ତାଙ୍କରି କ୍ରନ୍ଦନରୁ ରାମଚନ୍ଦ୍ରଙ୍କର ମହତ୍ତ୍ୱ ସ୍ପଷ୍ଟଭାବରେ ପ୍ରକାଶ ପାଇଅଛି-। ରାମଚନ୍ଦ୍ରଙ୍କ ପରି ନରପତି କେବଳ ଭାରତ ବକ୍ଷରେ ସମ୍ଭବ ହୋଇ ପାରନ୍ତି । ପ୍ରଜାବର୍ଗଙ୍କର ସନ୍ତୋଷ ବିଧାନ ସକାଶେ ନିଜର ପ୍ରଣପ୍ରିୟା ପତ୍ନୀଙ୍କୁ କେବଳ ରାମଚନ୍ଦ୍ରହିଁ ନିର୍ବାସନ ଦଣ୍ଡ ଦେଇପାରନ୍ତି ।

 

ତପସ୍ଵିନୀ କାବ୍ୟର ତୃତୀୟ ସର୍ଗରେ ରାମଚନ୍ଦ୍ରଙ୍କର ଅନୁଚିନ୍ତନ ପ୍ରସଙ୍ଗରେ କବି ଆଦର୍ଶ ନରପତିର ଚିତ୍ର ଅଙ୍କନ କରିଅଛନ୍ତି । ରାମଚନ୍ଦ୍ର ଯାହା ଅନୁଭବ କରିଥିଲେ, ତାହାହିଁ ପ୍ରତ୍ୟେକ ନରପତି ପକ୍ଷରେ ଅଭ୍ରାନ୍ତ ସତ୍ୟ ।

 

ରାଜା ସମସ୍ତ ପ୍ରଜାଙ୍କର ପ୍ରଭୁ ବୋଲି କଥିତ ହେଲେହେଁ ପ୍ରକୃତ ପକ୍ଷରେ ସେ ସମସ୍ତଙ୍କର ଦାସାନୁଦାସ । ରାଜସିଂହାସନର ଅଧିକାରୀ ହୋଇ କେବଳ ପ୍ରଜାମାନଙ୍କର ଦାସ ଭାବରେ ତାଙ୍କୁ ଖଟିବାକୁ ପଡ଼େ । ଯଦି ପ୍ରଜାମାନେ ମେଳିବାନ୍ଧି ମିଛକଥା କହନ୍ତି, ତାହାହେଲେ ତାହାକୁ ମିଥ୍ୟା ଜାଣି ମଧ୍ୟ ସତ୍ୟ ରୂପେ ଗ୍ରହଣ କରିବାକୁ ପଡ଼େ । ପ୍ରଜାମାନଙ୍କୁ ଶାନ୍ତିପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜା ତାର ସୁଖକୁ ବଳି ଦେଇଥାଏ । ରାଜା ନିଜ ଇଚ୍ଛାରେ କୌଣସି କାର୍ଯ୍ୟ କରିବା ସମ୍ଭବ ନୁହେଁ । ଅଭିଷେକ କର୍ମ ପ୍ରକୃତରେ ପ୍ରୋକ୍ଷଣ କର୍ମ; ଅର୍ଥାତ୍ ନିଜ ଜୀବନକୁ ପାଣି ଛଡ଼ାଇବା ଛଡ଼ା ଅନ୍ୟ କିଛି ନୁହେଁ । ରାଜାଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଯେଉଁ ଚାମର ବ୍ୟଜନ କରାଯାଏ, ତାହା ମାଛି ତଡ଼ିବା ଛଡ଼ା ଅନ୍ୟ କିଛି ନୁହେଁ । ପ୍ରଜାମାନଙ୍କର ରକ୍ତ ଜଳକଣା ସଦୃଶ ଏବଂ ରାଜା ମେଘ ସଦୃଶ; ଅର୍ଥାତ୍ ବିନ୍ଦୁ ବିନ୍ଦୁ ଜଳର ସମାବେଶରେ ଉର୍ଦ୍ଧ୍ୱରେ ମେଘ ଖଣ୍ଡ ସୃଷ୍ଟି ହୁଏ-। ପ୍ରଜାମାନଙ୍କର ସାମାନ୍ୟ ସାମାନ୍ୟ କର ଏବଂ ଉଦ‌୍‍ଯୋଗର ସମାହାର ଫଳରେ ରାଜପଦ ସୃଷ୍ଟି । ମେଘ ଯେପରି ଜଳବିନ୍ଦୁ ସଂଗ୍ରହ କରି ରଖେ ଏବଂ ସଂସାରର ହିତସାଧନ ଉଦ୍ଦେଶ୍ୟରେ ତାହାକୁ ବର୍ଷାକରେ; ଠିକ୍ ସେହିପରି ରାଜା ପ୍ରଜାଙ୍କଠାରୁ କର ନେଇ ଗଚ୍ଛିତ କରି ରଖନ୍ତି ଏବଂ ପ୍ରଜାଙ୍କର ହିତ ସାଧନ ଉଦ୍ଦେଶ୍ୟରେ ତାର ବିନିଯୋଗ କରନ୍ତି । ଭୂମିରେ ଜଳ ଥିବା ପର୍ଯ୍ୟନ୍ତ ତହିଁରେ ବଜ୍ର ନ ଥାଏ । ମାତ୍ର ଜଳ ଆକାଶରେ ମେଘ ଖଣ୍ଡରେ ପରିଣତ ହେଲେ ତହିଁରେ ବଜ୍ରର ସୃଷ୍ଟି-। ସେହିପରି, ପ୍ରଜାମାନଙ୍କ ନିକଟରେ ଥିବା ସମୟରେ କର ବା ଅର୍ଥର ଗୁରୁତ୍ଵ କିଛି ନ ଥାଏ । ମାତ୍ର ତାହା ରାଜାଙ୍କ ହାତକୁ ଚାଲିଗଲେ ତାହାର ଗୁରୁତ୍ଵ ବଢ଼ିଯାଏ ।

 

ମେଘ ଖଣ୍ଡରେ ବିଦ୍ୟୁତ୍ ସ୍ଫୁରିତ ହେଲେ ତାହା ଜଳିଯିବା ପରି ଜ୍ୱାଳା ଅନୁଭବ କରିଥାଏ-। ନିଜର ବକ୍ଷରେ ଦହନରେ ପ୍ରଚଣ୍ଡ ଜ୍ୱାଳା ସହ୍ୟକରି ମେଘ ଯେପରି ଜଗତର ହିତ ପାଇଁ ଜଳଦାନ କରିବାକୁ ବାଧ୍ୟ ହୋଇଥାଏ, ସେହିପରି ରାଜା ନିଜର ସୁଖକୁ ତ୍ୟାଗକରି, ହୃଦୟରେ ଦହନର ଜ୍ୱାଳା ସହ୍ୟ କରି ଯେବେ ପ୍ରଜାମାନଙ୍କୁ ସୁଖଦାନ କରନ୍ତି, ତାହାହେଲେ ସେ ଜଗତରେ ପୂଜା ପାଆନ୍ତି-। ସ୍ୱର୍ଗକୁ ଯିବା ନିମିତ୍ତ ପଡ଼ିଥିବା ସିଡ଼ିର ସମୁନ୍ନତ ଶିଖରୀ ହେଉଛି ଜଗତର ରାଜପଦ-। ଏହି ରାଜପଦରେ ଯଦି ରାଜା ଲକ୍ଷ୍ୟଭ୍ରଷ୍ଟ ହୁଅନ୍ତି, ତାହାହେଲେ ସେ ବହୁ ଉଚ୍ଚରୁ ତଳକୁ ଖସି ପଡ଼ନ୍ତି-। ଅର୍ଥାତ୍ ରାଜକାର୍ଯ୍ୟରେ ଉନ୍ନତ ଆଦର୍ଶ ପ୍ରଦର୍ଶନ କଲେ ରାଜା ସ୍ୱର୍ଗ ପ୍ରାପ୍ତ ହୁଅନ୍ତି । ମାତ୍ର ଯଦି ଉପଯୁକ୍ତ ଆଦର୍ଶକୁ ଏଡ଼ିଦେଇ ରାଜା ନୀଚ ମନୋବୃତ୍ତି ଧରି ପ୍ରଜାଙ୍କୁ ଶାସନ କରନ୍ତି, ତାହାହେଲେ ତାଙ୍କର ପତନ ହୁଏ ।

 

ରାଜାର କର୍ତ୍ତବ୍ୟକୁ କବି ପୁଣି ଗୋଟିଏ ବାଉଁଶ ରାଣୀ ଖେଳ ଦେଖାଇବା ବାଜୀକରର କର୍ମ ସହିତ ତୁଳନା କରିଅଛନ୍ତି । ଏକ ପାଖରୁ ଅନ୍ୟ ପାଖକୁ ଟଣା ଯାଇଥିବା ଦଉଡ଼ି ଉପରେ ବାକୀକର ହାତରେ ଖଣ୍ଡିଏ ବାଉଁଶ ଧରି ଶରୀରର ଭାରସାମ୍ୟ ରକ୍ଷା କରି ଉଭୟ ପଟକୁ ସମାନ–ଭାବରେ ଦୃଷ୍ଟି ଦେଇ ଚାଲି ଚାଲି ଖେଳ ଦେଖାଏ । ଏହି ଖେଳ ଦେଖାଇବା ସମୟରେ ତାର ଜୀବନ ପ୍ରତି ଭ୍ରୂକ୍ଷେପ ନ ଥାଏ । ଦଉଡ଼ି ଉପରେ ବାଜିକର ଖେଳ ଦେଖାଏ ଏବଂ ତଳେ ଜଣେ ବାଦ୍ୟକାର ବାଦ୍ୟ ବାଦନ କରୁଥାଏ । ବାଜିକର ଦଉଡ଼ିରେ ପାଦଦେବା ସଙ୍ଗେ ସଙ୍ଗେ ଚାଲିବାକୁ ଆରମ୍ଭ କରେ । ଯଦି ଦଉଡ଼ିରେ ପାଦ ଦେବା ସଙ୍ଗେ ସଙ୍ଗେ ବାଜିକର ଚାଲି ନ ଯାଏ । ତାହାହେଲେ ଉପସ୍ଥିତ ଥିବା ଦର୍ଶକ ମଣ୍ଡଳୀ ତାଳିମାରି ଉପହାସ କରନ୍ତି । ଏପରି ଅବସ୍ଥା ଉପୁଜିଲେ ତଳେ ଥିବା ବାଦ୍ୟକାର ବାଜିକରକୁ ଭର୍ତ୍ସନା କରେ । କବି ରାଜାର କର୍ତ୍ତବ୍ୟ ବାଜିକରର କର୍ମ ସହିତ ତୁଳନା କରି ବର୍ଣ୍ଣନା କରି ଅଛନ୍ତି ଯେ, ରାଜା ବାଜିକର ପରି ରାଜତ୍ଵ ରୂପକ ରଜ୍ଜୁରେ ନିଜ ଜୀବନ ପ୍ରତି ଭ୍ରୂକ୍ଷେପ ନ କରି ବିଳାସ କରିବାର କଥା । ବାଜିକର ଦଉଡ଼ିରେ ପାଦ ଦେଇ ଯଦି ଚାଲି ନ ଯାଏ, ତାହାହେଲେ ସେ ଯେପରି ଉପହାସିତ ହୁଏ, ରାଜା ଠିକ୍ ସେହିପରି ରାଜ ସିଂହାସନରେ ବସି ଉପଯୁକ୍ତ ଭାବରେ ଶାସନ ନ କଲେ ପ୍ରଜାଙ୍କ ଦ୍ଵାରା ଉପହାସିତ ଓ ତିରସ୍କୃତ ହୁଅନ୍ତି । ତେଣୁ ରାଜାର କର୍ତ୍ତବ୍ୟ ନିତାନ୍ତ କଠିନ ଏବଂ ନିଷ୍ଠୁର ।

 

କୀର୍ତ୍ତି ସ୍ଥାପନ କରିବା ରାଜାଙ୍କର ଏକାନ୍ତ ଲକ୍ଷ୍ୟ ହେବାର କଥା । ଯେଉଁ ନରପତିମାନେ ନ୍ୟାୟପୂର୍ଣ୍ଣ ଭାବରେ ଶାସନ କରନ୍ତି, ସେମାନଙ୍କର କୀର୍ତ୍ତି ଓ ଯଶ ଅମରାକ୍ଷରରେ ଲିପିବଦ୍ଧ ହୋଇ ରହେ । ଜଗତରେ ବହୁ ନରପତି ସେମାନଙ୍କର ଜୀବବ୍ଦଶାରେ ଉପୁଯୁକ୍ତ କର୍ମ କରି ମୃତ୍ୟୁ ପରେ ଯଶ ଓ କୀର୍ତ୍ତି ଦ୍ଵାରା ଅମରତ୍ଵ ଲାଭ କରିଅଛନ୍ତି । ଯଦି କୌଣସି ନରପତି ଅନ୍ୟାୟ ଓ ଅସତ୍ ଆଚରଣ କରିଥାଆନ୍ତି, ତାହା ହେଲେ ତାଙ୍କ ନାମରେ ଅପକୀର୍ତ୍ତି ଓ ଅପଯଶ ବ୍ୟାପି ଦେଖାଯାଏ ।

 

ଭାରତୀୟ ଜୀବନରେ, ଭାରତର ଆଦର୍ଶ ନରପତିମାନେ ପୁଣ୍ୟଶ୍ଳୋକ ରୂପେ ଅମରତ୍ଵ ଲାଭ କରିଅଛନ୍ତି । ରାମଚନ୍ଦ୍ର ପ୍ରଜାମାନଙ୍କ ମନୋରଞ୍ଜନ ନିର୍ମିତ ନିଜର ପ୍ରାଣପ୍ରିୟା ସୀତାଙ୍କୁ ଯେପରି ନିବାସନ ଦଣ୍ଡ ଦେଇ ସ୍ଵାର୍ଥ–ତ୍ୟାଗରେ ଅପୂର୍ବ ଉଦାହରଣ ପ୍ରଦର୍ଶନ କରିଥିଲେ, ତାହା ସମଗ୍ର ବିଶ୍ଵର ପରମ୍ପରାରେ ବିରଳ । ତେଣୁ ଆଦର୍ଶ ରାଜ୍ୟକୁ ଭାରତରେ ସବୁବେଳେ “ରାମ ରାଜ୍ୟ” ବୋଲି କୁହାଯାଇଥାଏ ।

 

ଭାରତୀୟର ଜୀବନରେ ଆଉ ଏକ ଦୃଢ଼ ବିଶ୍ୱାସ ଥିଲା । ତାହା ହେଉଛି, ରାଜା ମନୁଷ୍ୟ ନୁହଁନ୍ତି, ସେ ସ୍ଵର୍ଗର ଦେବତା । ମନୁଷ୍ୟକୁ ପାଳନ କରିବା ସକାଶେ ନର ରୂପରେ ମହୀମଣ୍ଡଳରେ ଆବିର୍ଭୂତ ହୋଇଥାଆନ୍ତି । ତେଣୁ ଭାରତୀୟ ଜୀବନର ଆଦର୍ଶ ଏପରି ଥିଲା ଯେ, ସେ ତାର ଶାସକକୁ ଦେଖିଥିଲା ଦେବତାର ଆଖିରେ । ନରପତିର ଏହି ଦେବତ୍ଵ କାଳର କରାଳ ଗତିରେ ବିଲୀନ ହୋଇ ଯାଇଅଛି । ରାଜା ରକ୍ଷକର ଆସନରେ ଥାଇ ଯେତେବେଳେ ଭକ୍ଷକର କ୍ରିୟା ପ୍ରଦର୍ଶନ କରେ, ସେତେବେଳେ ତାଙ୍କର ଉଚ୍ଚାସନ ବଳେ ବଳେ ଭୁଲୁଣ୍ଠିତ ହୋଇଅଛି । ସମୟ ସେ ତାର ଗତିରେ ଆଜି ରାଜତନ୍ତ୍ର ଶାସନ ଭାରତରୁ ବିଦାୟ ନେଇଅଛି । ରାଜତନ୍ତ୍ର ଶାସନ ସ୍ଥାନ ଅଧିକାର କରିଛି ପ୍ରଜାତନ୍ତ୍ର ଶାସନ । ବିଶ୍ଵର ବୈପ୍ଳବିକ ପରିବର୍ତ୍ତନ ହିଁ ରାଜତନ୍ତ୍ର ଶାସନକୁ ସମୂଳେ ବିନାଶ କରିଅଛି । ତଥାପି, ଆଦର୍ଶ ନରପତିର ଚରିତ୍ର କିପରି ଥିଲା, ତାହା ଆଜି ଅତୀତର ଇତିହାସ ଓ ପରଂପରାରୁ ଜାଣିବାକୁ ମିଳେ ।

★★★

 

ତପସ୍ଵିନୀରେ ପ୍ରକୃତିଚିତ୍ର

 

ଆଧୁନିକ ଓଡ଼ିଆ ସାହିତ୍ୟରେ କାବ୍ୟ କବିତା ମଧ୍ୟରେ ପ୍ରକୃତି ଚିତ୍ରଣର ଏକ ସ୍ଵାତନ୍ତ୍ର୍ୟ ରହିଅଛି । ଓଡ଼ିଆ ସାହିତ୍ୟର ମଧ୍ୟଯୁଗରେ କାବ୍ୟ କବିତା ମଧ୍ୟରେ ପ୍ରାସଙ୍ଗିକ ଭାବରେ ପ୍ରକୃତି ବର୍ଣ୍ଣିତ ହେଉଥିଲା । ମଧ୍ୟଯୁଗର କବିମାନଙ୍କ ସମ୍ମୁଖରେ ରହିଥିଲା ସଂସ୍କୃତ କାବ୍ୟକାରମାନଙ୍କର ବଳିଷ୍ଠ ଆଦର୍ଶ । ସେହି ଆଦର୍ଶକୁ ସେମାନେ କେବଳ ଅନୁସରଣ କରିଅଛନ୍ତି; ମାତ୍ର ପ୍ରକୃତି ଚିତ୍ରଣରେ ନିଜର ସ୍ଵାତନ୍ତ୍ର୍ୟ ପ୍ରଦର୍ଶନ କରିବା ମଧ୍ୟଯୁଗର କୌଣସି କବିଙ୍କ ପକ୍ଷରେ ସମ୍ଭବ ହୋଇପାରି ନାହିଁ । ନାୟକ ନାୟିକାଙ୍କର ମିଳନ ବା ବିରହ ଅବସ୍ଥା ବର୍ଣ୍ଣନା ପ୍ରସଙ୍ଗରେ ଅନେକ ସ୍ଥାନରେ ମଧ୍ୟଯୁଗର କାବ୍ୟମାନଙ୍କରେ ଚନ୍ଦ୍ରୋଦୟ, ସୂର୍ଯ୍ୟାସ୍ତ, ଋତୁବର୍ଣ୍ଣନା ପ୍ରଭୃତି ସ୍ଥାନ ପାଇଅଛି । ଉପବନ ବିହାର ବର୍ଣ୍ଣନା ପ୍ରସଙ୍ଗରେ ଉପବନର ପ୍ରାକୃତିକ ଦୃଶ୍ୟ ଏହି ଯୁଗର କାବ୍ୟମାନଙ୍କରେ ପରିଦୃଷ୍ଟ ହୁଏ ।

 

ମଧ୍ୟଯୁଗର ସ୍ରଷ୍ଟା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଲାବଣ୍ୟବତୀ କାବ୍ୟରେ ଉପବନ ବର୍ଣ୍ଣନା ପ୍ରସଙ୍ଗରେ କବି ବସନ୍ତ ୠତୁର ଚିତ୍ର ପ୍ରଦାନ କରିଅଛନ୍ତି ।

 

“ମଳୟ ଶିଖରୀ ଶିରୀ ଚୋରିକରି ବହିଲା ନି ମନ୍ଦ ସମୀର ।

ସୁମନାଙ୍କ ବାସ ଚୋରାଇ ନେବଟି ବୋଲି କହିଲାନି ଭ୍ରମର ।

କେଶର । କେଶର ହେଲେ ନି ମଞ୍ଜୁଳ ।

କେଶରେ ମଣ୍ଡନ କରିବା ଭଳିରେ ଫଟିଲେନି କେତେ ବଞ୍ଜୁଳ ।

ମଲ୍ଲୀ ମାଧବୀ ମକରନ୍ଦ ସାଧବୀ ହେଲେନି ବାନ୍ଧବୀ କାନନେ ।

ତୁଷାର ନାଶ ଚାହିଁ ହାସ ପ୍ରକାଶ କଲେନି ପଙ୍କଜ–ଆନନେ ।

ହେଲାନି । ଚଇରୀ ପ୍ରକଟ କଟକେ

ଅତନୁ ଫୁଲର ବିଶିଖ କାର୍ମୁକେ ଘେନି ତର୍ଜିଲାନି କାମୁକେ ।”

 

ଏହି ବର୍ଣ୍ଣନାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଶବ୍ଦପାଣ୍ଡିତ୍ୟ ବିଶେଷ ଭାବରେ ପ୍ରକାଶ ପାଇଅଛି । ମଞ୍ଜୁଳ ବର୍ଣ୍ଣନାର ସୌନ୍ଦର୍ଯ୍ୟ ମଧ୍ୟରେ ବସନ୍ତ ୠତୁର ପ୍ରାଧାନ୍ୟ ସୂଚିତ ହୋଇଅଛି । ପ୍ରକୃତି ଏଠାରେ ଏକ ଅଭିଜାତ ବାୟୁମଣ୍ଡଳରେ ଚିତ୍ରିତ । ସଂସ୍କୃତ ଆଳଙ୍କାରିକମାନଙ୍କ ନିର୍ଦ୍ଦେଶ ଅନୁସାରେ ବସନ୍ତ ୠତୁରେ ପ୍ରସ୍ଫୁଟିତ ହେଉଥିବା ପୁଷ୍ପମାନଙ୍କର ଦୀର୍ଘ ତାଲିକା ଏଠାରେ ଲକ୍ଷ୍ୟ କରାଯାଇପାରେ । ଏହି ପ୍ରକୃତିବର୍ଣ୍ଣନା କେବଳ କାବ୍ୟଯୁଗର ପରଂପରାକୁ ରକ୍ଷା କରିଅଛି । ଉପେନ୍ଦ୍ର ଭଞ୍ଜ ଯେଉଁ ସ୍ଥାନରେ ପ୍ରକୃତିର ବର୍ଣ୍ଣନା ଦେଇଅଛନ୍ତି, ସେଠାରେ ସେ କାବ୍ୟ ସାହିତ୍ୟର ନିୟମକୁ ଅନୁସରଣ କରିଅଛନ୍ତି । ଲାବଣ୍ୟବତୀର ଏକାଦଶ ଛାନ୍ଦରେ ଲାବଣ୍ୟବତୀର ସ୍ଵପ୍ନଦର୍ଶନ ପ୍ରସଙ୍ଗରେ ଏକ ଗ୍ରୀଷ୍ମକାଳୀନ ରାତ୍ରିର ବର୍ଣ୍ଣନା କରାଯାଇଅଛି-। ଏହି ବର୍ଣ୍ଣନା ପୂର୍ବୋକ୍ତ ବର୍ଣ୍ଣନାପରି ଶବ୍ଦଚାତୁରୀ ଓ ଆଡ଼ମ୍ବରପୂର୍ଣ୍ଣ ।

 

“ଏଥୁଅନ୍ତେ ଶୁଣ ରସ ଗ୍ରୀଷମେ ନିଶି ପ୍ରବେଶ

ଉଦୟ ତାରାଜୀବେଶ ହେଲେ ଆକାଶେ ।

ଚକ୍ରସୁଖ ଚକ୍ର-ନକ୍ର ଛେଦନେ ହୀରକ ଚକ୍ର

ଫିଙ୍ଗିଛି ତାତ ସିଦ୍ଧିରେ କାମ କି ରୋଷେ ।

ବେଶ ହେବ କି ରାତ୍ରିବାଳୀ

ସ୍ଫଟିକ ପେଟୀରେ କିବା କସ୍ତୁରୀ ଦଳି ।”

 

ଏହି ବର୍ଣ୍ଣନାରେ ଉପେନ୍ଦ୍ରଭଞ୍ଜଙ୍କର ଶବ୍ଦପାଣ୍ଡିତ୍ୟ ପ୍ରକାଶିତ ହୋଇଅଛି । ପ୍ରକୃତିର ନିର୍ମଳ ଚିତ୍ର ପ୍ରକାଶିତ ହେବାରେ ଉପେନ୍ଦ୍ରଭଞ୍ଜଙ୍କର ଶବ୍ଦପାଣ୍ଡିତ୍ୟ ଓ ଅଳଙ୍କାର ସମାବେଶ ପ୍ରତିବନ୍ଧକ ସୃଷ୍ଟି କରିଅଛି । ମଧ୍ୟଯୁଗର ଅନ୍ୟ ଏକ ପ୍ରଖ୍ୟାତନାମା କବି ଦୀନକୃଷ୍ଣ ଦାସ ତାଙ୍କର ରସକଲ୍ଲୋଳ କାବ୍ୟରେ ଏହିପରି ପ୍ରସଙ୍ଗୋଚିତ ଭାବରେ ପ୍ରକୃତି ବର୍ଣ୍ଣନା କରିଅଛନ୍ତି । ରସକଲ୍ଲୋଳର ଦ୍ଵାଦଶ ଛାନ୍ଦରେ କବି ବସନ୍ତ ଋତୁର ବର୍ଣ୍ଣନା କରିଅଛନ୍ତି ।

 

“କୁସୁମ ସମୟ ହୋଇଲା ଉଦୟ ଦକ୍ଷିଣ ପବନ ବହିଲା,

କାମଦେବ ଦୂତ ହୋଇ ମହାମତ୍ତ ପଞ୍ଚମ ସ୍ୱରରେ କହିଲା ।

କନ୍ଦର୍ପ, ଦର୍ପ ହୋଇଲା ଅତିଶୟ,

କୁସୁମ ବିଶିଖ କରିବାକୁ ଲାଖ କାମୀ କାମିନୀ କଲେ ଭୟ ।

କମଳ, ରସାଳ, ନୀଳ ଉତପଳ, ନିଆଳି, ଅଶୋକ ବିକାଶ ।

କାମ–ପଞ୍ଚବାଣ କାମୀ ପଞ୍ଚପ୍ରାଣ ଘେନିମାକୁ ହେଲେ ପ୍ରକାଶ ।

କେତେକୀ, କୁନ୍ତ କି ହୋଇଲା ପ୍ରକଟ ।

କାନ୍ତା କାନ୍ତ ଭେଟ ହୋଇଲା ଅଭେଟ ଜୀବ ଯିବା ହେଲା ନିକଟ ।”

 

ଉପେନ୍ଦ୍ର ଭଞ୍ଜଙ୍କର ବସନ୍ତ ବର୍ଣ୍ଣନା ଓ ଦୀନକୃଷ୍ଣ ଦାସଙ୍କର ବସନ୍ତ ବର୍ଣ୍ଣନା ମଧ୍ୟରେ ପାଠକ ଏକପ୍ରକାର ସାମ୍ୟ ଲକ୍ଷ୍ୟ କରିଥାଏ । ଏହି ସାମ୍ୟର କାରଣ ଯୁଗର ପ୍ରଭାବ । ଗୋଟିଏ ଯୁଗରେ, ଗୋଟିଏ ନିର୍ଦ୍ଦିଷ୍ଟ ରୀତିରେ ଯେତେବେଳେ କାବ୍ୟ ସାହିତ୍ୟ ସୃଷ୍ଟି ହେଉଥିଲା, ସେତେବେଳେ ଏ ପ୍ରକାର ସାମ୍ୟ ରହିବା ନିତାନ୍ତ ସ୍ଵାଭାବିକ । ରସକଲ୍ଲୋଳର ପଞ୍ଚଦଶ ଛାନ୍ଦରେ ଦୀନକୃଷ୍ଣ ଦାସ ଗ୍ରୀଷ୍ମ ଋତୁର ବର୍ଣ୍ଣନା କରିଅଛନ୍ତି । ଗ୍ରୀଷ୍ମ ଋତୁର ପ୍ରଖରତା ଏଥିରେ ବର୍ଣ୍ଣିତ ।

 

କ୍ରମେ ମଧୁ ଶେଷ ହୋଇଲା ପ୍ରବେଶ ହୋଇଲା ଗ୍ରୀଷମ ସମୟେ ।

କରମାଳି କର ମହା ଖରତର କମଳ କୁମାର ପରାୟେ ।

ସୁଜନେ, କି କହିବା ମହୀ ତପତ ।

କରାଇଲା ନୃତ୍ୟ ପଥିକ ପଦକୁ ସଂଗ୍ରାମ ଭୂମି ଅଶ୍ଵବତ ।

କୁଶାଳ ନର୍ତ୍ତକୀ ଭ୍ରମରୀ ପରାୟେ ଭ୍ରମିଲେ ବାତ ଚକ୍ରମାନେ ।

କୁଟୁମ୍ବ ଦୀନଜନ ମନ ପରାୟେ ସନ୍ତାପି ହେଲେ ଏକ ମନେ ।

ସୁଜନେ, କୃଶ ହୋଇଲେ ନଦୀଜଳ

କାନ୍ତ ଘନରସ ବିହୀନେ ଯେମନ୍ତ ଦିଶନ୍ତି ବିରହିଣୀ କୁଳ ।”

 

ଉପରୋକ୍ତ ଗ୍ରୀଷ୍ମବର୍ଣ୍ଣନା ଉପେନ୍ଦ୍ର ଭଞ୍ଜଙ୍କର ଗ୍ରୀଷ୍ମବର୍ଣ୍ଣନା ପରି ଅଳଙ୍କାରପୂର୍ଣ୍ଣ ହୋଇଥିବାରୁ କାବ୍ୟର ସୌଷ୍ଠବ ପ୍ରକାଶ ପାଇଅଛି ସତ୍ୟ; ମାତ୍ର ପ୍ରକୃତିର ସ୍ପଷ୍ଟ ଆତ୍ମପ୍ରକାଶ ସମ୍ଭବ ହୋଇ ପାରିନାହିଁ । ଗ୍ରୀଷ୍ମ ଋତୁରେ ସଚରାଚର ଯେଉଁ ଦୃଶ୍ୟ ପ୍ରତିଭାତ ହୁଏ, ତାହାର ଏକ ଚିତ୍ର କେବଳ ଏଥିରେ ସୂଚିତ ହୋଇଅଛି ।

 

ମଧ୍ୟଯୁଗର କବିମାନେ ନିଜର ପାଣ୍ଡିତ୍ୟ ପ୍ରଦର୍ଶନ କରିବାକୁ ସତତ ଉଦ୍ୟତ ଥିଲେ । ସେମାନେ କାବ୍ୟ ରଚନା କ୍ଷେତ୍ରରେ ନିଜର ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ ନ କରି ସଂସ୍କୃତ ସାହିତ୍ୟର ଆଦର୍ଶ–ସ୍ରୋତରେ ନିଜକୁ ଭସାଇ ଦେଇଅଛନ୍ତି । କବିସୂର୍ଯ୍ୟ ବଳଦେବ, ଯଦୁମଣି, ଗୋପାଳକୃଷ୍ଣ, ଅଭିମନ୍ୟୁ ସାମନ୍ତ ସିଂହାର, ବନମାଳୀ ପ୍ରଭୃତି କବିମାନେ ଏହି ରୀତିରେ କାବ୍ୟ କବିତାରେ ପ୍ରକୃତି ଚିତ୍ରଣ କରିଅଛନ୍ତି । ମଧ୍ୟଯୁଗର କାବ୍ୟ ସାହିତ୍ୟରେ ପ୍ରକୃତିର ଯେଉଁ ରୂପ ପ୍ରକାଶ ପାଇଥିଲା, ଆଧୁନିକ ଓଡ଼ିଆ ସାହିତ୍ୟରେ ତାହା ପରିବର୍ତ୍ତିତ ହୋଇଗଲା ।

 

ଆଧୁନିକ ଓଡ଼ିଆ ସାହିତ୍ୟର ସ୍ରଷ୍ଟା କବିବର ରଧାନାଥ ପ୍ରକୃତିକୁ ସ୍ଵୟଂସଂପୂର୍ଣ୍ଣ ରୂପରେ ପ୍ରକାଶ କରି ନିଜର ସ୍ଵାତନ୍ତ୍ର୍ୟ ପ୍ରଦର୍ଶନ କରିଅଛନ୍ତି । ତାଙ୍କର କାବ୍ୟ ସମୂହରେ ପ୍ରକୃତି ଜୀବନ୍ତ । ସେ ପ୍ରକୃତିର କାର୍ଯ୍ୟକାରୀ ଶକ୍ତି ଅଛି । କବିବର ରଧାନାଥଙ୍କର ସମସ୍ତ କାବ୍ୟରେ ଉତ୍କଳ ପ୍ରକୃତିର ଚାରୁଆଲେଖ୍ୟ ପ୍ରକାଶିତ । ସତେ ଯେପରି ତାଙ୍କର ଲେଖନୀ ଉତ୍କଳ ପ୍ରକୃତିକୁ ଜୀବନ୍ୟାସ କରିଅଛି । ପ୍ରକୃତି ତାଙ୍କ ଲେଖନୀରେ କେବଳ ଜୀବନ୍ତ ନୁହେଁ ସକ୍ରିୟ ମଧ୍ୟ । ରାଧାନାଥଙ୍କର ଏହି ରୀତି ଆଧୁନିକ ଯୁଗରେ ସ୍ଵୀକୃତି ଲାଭ କରିବା ସଙ୍ଗେ ସଙ୍ଗେ ଅନ୍ୟ କବିମାନଙ୍କ ଦ୍ଵାରା ଅନୁସୃତ ହୋଇଅଛି । ପ୍ରସଙ୍ଗ କ୍ରମରେ ନାୟକ ନାୟିକାଙ୍କର ବିରହ ବା ମିଳନର ବାୟୁମଣ୍ଡଳ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଧାନାଥ ପ୍ରକୃତିକୁ ବିଭାବ ରୂପରେ ଗ୍ରହଣ ନ କରି ପ୍ରସଙ୍ଗକ୍ରମରେ ଉତ୍କଳର ଯେ କୌଣସି ସ୍ଥାନର ପ୍ରକୃତିକୁ ବୈଶିଷ୍ଟ୍ୟ ପ୍ରଦାନ କରିଅଛନ୍ତି । କବିବର ରାଧାନାଥଙ୍କର ଉତ୍କଳ ପ୍ରକୃତି ସହିତ ପ୍ରତ୍ୟକ୍ଷ ପରିଚୟ ଘଟିଥିଲା । କର୍ମ ପ୍ରସଙ୍ଗରେ ସେ ଯେତେବେଳେ ଓଡ଼ିଶାର ବିଭିନ୍ନ ସ୍ଥାନ ପରିଦର୍ଶନ କରିବାକୁ ଯାଉଥିଲେ, ସେତେବେଳେ ସେ ପ୍ରତ୍ୟେକ ସ୍ଥାନର ପ୍ରାକୃତିକ ଦୃଶ୍ୟ, ବିଶେଷତ୍ଵ ଓ ସେ ସ୍ଥାନ ବିଷୟକ କିମ୍ବଦନ୍ତୀକୁ ସଂଗ୍ରହ କରି ଗୋଟିଏ ଟିପା ଖତାରେ ଲେଖି ରଖୁଥିଲେ । କାବ୍ୟ ରଚନା କରିବା ସମୟରେ ଏହି ଟିପା ଖାତାରୁ ଉପାଦାନ ନେଇ ସେ କାବ୍ୟରେ ପ୍ରସଙ୍ଗକ୍ରମରେ ଯୋଗ କରୁଥିଲେ । ସମଗ୍ର ଓଡ଼ିଶାର ପ୍ରକୃତି ସହିତ ପରିଚିତ ହେବାପାଇଁ ରାଧାନାଥ ଯେଉଁ ସୁଯୋଗ ଲାଭ କରିଥିଲେ, ତାହା ଅନ୍ୟ କୌଣସି କବି ପାଇ ନ ଥିଲେ ।

 

ରାଧାନାଥଙ୍କର ଏହି ସୁଯୋଗ ତାଙ୍କର ପ୍ରତିଭା ବିକାଶ ପଥରେ ବିଶେଷ ଭାବରେ ସହାୟକ ହୋଇଥିଲା । କବିବର ରାଧାନାଥ ରଚନା ମଧ୍ୟରେ ପାଠକ ଓଡ଼ିଶାର ଯେଉଁ ପରିଚୟ ପାଏ, ତାହା ତାର ଏକାନ୍ତ ନିଜସ୍ଵ ମନେହୁଏ । ତେଣୁ କବିବର ରାଧାନାଥ ଉତ୍କଳର ପ୍ରକୃତିକୁ ଭଲରୂପେ ଚିହ୍ନି ଅନ୍ୟମାନଙ୍କୁ ଚିହ୍ନାଇ ଦେଇ ଯାଇଅଛନ୍ତି । ପ୍ରକୃତି ପ୍ରତି ତାଙ୍କର ବିଶେଷ ଦୃଷ୍ଟି କୋଣ ନ ଥିଲେ ତାଙ୍କ ଦ୍ଵାରା ପ୍ରଭାବିତ ତାଙ୍କରି ସୁଯୋଗ୍ୟ ସନ୍ତାନ ଶଶିଭୂଷଣ ‘‘ଉତ୍କଳ–ପ୍ରକୃତି’’ ନାମକ ଗଦ୍ୟରଚନା ସୃଷ୍ଟି କରି ନ ଥାନ୍ତେ । ଉତ୍କଳ–ପ୍ରକୃତିର ବାସ୍ତବ ଚିତ୍ର ରାଧାନାଥଙ୍କ ଲେଖନୀରୁ କିପରି ପ୍ରକାଶ ପାଇଅଛି, ତାହା ନନ୍ଦିକେଶ୍ଵରୀ ଓ ଉଷା କାବ୍ୟଦ୍ୱୟରୁ ଉଦାହରଣ ନିମିତ୍ତ ଉଦ୍ଧାର କରାଯାଇ ପାରେ ।

 

ନନ୍ଦିକେଶ୍ଵରୀ କାବ୍ୟରେ କାଠଯୋଡ଼ି ତୀରରେ ସମର ବର୍ଣ୍ଣନା ସ୍ଥାନ ପାଇଅଛି । ଏହି ସମରରେ ଉତ୍କଳ ନରେଶଙ୍କ ପକ୍ଷରୁ ଯୁଦ୍ଧ କରିବାକୁ ସମଗ୍ର ଉତ୍କଳରୁ ସୈନ୍ୟମାନେ ଆସିଅଛନ୍ତି । ଉତ୍କଳର ଯେଉଁ ଯେଉଁ ସ୍ଥାନରୁ ସୈନ୍ୟମାନେ ଆସିଥିଲେ, ସେହି ସ୍ଥାନମାନଙ୍କର ବର୍ଣ୍ଣନା କବି ଦେଇଅଛନ୍ତି । ତନ୍ମଧ୍ୟରୁ କେତେଗୋଟି ସ୍ଥାନର ବିଷୟ ଉଦ୍ଧାର କଲେ ଅସମୀଚୀନ ହେବ ନାହିଁ ।

 

‘‘ଚନ୍ଦନ-ନିକୁଞ୍ଜ-ମଞ୍ଜୁଳ ଆଳତୀ,

ସୁରୂପା ବିରୂପା ଯହିଁ କରେ ଗତି,

ବିରଜାମଣ୍ଡଳେ ଯେତେ ବୀର-ପଲ୍ଲୀ,

ପୂଗମାଳେ ଯହିଁ ଜଡ଼େ ନାଗବଲ୍ଲୀ,

ପରସ୍ପରେ ଭୂଜ ଛନ୍ଦିବାରେ ସଦା

ଚମ୍ପା ଚୂତ ଯହିଁ ବଳାନ୍ତି ଶରଧା,

ଭଦ୍ରକ ଯା ପାଦେ ବେଢ଼ିଅଛି ଛନ୍ଦି

ଉତ୍କଳେ କାଳିନ୍ଦୀରୂପିଣୀ ଶାଳନ୍ଦୀ,

ସୋର ଗର୍ବ ଯାର କରଇ ପ୍ରସାର

ପଶ୍ଚିମେ ପର୍ବତ ପୂର୍ବେ ପାରାବାର,

ନୀଳଗିରି ଯହିଁ ମର୍କତ-ମହୁଡ଼

ଟେକିଛି ଅମ୍ୱରେ ଶୈଳ ସ୍ୱର୍ଣ୍ଣଚୂଡ଼

ପୁନଙ୍ଗ-ବିରହେ ଯହିଁ ବରାଙ୍ଗନା

ସ୍ଵର-ଛୁରି ପରି ମଣେ ଛୁରିଅନା

ଗ୍ରାମ୍ୟ-ସୀମନ୍ତିନୀ-ନିଶା-ଅଭିସାର

ଅନୁକୁଳ ବାଲି ସ୍ତୂପାବଳୀ ଯାର,

ସୁଗଭୀରା ପ୍ରାଚୀ-ତୀରେ ଅଭିରାମ

ମାଧବ ସନାଥ ମାଧବାଖ୍ୟ ଗ୍ରାମ ।

 

ଏହାପରି ଉତ୍କଳର ପ୍ରଧାନ ପ୍ରଧାନ ସ୍ଥାନମାନଙ୍କର ବର୍ଣ୍ଣନା ଏଥିରେ ଦିଆଯାଇଅଛି । ଉଷା କାବ୍ୟରେ ସେହପରି ଯେଉଁ ଯେଉଁ ସ୍ଥାନମାନଙ୍କରୁ ଯୁବରାଜମାନେ ଉଷାର ପାଣିଗ୍ରହଣ କରିବା ଉଦ୍ଦେଶ୍ୟରେ ଆସି ସ୍ଵୟମ୍ବରର ଦୌଡ଼ ପ୍ରତିଯୋଗିତାରେ ଯୋଗଦେଇ ଅକାଳମୃତ୍ୟୁ ବରଣ କରିଥିଲେ, ସେହି ସ୍ଥାନମାନଙ୍କର ପ୍ରକୃତ ବର୍ଣ୍ଣନା ଅତୀବ ଜୀବନ୍ତ ହୋଇଅଛି । ତନ୍ମଧ୍ୟରୁ କେତେକ ଏଠାରେ ଉଦ୍ଧାର କରାଯାଇ ପାରେ ।

 

‘‘କୁମାରଦା ଆଦି ସ୍ଥଳୀ ବିରଦ୍ରୁମ-ନିକୁଞ୍ଜେ ନୀଳ

ସୁବର୍ଣ୍ଣ ତଟିନୀ-ପଟୁସ୍ତରେ ଯାର ତନୁ ପଙ୍କିଳ,

ଭଗରାଇ ଯାର ଦିଗନ୍ତ ବିସ୍ତାରି-ସିକତା ରାଶି-

ଶିରେ ଖେଳୁଥିଲା ରଙ୍ଗେ ଦିନେ ସିନ୍ଧୁ-ତରଙ୍ଗ ଆସି

ଏବେ ପାଦ ଯାର ଚକ୍ରବାଳ-ବ୍ୟାପୀ ଶାଳିକେଦାର

ଶରତେ ଧରଇ ବାତାହତ ସିନ୍ଧୁ-ତରଙ୍ଗାକାର,

ସେ ଶାଳି-କେଦାରେ ଦୂରୁଁ ଦିଶେ ଯାର ସିକତା କୁଦ

ପାରାବାରେ ଯେହ୍ନେ ଜଳଦେବତାଙ୍କ ଶଙ୍ଖ-ସଉଧ ।”

 

ଏହିପରି ଭାବରେ କବି ଅତ୍ୟନ୍ତ ଦକ୍ଷତାର ସହିତ ଉତ୍କଳ ପ୍ରକୃତିର ଚିତ୍ର ପ୍ରଦାନ କରି ଯଶସ୍ଵୀ ହୋଇଅଛନ୍ତି । ଏ ପ୍ରକାର ବର୍ଣ୍ଣନାରେ ପ୍ରକୃତିର ବାହ୍ୟରୂପ କେବଳ ପ୍ରକାଶ ପାଇଅଛି, ମାତ୍ର ପ୍ରକୃତିର ସକ୍ରିୟ ରୂପ ପ୍ରକାଶ ପାଇନାହିଁ । ରାଧାନାଥ ଚିଲିକା କାବ୍ୟ ରଚନା କରି ପ୍ରକୃତିର ସକ୍ରିୟତା ପ୍ରକାଶ କରିଅଛନ୍ତି । ଚିଲିକା କାବ୍ୟରେ ରାଧାନାଥ ଉତ୍କଳ ପ୍ରକୃତିର ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ କରି ଏହାକୁ ସମଗ୍ର ଭାରତର ଶ୍ରେଷ୍ଠତମ ପ୍ରାକୃତିକ ସୌନ୍ଦର୍ଯ୍ୟ ରୂପରେ ବର୍ଣ୍ଣନା କରିଅଛନ୍ତି । ଚିଲିକାରେ ପ୍ରକୃତିର ମନୋରମ ପରିବେଶ ପାଠକକୁ ଯେତିକି ମୁଗ୍‍ଧ କରେ, ରାଧାନାଥଙ୍କର ସ୍ଵଦେଶ ପ୍ରେମ ବିଷୟରେ ସେତିକି ଅବଗତ କରାଏ । ଚିଲିକା କାବ୍ୟରେ ରାଧାନାଥ ପ୍ରାକୃତିକ ସୌନ୍ଦର୍ଯ୍ୟର ଯେଉଁ ଚିତ୍ର ପ୍ରଦାନ କରିଅଛନ୍ତି, ତାହା ଅନନ୍ୟସାଧାରଣ । ଚିଲିକାର ସକ୍ରିୟତା ପ୍ରକାଶ ପାଇଅଛି ରକ୍ତବାହୁ ଉତ୍କଳ ଆକ୍ରମଣ କରି ବିଜୟ ଉଲ୍ଲାସରେ ନିଜ ଦେଶକୁ ଫେରିଯିବା ସମୟରେ । ଚିଲିକା ରକ୍ତବାହୁର ଏ ବିଜୟ ଉନ୍ମାଦକୁ ସହ୍ୟ କରି ନ ପାରି ତାକୁ ଧ୍ଵଂସ କରିଦେଇଛି-। ପ୍ରକୃତି ଏଠାରେ ସଙ୍ଘର୍ଷମୟୀ । କବି ଲେଖିଛନ୍ତି–

 

“ରୁଦ୍ରମୂର୍ତ୍ତି ତୋର ରଖୁ ତୁ ଘୋଡ଼ାଇ

ଦୂରନ୍ତ ଉତ୍କଳ ପରିପନ୍ଥୀ ପାଇଁ

ସୂର୍ଯ୍ୟକାନ୍ତ ଯଥା ପରଶେ ଶୀତଳ,

ତେଜସ୍ଵୀ ଦର୍ଶନେ ହୁଏ ଉର୍ଜସ୍ଵଳ,

ଶତ୍ରୁ ଦେଖି ତୁହି ସେ ରୂପେ ଚିଲିକା

ପ୍ରକଟୁ ପ୍ରଚ୍ଛନ୍ନ ଶକ୍ତି ମାରାତ୍ମିକା,

ତୋ ଉର–ଦର୍ପଣେ ସଘନେ ବିମ୍ବିତ

ହୋଇ ଚମକିଲା ଜୀମୂତେ ତଡ଼ିତ,

ଦେଖାଇଦେଲା ତୋ ସଂହାରମୂରତି

ପ୍ରକୃତିର ସେହି କରାଳ ଆଳତି ।”

 

ପ୍ରକୃତିର ସଂଗ୍ରାମରେ ରକ୍ତବାହୁ ଧ୍ଵଂସ ପାଇଥିଲା । ଏହାହିଁ ପ୍ରକୃତିର ସକ୍ରିୟତାର ପ୍ରକାଶ । ଆଧୁନିକ ଯୁଗରେ ପ୍ରକୃତି ମଣିଷର ସୁଖରେ ସୁଖୀ, ଦୁଃଖରେ ଦୁଃଖୀ ହୋଇଛି; ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମରତ ହୋଇଅଛି । ଚିଲିକା କାବ୍ୟ ରଚନା କରି ରାଧାନାଥ “ଫୁଟିବ ଉତ୍କଳ–ଭାଷା କମଳିନୀ” ବୋଲି ଯେଉଁ ଆଶା ପ୍ରକାଶ କରିଥିଲେ, ସେହି ଆଶା ବାସ୍ତବରେ ଫଳବତୀ ହୋଇଅଛି ଗଙ୍ଗାଧରଙ୍କର “ଉତ୍କଳଲକ୍ଷ୍ମୀ” ରଚନାରେ । ଗଙ୍ଗାଧରଙ୍କର ପ୍ରତ୍ୟେକ କାବ୍ୟରେ ପ୍ରକୃତିର ସାର୍ଥକ ଆତ୍ମପ୍ରକାଶ ଘଟିଅଛି; ମାତ୍ର ଉତ୍କଳଲକ୍ଷ୍ମୀ ମୁଖ୍ୟତଃ ପ୍ରକୃତି ଉପରେ ପର୍ଯ୍ୟବସିତ-। ରାଧାନାଥଙ୍କର ଚିଲିକା କାବ୍ୟରେ ପ୍ରକୃତି ଯେପରି ଭାବରେ ଆତ୍ମପ୍ରକାଶ କରିଅଛି, ଉତ୍କଳଲକ୍ଷ୍ମୀରେ ପ୍ରକୃତିର ସେ ପ୍ରକାର ଆତ୍ମପ୍ରକାଶ ସମ୍ଭବ ହୋଇପାରି ନାହିଁ ସତ୍ୟ; ମାତ୍ର ଉତ୍କଳର ବା ଉତ୍କଳ ପ୍ରକୃତିର ମହତ୍ତ୍ୱ ବିଶେଷ ଭାବରେ ପ୍ରକାଶିତ ହୋଇଅଛି ।

 

ତପସ୍ଵିନୀ କାବ୍ୟରେ କବି ପ୍ରକୃତି ବର୍ଣ୍ଣନାରେ ନିଜର ପାରଦର୍ଶିତା ପ୍ରକାଶ କରିଅଛନ୍ତି । ପ୍ରଥମ ସର୍ଗରେ ସୀତା ଯେତେବେଳେ ଭାଗୀରଥୀ ତୀରରେ ଅସହାୟା ଅବସ୍ଥାରେ କ୍ରନ୍ଦନ କରିଅଛନ୍ତି, ସେତେବେଳେ ସୀତାଙ୍କ ଦୁଃଖରେ ବିଚଳିତ ହୋଇ ନିୟତି ବିରୁଦ୍ଧରେ ପ୍ରକୃତି ପ୍ରତିବାଦ କରି ସଂଗ୍ରାମରତ ହୋଇଅଛି । ସୀତାଙ୍କ କ୍ରନ୍ଦନଧ୍ୱନିରେ ବନଭୂମି ମୁଖରିତ ହୋଇ ଉଠିଛି ।

 

“କରିବାକୁ ନିୟତିର ସହିତ ସମର

ତୃଣରାଜ ଖଡ଼୍‍ଗକରେ ଗର୍ଜିଲା ପ୍ରଖର ।

ବାୟାବସା ତୁଣୀରକୁ ଝାଡ଼ି ବାରମ୍ବାର,

ପତ୍ର–କଙ୍କପତ୍ର ଅବା କି କଲା ବାହାର ।

କମ୍ପିତ–ସରିତ–ବୀଚି ଉତ୍‍ଥିତ ଶୀକର

ପଡ଼ିଲା ପୁଲିନେ ତେଜି ତରଙ୍ଗ ଶିଖର ।

ଭରି କି ସୀସକ–ଗୁଳି ତରଙ୍ଗର ତୋପେ

ନିୟତିକି ଭାଗୀରଥୀ ପ୍ରହାରିଲା କୋପେ ?

କମଳ ସକଳ ହୋଇ ବିଚଳିତ ସରେ

ପଦ୍ମ–ବ୍ୟୂହ ରଚି ଯୁଦ୍ଧ କଲେ ଅଳିଶରେ ।

ବନଫୁଲେ ବୃନ୍ତ ତେଜି ଭୂମିତଳେ ପଡ଼ି

ଧୂଳି ମାଟି ମଲ୍ଲଯୁଦ୍ଧେ ହେଲେ ଗଡ଼ାଗଡ଼ି

ଲତା–ଲୁତା–ତନ୍ତୁ–ରୂପ ନିୟତି–ବନ୍ଧନ

ଛିନ୍ନକରି କ୍ରୋଧଭରେ କଲା ଆସ୍ଫାଳନ ।

ବ୍ୟାହତ–ହୃଦୟ ଶୀର୍ଣ୍ଣ–ଶରୀର ବାଦଲ

ଦଉଡ଼ି ଆସିଲା କୋପେ ଘେନି ଦଳବଳ ।

ଚକ୍ଷୁ ଚମକାଇ, କରି ଗଭୀର ଗର୍ଜନ

ଦେଖାଇଲା ନିୟତିର ଉପରେ ତର୍ଜନ ।

ସତୀ ମୁଖେ ସୁଶୀତଳ ବିନ୍ଦୁ ବିନ୍ଦୁ ପାଣି

ସିଞ୍ଚି ସିଞ୍ଚି ଜୀବନରେ ସଂଜ୍ଞାଦେଲା ଆଣି ।

ସାଧ୍ଵୀ କୁଳବଧୂଙ୍କର ଦୁର୍ବିପାକ ଚାହିଁ

ଲଜ୍ଜାଭରେ ଭାନୁଦେଲେ ବଦନ ଲୁଚାଇ ।

ଦିଗ୍‍ବଧୂ ସକଳ ବସି ବିଷଣ୍ଣ ବଦନେ

ନଭ ବିକମ୍ପିତ କଲେ ସ୍ତନିତ ରୋଦନେ ।”

 

ନିୟତି ସହିତ ପ୍ରକୃତିର ଯେଉଁ ପ୍ରକାର ସଂଗ୍ରାମ ଏଠାରେ ବର୍ଣ୍ଣିତ ହୋଇଅଛି, ତାହା ରାଧାନାଥ ରାୟଙ୍କର ଚିଲିକାରେ ବର୍ଣ୍ଣିତ ରକ୍ତବାହୁ ସହିତ ପ୍ରକୃତିର ସଂଗ୍ରାମର ଏକାନ୍ତ ଅନୁରୂପ । ରକ୍ତବାହୁକୁ ଧ୍ଵଂସ କରିବା ପାଇଁ ପ୍ରକୃତି ସେଠାରେ ଯେପରି ସଂଗ୍ରାମ କରିଅଛି, ସୀତାଙ୍କ ଦୁଃଖ ଯୋଗୁଁ ପ୍ରକୃତି ଏଠାରେ ନିୟତି ସହିତ ଠିକ୍ ସେହିପରି ସଂଗ୍ରାମ କରିଅଛି । ପ୍ରକୃତିର ଏ ପ୍ରକାର ସକ୍ରିୟତା ରାଧାନାଥ ହିଁ ପ୍ରଥମରେ ପ୍ରକାଶ କରିଅଛନ୍ତି ଏବଂ ରାଧାନାଥଙ୍କର ଏହି ରୀତି ଗଙ୍ଗାଧର ଗ୍ରହଣ କରିଅଛନ୍ତି । ରାଧାନାଥ ଥରେ ଚିଲିକା ମଧ୍ୟରେ ନୌକାରେ ବିହାର କରିବା ସମୟରେ ଏକ ଭୀଷଣ ତୋଫାନର ସମ୍ମୁଖୀନ ହୋଇଥିଲେ । ସେ ଦିନ ସେ ଚିଲିକାର କରାଳ ରୂପ ପ୍ରତ୍ୟକ୍ଷରେ ଦେଖିଥିଲେ । ସେହି ଅନୁଭୂତିକୁ ସେ ତାଙ୍କ କାବ୍ୟରେ ରୂପାୟିତ କରିବାପାଇଁ ରକ୍ତବାହୁର ପ୍ରସଙ୍ଗ ବର୍ଣ୍ଣନା କରିଅଛନ୍ତି । ଗଙ୍ଗାଧର ଚିଲିକା କାବ୍ୟରୁ ରାଧାନାଥଙ୍କର ବର୍ଣ୍ଣନାଶୈଳୀକୁ ଉତ୍ତମ ରୂପେ ହୃଦୟଙ୍ଗମ କରି ନିଜର ବର୍ଣ୍ଣନାଶୈଳୀରେ ଏଠାରେ ପ୍ରକୃତିର ସଂଗ୍ରାମ ବର୍ଣ୍ଣନା କରିଅଛନ୍ତି । ଗଙ୍ଗାଧର ମେହେର ପ୍ରାଚୀନ କାବ୍ୟମାନଙ୍କରୁ ତାଙ୍କର କାବ୍ୟମାନଙ୍କ ପାଇଁ କଥାବସ୍ତୁ ସଂଗ୍ରହ କରିଥିଲେ ହେଁ ପ୍ରକାଶଭଙ୍ଗୀ ପାଇଁ ଆଧୁନିକ ପଦ୍ଧତିର ଅନୁସରଣ କରିଅଛନ୍ତି । ଆଧୁନିକ ଓଡ଼ିଆ ସାହିତ୍ୟରେ କବିବର ରାଧାନାଥଙ୍କର ଏହି ରୀତି ଗଙ୍ଗାଧରଙ୍କୁ ଯେପରି ଭାବରେ ପ୍ରଭାବିତ କରିଅଛି, ଅନ୍ୟ କବିମାନଙ୍କୁ ସେପରି କରିପାରିନାହିଁ । ଗଙ୍ଗାଧର ଏଥିପାଇଁ ଯେ ରାଧାନାଥଙ୍କ ନିକଟରେ ଋଣୀ, ଏକଥା ଅସ୍ୱୀକାର କରିହେବ ନାହିଁ ।

 

ତପସ୍ଵିନୀ କାବ୍ୟର ଦ୍ଵିତୀୟ ସର୍ଗରେ କବି ଆଶ୍ରମପ୍ରକୃତି ବର୍ଣ୍ଣନା କରିଅଛନ୍ତି । ବାଲ୍ମୀକି–ଆଶ୍ରମରେ ଶାନ୍ତିର ରାଜତ୍ଵ ବିଷୟ ବର୍ଣ୍ଣନା କରିବାକୁ ଯାଇ କବି ଆଶ୍ରମସ୍ଥ ବୃକ୍ଷଲତାମାନଙ୍କର ପ୍ରାକୃତିକ ବିଭବ ବର୍ଣ୍ଣନା କରିଅଛନ୍ତି । ବାଲ୍ମୀକି–ଆଶ୍ରମରେ ଶାନ୍ତିର ରାଜତ୍ଵ କେବଳ ବୃକ୍ଷଲତାମାନଙ୍କ ଯୋଗୁ ହିଁ ସମ୍ଭବ ହୋଇଅଛି । ଏମାନଙ୍କୁ କବି ପ୍ରଜା ଓ ଶାନ୍ତିକୁ ରାଜାରୂପେ ଚିତ୍ରଣ କରିଅଛନ୍ତି । ପ୍ରକୃତି ଏହି ବୃକ୍ଷଲତାମାନଙ୍କ ଦ୍ଵାରା ନିଜର କାର୍ଯ୍ୟ ସମାହିତ କରେ ।

 

“ପ୍ରକୃତି–ସମରେ ସେମାନେ

ପୁଣି ହୁଅନ୍ତି ସେନା

ଆବରଣ କରି ଶରୀରେ

ଘନ–ପଲ୍ଲବ–ସେହ୍ନା ।

କରି ବରଷାର–ବ୍ୟାୟାମେ

ଅଙ୍ଗ–ପୁଷ୍ଟିସାଧନ,

ଆତପକୁ ଜିଣି ଆଣନ୍ତି

ତାର ଆଲୋକ ଧନ ।”

 

ପ୍ରଥମ ସର୍ଗରେ ପ୍ରକୃତି ଯେତେବେଳେ ନିୟତି ସହିତ ସଂଗ୍ରାମରତ ହୋଇଅଛି, ସେତେବେଳେ ବୃକ୍ଷଲତାମାନେ ସେଥିରେ ସୈନ୍ୟରୂପରେ କାର୍ଯ୍ୟ କରିଥିବା ବର୍ଣ୍ଣିତ ହୋଇଅଛି । ପୁଣି ଦ୍ଵିତୀୟ ସର୍ଗରେ ଏପରି ବର୍ଣ୍ଣନା କେବଳ ପ୍ରଥମ ସର୍ଗର ବର୍ଣ୍ଣନାର ପ୍ରତିଧ୍ଵନି ମାତ୍ର ।

 

ମନୁଷ୍ୟ ଯେପରି ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରେ, ପ୍ରକୃତି ସେହିପରି ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିଅଛି । ପୁଣି ମନୁଷ୍ୟ ଯେପରି କୌଣସି ଆବଶ୍ୟକତା ପୂରଣ ଲାଗି କର୍ମତତ୍ପର ହୋଇପଡ଼େ, ପ୍ରକୃତି ଠିକ୍ ସେହିପରି ଏଠାରେ କର୍ମତତ୍ପର ହୋଇ ପଡ଼ିଅଛି । ଶୀତକାଳରେ ବାଲ୍ମୀକି ଆଶ୍ରମକୁ ଶୀତର ପ୍ରକୋପରୁ ରକ୍ଷା କରିବା ପାଇଁ ଏହି ବୃକ୍ଷମାନେ ବନାଗ୍ନି ସୃଷ୍ଟି କରନ୍ତି ।

 

ଶୀତ ଆକ୍ରମଣୁ କରିବା–

ପାଇଁ ରାଜ୍ୟକୁ ତ୍ରାଣ,

ଧୂନି ରୂପେ ପୁଣି ହୁଅନ୍ତି

କେତେ ଅନଳ ବାଣ ।”

 

ସୀତାଙ୍କୁ ଲକ୍ଷଣ ଯେତେବେଳେ ଭାଗୀରଥୀ ତୀରରେ ଏକାକିନୀ ଛାଡ଼ିଦେଇ ଚାଲିଗଲେ, ସେତେବେଳେ ଆକାଶ ନିର୍ମଳ ଥିଲା ଏବଂ ସୂର୍ଯ୍ୟକିରଣ ପରିଷ୍କାର ଭାବରେ ପଡ଼ିଥିଲା-। ମାତ୍ର ସୀତାଙ୍କର ଏ ଦୁର୍ବିପାକରେ ପ୍ରକୃତି ସମବେଦନା ପ୍ରକାଶ କରିବାକୁ ତତ୍ପରେ ହୋଇପଡ଼ିଲା-। ସୂର୍ଯ୍ୟବଂଶର କୁଳବଧୂ ସୀତା ଏପରି ଅସହାୟ ଅବସ୍ଥାରେ ପଡ଼ିବାଦ୍ୱାରା ସୂର୍ଯ୍ୟବଂଶର ନିନ୍ଦା ପ୍ରକାଶ ପାଇଯାଇ ପାରେ, ଏହି ଆଶଙ୍କା କରି ସୂର୍ଯ୍ୟ ଲଜ୍ଜାରେ ମୁହଁ ଲୁଚାଇଦେଲେ-। ବଉଦ ପଛରେ ସୂର୍ଯ୍ୟ ମୁହଁ ଲୁଚାଇବାର ଦେଖି ଓ ତାର କାରଣ ବୁଝିପାରି କ୍ରମେ ପ୍ରଦୋଷ ଆସି ଅବନୀପୃଷ୍ଠକୁ ଅନ୍ଧକାରଛନ୍ନ କରିଦେଲା । ସନ୍ଧ୍ୟା ଉପଗତ ହୁଅନ୍ତେ ଅଯୋଧ୍ୟାର ରାଜପ୍ରାସାଦର ଉନ୍ମୁକ୍ତ ପ୍ରାଙ୍ଗଣରେ ତାରାମାନେ ଏକତ୍ରିତ ହୋଇ ରାମଚନ୍ଦ୍ରଙ୍କ ଚିନ୍ତିତାବସ୍ଥା ଅବଲୋକନ କଲେ-। ରାମଚନ୍ଦ୍ରଙ୍କର ଅନୁଚିନ୍ତିତ କବି ବର୍ଣ୍ଣନା କରିବା ପରେ ରାତ୍ରିର ଶେଷ ହେବା ବର୍ଣ୍ଣନା କରି ଅଛନ୍ତି–

 

“ରାବିଲା ଶର୍ବରୀ ପେଚା ବେଶ ଧରି

କ୍ରମେ ହୋଇ କ୍ଷୀଣପ୍ରାଣ,

ରକତେ ଗଗନ ପ୍ଳାବି ପଳାୟନ

ଉପାୟେ ପାଇଲା ତ୍ରାଣ ।

ପ୍ରେମିକ ପ୍ରମିକା ପଦେ ଅହମିକା

ବିକିଦେଇ ତାରାଗଣ

ପୁଷ୍ପ ବେଶେ ଝଡ଼ି ଅବନୀରେ ପଡ଼ି

ଲୋଡ଼ିଲେ ତାଙ୍କ ଶରଣ ।”

 

ଆଯୋଧ୍ୟାର ରାଜପ୍ରାସାଦର ପ୍ରାଙ୍ଗଣରେ ବସି ରାମଚନ୍ଦ୍ର ସୀତାଙ୍କ ବିରହରେ ଦୁଃଖକରି ରାଜତ୍ୱର ପ୍ରକୃଷ୍ଟ ରୂପ ସହିତ ପରିଚିତ ହୋଇ ବ୍ୟଥାତୁର ହୃଦୟରେ ରାତ୍ରି କଟାଇବା ସମୟରେ ବାଲ୍ମୀକି ଆଶ୍ରମର କୁଟୀରରେ ନିର୍ବାସିତ ସୀତା ଦୁଃଖରେ ମ୍ରିୟମାଣ ହୋଇ ବାସ୍ତବ ଜୀବନର ଚିତ୍ର ସହିତ ପରିଚିତ ହୋଇ ରାତ୍ରିଯାପନ କରିଅଛନ୍ତି । ତାପରେ ଆସିଛି ଉଷା । ଏହି ଉଷାକାଳରେ କବି ବାଲ୍ମୀକି ଆଶ୍ରମର ପ୍ରାକୃତିକ ଦୃଶ୍ୟ ବର୍ଣ୍ଣନା କରିଅଛନ୍ତି । ଏଠାରେ ଉଷା ପ୍ରସ୍ଫୁଟିତ ପଦ୍ମର ସୌନ୍ଦର୍ଯ୍ୟ ଧାରଣ କରି ସୀତାଙ୍କୁ ଦର୍ଶନ କରିବା ଇଛାରେ ବାଲ୍ମୀକି–ଆଶ୍ରମରେ ଉପସ୍ଥିତା । ସେ ନିଜ ହସ୍ତରେ ନୀହାର ରୂପକ ମୁକ୍ତା ସତୀଙ୍କୁ ଉପହାର ଦେବାପାଇଁ ଧାରଣ କରିଅଛି । ସୀତାଙ୍କ କୁଟୀର–ପ୍ରାଙ୍ଗଣରେ ଦଣ୍ଡାୟମାନା ହୋଇ ସୀତାଙ୍କୁ ଦର୍ଶନ ଦେବାଲାଗି ଆହ୍ୱାନ କରିଅଛି । ଉଷାର ସୌନ୍ଦର୍ଯ୍ୟ ଓ ପବିତ୍ରତା କବିଙ୍କ ଲେଖନୀରୁ ବିଶେଷ ଭାବରେ ପ୍ରକାଶ ପାଇଅଛି ।

 

“ଅରୁଣ କଷାୟ ବାସ, କୁସୁମ କାନ୍ତି-ବିକାଶ

ପ୍ରଶାନ୍ତ ରୂପ, ବିଶ୍ୱାସ ଦିଅନ୍ତି ମନେ,

କେଉଁ ଯୋଗେଶ୍ଵରୀ ଆସି ମଧୁର ଭାଷେ ଆଶ୍ୱାସି

ଡାକୁଛନ୍ତି ଦୁଃଖ–ରାଶି ଉପଶମନେ

ଦେବାପାଇଁ ନବ ଜୀବନ

ସ୍ୱର୍ଗଁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟଭୁବନ ।

 

ସମୀର ସଙ୍ଗୀତ ଗାଏ, ଭ୍ରମର ବୀଣା ବଜାଏ

ସୁରଭି ନର୍ତ୍ତନେ ଥାଏ ଉଷା ନିଦେଶେ,

କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା ସ୍ତବପାଠ

କଳିଙ୍ଗ ଅଇଲା ପାଟ ମାଗଧ ବେଶେ,

ଲଳିତ ମଧୁରେ କହିଲା

“ଉଠ ସତୀ ରାଜ୍ୟ ରାଣୀ ରାତି ପାହିଲା ।”

 

ପ୍ରଭାତର ଆଗମନରେ କ୍ରମେ ସୂର୍ଯ୍ୟକିରଣ ପ୍ରକାଶିତ ହେବାରୁ ବନଭୂମିର ଉଜ୍ଜ୍ଵଳତା ବୃଦ୍ଧି ପାଇଲା । ସୀତା କୁଟୀରର ବାହାରକୁ ଆସି ଉଷାକୁ ପ୍ରଶଂସା କରିବାପରେ ରଘୁବଂଶ ପ୍ରତି “ଶୁଭ ସଂପାଦିନୀ” ହେବାକୁ ତାକୁ । କାମନା ପ୍ରକାଶ କରି ସ୍ନାନ ନିମନ୍ତେ ତମସାନଦୀକୁ ମୁନିକନ୍ୟାଙ୍କ ସହିତ ବାହାରିଲେ । ତମସା ସୀତାଙ୍କର ଆଗମନକୁ ଅପେକ୍ଷା କରି ରହିଥିଲା । ସୀତାଙ୍କର ଆଗମନ ଉଦ୍ଦେଶ୍ୟରେ ତମସା ପଥରେ ପୁଷ୍ପ ବିଛାଇ, ସୁବାସିତ ଜଳ ସିଞ୍ଚନକରି, ପ୍ରଭାତୀ ତାରା ରୂପକ ମଙ୍ଗଳ-ପ୍ରଦୀପ ଜାଳି ସୀତାଙ୍କର ଆଗମନକୁ ଉଦଗ୍ରୀବତାର ସହିତ ଅପେକ୍ଷା କରି ବାରମ୍ବାର ମୀନ-ନୟନରେ ଚାହିଁ ରହିଥିଲା । କୌଣସି ବିଶିଷ୍ଟ ଅତିଥି କୌଣସି ସ୍ଥାନକୁ ଶୁଭାଗମନ କଲେ ଯେଉଁ ରୀତିରେ ପଥ ପ୍ରସ୍ତୁତ କରାଯାଏ, ଏଠାରେ ତମସା ସୀତାଙ୍କ ଆଗମନ ଉଦ୍ଦେଶ୍ୟରେ ସେହି ରୀତି ଅନୁସରଣ କରିଥିଲା । ସୀତା ଯେତେବେଳେ ତମସାନଦୀର ଧାରରେ ସ୍ନାନ ଉଦ୍ଦେଶ୍ୟରେ ଉପନୀତା ହେଲେ, ସେତେବେଳେ ତମସା ଅତ୍ୟନ୍ତ ସ୍ନେହର ସହିତ ତରଙ୍ଗ ରୂପକ କର ସାହାଯ୍ୟରେ ତାଙ୍କୁ ଆଲିଙ୍ଗନ କରିଥିଲା ।

 

ସୀତା ଯେ ଦିନେ ତମସା ନିକଟକୁ ଆସିବେ, ଏ ବିଶ୍ୱାସ ତା ମନରେ ଆଦୌ ନ ଥିଲା ବୋଲି ସେ ପ୍ରକାଶ କରିଥିଲା । ସୀତାଙ୍କର ସ୍ସର୍ଶ ଲାଭକରି ତମସା ନିଜକୁ ଭାଗ୍ୟବତୀ ମନେ କରିବା ସଙ୍ଗେ ସଙ୍ଗେ ନିଜର ଅଙ୍ଗ ପବିତ୍ର ହେଲା ବୋଲି ପ୍ରକାଶ କରିଥିଲା । ତମସା ତାର ଜୀବନରେ କିପରି ଉଚ୍ଚ ଆଦର୍ଶ ରକ୍ଷାକରି ନିଜର କର୍ତ୍ତବ୍ୟ ସଂପାଦନ କରିଥିଲା, ସେ କଥା ସେ ସୀତାଙ୍କ ଆଗରେ ପ୍ରକାଶ କରିଥିଲା ।

“ବନେ ବନେ ଭ୍ରମି ଭ୍ରମି ଗଣ୍ଡ କୁହୁକେ ନ ଭ୍ରମି

ବହୁ ବାଧା ଅତିକ୍ରମି ସ୍ୱଚ୍ଛ ଜୀବନେ,

ଅନ୍ଧାର ଦୁଃଖ ନ ଗଣି ଆଲୋକ ସୁଖ ନ ମଣି

ଚାଲିଛି ଦୂର ସରଣୀ ନତ ବଦନେ,

ଜନମ କରୁଛି ସଫଳ

ତୋୟଦାନେ ତୋଷି ତୀରବାସୀ ସକଳ ।”

ଜଗତର ସବୁ ନଦୀ ଯେପରି ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥାଆନ୍ତି, ତମସା ସେହିପରି ଭାବରେ ତାର କର୍ତ୍ତବ୍ୟ ସମ୍ପାଦନ କରିଥିଲା; ମାତ୍ର ଜଗତରେ ସେ ଖ୍ୟାତିଲାଭରୁ ବଞ୍ଚିତ ଥିଲା । ମନ୍ଦାକିନୀ, ଗୋଦାବରୀ ପ୍ରଭୃତି ନଦୀମାନେ ତମସାଠାରୁ କୌଣସି ଗୁଣରେ ଉତ୍କୃଷ୍ଟତର ନୁହନ୍ତି; ମାତ୍ର ସେମାନେ ସୀତାଙ୍କର ପଦସ୍ପର୍ଶ ପାଇଥିବାରୁ ପବିତ୍ରିତ ହୋଇଥିଲେ । ତମସା ସୀତାଙ୍କ ଅଙ୍ଗର ସ୍ପର୍ଶ ପାଇବା ପରେ ସେହି ପବିତ୍ରତା ଲାଭକଲା ।

ବନଭୂମି ମଧ୍ୟ ଦେଇ ନଦୀଟିଏ ପ୍ରବାହିତ ହେଉଥିଲେ ତାହିଁରେ ବୃକ୍ଷଲତାରୁ ଝଡ଼ିପଡ଼ିଥିବା ଫୁଲଗୁଡ଼ିଏ ଭାସିଯିବା ନିତାନ୍ତ ସ୍ଵାଭାବିକ ଦୃଶ୍ୟ । ତମସାର ସ୍ରୋତରେ ସେହିପରି କେତେ ବୃକ୍ଷଲତାର ଫୁଲ ଭାସିଆସୁଥିବାର ବର୍ଣ୍ଣନା କବି ଦେଇଅଛନ୍ତି । ମାତ୍ର ଏହି ବର୍ଣ୍ଣନାର ସ୍ଵାତନ୍ତ୍ର୍ୟ ଅଛି । କବି ସତୀ ସୀତାଙ୍କର ମହନୀୟତା ପ୍ରଦର୍ଶନ କରିବା ତାଙ୍କର ସ୍ପର୍ଶଲାଭ କରିବାକୁ ଏହି ଫୁଲଗୁଡ଼ିକ କିପରି ବ୍ୟାକୁଳ, ଏକଥା ତମସା ମୁଖରେ ପ୍ରକାଶ କରି ଅଛନ୍ତି ।

 

“ପତିବ୍ରତା ଅଙ୍ଗେ ଲାଗି ପବିତ୍ର ହେବାର ଲାଗି

ବ୍ରତତୀ–ବାସ–ବିରାଗୀ ପ୍ରସୂନମାନ

ଦୂରୁଁ ଦୂରୁଁ ଝାସି ଝାସି ଧାଇଁଥିବେ ଭାସି ଭାସି

ଭ୍ରମୁଥିବେ ଆସି ଆସି ତୋ ସନ୍ନିଧାନ

ସ୍ନାନ ସମୟେ ମୋ ପୟରେ

ଦୟାମୟ ! ନ ପେଲିବୁ ତାଙ୍କୁ ପୟରେ ।”

 

ତମସାର ଏହି ଅନୁରୋଧ ସାମାନ୍ୟ ଅନୁରୋଧ ନୁହେଁ । ମନୁଷ୍ୟର ଯେପରି ପାପପୁଣ୍ୟରେ ବିଶ୍ୱାସ ଅଛି, ପ୍ରକୃତିର ସେହିପରି ପାପପୁଣ୍ୟରେ ବିଶ୍ଵାସ ଥିବାର କଥା କବି ଏଠାରେ ପ୍ରକାଶ କରିଅଛନ୍ତି । ପ୍ରକୃତି ଏଠାରେ କବିଙ୍କ ଲେଖନୀରେ କେବଳ ସକ୍ରିୟ ନୁହେଁ । ହିତାହିତ ଜ୍ଞାନ ଯେ ତାର ଅଛି, ଏକଥା କବି ଏଠାରେ ପ୍ରକାଶ କରିଅଛନ୍ତି ।

 

ବାଲ୍ମୀକି ମହର୍ଷି ସୀତାଙ୍କୁ ଉପଦେଶ ଦେଲେ ଯେ, ସେ ସ୍ଵହସ୍ତରେ କାନନର ବୃକ୍ଷଲତାମାନଙ୍କୁ ଜଳଦାନ ପୂର୍ବକ ସେମାନଙ୍କୁ ପାଳନ କଲେ, ତହିଁରୁ ବାତ୍ସଲ୍ୟ ମମତାର ସ୍ଵରୂପ ବିଷୟରେ ଜାଣିପାରିବେ । ବାଲ୍ମୀକି ମହର୍ଷିଙ୍କ ଆଦେଶ ଅନୁସାରେ ସୀତା କଳସୀ ହସ୍ତରେ ଉପଵନରେ ପ୍ରବେଶ କରିବା ସମୟରେ ବନଲକ୍ଷ୍ମୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲା ।

 

“ସ୍ଥଳ କମଳ ଆସନଦେଇ, ପ୍ରୀତି ସମ୍ଭାଷଣ

କଲା ଶାରିକା ଭାଷଣ ଛଳେ ମଧୁରେ,

ଶରଦ ସରସୀ ଜଳ ଫୁଟାଇ ନବ କମଳ

ଅଲିସ୍ୱନେ ଯଥା କଳହଂସ-ବଧୂରେ,

ବୋଇଲା “ପାହିଲା ସଜନୀ

ତୋ ପାଦ-ଅରୁଣେ ମୋର ଦେଖ-ରଜନୀ ।”

 

ବାଲ୍ମୀକି–ଆଶ୍ରମରେ ଉଷା ଯେପରି ସୀତାଙ୍କ ଦର୍ଶନ ନିମିତ୍ତ ହସ୍ତରେ ଉପହାର ଧରି ପ୍ରବେଶ କରି ସୀତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲା, ତମସା ଯେପରି ସୀତାଙ୍କୁ ଆଲିଙ୍ଗନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲା, ଏଠାରେ ସେହିପରି ବନଲକ୍ଷ୍ମୀ ସୀତାଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରିଅଛି । ସୀତାଙ୍କ ପବିତ୍ର ଚରଣପାତରେ ବନଲକ୍ଷ୍ମୀ ଉଲ୍ଲସିତ ହୋଇ ନିଜକୁ ଭାଗ୍ୟବତୀ ମନେ କରିଅଛି । ସୀତା ଉପବନରେ ବିଚରଣ କରିବା ସମୟରେ ବିଭିନ୍ନ ପୁଷ୍ପ, ବୃକ୍ଷଲତା, ପକ୍ଷୀଗଣ ସୀତାଙ୍କୁ ଦର୍ଶନ କରିବାପାଇଁ ଉଦ୍‍ଗ୍ରୀବ ହୋଇ ଉଠିଥିଲେ । କବି ଅତ୍ୟନ୍ତ ମନୋରମ ଭାବରେ ଏହା ବର୍ଣ୍ଣନା କରିଅଛନ୍ତି ।

 

“ସ୍ଥାନେ ସ୍ଥାନେ ଚନ୍ଦ୍ରକଳା କୋମଳ

ମନୋହର ବାଳତରୁ ସକାଳ

ବାଡ଼ ଉରପକୁ ମସ୍ତକ ଟେକି

ସତୀଙ୍କି ସତୃଷ୍ଣେ ଥାନ୍ତି ନିରେଖି

ପଇଲା ନାହିଁ ଯା ଶିର,

ବାଡ଼ ମଧ୍ୟେ ରହି ରନ୍ଧ୍ର ପଥେ ପଥେ

ଦର୍ଶନେ ହେଲେ ଅସ୍ଥିର ।

ଚାଞ୍ଚୀ ଫୁଲଚୁଇଁ ପାଦପ ବାଡ଼େ

ବସି ଚାହିଁଥାନ୍ତି ସତୀଙ୍କ ଆଡ଼େ

କରୁଥାନ୍ତି ଥରେ ଥରେ କାକଲି,

ମୁଦେ ଯାଉଥାଏ ଲାଙ୍ଗୁଳ ହଲି,

ସତୀ ଢାଳିଦେଲେ ପୟ,

ମନେ କରିଛନ୍ତିଳବାଳେ ବସି

ପିଇବେ ହୋଇ ନିର୍ଭୟ ।”

 

ପ୍ରକୃତିର ପରିବେଶ ମାନବ ଜୀବନର ଅତୀତ ସ୍ମୃତିକୁ ଅନେକ ସମୟରେ ଉଦ୍‍ଘାଟନ କରିଥାଏ । ଜୀବନର କୌଣସି ମଧୁମୟ ବା ବିଷାଦବୋଳା ସ୍ମୃତି ପ୍ରକୃତି ଜରିଆରେ ଆତ୍ମପ୍ରକାଶ କରିଥାଏ । ତପସ୍ୱିନୀ କାବ୍ୟରେ, ସୀତାଙ୍କ ଜୀବନରେ ଏକ ଚନ୍ଦ୍ରିକା-ସ୍ନାତ ରାଜନୀରେ ଅତୀତ କିପରି ଗୁମୁରି ଉଠିଥିଲା, ତାହା କବି ଷଷ୍ଠ ସର୍ଗରେ ବର୍ଣ୍ଣନା କରିଅଛନ୍ତି ।

 

“ଚିତ୍ରା ସହ ଶଶୀ ଦିନେ ଉଠିଲେ ଗଗନେ,

ବିକଶିତ ହେଲା ନବମାଳିକା ଗହନେ

ଧୀରେ ଧୀରେ ଆଶ୍ରମରେ ମଲ୍ଲୀ–ବଲ୍ଲୀଚୟ

ପ୍ରଫୁଲ୍ଲ କୁସୁମ–ପୁଞ୍ଜେ ହେଲେ ମୁଦମୟ ।

ମାଧବୀ ବକୁଳ ମଲ୍ଲୀ ନିଆଳୀ ସୁଗନ୍ଧ–

ଭାରେ ଗନ୍ଧବହ ଗତି କରି ମନ୍ଦ ମନ୍ଦ,

ତମସା–ପୁଲିନେ ସ୍ୱଚ୍ଛ ଚନ୍ଦ୍ରମା–କିରଣ

ଆଲିଙ୍ଗି ସ୍ଵଚ୍ଛନ୍ଦେ କରୁଥିଲା ବିଚରଣ ।

ଜାନକୀ କୁଟୀର ପାଶେ ବିବିଧ ଆକାରେ

ଖଣ୍ଡ ଖଣ୍ଡ ଚନ୍ଦ୍ରକର ପାଦପ ଛାୟାରେ ।

ଧୀରେ ଧୀରେ ପୂର୍ବଦିଗେ ହୋଇ ଅଗ୍ରସର

ହ୍ରାସ, ବୃଦ୍ଧି ଲେପ କରୁଥିଲେ କଳେବର ।

କୁଟୀରୁ ଅଳପ ଦୂରେ ଶୀତ ଭାନୁକରେ

ବସିଥାନ୍ତି ବଇଦେହୀ ସଜନୀ ସଙ୍ଗରେ ।”

 

ଏହିପରି ଏକ ପ୍ରାକୃତିକ ପରିବେଶରେ ଯେତେବେଳେ ଜାନକୀ କୁଟୀରର ଅଳ୍ପ ଦୂରରେ ସଖୀ ସହିତ ବସି ଚନ୍ଦ୍ର କିରଣ- ସ୍ନାତ ରଜନୀର ରୂପବିଭବ ସନ୍ଦର୍ଶନ କରୁଥିଲେ, ଠିକ୍ ସେତିକିବେଳେ ଅଦୂରରେ ଚକ୍ରବାକର ସ୍ୱନ ଶୁଭିଲା । ସେ ସ୍ୱନ ଶ୍ରବଣ କରି ସୀତା ନିଜର ପଣତ କାନିରେ ଆଖିରୁ ବହି ଆସୁଥିବା ଲୁହ ପୋଛିବାକୁ ଲାଗିଲେ । ଏପରି ମନୋରମ ପ୍ରାକୃତିକ ପରିବେଶରେ ଚକ୍ରବାକର ସ୍ଵନ ଶ୍ରବଣ କରି ସୀତା ଦୁଃଖରେ ଲୋତକପାତ କରିବାର କାରଣ କବି ବର୍ଣ୍ଣନା କରିଅଛନ୍ତି । ଏହିପରି ଚନ୍ଦ୍ରିକାସ୍ନାତ ରଜନୀରେ ଥରେ ରାମଚନ୍ଦ୍ର ସୀତାଙ୍କ ସହିତ ବନବିହାର କରିବା ସମୟରେ ଚକ୍ରବାକର ସ୍ଵନ ଶ୍ରବଣ କରି ସୀତାଙ୍କୁ ହଠାତ୍ ଚୁମ୍ବଦାନ କରିଥିଲେ-। ସୀତା ଏହାର କାରଣ ପ୍ରଶ୍ନ କରନ୍ତେ ରାମଚନ୍ଦ୍ର ଉତ୍ତର ଦେଇଥିଲେ ଯେ, ଚକ୍ରବାକ ବିରହ ଦୁଃଖରେ କାତର ହୋଇ ଏପରି କ୍ରନ୍ଦନ କରୁଅଛି । ସୀତା ଯେବେ ତାଙ୍କ ନିକଟରେ ନ ଥାନ୍ତେ, ତାହାହେଲେ ସେ ମଧ୍ୟ ଚକ୍ରବାକ ପରି ବିରହରେ କାତର ହୋଇ ପଡ଼ିଥାଆନ୍ତେ-। ତା’ପରେ ରାମଚନ୍ଦ୍ର କାନ୍ତା ଏବଂ କାନ୍ତଙ୍କର ସମ୍ପର୍କ ବିଷୟରେ ସୀତାଙ୍କୁ ଅବହିତ କରାଇଥିଲେ-। ସେହି ସ୍ମୃତି ସୀତାଙ୍କର ମାନସ ରାଜ୍ୟକୁ ଆନ୍ଦୋଳିତ କରିଦେବାରୁ ସୀତା ଅଶ୍ରୁ ବିସର୍ଜନ କରିଥିଲେ-। ଚକ୍ରବାକର ସ୍ଵନ ଶ୍ରବଣ କରି ସୀତା ଅତୀତ ଜୀବନର ସ୍ମୃତି ବର୍ଣ୍ଣନା କରିବା ଅବକାଶରେ ଅତୀତ ଜୀବନର ସମସ୍ତ ଘଟଣା ବର୍ଣ୍ଣନା କରିଅଛନ୍ତି ।

 

ତପସ୍ଵିନୀ କାବ୍ୟର ଅଷ୍ଟମ ସର୍ଗରେ କବି ଗ୍ରୀଷ୍ମଋତୁର ଆଗମନ ସମୟର ପ୍ରକୃତି ବର୍ଣ୍ଣନା କରିଅଛନ୍ତି । ଏହି ବର୍ଣ୍ଣନାରେ କେବଳ ପ୍ରକୃତିର ଚିତ୍ର ପ୍ରକାଶିତ ହୋଇଅଛି । କବିବର ରାଧାନାଥ ରାୟ ତୁଳସୀ ରାମାୟଣର କେତେକ ସୂକ୍ତି ଅନୁବାଦ କରି ତୁଳସୀ ସ୍ତବକ ନାମରେ ପ୍ରକାଶ କରିଥିଲେ । ତୁଳସୀ ସ୍ତବକରେ ଯେପରି ଭାବରେ ପ୍ରକୃତି ବର୍ଣ୍ଣିତ ହୋଇଅଛି, ଗଙ୍ଗାଧରଙ୍କର ଏହି ପ୍ରକୃତି ବର୍ଣ୍ଣନା ପ୍ରାୟ ସେହିପରି । ରାଧାନାଥ ତୁଳସୀ ସ୍ତବକରେ କେବଳ ବର୍ଷା ଓ ଶରତଋତୁର ବର୍ଣ୍ଣନା କରିଅଛନ୍ତି; ମାତ୍ର ଗଙ୍ଗାଧର ଏଠାରେ ଗ୍ରୀଷ୍ମଋତୁ ବିଷୟ ବର୍ଣ୍ଣନା କରିଅଛନ୍ତି ।

 

“ସୁଖ-ବିଷୟ-ଭୋଗ ତୃଷ୍ଣାର ପରି

ସଞ୍ଚାର କଲା ମୃଗ-ତୃଷ୍ଣା ସୁନ୍ଦରୀ;

ତୂଳା ଉଡ଼ିଲା ତେଜି ଶାଳ୍ମଳୀ ତରୁ

କୃପଣ ଧନ କାଳେ ଉଡ଼େ ଖାତରୁ ।

ପଲାଶ ଅଙ୍ଗେ ନାହିଁ ପୂର୍ବ ସୁରଙ୍ଗ,

ଅନିତ୍ୟ ଏହିପରି ଭବ-ପ୍ରସଙ୍ଗ ।

ତାପେ ଅଧିକତର ମଲ୍ଲୀ ଫୁଟିଲା,

ଅଧିକ ବାସ ତାର ଅଙ୍ଗୁ ଛୁଟିଲା ।

ସାଧୁ-ହୃଦୟ ତାପେ ହୁଏ ଅଟଳ,

ବରଞ୍ଚ ହୁଏ ଶାନ୍ତି-ଯଶ ପ୍ରବଳ ।

କୁଟଜ ଅନାଇଲା ତାକୁ ହରଷେ,

ସାଧବ ପାଇ ସାଧୁ ଅବଶ୍ୟ ରସେ ।”

 

ଗଙ୍ଗାଧରଙ୍କର ଉପରୋକ୍ତ ବର୍ଣ୍ଣନା–ରୀତି କିପରି ରାଧାନାଥଙ୍କ ରୀତିକୁ ଅନୁସରଣ କରିଅଛି, ତାହା ତୁଳସୀ ସ୍ତବକର ବର୍ଷାଋତୁର ବର୍ଣ୍ଣନାରୁ ପ୍ରତିଭାତ ହୁଏ । କବିବର ରାଧାନାଥ ଲେଖିଛନ୍ତି–

 

“ସହନ୍ତି ଧାରାପାତ ଶଇଳଗଣ,

ଖଳ ବଚନ ଯଥା ସହେ ସୁଜନ ।

ଫିଟିଛି ଝର, ଦେଖ ଟାଙ୍ଗର ଅଙ୍ଗେ

ପାଷଣ୍ଡେ ହରିପ୍ରେମ ଯଥା ସୁସଙ୍ଗେ ।

ଚାଲନ୍ତି କୁଳ ଲଙ୍ଘି ଗିରି ସରିତେ,

ମତ୍ତ ପାମର ଯଥା ଅଳପ ବିତ୍ତେ ।

ଗୋଦାବରୀକି ସର୍ବେ କରନ୍ତି ଗତି,

ମହତ ଆଶ୍ରା ବିନୁ କାହିଁ ମୁକତି ?

ଆବିଳ ନବଜଳ ପରଶି ମହୀ,

ମାୟାରେ ଜୀବ ଯଥା ଜଡ଼ି ହୁଅଇ ।

ନିରତେ ନୀର–ପାତେ ପୂରିଲା ସର,

ସାତ୍ତ୍ଵିକ ଗୁଣେ ଯଥା ସାଧୁ ଅନ୍ତର ।”

 

ଅଷ୍ଟମ ସର୍ଗରେ ସୀତାଙ୍କର ଚିନ୍ତା–ରାଜ୍ୟରେ ଚିତ୍ରକୂଟ, ମହାନଦୀ, ଗୋଦାବରୀ, ଦଣ୍ଡକାରଣ୍ୟ ଓ ଅଯୋଧ୍ୟା ଯଥାକ୍ରମରେ ଦେଖା ଦେଇଅଛନ୍ତି । କବି ଏ ସ୍ଥଳରେ ଏହି ପର୍ବତ, ନଦୀ, ଅରଣ୍ୟ ଓ ନଗରୀର ବର୍ଣ୍ଣନା କରିଅଛନ୍ତି । କବିଙ୍କର ପ୍ରକୃତି ବର୍ଣ୍ଣନା ଏଠାରେ ଅତ୍ୟନ୍ତ ହୃଦ୍ୟ ହୋଇଅଛି । ସୀତାଙ୍କ ସହିତ ଏମାନଙ୍କର ଅତୀତ ଜୀବନର ସ୍ମୃତି ବର୍ଣ୍ଣିତ ହୋଇଅଛି ଏବଂ ସୀତାଙ୍କ ବିରହରେ ଏମାନଙ୍କର ଦୁର୍ଦ୍ଦଶାର ଚିତ୍ର ଅଙ୍କିତ ହୋଇଅଛି ।

 

ବର୍ଷାକାଳରେ ଚିତ୍ରକୂଟରେ ଯେତେବେଳେ ବର୍ଷା ଆସେ, ସେତେବେଳେ ପର୍ବତ ଉପରେ ମେଘଖଣ୍ଡ ଭାସିବୁଲେ ଓ ବିଜୁଳିର ଚମକରେ ପର୍ବତର ଗୁମ୍ଫାମାନ ଆଲୋକିତ ହୋଇଯାଏ । କବି ଏହି ସାଧାରଣ ଦୃଶ୍ୟକୁ ବର୍ଣ୍ଣନା କରିଅଛନ୍ତି–

 

“ତୁମ୍ଭ ଦର୍ଶନଆଶା ରଖି ଅଟଳ

ଥରକୁ ଥର ଆସି ମେଘପଟଳ

ଲୋଡ଼ନ୍ତି ଭ୍ରମି ଭ୍ରମି ଦରୀକି ଦରୀ,

କାହିଁ ଅଛନ୍ତି ବୋଲି ସୀତାସୁନ୍ଦରୀ ।

ପୁଚ୍ଛନ୍ତି ମୋତେ ମନ୍ଦ୍ର–ଗମ୍ଭୀର ସ୍ୱରେ,

ମାନନ୍ତି ନାହିଁ କେବେ ‘ନାହିଁ’ ଉତ୍ତରେ ।

ଖୋଜନ୍ତି ପୁଣି ଶମ୍ପା–ଆଲୋକ ଧରି,

ନିଶ୍ଚୟ ଅଛି ବୋଲି ସୀତାସୁନ୍ଦରୀ ।”

 

ମହାନଦୀ ସୀତାଙ୍କର ସ୍ପର୍ଶ ପାଇ କିପରି ଧନ୍ୟା ହୋଇଅଛି, ସେ କଥା କବି ମହାନଦୀର ମୁଖରେ ପ୍ରକାଶ କରିଅଛନ୍ତି ।

 

“ତୋ ଶୁଭ ଦୃଷ୍ଟିପାତ ଲଭିଲା ଯେଣୁ,

ମୋ ବାଲି ହୋଇଅଛି ସୁବର୍ଣ୍ଣରେଣୁ ।

କ୍ରୀଡ଼ାରେ ରଞ୍ଜିବାବୁ ତୋ ଦିବ୍ୟ ନେତ୍ର,

ମୋ ଉର କରିଦେଲୁ ହୀରକ କ୍ଷେତ୍ର ।

ଥାଉଁ ଗିରୀନ୍ଦ୍ର–ସୁତା ଶ୍ରୀ ବିଷ୍ଣୁପଦୀ

ତୋ ଦତ୍ତ ଉପାଧିରେ ମୁଁ ‘ମହାନଦୀ’

 

ମହାନଦୀର ବାଲିରେ ସ୍ୱର୍ଣ୍ଣରେଣୁ ମିଳେ ଏବଂ ଏହାକୁ ଲୋକମାନେ ସଂଗ୍ରହ କରନ୍ତି ବୋଲି ଶୁଣାଯାଏ । ଏହି ବିଷୟକୁ ଗଙ୍ଗାଧର ଲେଖିଅଛନ୍ତି ଯେ, ମହାନଦୀର ବାଲୁକାରାଶି ଉପରେ ସୀତାଙ୍କର ଦୃଷ୍ଟି ପଡ଼ିବାରୁ ତାହା ସୁବର୍ଣ୍ଣ ରେଣୁରେ ପରିଣତ ହୋଇଅଛି । ସମ୍ବଲପୁର ନିକଟରେ ମହାନଦୀ ଗର୍ଭରେ ହୀରାକୁଦ ନାମକ ଗୋଟିଏ କୁଦ ଅଛି । ସେଠାରେ ହୀରାଖଣ୍ଡ ମିଳିଥାଏ ବୋଲି ତାହାର ଏପରି ନାମକରଣ ହୋଇଅଛି ବୋଲି ଶୁଣାଯାଏ । ମାତ୍ର ଗଙ୍ଗାଧର ବର୍ଣ୍ଣନା କରିଅଛନ୍ତି ଯେ, ମହାନଦୀର ବକ୍ଷ ସୀତାଙ୍କର ଦିବ୍ୟଚକ୍ଷୁକୁ ଆକର୍ଷଣ କରିବା ଫଳରେ ତାର ବକ୍ଷ ହୀରକକ୍ଷେତ୍ରରେ ପରିଣତ ହୋଇଅଛି । କବିଙ୍କର କଳ୍ପନାଶକ୍ତି ଏଠାରେ ସ୍ଥାନୀୟ ପ୍ରସିଦ୍ଧିର ଅନୁସରଣ କରିଅଛି ।

 

ସୀତା ଦଣ୍ଡକାରଣ୍ୟ ତ୍ୟାଗ କଲାପରେ ଦଣ୍ଡକାରଣ୍ୟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଅଛି । ଗୋଦାବରୀ ସୀତାଙ୍କ ସମ୍ମୁଖରେ ଦଣ୍ଡକାରଣ୍ୟର ଏହି ଦୂରବସ୍ଥା ବର୍ଣ୍ଣନା କରିଅଛି । ସୀତା ଏଥିରେ ଅତ୍ୟନ୍ତ ଦୁଃଖିତା ହୋଇଅଛନ୍ତି । ଅଯୋଧ୍ୟାର ସ୍ମୃତି ସୀତାଙ୍କ ହୃଦୟକୁ ଆନ୍ଦୋଳିତ କରିପକାଇ ଅଛି । ସୀତା ଅଯୋଧ୍ୟାରୁ ଚାଲିଆସିବା ପରେ ଅଯୋଧ୍ୟାର ଅବସ୍ଥା ବିଷୟରେ କବି ଲେଖିଅଛନ୍ତି–

 

“ରାଜଭବନ ଆଜି ହୋଇଛି ବନ

ତୋହ ବିରହେ ତହିଁ ଦାବ-ଦହନ ।

ପ୍ରବେଶି ସବୁ କରିଦେଇଛି ନାଶ,

ଅଛି କି ଆଉ ପୂର୍ବ-ଶୋଭା-ବିଳାସ ?

ପୋଡ଼ିଛି ସମୁଲ୍ଲାସ ପଲ୍ଲବମୟ

ବିଶାଳ ସାଧୁ ହୃଦ-ପାଦପଚୟ ।

ସୁହାସ-ସୁବାସିତ କୁସୁମ-ବଂଶ

ଆହା, ସହଜେ ତହିଁ ହୋଇଛି ଧ୍ଵଂସ ।

ଶାନ୍ତି-ହରିଣୀ ଯୂଥ ଧଇର୍ଯ୍ୟ-କରୀ,

ବିଷାଦ-ଧୂମେ ପ୍ରାଣ ଅସ୍ଥିର କରି ।

ତିତିକ୍ଷା ସରିତର ଉଦରେ ଯାଇ

ଆକଣ୍ଠ ଦେଇଛନ୍ତି ତନୁ ମଜ୍ଜାଇ ।”

 

କବି ଗଙ୍ଗାଧର ପ୍ରକୃତିର ମନୋହାରିତା ଯେପରି ଦକ୍ଷତାର ସହିତ ପ୍ରଦର୍ଶନ କରିଅଛନ୍ତି, ପ୍ରକୃତିର ଶୋଚନୀୟତା ସେହିପରି ଦକ୍ଷତାର ସହିତ ପ୍ରଦର୍ଶନ କରିଅଛନ୍ତି । ସୀତାଙ୍କ ଉପସ୍ଥିତିରେ ବାଲ୍ମୀକି–ଆଶ୍ରମର ତପୋବନର ଶିରୀ ଯେପରି ଭାବରେ କମନୀୟ ହୋଇଉଠିଛି, ସୀତାଙ୍କର ଅନୁପସ୍ଥିତିରେ ଅଯୋଧ୍ୟାର ରାଜୋଦ୍ୟାନ ସେହିପରି ଶ୍ରୀହୀନ ହୋଇପଡ଼ିଛି । ସୁଖରେ ପ୍ରକୃତି ଯେପରି ଉଲ୍ଲସିତ ହୁଏ, ଦୁଃଖରେ ପ୍ରକୃତି ସେହିପରି ବିମର୍ଷ ହୋଇପଡ଼େ । ପ୍ରକୃତିର ଏ ପ୍ରକାର ବର୍ଣ୍ଣନା ଆଧୁନିକ ଓଡ଼ିଆ ସାହିତ୍ୟରେ ବହୁସ୍ଥାନରେ ପରିଦୃଷ୍ଟ ହୋଇଥାଏ ।

 

ସମୟର ଗୁରୁତ୍ଵ ଉପଲବ୍‍ଧି କରି ପ୍ରକୃତି ମନୁଷ୍ୟକୁ ବହୁ ମହତ୍ ଶିକ୍ଷା ପ୍ରଦାନ କରିଥାଏ । ସୀତା ଯେତେବେଳେ ଲୋକ ଅପବାଦ ହେତୁ ନିର୍ବାସିତା ଅବସ୍ଥାରେ ବାଲ୍ମୀକି–ଆଶ୍ରମରେ ତପସ୍ଵିନୀ ଜୀବନ ଅତିବାହିତ କରୁଥିଲେ, ସେତେବେଳେ ତାଙ୍କ ମନ ମଧ୍ୟରେ ବିଷାଦଭାବ ପୂରି ରହିଥିଲା । ସୀତାଙ୍କ ମନରୁ ଏହି ବିଷାଦ ଭାବ ଦୂର କରିବା ନିମନ୍ତେ କବି କେତକୀର ଆଦର୍ଶ ବର୍ଣ୍ଣନା କରି ଅଛନ୍ତି । କେତକୀ ସୀତାଙ୍କ ନିକଟରେ ନିଜ ଜୀବନର ଆଦର୍ଶ ପ୍ରକାଶ କରିଅଛି ।

 

“କଣ୍ଟକ ବନେ ମୁଁ ନିଜେ କଣ୍ଟକିତ,

ବାସ ଯୋଗୁଁ ହୁଏ ଭୁବନ–ପୂଜିତ ।

ତାପସୀ ଗହନେ ହୋଇ ତପସ୍ଵିନୀ,

ଲୋକପୂଜନୀୟା ହେବୁ ମନସ୍ଵିନୀ ।

କି କରିବ ଲୋକ–ଲୋଚନ–ଦୂଷଣ,

ନିଜ ଗୁଣ ଯେବେ ସ୍ୱର୍ଗୀୟ ଭୂଷଣ ।

କଣ୍ଟା ଦେଖି ଅଳି ନ କଲେ ଶରଧା,

ମୁଁ ନିକି ଛାଡ଼ିବି ସୌରଭ ସ୍ପରଧା ?”

 

କେତକୀର ଏହି ଆଦର୍ଶ ସୀତାଙ୍କୁ ମହତ୍‍ଶିକ୍ଷା ପ୍ରଦାନ କରିଅଛି । ସୀତା ଏଥିରୁ ବୁଝିପାରିଲେ ଯେ, ସାଧୁ କୌଣସି କାଳରେ ଅବଜ୍ଞାର ପାତ୍ର ନୁହେଁ । ଲୋକାପବାଦର କୌଣସି ମୂଲ୍ୟ ନାହିଁ ।

 

ସୀତାଙ୍କର ବିସର୍ଜନରେ ବ୍ୟଥିତ ହୋଇ ଯେଉଁ ପ୍ରକୃତି ନିୟତି ବିରୁଦ୍ଧରେ ସଂଗ୍ରାମ କରୁଥିଲା, ସେହି ପ୍ରକୃତି ଲବକୁଶଙ୍କର ଜନ୍ମଦିବସରେ ସୀତାଙ୍କର କଷ୍ଟରେ ଆର୍ତ୍ତସ୍ୱରରେ କ୍ରନ୍ଦନ କରିଥିଲା । ଲବକୁଶ ଜନ୍ମହେବା ପରେ ପ୍ରକୃତି ଆନନ୍ଦରେ ଉଲ୍ଲସିତ ହୋଇଉଠିଲା ।

 

“କୁମାରଙ୍କ ତେଜ ବିଦ୍ୟୁତ ସହିତ

ମିଶି ଦଶଦିଗ କଲା ଆଲୋକିତ ।

ହରଷେ ବାସବ କଲେ ତୋପଧ୍ୱନି,

ନ ଜାଣିଲା ଲୋକ ବୋଇଲେ ଅଶନି ।

ଦିଗଙ୍ଗନାଙ୍କର ହୁଳହୁଳି ସଙ୍ଗେ

ଘନ ଘଡ଼ଘଡ଼ି ମିଶିଗଲା ରଙ୍ଗେ ।

ଗିରି ବନ ହେଲେ କୁସୁମ-ବରଷୀ

ନାଚିଲେ କେଦାର, ସରିତ, ସରସୀ ।

ସତୀ-କୁମାରଙ୍କ ଦର୍ଶନ ଲୋଲୁପ

ଜୀମୂତେ ଖସିଲେ ଧରି ଧାରାରୂପ ।

ଦରଶନ-ଲୁବ୍ଧ-ହୃଦ ଉଦବେଗ

କୂଳକୁ ଉଠିଲେ ନଦୀକୂଳ ବେଗେ ।

ସାଗର ବରଜି ପୃଥୁରୋମାଗଣ

ନଦୀ ସଙ୍ଗେ ହେଲେ ନୃତ୍ୟପରାୟଣ ।

ହ୍ରଦ-ସରୋବର-କ୍ଷେତ୍ର-ଜଳ-ପୃଷ୍ଠେ

ଉଠି ମୀନଗଣ ନୃତ୍ୟ କଲେ ହୃଷ୍ଟେ ।”

 

ମନୁଷ୍ୟର ସୁଖରେ ପ୍ରକୃତି ସୁଖ ପ୍ରକାଶ କରିଅଛି, ଦୁଃଖରେ ପ୍ରକୃତି ଦୁଃଖ ପ୍ରକାଶ କରିଅଛି । ମନୁଷ୍ୟର ସୁଖ ଦୁଃଖରେ ପ୍ରକୃତିର ସମଭାଗ ବହନ କରିବାର ଚିତ୍ର ଆଧୁନିକ ଓଡ଼ିଆ ସାହିତ୍ୟରେ ପ୍ରାଞ୍ଜଳ ଭାବରେ ପ୍ରକାଶ ପାଇଅଛି । କବିବର ରାଧାନାଥ ଆଧୁନିକ ଓଡ଼ିଆ ସାହିତ୍ୟରେ ଏହି ରୀତି ପ୍ରଦର୍ଶନ କରିବା ପରେ ତାଙ୍କର ସମସାମୟିକ ତଥା ପରବର୍ତ୍ତୀ କବିଗଣ ଏହି ରୀତିର ପ୍ରଦର୍ଶନ କରିବା ପରେ ତାଙ୍କର ସମସାମୟିକ ତଥା ପରବର୍ତ୍ତୀ କବିଗଣ ଏହ ରୀତିରେ ଅନୁସରଣ କରିଅଛନ୍ତି ।

 

ଆଧୁନିକ ଯୁଗର କବିର ଚକ୍ଷୁରେ ସ୍ୱଦେଶର ବନଗିରି ନଦନଦୀ ଅତ୍ୟନ୍ତ ଉଚ୍ଚସ୍ଥାନ ଅଧିକାର କରିଅଛନ୍ତି । ଆଧୁନିକ କବି ନିଜର ସ୍ୱଦେଶବତ୍ସଳତା ନିଜ ଦେଶର ବନଗିରି ନଦନଦୀର ପ୍ରକୃତି ବର୍ଣ୍ଣନାରେ ପ୍ରକାଶ କରିଅଛି । କବି ଗଙ୍ଗାଧର ଏହି ରୀତିକୁ ରକ୍ଷା କରିବାକୁ ଯତ୍‍ପରୋନାସ୍ତ ଚେଷ୍ଟା କରିଅଛନ୍ତି । ତପସ୍ୱିନୀ କାବ୍ୟରେ ଉତ୍କଳ–ପ୍ରକୃତିକୁ ପ୍ରକୃଷ୍ଠ ରୂପରେ ପ୍ରକାଶ କରିବାର ସୁଯୋଗ ନ ଥିଲେ ହେଁ କବି ପ୍ରସଙ୍ଗୋଚିତ ଭାବରେ ଉତ୍କଳପ୍ରକୃତିକୁ ତାଙ୍କ କାବ୍ୟରେ ସ୍ଥାନ ଦେଇଅଛନ୍ତି । ସୀତା ଯେତେବେଳେ ଦୁଃଖରେ କାନ୍ଦୁଥିଲେ, ସେତେବେଳେ କବି ପ୍ରସଙ୍ଗ ଅନୁସାରେ ମହାନଦୀ, ଇବ, ତେଲ ପ୍ରଭୃତି ନଦୀର କଥା ଉଲ୍ଲେଖ କରିଅଛନ୍ତି । ସୀତାଙ୍କ ଚିନ୍ତା ରାଜ୍ୟରେ ମହାନଦୀକୁ ସ୍ଥାନ ଦେଇ କବି ମଧ୍ୟ ଏହି ରୀତି ପ୍ରଦର୍ଶନ କରିଅଛନ୍ତି ।

 

ପ୍ରକୃତି ଚିତ୍ରଣ କରିବାରେ ଗଙ୍ଗାଧର ମେହେର ଯେ ନିଜର ସିଦ୍ଧହସ୍ତତା ପ୍ରଦର୍ଶନ କରିଅଛନ୍ତି, ଏକଥା ତପସ୍ୱିନୀର ପାଠକ ମୁକ୍ତକଣ୍ଠରେ ସ୍ୱୀକାର କରିବାର କଥା । ପ୍ରକୃତି ସହିତ ଗଙ୍ଗାଧରଙ୍କର ନିବିଡ଼ ସଂପର୍କ ଓ ପରିଚିତ ତାଙ୍କର କବି ହୃଦୟର ପ୍ରକୃଷ୍ଠ ପରିଚୟ ପ୍ରଦାନ କରେ ।

★★★

 

Unknown

ତପସ୍ୱିନୀରେ କବିଙ୍କର ସୌନ୍ଦର୍ଯ୍ୟପ୍ରିୟତା

 

କବି ଗଙ୍ଗାଧର ମେହେରଙ୍କର ସୌନ୍ଦର୍ଯ୍ୟପ୍ରିୟତାର ବହୁ ପ୍ରମାଣ ତପସ୍ୱିନୀ କାବ୍ୟରେ ମିଳିଅଛି । ଉପମା, ଉତ୍‍ପ୍ରେକ୍ଷାଦି ପ୍ରୟୋଗ ବ୍ୟତୀତ ପ୍ରକୃତି ବର୍ଣ୍ଣନାରେ ତାଙ୍କର ସୌନ୍ଦର୍ଯ୍ୟବାଦୀ ଦୃଷ୍ଟିକୋଣର ଯଥାର୍ଥ ପରିଚୟ ମିଳିଅଛି । କେବଳ ତପସ୍ୱିନୀ ନୁହେଁ, ତାଙ୍କର ଯେ କୌଣସି କାବ୍ୟରେ ଏହା ଦେଖିବାକୁ ମିଳେ ।

 

କବିବର ରାଧାନାଥ ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟରେ ତାଙ୍କର ସୌନ୍ଦର୍ଯ୍ୟପ୍ରିୟତାର ନିଦର୍ଶନ ଦେଖାଇ ଯାଇଅଛନ୍ତି । ରାଧାନାଥଙ୍କର ସାହିତ୍ୟରେ ଉତ୍କଳ–ପ୍ରକୃତିର ବାସ୍ତବ ଚିତ୍ର ଯେପରି ଭାବରେ ଅଙ୍କିତ ହୋଇଅଛି, ତହିଁରୁ ତାଙ୍କର ସୌନ୍ଦର୍ଯ୍ୟ ଲିପ୍‍ସାର ପରିଚୟ ମିଳିଥାଏ । ଚିଲିକା କାବ୍ୟରେ କବିବର ରାଧାନାଥ ଯେପରି ଭାବରେ ପ୍ରକୃତିରେ ଚିତ୍ର ଅଙ୍କନ କରିଅଛନ୍ତି, ତାହା ଏକାନ୍ତ ଅନବଦ୍ୟ । କାବ୍ୟର ପ୍ରସଙ୍ଗ ଅନୁସାରେ ରାଧାନାଥ ନାୟକ ଅଥବା ନାୟିକାର ସୌନ୍ଦର୍ଯ୍ୟ ବର୍ଣ୍ଣନାରେ ପରାକାଷ୍ଠା ପ୍ରଦର୍ଶନ କରି ଅଛନ୍ତି । ଉଷାର ସୌନ୍ଦର୍ଯ୍ୟ ବା ଚନ୍ଦ୍ରଭାଗାର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବାକୁ ଯାଇ ରାଧାନାଥ ଯେଉଁ ସଂକ୍ଷିପ୍ତ ରୀତିରେ ବର୍ଣ୍ଣନାକୁ ସୀମିତ କରିଅଛନ୍ତି, ତାହା ନିତାନ୍ତ ହୃଦ୍ୟ ହୋଇଅଛି । ରାଧାନାଥଙ୍କର ଏ ପ୍ରକାର ବର୍ଣ୍ଣନା ମଧ୍ୟଯୁଗୀୟ ସୌନ୍ଦର୍ଯ୍ୟ ବର୍ଣ୍ଣନା ରୀତିଠାରୁ ସଂପୂର୍ଣ୍ଣ ପୃଥକ । ରାଧାନାଥଙ୍କର ଏହି ପ୍ରଭାବ ଆଧୁନିକ ଯୁଗର କବିମାନଙ୍କ ଉପରେ ବିଶେଷ ଭାବରେ ଲକ୍ଷଣୀୟ ।

 

ଗଙ୍ଗାଧର ମେହେର ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟରେ ସୌନ୍ଦର୍ଯ୍ୟ ବର୍ଣ୍ଣନା ନିମିତ୍ତ ରାଧାନାଥଙ୍କର ରୀତିକୁ ଯେ ଅନୁସରଣ କରିଅଛନ୍ତି, କହିବା ବାହୁଲ୍ୟ ମାତ୍ର । କୀଚକ ବଧରେ ସୈରିନ୍ଧ୍ରୀ ବା ତପସ୍ୱିନୀରେ ସୀତା ଯେପରି ଭାବରେ ବର୍ଣ୍ଣିତ, ତାହା ଲକ୍ଷ କରିବାର କଥା । ଗଙ୍ଗାଧର ଉତ୍କଳଲକ୍ଷ୍ମୀରେ ପ୍ରାକୃତିକ ସୌନ୍ଦର୍ଯ୍ୟର ପରାକାଷ୍ଠା ପ୍ରଦର୍ଶନ କରିବାକୁ ଯାଇ ପ୍ରସଙ୍ଗ କ୍ରମରେ ଦେବଦେବୀମାନଙ୍କର ଯେଉଁ ସୌନ୍ଦର୍ଯ୍ୟ ବର୍ଣ୍ଣନା କରିଅଛନ୍ତି, ତାହା ତାଙ୍କର ଆଧୁନିକ ମତବାଦର ପରିଚୟ ପ୍ରଦାନ କରେ । ଇନ୍ଦୁମତୀ କାବ୍ୟରେ କବିଙ୍କର ସୌନ୍ଦର୍ଯ୍ୟପ୍ରିୟତାର କମ୍ ପରିଚୟ ମିଳିନାହିଁ । କବି ଗଙ୍ଗାଧର ପ୍ରାଚୀନ ଓଡ଼ିଆ ସାହିତ୍ୟ ଓ ସଂସ୍କୃତ ସାହିତ୍ୟରେ ବିଶେଷ ପାରଦର୍ଶୀ ଥିଲେ । ସଂସ୍କୃତ ସାହିତ୍ୟର ଆଦର୍ଶ ତାଙ୍କୁ ପ୍ରଭାବିତ କରିଥିଲେହେଁ ସଂସ୍କୃତ ସାହିତ୍ୟ ରଚନାର ଆଦର୍ଶ ତାଙ୍କୁ ପ୍ରଭାବିତ କରି ପାରିନାହିଁ । ପ୍ରାଚୀନର ପୃଷ୍ଠଭୂମିରେ ସେ ନିର୍ମାଣ କରିଅଛନ୍ତି ଆଧୁନିକ ସାହିତ୍ୟ–ପ୍ରାସାଦ ।

 

ତପସ୍ୱିନୀ କାବ୍ୟର ପ୍ରାରମ୍ଭରେ କବି ସରସ୍ୱତୀଙ୍କର ବନ୍ଦନା କରି କାବ୍ୟ ରଚନା ନିମିତ୍ତ ତାଙ୍କର କୃପାଭିକ୍ଷା କରିଅଛନ୍ତି । ଏହି ବନ୍ଦନାରେ କବି ସରସ୍ୱତୀଙ୍କର ବର୍ଣ୍ଣନା କରିଅଛନ୍ତି । ଏହି ରୂପବର୍ଣ୍ଣନାରେ କବିଙ୍କର ବିଶେଷ ପାରଦର୍ଶିତା ପରିଲକ୍ଷିତ ହୋଇନାହିଁ । ସରସ୍ଵତୀ ବହୁ ଭାରତୀୟ ପ୍ରସିଦ୍ଧ କବିଙ୍କର ଲେଖନୀରେ ରୂପ ଗ୍ରହଣ କରିଅଛନ୍ତି । ବିଶେଷତଃ କବି କାଳିଦାସଙ୍କର ଲେଖନୀ ଯେପରି ଭାବରେ ସରସ୍ଵତୀଙ୍କର ଚିତ୍ର ଅଙ୍କନ କରିବାରେ ସମର୍ଥ ହୋଇଥିଲା, ତାହା ସର୍ବଜନବିଦିତ । କବି ଗଙ୍ଗାଧର ମେହେରଙ୍କର ଲେଖନୀ ଏଠାରେ ସରସ୍ଵତୀଙ୍କର ରୂପବର୍ଣ୍ଣନାରେ ସେପରି ଖ୍ୟାତିସମ୍ପନ୍ନ ବର୍ଣ୍ଣନା ଦେବାକୁ ସମର୍ଥ ହୋଇଅଛି ବୋଲି ମନେହୁଏ ନାହିଁ ।

 

ତପସ୍ଵିନୀ କାବ୍ୟର ପ୍ରଥମ ସର୍ଗରେ ସୀତା ଯେତେବେଳେ ଭାଗୀରଥୀ ତୀରରେ ବିଳାପ କରୁଥିଲେ, ସେତେବେଳେ ସୀତାଙ୍କ ସୌନ୍ଦର୍ଯ୍ୟ ବିଷୟରେ କବି ଏକ ବର୍ଣ୍ଣନା ପ୍ରଦାନ କରିଅଛନ୍ତି ।

 

“ଉଠି ଯେହ୍ନେ ଜଳଧର ପଶ୍ଚିମ-ଆଶାରେ

ଅସ୍ତାଚଳ ପ୍ଳାବିଦିଏ ଅଜସ୍ର-ଆସାରେ

କରୀନ୍ଦ୍ର-କର-ଶୀକର ସରସୀ-ଉରସେ

ପଡ଼ି ସିକ୍ତକରେ କିବା ପ୍ରଦୋଷ ସାରସେ ।”

 

ଭାଗୀରଥୀ ତୀରରେ ସୀତା ପୂର୍ବଦିଗକୁ ଅର୍ଥାତ୍ ଅଯୋଧ୍ୟା ଆଡ଼କୁ ଚାହିଁ କ୍ରନ୍ଦନ କରୁଥିଲେ । ତାଙ୍କ ନେତ୍ରରୁ ଅଶ୍ରୁର ଧାରା ଅବିରଳ ଭାବରେ ବହି ତାଙ୍କର ବକ୍ଷ ଉପରେ ପଡ଼ୁଥିଲା-। ସୀତାଙ୍କ ଚକ୍ଷୁରୁ ଅଶ୍ରୁଧାରା ବହି ତାଙ୍କର ବକ୍ଷ ଉପରେ ପଡ଼ିବା ସମୟରେ କି ଶୋଭା ତାହିଁରୁ ଜାତ ହେଉଥିଲା, ତାହା କବି ଏଠାରେ ବର୍ଣ୍ଣନା କରିଅଛନ୍ତି । ପଶ୍ଚିମ ଦିଗରେ ମେଘଖଣ୍ଡ ଉଠି ଅସ୍ତାଚଳକୁ ଅଜସ୍ର ଜଳ ଧାରାରେ ଯେପରି ପ୍ଲାବନ କରିଦିଏ, ସୀତାଙ୍କର ଲୋତକର ପ୍ଲାବନ ଠିକ୍ ସେହିପରି । ଏଥିରେ କବିଙ୍କର ସୌନ୍ଦର୍ଯ୍ୟପ୍ରିୟତା ଉତ୍ତମଭାବରେ ପ୍ରକାଶ ପାଇଅଛି ବୋଲି ଯଦି ଗ୍ରହଣ କରିନିଆଯାଏ, ତାହାହେଲେ ସତ୍ୟର ଅପଳାପ ହେବ । କାରଣ କବିଙ୍କ ବର୍ଣ୍ଣନା ଅନୁସାରେ ପଶ୍ଚିମ ଆକାଶରୁ ଘୋର ବର୍ଷାର ଧାରା ଅସ୍ତାଚଳ ଅର୍ଥାତ୍ ସୂର୍ଯ୍ୟ ଯେଉଁ ପର୍ବତରେ ଅସ୍ତ ହୁଅନ୍ତି, ସେହି ପର୍ବତକୁ ଯେପରି ଭସାଇ ଦିଏ, ସୀତାଙ୍କର ଚକ୍ଷୁର ଲୋତକ ତାଙ୍କର ବକ୍ଷକୁ ସେହିପରି ଭସାଇ ଦେଉଥିଲା । ସୀତାଙ୍କର ବକ୍ଷ ଏଠାରେ ଅସ୍ତାଚଳ ସଦୃଶ । ଏହି ବର୍ଣ୍ଣନାରେ କବି ସୀତାଙ୍କର ବକ୍ଷର ବା ବକ୍ଷୋଜର ସୌନ୍ଦର୍ଯ୍ୟ ପ୍ରକାଶର ପ୍ରୟାସୀ । ପୁଣି ଏହାର ପରବର୍ତ୍ତୀ ପଦରେ କବି ଏହି ବର୍ଣ୍ଣନାକୁ ଆହୁରି ସ୍ପଷ୍ଟତର କରିଦେଇ ଅଛନ୍ତି । ହସ୍ତୀ ତାର ଶୁଣ୍ଢରେ ସରସୀରୁ ଜଳ ଶୋଷିନେଇ ପୁଣି ସରସୀ ବକ୍ଷକୁ ଛାଡ଼ିଦେଲାବେଳେ ଜଳକଣାଗୁଡ଼ିକ ସନ୍ଧ୍ୟାସମୟରେ ମୁଦ୍ରିତାବସ୍ଥାରେ ଥିବା ପଦ୍ମଫୁଲ ଉପରେ ପଡ଼ିଲେ ଯେପରି ଦେଖାଯାଏ, ସୀତାଙ୍କ ଚକ୍ଷୁରୁ ଲୋତକ ବହି ତାଙ୍କ ବକ୍ଷ ଉପରେ ପଡ଼ି ସେହି ଶୋଭା ଧାରଣ କରିଥିଲା । କବି ମୁଦ୍ରିତ ପଦ୍ମଫୁଲ କଥା କହି ସ୍ପଷ୍ଟ ଭାବରେ ଏଠାରେ ସୀତାଙ୍କର ବକ୍ଷୋଜର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିଅଛନ୍ତି । ସୌନ୍ଦର୍ଯ୍ୟବାଦୀ କବିର ଦୃଷ୍ଟିକୋଣରେ ଏହା ଅତ୍ୟନ୍ତ ସ୍ୱାଭାବିକ ହୋଇପାରେ; ମାତ୍ର ପରିବେଶ ଓ ପରିସ୍ଥିତି ଦୃଷ୍ଟିରୁ ଏହା ନିତାନ୍ତ ଅସ୍ଵାଭାବିକ । ସୀତା ଅସହାୟା ଅବସ୍ଥାରେ, ତାଙ୍କ ଜୀବନର ଚରମ ଦୁର୍ଦ୍ଦିନରେ, ଯେତେବେଳେ କ୍ରନ୍ଦନରତା ସେତେବେଳେ କରୁଣାରସ ପରିବେଷଣ କବିଙ୍କର ଲକ୍ଷ୍ୟ; ମାତ୍ର ଏ ଲକ୍ଷ୍ୟରେ ସୀତାଙ୍କର ବକ୍ଷୋଜର ବର୍ଣ୍ଣନା ଆଦୌ ସମୀଚୀନ ନୁହେଁ । ପାଠକ ଯେତେବେଳେ ସୀତାଙ୍କର ଦୁର୍ଦ୍ଦଶାରେ ବ୍ୟଥିତ ହୋଇ, ଅନ୍ତରରେ ସୀତାଙ୍କର ଦୁଃଖ ଅନୁଭବ କରି ସମ୍ବେଦନଶୀଳ ହେବାପାଇଁ ତତ୍ପର, ସେତେବେଳେ ହଠାତ୍ ବକ୍ଷୋଜକୁ କେନ୍ଦ୍ରକରି ଏପରି ବର୍ଣ୍ଣନା ପାଠକଲେ କରୁଣ ରସର କରୁଣତା ସେ ଆଦୌ ଉପଲବ୍‍ଧି କରିପାରେ ନାହିଁ । ସୌନ୍ଦର୍ଯ୍ୟପ୍ରିୟ କବିଙ୍କର ଏ ପ୍ରକାର ବର୍ଣ୍ଣନା ଦୋଷାବହ ।

 

ଦ୍ୱିତୀୟ ସର୍ଗର ଆରମ୍ଭରେ କବି ବାଲ୍ମୀକି–ଆଶ୍ରମର ବର୍ଣ୍ଣନା ଓ ସେଠାରେ ଶାନ୍ତିର ରାଜତ୍ଵ ବିଷୟରେ ଯେଉଁ ପ୍ରାକୃତିକ ବର୍ଣ୍ଣନା ଦେଇଅଛନ୍ତି, ତାହା ତାଙ୍କର ସୁକବିତ୍ୱର ନିଦର୍ଶନ । ଏଥିରେ କବିଙ୍କର ସୌନ୍ଦର୍ଯ୍ୟପ୍ରିୟ ଦୃଷ୍ଟିକୋଣର ପରିଚୟ ମିଳିଅଛି । ବାଲ୍ମୀକି–ଆଶ୍ରମର କନ୍ୟାଗଣ ଯେତେବେଳେ ଉପବନରେ ବୁଲି ବାତତ୍ରସ୍ତ ବଲ୍ଲରୀର ଅବସ୍ଥା ପର୍ଯ୍ୟବେକ୍ଷଣ କରୁଥିଲେ, ସେତେବେଳେ ସୀତାଙ୍କର କ୍ରନ୍ଦନଧ୍ଵନି ସେମାନଙ୍କର କର୍ଣ୍ଣ କୁହରରେ ପ୍ରବେଶ କରିଥିଲା-। ସେମାନେ କ୍ରନ୍ଦନଧ୍ଵନି ଭାସି ଆସୁଥିବା ଦିଗକୁ ଗତିକରି ସୀତାଙ୍କୁ ଦେଖିଲେ । ସୀତାଙ୍କର ଏହି କ୍ରନ୍ଦନରତ ଅବସ୍ଥା ସେମାନଙ୍କ ମନରେ ବିସ୍ମୟଭାବ ସୃଷ୍ଟି କରିଥିଲା । କବି ଏଠାରେ ସୀତାଙ୍କ ବର୍ଣ୍ଣନା ପାଇଁ ଯେଉଁ କେତେଗୋଟି ପଦ ମଧ୍ୟଦେଇ ତାଙ୍କର ସୌନ୍ଦର୍ଯ୍ୟପ୍ରିୟାତାର ଉଦାହରଣ ପ୍ରଦର୍ଶନ କରିଅଛନ୍ତି, ତାହା ଏକାନ୍ତ ଅନାବଦ୍ୟ ।

 

ସ୍ଵର୍ଗ-ପୁରୁ କେଉଁ ଦେବୀକି

ସଦ୍ୟ ଶାପର ଫଳେ

ସ୍ଵଦେହରେ ଖସିପଡ଼ିଛି

ଆସି ଅବନୀ ତଳେ ?

ଭ୍ରମୁ ଭ୍ରମୁ କିବା ଅଭ୍ରରେ

ଅଭ୍ରମାତଙ୍ଗ ଚଢ଼ି

ପୁରନ୍ଦର ପୁର-ଶୋଭିନୀ

ପଡ଼ିଅଛନ୍ତି ଗଡ଼ି ?

କିଏ ବା ଭାବିଲା ଜାହ୍ନବୀ

ଅବା ମୂର୍ତ୍ତିମତୀ କି

ଲୋତକ କଲ୍ଲୋଳେ ଭସାଉ-

ଛନ୍ତି ବସୁମତିକି ?

କରକା ପରାୟେ କରୁଣା

କିବା ସ୍ଵର୍ଗରୁ ଗଳି

ପର ଦୁଃଖତାପେ କ୍ରମଶଃ

ଭବେ ଯାଉଛି ଗଳି ?

ନ ହେଲେ ଏ ଘନ କୁନ୍ତଳା

ଘନ ସହିତ ତାରା

ଖସି ପଡ଼ିବାରୁ ଧରାରେ

ବହି ଯାଉଛି ଧାରା ।

ହୋଇଥାନ୍ତା ଯଦି ରୋଦନ-

ଧ୍ଵନି ଚମକପ୍ରଦା

ବୋଲନ୍ତୁ ଆସିଛି ଜଳଦ

ସଙ୍ଗେ ଏ ଶତହ୍ରଦା ।

ଶିଶିର ବର୍ଷିଣୀ ଚନ୍ଦ୍ରିକା

ପିକ-ସ୍ୱର-ମୁଖରା

କାହିଁ, କାହିଁ ଝିଲ୍ଲୀ–ରାବିଣୀ

ଖର ନିଦାଘ ଖରା ।

ବୀଣା ଥାନ୍ତା ଯଦି ହସ୍ତରେ

ବୋଲିଥାନ୍ତୁ ଭାରତୀ

କାନ୍ଦୁଛନ୍ତି ବିଷ୍ଣୁ ବିରହେ

ଅବା ହୋଇ ଆରତୀ ।”

 

ସୀତାଙ୍କର କ୍ରନ୍ଦନରତ ଅବସ୍ଥାରେ ମୁନିକୁମାରୀମାନେ ତାଙ୍କୁ ଦେଖି ତାଙ୍କର ସୌନ୍ଦର୍ଯ୍ୟରେ ଏତେଦୂର ମୁଗ୍‍ଧା ହୋଇ ପଡ଼ିଥିଲେ ଯେ, ଗୋଟିଏ ପରେ ଗୋଟିଏ ସମ୍ଭାବନା କରି ମଧ୍ୟ ତାଙ୍କର ପ୍ରକୃଷ୍ଟ ପରିଚୟ ପାଇ ପାରି ନ ଥିଲେ । କବି ଏଠାରେ ସବୁଗୁଡ଼ିକ ସମ୍ଭାବନା ମୁନିକୁମାରୀମାନଙ୍କ ମୁଖରେ ପ୍ରକାଶ କରି ପୁଣି ସେହି ସମ୍ଭାବନାର ସାର୍ଥକହୀନତା ପ୍ରକାଶ କରିଅଛନ୍ତି । ସୌନ୍ଦର୍ଯ୍ୟମୟୀ ସୀତା ଯେ କୌଣସି ସୌନ୍ଦର୍ଯ୍ୟର ସମ୍ଭାବନା ସ୍ତରକୁ ଅତିକ୍ରମ କରିଯାଇଅଛନ୍ତି । ସୀତା ବିଳାପ କରୁଥିବା ଅବସ୍ଥାରେ ତାଙ୍କ ଚାରିପାଖରେ ମୁନିକୁମାରୀମାନେ ତାଙ୍କୁ ବେଢ଼ି ରହିଥିଲେ । ଏହି କାଳ୍ପନିକ ଦୃଶ୍ୟ ମଧ୍ୟ କବିଙ୍କ ଲେଖନୀରେ ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରକାଶ ପାଇଅଛି । କବି ବର୍ଣ୍ଣନା କରିଅଛନ୍ତି ଯେ, ଘୂର୍ଣ୍ଣିବାୟୁ ଦ୍ଵାରା ବିପର୍ଯ୍ୟସ୍ତ ଓ ଜଳକଣା ଧୌତ ପଦ୍ମବନରେ ରାଜହଂସୀ ଆର୍ତ୍ତସ୍ଵରରେ କ୍ରନ୍ଦନ କଲେ ଯେପରି ଦେଖାଯାଏ, ମୁନିକନ୍ୟାମାନଙ୍କ ମଧ୍ୟରେ କ୍ରନ୍ଦନରତା ସୀତା ସେହିପରି ଦିଶୁଥିଲେ ।

 

ମୁନିକନ୍ୟାମାନେ ସୀତାଙ୍କର ଏପରି ଅବସ୍ଥା ଅବଲୋଚନ କରି କିଛି ସ୍ଥିର କରି ନ ପାରି ବାଲ୍ମୀକି ମହର୍ଷିଙ୍କ ନିକଟକୁ ଯାଇ ସମସ୍ତ ଘଟଣା ପ୍ରକାଶ କଲେ । ଏହି ବର୍ଣ୍ଣନାରେ ମୁନିକନ୍ୟାମାନେ ଯେପରି ଭାବରେ ସୀତାଙ୍କର ଅବସ୍ଥା ପ୍ରକାଶ କରିଅଛନ୍ତି, ତହିଁରେ କବିଙ୍କର ସୌନ୍ଦର୍ଯ୍ୟପ୍ରିୟତା ସହିତ କବିତ୍ଵଚାତୁରୀର ପ୍ରକାଶ ସ୍ପଷ୍ଟ । ମୁନିକନ୍ୟାମାନେ ବାଲ୍ମୀକିଙ୍କୁ କହିଲେ ସେ ଉପବନରେ ନବନୀତ ପ୍ରତିମାସମା ଜଣେ ନାରୀ ପାଗଳିନୀ ପରି କ୍ରନ୍ଦନ କରୁଅଛି । ତାହାର କ୍ରନ୍ଦନ ଧ୍ୱନିରୁ ତାର ପତିଙ୍କର ଗୁଣ ଓ ସ୍ନେହ ମମତା ପ୍ରକାଶ ପାଉଅଛି । ପତିର ଗୁଣ ଓ ସ୍ନେହ ମମତାକୁ ବାହୁନି କାନ୍ଦିବାରୁ ହୁଏତ ନାରୀର ପତି ବିୟୋଗ ସୂଚିତ ହୋଇପାରେ; ତେଣୁ ଚତୁର କବି ମୁନିକନ୍ୟାମାନଙ୍କ ମୁଖରେ ପ୍ରକାଶ କରାଇଅଛନ୍ତି–

 

“ଲଳିତ ଦିଶୁଛି ଲଲାଟେ

ତାର ସିନ୍ଦୂର ବିନ୍ଦୁ,

ମୁଖକମଳକୁ ହୋଇଛି

ଯେହ୍ନେ ପୂର୍ଣ୍ଣିମା ଇନ୍ଦୁ ।

କରଯୁଗଳରେ ଶୋଭୁଛି

ଚାରୁ ରତନ-ଚୂଡ଼ୀ,

ବିଷାଦ-ସାଗର-ପୁଳିନେ

ଝଟୁଅଛି ନ ବୁଡ଼ି ।

ଦରବିକଶିତ କମଳେ

ବରାଟକ ପରାଏ

ଶତଦଳ-ରୁଚି-ରୁଚିର

ବେଳେ ସେ ଶୋଭାପାଏ ।”

ନାରୀର ଲଲାଟରେ ସିନ୍ଦୂର ବିନ୍ଦୁର ଲାଳିତ୍ୟ, କରଯୁଗଳରେ ଚାରୁରତ୍ନ ଚୂଡ଼ିର ଝଟକ ହିଁ ତାର ସଧବାତ୍ଵର ପ୍ରମାଣ । ତେଣୁ ସେପତିଗୁଣ ବାହୁନି କାନ୍ଦିବାର ଅନ୍ୟ କୌଣସି କାରଣ ଥାଇପାରେ । ଏପରି ଅବସ୍ଥାରେ ସୀତାଙ୍କର ସୌନ୍ଦର୍ଯ୍ୟ ନିମିତ୍ତ କବିଙ୍କର କଳ୍ପନାଅତ୍ୟନ୍ତ ମନୋରମ-। ଦରବିକଶିତ ପଦ୍ମଫୁଲର ମଧ୍ୟଭାଗରେ ପଦ୍ମରପୁଷ୍କର ଯେପରି ଶୋଭାପାଏ, ସେ ନାରୀ ପଦ୍ମଫୁଲ ରଙ୍ଗର ଶାଢ଼ୀ ପରିଧାନ କରି ସେହିପରି ଦିଶୁଅଛି । ଅର୍ଦ୍ଧ ପ୍ରସ୍ଫୁଟିତ ପଦ୍ମ ମଧ୍ୟରେ ହଳଦିଆ ରଙ୍ଗର ପୁଷ୍ପରର ଶୋଭା ହିଁ ସୀତାଙ୍କର ଶରୀରର ଦ୍ୟୁତି ପ୍ରକାଶକ ।

ସୀତାଙ୍କର ସୌନ୍ଦର୍ଯ୍ୟ ମୁନିକୁମାରୀମାନଙ୍କ ମୁଖରେ ପ୍ରକାଶ କରିସାରିବା ପରେ କବି ଆଉ ଏ ବିଷୟରେ ଅଧିକ କିଛି ପ୍ରକାଶ ନ କରି ଯେତେବେଳେ ବାଲୀକି ସୀତାଙ୍କ ନିକଟରେ ଉପନୀତ ହେଲେ, ସେତେବେଳର ସୌନ୍ଦର୍ଯ୍ୟ ଯଥାର୍ଥ ଭାବରେ ପ୍ରକାଶ କରିଅଛନ୍ତି ।

“ଶ୍ଵେତ-ଶ୍ମଶ୍ରୁ-କେଶ-ବିଦ୍ଭୂତି-

ବପୁ ସୌମ୍ୟ-ମୂରତି

ବାଲ୍ମୀକି ମହର୍ଷି ସମୀପେ

ହେମ ଗଉରୀ ସତୀ ।

ଦିଶିଲେ ଯେମନ୍ତେ ତୁଷାର-

ତନୁ ହିମାଦ୍ରି-ତଳେ

ତପସ୍ଵିନୀ ଉମା ମଉନେ

ରହିଛନ୍ତି ନିଶ୍ଚଳେ ।”

ବାଲ୍ମୀକି ମହର୍ଷି ସୀତାଙ୍କର ଦୁଃଖ ବୁଝି ତାଙ୍କୁ ଅଧୀରା ନ ହେବାପାଇଁ ଉପଦେଶ ଦେଇ ନିଜ ଆଶ୍ରମରେ ରହିବାକୁ କହିଲେ । ସୀତା ବା ବାଲ୍ମୀକିଙ୍କ ଆଦେଶକୁ ପ୍ରତ୍ୟାଖ୍ୟାନ କରନ୍ତେ କିପରି ? ସେ ବାଲ୍ମୀକି ମହର୍ଷିଙ୍କ ସହିତ ତାଙ୍କ ଆଶ୍ରମକୁ ଯାତ୍ରାକଲେ । ସୀତା ଯେତେବେଳେ ଆଶ୍ରମ ଅଭିମୁଖରେ ବାଲ୍ମୀକି ମହର୍ଷିଙ୍କ ପଛେ ପଛେ ଯାଉଥିଲେ, ସେତେବେଳର ସୌନ୍ଦର୍ଯ୍ୟ ମଧ୍ୟ କବିଙ୍କ ଲେଖନୀରୁ ପ୍ରକାଶ ପାଇଅଛି ।

“କଷାୟ–ବସନ ମହର୍ଷି

ହେଲେ ଅନୁରୂପମ

ପଛେ ବଇଦେହୀ ଦିଶିଲେ

ଭାନୁ ଦୀଧିତି ସମ ।

ବୁଡ଼ିଥିଲା ସେହି ଦୀଧିତି

ଦୁଃଖ–ଅର୍ଣ୍ଣବ–ଅର୍ଣ୍ଣେ,

ଅନୁରୁ ତହିଁରେ ବିରାଜୁ–

ଥିଲେ ଉଜ୍ଜ୍ୱଳ ବର୍ଣ୍ଣେ ।”

 

ସାଧାରଣ କବିର ଦୃଷ୍ଟିରେ ସବୁସ୍ଥଳରେ ସୌନ୍ଦର୍ଯ୍ୟର ବିକାଶ ଲକ୍ଷ୍ୟ କରିବା ସହଜ ନୁହେଁ । ସୌନ୍ଦର୍ଯ୍ୟପ୍ରିୟ ସିଦ୍ଧହସ୍ତ କବି କାବ୍ୟ ବା କବିତାର କଥାବସ୍ତୁକୁ ଅଗ୍ରଗତି କରାଇବାବେଳେ ବିଭିନ୍ନ ଅବସ୍ଥାର କାଳ୍ପନିକ ଚିତ୍ର ମନ ମଧ୍ୟରେ ଅଙ୍କନ କରି ତାହାକୁ ପ୍ରକାଶ କରିବା ସମୟରେ ସୌନ୍ଦର୍ଯ୍ୟର ଚିତ୍ର ପ୍ରଦାନ କରିପାରେ । କବି ଗଙ୍ଗାଧର ମେହେର ସୃଷ୍ଟିର ପ୍ରତ୍ୟେକ ସ୍ତରରେ ସୌନ୍ଦର୍ଯ୍ୟର ଯେଉଁ ସନ୍ଧାନ ପାଇଥିଲେ, ତାହାକୁ ସେ ତାଙ୍କର କାବ୍ୟ ମଧ୍ୟରେ ପ୍ରକାଶ କରି ଯଶସ୍ଵୀ ହୋଇଅଛନ୍ତି । କାବ୍ୟର କଳେବର ମଧ୍ୟରେ କଥାବସ୍ତୁର ଗତିଶୀଳତାକୁ ଲକ୍ଷ୍ୟକଲେ ଗଙ୍ଗାଧରଙ୍କର ଦୃଷ୍ଟିକୋଣ କିପରି ସୂକ୍ଷ୍ମାତିସୂକ୍ଷ୍ମ ବିଷୟ ପ୍ରତି ସଚେତନ, ତାହା ଜଣାପଡ଼େ । ସୀତା ବାଲ୍ମୀକି–ଆଶ୍ରମକୁ ଆସିବା ସମୟରେ ଯେପରି ଦୃଶ୍ୟ ବର୍ଣ୍ଣିତ ହୋଇଅଛି, ତାହା ମଧ୍ୟ କବିଙ୍କର ଦକ୍ଷତାର ପରିଚୟ ପ୍ରଦାନ କରିଅଛି । ସୀତା ବାଲ୍ମୀକି–ଆଶ୍ରମରେ ପହୁଞ୍ଚିବା ବେଳକୁ ସନ୍ଧ୍ୟା ହୋଇଯାଇଥିଲା । ଏହି କଥାକୁ ପ୍ରକାଶ କରିବା ନିମିତ୍ତ କବି ବର୍ଣ୍ଣନା କରିଅଛନ୍ତି ଯେ, ସୀତା ଆଶ୍ରମରେ ପହୁଞ୍ଚିବା ସମୟରେ ଗୋଧୂଳିତାରା ବନ୍ଦାପନା–ଦୀପ ଜାଳିଥିଲା । କୌଣସି ଦେବଦେବୀଙ୍କର ଶୁଭାଗମନରେ ବା ବିଶିଷ୍ଟ ଅତିଥିଙ୍କ ଆଗମନରେ ବନ୍ଦାପନା କରାଯାଏ । ଏହି ସାଂସ୍କୃତିକ ରୀତିକୁ କବି ସୌନ୍ଦର୍ଯ୍ୟର ଆଧାରଦ୍ୱାରା ପ୍ରକାଶ କରିଅଛନ୍ତି ।

 

ସୀତାଙ୍କୁ ନିର୍ବାସନ ଦଣ୍ଡଦେଇ ରାମଚନ୍ଦ୍ର ଯେ କି ବ୍ୟଥା ଅନୁଭବ କରିଥିଲେ, ତାହା କବିଙ୍କ ଲେଖନୀରୁ ପ୍ରକାଶ ପାଇଅଛି । ରାମଚନ୍ଦ୍ର ଯେତେବେଳେ ଅତ୍ୟନ୍ତ ଦୁଃଖରେ ସୀତାଙ୍କର ସ୍ମୃତି ଚିନ୍ତା କରିଥିଲେ; ସେତେବେଳେ ସୀତାଙ୍କ ସ୍ଵହସ୍ତପାଳିତ ପଶୁପକ୍ଷୀମାନଙ୍କୁ ଛାଡ଼ିଦେବା ପାଇଁ ଚିନ୍ତା କରିଥିଲେ । ସୀତା ଯେଉଁ ହରିଣ ଛୁଆକୁ ପୋଷିଥିଲେ, ତାକୁ ଛାଡ଼ିଦେବା ବିଷୟରେ ରାମଚନ୍ଦ୍ର ଯେତେବେଳେ ଭାବିଛନ୍ତି, ସେହି ଭାବନାର ପ୍ରକାଶରେ ମଧ୍ୟ ସୌନ୍ଦର୍ଯ୍ୟବାଦୀ କବିଙ୍କର ଦୃଷ୍ଟିକୋଣ ସୌନ୍ଦର୍ଯ୍ୟର ଅନୁସନ୍ଧାନ କରି ତାହା ପ୍ରକାଶ କରିଅଛି । ଏହି ବର୍ଣ୍ଣନା ଅତ୍ୟନ୍ତ ଜୀବନ୍ତ ହୋଇଅଛି ।

 

“ହରିଣ ଶାବକ ଯିବ ସେ ଯାବକ–

ରଞ୍ଜିତଚରଣା ପାଶ

ଅଲକ୍ତକ–ଧାର ଅଟେ ତା ଗଳାର

ରଙ୍ଗ ପାଟ–ଡୋରି–ଫାଶ”

 

ରାମଚନ୍ଦ୍ର ଏଠାରେ ପ୍ରକାଶ କରିଅଛନ୍ତି ଯେ, ସୀତା ଯେଉଁ ହରିଣ ଶାବକକୁ ପୋଷିଥିଲେ, ତାକୁ ସେ ଛାଡ଼ିଦେବେ । ହରିଣ’ଛୁଆଟି ମୁକ୍ତି ପାଇ ଯାବକ–ରଞ୍ଜିତ–ଚରଣା ସୀତାଙ୍କ ପାଖକୁ ଚାଲିଯିବ । କାରଣ ସୀତାଙ୍କର ପାଦର ଆଳତାଧାର ହରିଣଛୁଆର ଗଳାର ରଙ୍ଗ ପାଟଡୋରି ସଦୃଶ । କବି ଏଠାରେ ଏକ ମନୋରମ ଦୃଶ୍ୟର ଚିତ୍ର ଅଙ୍କନ କରିଅଛନ୍ତି । ସୀତା ଯେଉଁ ହରିଣ ଛୁଆଟିକୁ ପୋଷିଥିଲେ, ସେ ହରିଣ ଛୁଆଟି ସୀତା ବସିଥିବା ସମୟରେ ସୀତାଙ୍କର ପାଦପାଖରେ ମୁଣ୍ଡରଖି ଶୋଇଥାଏ । ସୀତାଙ୍କର ପାଦରେ ଥିବା ଆଳତାଗାର ସତେ ଯେପରି ହରିଣ ଛୁଆର ବେକରେ ବନ୍ଧାଯାଇଥିବା ଲାଲରଙ୍ଗର ପାଟସୂତା ପରି ପ୍ରତିଭାତ ହେଉଥାଏ । ମୃଗଶିଶୁ ବାରମ୍ବାର ସୀତାଙ୍କ ପାଦପାଖରେ ମୁଣ୍ଡରଖି ଶୋଇବାରୁ ଜଣାଯାଏ, ସତେ ଯେପରି ସେ ସେହି ରଙ୍ଗ ପାଟଡୋରି ଦ୍ଵାରା ବନ୍ଧନରେ ପଡ଼ିଥିଲା । ତେଣୁ ରାମଚନ୍ଦ୍ର ପ୍ରକାଶ କରିଅଛନ୍ତି ଯେ, ସେ ହରିଣଛୁଆକୁ ଛାଡ଼ି ଦେବେ ଓ ହରିଣ ଛୁଆ ସୀତାଙ୍କ ପାଖକୁ ଚାଲିଯିବ । ସୀତାଙ୍କ ବିରହରେ ବ୍ୟଥିତ ରାମଚନ୍ଦ୍ର ସୀତାଙ୍କର ସ୍ମୃତିକୁ ଭୁଲିବାକୁ ଯେତେ ଚେଷ୍ଟା କଲେ ହେଁ ଭୁଲିପାରି ନାହାନ୍ତି । ତେଣୁ ସେ ଯେତେବେଳେ ସୀତାଙ୍କର ସମସ୍ତ ସ୍ମୃତିକୁ ଦୂରକରି ଦେବାପାଇଁ ଇଚ୍ଛା କରିଥିଲେ, ସେତେବେଳେ ଏହି ମୃଗଶିଶୁ ପ୍ରସଙ୍ଗ ଏକ ନିତାନ୍ତ ସାଧାରଣ ପ୍ରସଙ୍ଗ । ମାତ୍ର କବି ଏହାକୁ ଅତ୍ୟନ୍ତ ଦକ୍ଷତାର ସହିତ ଚିତ୍ରଣ କରିଅଛନ୍ତି ।

 

ଚତୁର୍ଥ ସର୍ଗରେ କବି ଆଶ୍ରମରେ ପ୍ରଭାତର ବର୍ଣ୍ଣନା କରି ପ୍ରକୃତି ବର୍ଣ୍ଣନାରେ ତାଙ୍କର ପାରଦର୍ଶିତା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ସୌନ୍ଦର୍ଯ୍ୟପ୍ରିୟତାର ଚରମ ନିଦର୍ଶନ ପ୍ରକାଶ କରିଅଛନ୍ତି । ବାଲ୍ମୀକି ଆଶ୍ରମରେ ଉଷା ଆଗମନ ବର୍ଣ୍ଣନା ଅତ୍ୟନ୍ତ ମନୋରମ ହୋଇଅଛି । ସୀତା ବାଲ୍ମୀକି ଆଶ୍ରମର ଉପବନର ସୌନ୍ଦର୍ଯ୍ୟରେ ମୁଗ୍‍ଧା ହୋଇଥିଲେ । ସୀତାଙ୍କର ନିର୍ବାସିତା ଜୀବନର ଦୁଃଖକୁ ଭୁଲିବାପାଇଁ ଉପବନର ଶୋଭା ଯଥେଷ୍ଟ ଉପାଦାନ ଯୋଗାଇଥିଲା । କବି ସୀତାଙ୍କ ମୁଖରେ ପ୍ରକାଶ କରାଇଅଛନ୍ତି ଯେ, ସୀତା ବନର ସୌନ୍ଦର୍ଯ୍ୟରେ ମୁଗ୍‍ଧା ହୋଇ ସାରାଜୀବନ ତାର ମମତାର ବନ୍ଧନରେ ବାନ୍ଧିହୋଇ ରହିବାର କାମନା ପୋଷଣ କରିଥିଲେ । ସୀତାଙ୍କର ବିରହଦୁଃଖକୁ ଭୁଲିବାପାଇଁ ଯେପରି ସୌନ୍ଦର୍ଯ୍ୟର ଉପାଦାନ ଆବଶ୍ୟକ, ତାହା କେବେହେଲେ ସାଧାରଣ ସ୍ତରର ସୌନ୍ଦର୍ଯ୍ୟ ନୁହେଁ । ଏହି ପ୍ରକାର ସୌନ୍ଦର୍ଯ୍ୟର ଚିତ୍ର କବିଙ୍କ ଲେଖନୀରୁ ଆତ୍ମପ୍ରକାଶ କରିଅଛି ।

 

ପଞ୍ଚମ ସର୍ଗର ଆରମ୍ଭରେ ସୀତା ବାଲ୍ମୀକି–ଆଶ୍ରମର ଉଦ୍ୟାନରେ ପ୍ରବେଶ କରିବାର ଚିତ୍ର ଅଙ୍କିତ ହୋଇଅଛି । କବି ଏଠାରେ ତୁଳନାତ୍ମକ ଭାବରେ ଉଦ୍ୟାନର ଶୋଭା ବିଷୟରେ ବର୍ଣ୍ଣନା କରି ସୀତାଙ୍କର ମହତ୍ତ୍ଵ ପ୍ରକାଶ କରିଅଛନ୍ତି ।

 

“ରାଜୋଦ୍ୟାନ-ଶୋଭା ସିନ୍ଧୁ ଲହରୀ

ଶିରେ ପୁଷ୍ପ-ଫେନପଟଳ ଧରି,

ଯା ପଦ ପୁଲିନ ନଖ ମୁକୁତା-

ଜ୍ୟୋତି ସେବନରେ ଥିଲା ଯୁକତା,

ତାଙ୍କ ଶୁଭ ଆଗମନ

ଚାହିଁ ଉଲ୍ଲସିଲେ ମୁନି-ଉଦ୍ୟାନର

ବିଟପି-ବଲ୍ଲୀ-ସୁମନ ।”

 

ଅଯୋଧ୍ୟାର ରାଜଉଦ୍ୟାନ କଥା କବି ମୁନିଆଶ୍ରମର ଉଦ୍ୟାନ ପ୍ରସଙ୍ଗରେ ଅବତାରଣା କରିଅଛନ୍ତି । ଅଯୋଧ୍ୟାର ରାଜଉଦ୍ୟାନରେ ପୁଷ୍ପ-ବୃକ୍ଷମାନଙ୍କରେ ପ୍ରସ୍ଫୁଟିତ ପୁଷ୍ପର ଦୋଳନକୁ କବି ଅତ୍ୟନ୍ତ ମନୋରମ ଭାବରେ ଚିତ୍ରଣ କରିଅଛନ୍ତି । ସାଗରର ଜଳରାଶି ଉପରେ ଫେନରେ ଦୋଳନପରି ଅଯୋଧ୍ୟାର ରାଜଉଦ୍ୟାନର ଶୋଭା ରୂପକ ଲହରୀ ଉପରେ ପୁଷ୍ପରୂପକ ଫେନର ସୂତ୍ରପାତ ହୋଇଅଛି । ମସ୍ତକରେ ଫେନରାଶି ଧାରଣ କରି ସମୁଦ୍ରର ଲହରୀ ଆସି ଉପକୂଳର ମୁକ୍ତା ବା ଶକ୍ତିର ସଂସ୍ପର୍ଶ ଲାଭ କରେ । ଅଯୋଧ୍ୟାର ରାଜଉଦ୍ୟାନରେ ସୀତା ବିଚରଣ କରିବା ସମୟର ଦୃଶ୍ୟକୁ କବି ବର୍ଣ୍ଣନା କରିଅଛନ୍ତି ଯେ ରାଜ-ଉଦ୍ୟାନର ଶୋଭା-ସିନ୍ଧୁର ଲହରୀ ମସ୍ତକରେ ପୁଷ୍ପ ରୂପକ ଫେନରାଶି ଧାରଣ କରି ସୀତାଙ୍କର ପାଦ ରୂପକ ପୁଳିନରେ ଥିବା ନଖ ରୂପକ ମୁକ୍ତାର ଜ୍ୟୋତିକୁ ସେବନ କରିବାରେ ଲିପ୍ତ ଥିଲା । ସୀତାଙ୍କର ମୁନି-ଉଦ୍ୟାନରେ ପ୍ରବେଶ ସମୟରେ ଉଦ୍ୟାନସ୍ଥ ବୃକ୍ଷ, ଲତା ଓ ପୁଷ୍ପ ଆନନ୍ଦରେ ଉଲ୍ଲସିତ ହୋଇଉଠିଲେ । କବି ଗଙ୍ଗାଧର ମେହେରଙ୍କ ଉପରେ ରୀତି-ସାହିତ୍ୟର ପ୍ରଭାବ ଅତ୍ୟନ୍ତ ସହଜରେ ଲକ୍ଷ୍ୟ କରାଯାଇ ପାରେ । କବି କେବଳ ସୀତାଙ୍କର ଉଦ୍ୟାନପ୍ରବେଶ ପ୍ରସଙ୍ଗରେ ଯେଉଁ ବର୍ଣ୍ଣନା ପ୍ରଦାନ କରିଛନ୍ତି, ତାହା ତାଙ୍କର ସୌନ୍ଦର୍ଯ୍ୟପ୍ରିୟତାର ପ୍ରକାଶ କରିବା ସଙ୍ଗେ ସଙ୍ଗେ କାବ୍ୟ ସାହିତ୍ୟର ଆଦର୍ଶକୁ ସେ କିପରି ଭାବରେ ରକ୍ଷା କରି ପାରିଥିଲେ, ତାହା ମଧ୍ୟ ପ୍ରକାଶ କରିଅଛି ।

 

ଆଶ୍ରମ ଉଦ୍ୟାନର ସୌନ୍ଦର୍ଯ୍ୟ କବିଙ୍କ ଲେଖନୀରେ ସଫଳ ରୂପ ଗ୍ରହଣ କରିଅଛି । ଆଶ୍ରମ ଉଦ୍ୟାନର ସୌନ୍ଦର୍ଯ୍ୟ ପ୍ରକୃତି ବର୍ଣ୍ଣନା ଛଳରେ ଅତ୍ୟନ୍ତ କମନୀୟ ରୂପ ଧାରଣ କରିଅଛି । ତାକୁ ଛାଡ଼ିଦେଲେ, ଆଶ୍ରମ ଉଦ୍ୟାନରେ ମୁନିକନ୍ୟାମାନଙ୍କ ସହିତ ସୀତା ଯେତେବେଳେ କଳସୀରେ ଜଳଆଣି ବୃକ୍ଷ ମୂଳରେ ଆଳବାଳରେ ଢାଳି ଦେଉଥିଲେ, ସେତେବେଳେ କାଳ୍ପନିକ ଦୃଶ୍ୟର ମନୋରମ ବର୍ଣ୍ଣନା କବିଙ୍କ ଲେଖନୀରେ ଦୃଦୟସ୍ପର୍ଶୀ ହୋଇଅଛି ।

 

“ତହୁଁ ସର୍ବେ ବହି ତମସାଜଳ

ପୂର୍ଣ୍ଣକଲେ ଆଳବାଳ ସକଳ,

ସ୍ଵର୍ଣ୍ଣଦୀ ସଲିଳ ସ୍ୱର୍ଗ-ସୁନ୍ଦରୀ,

କନ୍ୟାଏ ନନ୍ଦନେ ଢାଳିଲା ପରି ।

କି ଅବା ସାଗର-ନୀର

ତୋଳି କାଦମ୍ବିନୀ ପ୍ଲାବି ଦେଇଥାଏ

ଯଥା ବକ୍ଷ ଅବନୀର ।”

 

ସ୍ଵର୍ଗରେ ଥିବା ଇନ୍ଦ୍ରଙ୍କର ନନ୍ଦନକାନନର ସୌନ୍ଦର୍ଯ୍ୟ ବିଷୟରେ ପୁରାଣଶାସ୍ତ୍ରମାନଙ୍କରେ ବିଶେଷ ଭାବରେ ଉଲ୍ଲେଖ ରହିଅଛି । ସୀତା ଯେତେବେଳେ ମୁନିକନ୍ୟାମାନଙ୍କ ସହିତ କଳସୀରେ ତମସା–ଜଳ ଆଣି ବୃକ୍ଷର ଆଳବଳରେ ଢାଳିଦେଲେ, ସେତେବେଳେ କବିଙ୍କ ଚକ୍ଷୁରେ ନନ୍ଦନକାନନର କାଳ୍ପନିକ ସୌନ୍ଦର୍ଯ୍ୟର, ଚିତ୍ର ଦେଖାଦେଇଅଛି । ସ୍ୱର୍ଗଗଙ୍ଗାରୁ ଜଳ ଆଣି ସ୍ୱର୍ଗରେ ଥିବା ସୁନ୍ଦରୀନାରୀମାନେ ନନ୍ଦନକାନନର ବୃକ୍ଷମାନଙ୍କରେ ଜଳଦାନ କରିବାର ଶୋଭା ପରି ଏହି ଶୋଭା ପ୍ରତୀୟମାନ ହେଲା । ଏହାଦ୍ୱାରା କବି ଆଶ୍ରମ ଉଦ୍ୟାନର ସୌନ୍ଦର୍ଯ୍ୟ ସହିତ ପବିତ୍ରତାର ସୂଚନା ପ୍ରଦାନ କରିଅଛନ୍ତି ।

 

ପବିତ୍ର ହିଁ ସୌନ୍ଦର୍ଯ୍ୟର ଆଧାର–ଏକଥା କବି କୌଣସି ସ୍ଥଳରେ ବିସ୍ମୃତ ହୋଇନାହାନ୍ତି-। ପୁଣି କବି ପ୍ରକାଶ କରିଅଛନ୍ତି ଯେ, ସୀତା ଓ ମୁନିକୁମାରୀଙ୍କର ବୃକ୍ଷମୂଳରେ ଜଳଦାନ ମେଘମାଳା ସାଗରବକ୍ଷରୁ ଜଳ ଉତ୍ତୋଳନ କରି ଅବନୀ ବକ୍ଷକୁ ପ୍ଲାବନ କରିଦେବାପରି ହୋଇଥିଲା ।

 

ଷଷ୍ଠସ୍ଵର୍ଗରେ କବି ସୀତାଙ୍କର ଅତୀତ ଜୀବନର ସ୍ମୃତିକୁ ପୁନରୁଜ୍ଜୀବିତ କରାଇବା ପାଇଁ ଏକ ପ୍ରାକୃତିକ ପରିବେଶ ସୃଷ୍ଟି କରିଅଛନ୍ତି । ଏହି ପ୍ରାକୃତିକ ପରିବେଶର ଚିତ୍ର ଅଙ୍କନରେ କବିଙ୍କର ସୌନ୍ଦର୍ଯ୍ୟପ୍ରିୟତାର ପ୍ରମାଣ ମଧ୍ୟ ମିଳିଅଛି । ଏକ ମନୋରମ ଚନ୍ଦ୍ରିକାସ୍ନାତ ରଜନୀର ବର୍ଣ୍ଣନା କବିଙ୍କ ଲେଖନୀରେ ଅତ୍ୟନ୍ତ ହୃଦ୍ୟ ହୋଇଉଠିଛି । ଏହି ପ୍ରସଙ୍ଗରେ ସୀତା ତାଙ୍କର ଅତୀତ ଜୀବନର ସ୍ମୃତି ବର୍ଣ୍ଣନା କରିବାକୁ ଯାଇ ପଞ୍ଚବଟୀ ବନର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିଅଛନ୍ତି ।

 

“ଅନେକ ଦିବସ ଥିଲୁ ପଞ୍ଚବଟୀ ବନେ

ଗୋଦାବରୀ ପୂତ ତୀରେ ପ୍ରଫୁଲ୍ଲ ଜୀବନେ ।

ନିଶାନ୍ତେ ପବନ ବନ–ପୁଷ୍ପବାସ କରି

ମନ୍ଦ ମନ୍ଦ ଆସି ଦିଏ କୁଟୀରକୁ ଭରି ।

ଶ୍ରବଣକୁହରେ ଢାଳେ ମନୋରମ ସ୍ଵର

ରାଜ–ବେତାଳିକ ରୂପେ ଆସି ପିକବର ।

ମୟୂର ମୟୂରୀ ହୋଇ ନୃତ୍ୟପରାୟଣ

ମଣ୍ଡନ୍ତି ପ୍ରଭାତେ ମୋର କୁଟୀର ପ୍ରାଙ୍ଗଣ

ଆସିଥାନ୍ତି ଚଉତୁକେ ମୃଗଶିଶୁଗଣ

କରିବାକୁ ମୋହ କରୁ ନୀବାର ଭକ୍ଷଣ ।

ଜନନୀର କୋଳ ତେଜି କଲଭ କଲରୀ

ଖେଳନ୍ତି ମୋ ପାଶେ ମୋର କରୁଁ ଖାଦ୍ୟ ଲଭି ।”

 

ପଞ୍ଚବଟୀରେ ବାସ କରୁଥିବା ସମୟରେ ସୀତା ପଞ୍ଚବଟୀର ପ୍ରାକୃତିକ ସୌନ୍ଦର୍ଯ୍ୟରେ ମୁଗ୍‍ଧା ଥିଲେ । କବିଙ୍କ ଲେଖନୀରେ ପଞ୍ଚବଟୀର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମଞ୍ଜୁଳ ଶ୍ରୀ ଧାରଣ କରିଅଛି ।

 

ରାବଣ କର୍ତ୍ତୃକ ସୀତା ଅପହୃତା ହେବାପରେ ପୁଷ୍ପକ ବିମାନରେ ବସି ଯେତେବେଳେ ଲଙ୍କାକୁ ଯାଇଥିଲେ, ସେତେବେଳେ ପୁଷ୍ପକ ବିମାନରେ ଥାଇ ଆକାଶମାର୍ଗରୁ ସୀତା ବନ ଉପବନର ଶୋଭା ନିରୀକ୍ଷଣ କରିଥିଲେ । ଲଙ୍କାରେ ପହୁଞ୍ଚିବା ସମୟରେ ଲଙ୍କାପୁରୀର ସୋନ୍ଦର୍ଯ୍ୟ କବିଙ୍କ ଲେଖନୀରୁ ପ୍ରକାଶ ପାଇଅଛି । ମାତ୍ର ଏହି ବର୍ଣ୍ଣନାରେ କବିଙ୍କର ସୋନ୍ଦର୍ଯ୍ୟପ୍ରିୟତାର ବୈଶିଷ୍ଟ୍ୟ ପରିଦୃଷ୍ଟ ହୁଏ ନାହିଁ । ରାମଚନ୍ଦ୍ର ଲଙ୍କା ଯାଇ ରାବଣକୁ ବଧକରି ସୀତାଙ୍କୁ ସଙ୍ଗରେ ଧରି ପ୍ରତ୍ୟାବର୍ତ୍ତନ କରିବା ସମୟରେ ସୀତା ଆକାଶ ମାର୍ଗରୁ ବନ ଉପବନର ସୌନ୍ଦର୍ଯ୍ୟ ନିରୀକ୍ଷଣ କରିବାର ବର୍ଣ୍ଣନା କବି କରିଅଛନ୍ତି । କାଳିଦାସଙ୍କର ରଘୁବଂଶ କାବ୍ୟରେ ଏହି ବର୍ଣ୍ଣନା ଅତ୍ୟନ୍ତ ମନୋମୁଗ୍‍ଧକର । ଗଙ୍ଗାଧର କାଳିଦାସଙ୍କୁ ଅନୁସରଣ କରିଥିଲେ ହେଁ ଏ ସ୍ଥଳରେ ତାଙ୍କର ବୈଶିଷ୍ଟ୍ୟ କେତେକାଂଶରେ ପ୍ରକାଶ ପାଇଅଛି ।

 

“ରତ୍ନଦୀପିତ ରଥ ତା ଚିତ୍ରଗତି,

ଉପରେ ମେଘ ତଳେ ସରିତପତି ।

ସରିତ ଧରାଧର ଧରଣୀରୁହ

ହେଲେ ମୋ ନୟନର ପୀରତି ବ୍ୟୂହ ଗୋ ।

ପୂର୍ବ ନିର୍ବାସ ବନସ୍ଥଳ ସକଳ,

ବିହାର–କୁଞ୍ଜ ପୁଞ୍ଜ ରମ୍ୟ ଅଚଳ ।

ଧୂମ–ଜଟିଳ ଋଷି–ଆଶ୍ରମମାନ

ଚିତ୍ତକୁ ମୋର କରୁଥିଲେ ଆହ୍ଵାନ ଗୋ ।

ବ୍ୟସ୍ତକୁନ୍ତଳା ମୁନିକୁମାରୀଗଣ

ରଥ ନିର୍ଘୋଷ ଦୂରୁଁ କରି ଶ୍ରବଣ ।

ଚକିତେ ଚାହିଁଥାନ୍ତି ଊର୍ଦ୍ଧ୍ଵ–ବଦନେ

ଜନ୍ମାଇ ପୂର୍ବ–ସୁଖ–ସ୍ମୃତି ମୋ ମନେ ଗୋ ।”

 

ସୀତାଙ୍କ ମନ ଉପରେ ବନଶ୍ରୀ ଯଥେଷ୍ଟ ପ୍ରଭାବ ବିସ୍ତାର କରିଥିଲା । ଆକାଶମାର୍ଗରେ ପୁଷ୍ପକ ବିମାନରେ ଥାଇ ସୀତା ଏକ ସମୟରେ ମନକୁ ଆକାଶ, ଅରଣ୍ୟ ଓ ଅଯୋଧ୍ୟାର ଦୃଶ୍ୟ ମଧ୍ୟରେ ବ୍ୟାପ୍ତ କରିଥିଲେ । ଇନ୍ଦ୍ରଧନୁ ଯେପରି ନୂଆ ମେଘଖଣ୍ଡରେ ଅର୍ଦ୍ଧମଣ୍ଡଳାକାରରେ ପଡ଼ିଥାଏ, ସୀତାଙ୍କ ମନ ସେହିପରି ଏହି ତିନି ସ୍ଥାନକୁ ସଂଯୋଗ କରି ଅର୍ଦ୍ଧମଣ୍ଡଳାକାର ହୋଇଥିଲା-

 

ଅଷ୍ଟମ ସର୍ଗରେ କବି ଏକ ଦୀର୍ଘ ପ୍ରକୃତି ବର୍ଣ୍ଣନା ପ୍ରଦାନ କରିଅଛନ୍ତି । ଏହି ବର୍ଣ୍ଣନାରେ କବିଙ୍କ ସୂକ୍ଷ୍ମଦର୍ଷୀ ସୌନ୍ଦର୍ଯ୍ୟପ୍ରିୟତା ପ୍ରକାଶ ପାଇଅଛି । ସୀତାଙ୍କର ମାନସ ରାଜ୍ୟରେ ଚିତ୍ରକୂଟ, ଗୋଦାବରୀ, ମହାନଦୀ ଓ ଅଯୋଧ୍ୟାର ସ୍ମୃତି ଯେତେବେଳେ ଜାଗରୂକ ହୋଇଉଠିଛି, ସେତେବେଳେ କବିଙ୍କର ସୌନ୍ଦର୍ଯ୍ୟବାଦୀ ଦୃଷ୍ଟିକୋଣର ଯଥେଷ୍ଟ ପରିଚୟ ମିଳିଅଛି ।

 

ବର୍ଷା ଋତୁରେ ଚିତ୍ରକୂଟ ପର୍ବତରେ ମେଘବର୍ଷାର ବର୍ଣ୍ଣନା କବିଙ୍କ କଳ୍ପନା ଚକ୍ଷୁରେ ଅତୀବ ଜୀବନ୍ତ ରୂପ ଧାରଣ କରିଅଛି । ପର୍ବତ ଉପରେ ବର୍ଷା ସମୟରେ ଭସାମେଘର ଲୁଚକାଳି ଖେଳ, ବିଜୁଳିର ଘନ ଘନ ସ୍ଫୁରଣ ଏକାନ୍ତ ସ୍ୱାଭାବିକ । ମାତ୍ର କବି ଏହି ସ୍ୱାଭାବିକତାର ଭିତ୍ତି ଉପରେ କଳ୍ପନାର ମାୟାଜାଲ ବିସ୍ତାର କରି ପ୍ରକୃତିକୁ ଜୀବନ୍ତ ରୂପରେ ସକ୍ରିୟ କରିଅଛନ୍ତି । ମେଘଖଣ୍ଡ ପର୍ବତ ଉପରେ ବୁଲି ବୁଲି ସୀତାଙ୍କୁ ଦର୍ଶନ କରିବା ପାଇଁ ତାଙ୍କର ଅନ୍ୱେଷଣ କରନ୍ତି ।

 

“ତୁମ୍ଭ ଦର୍ଶନ ଆଶା ରଖି ଅଟଳ

ଥରକୁ ଥର ଆସି ମେଘପଟଳ

ଲୋଡ଼ନ୍ତି ଭ୍ରମି ଭ୍ରମି ଦରୀକି ଦରୀ,

କାହିଁ ଅଛନ୍ତି ବୋଲି ସୀତା-ସୁନ୍ଦରୀ ।

ପୁଚ୍ଛନ୍ତି ମୋତେ ମନ୍ଦ୍ର-ଗମ୍ଭୀର-ସ୍ପରେ,

ମାନନ୍ତି ନାହିଁ କେବେ “ନାହିଁ” ଉତ୍ତରେ ।

ଖୋଜନ୍ତି ପୁଣି ଶମ୍ପା ଆଲୋକ ଧରି,

ନିଶ୍ଚୟ ଅଛି ବୋଲି ସୀତା ସୁନ୍ଦରୀ ।”

 

ମେଘମାଳା ମନ୍ଦ୍ର–ଗମ୍ଭୀର ସ୍ୱରରେ ଚିତ୍ରକୂଟକୁ ସୀତାଙ୍କ ବିଷୟରେ ପ୍ରଶ୍ନ କରିବା ଓ ଚିତ୍ରକୂଟର ମନା ନ ମାନି ବିଦ୍ୟୁତ୍ ଆଲୋକ ଧରି ପର୍ବତର ଗୁମ୍ଫାକୁ ଗୁମ୍ଫା ବୁଲି ସୀତାଙ୍କର ଅନ୍ୱେଷଣ କରିବା କବିଙ୍କର ମଞ୍ଜୁଳ କଳ୍ପନାବିଳାସ ଓ ସୌନ୍ଦର୍ଯ୍ୟପ୍ରିୟତାର ଉଦାହରଣ । ସେହିପରି, ମହାନଦୀ ଆସି ସୀତାଙ୍କ ନିକଟରେ ଉପସ୍ଥିତ ହୋଇ ନିଜର ଭକ୍ତିଭାବ ପ୍ରକାଶ କରିବା ବର୍ଣ୍ଣନାରେ କବି ମହାନଦୀକୁ ଏକ ସୁସଜ୍ଜିତା ନାୟିକା ରୂପେ ଉପସ୍ଥାପିତ କରିଅଛନ୍ତି ।

 

“ତା ପରେ ଉଭା ଏକ ନବରଙ୍ଗିଣୀ,

ସ୍ୱଚ୍ଛ ଉଜ୍ଜ୍ୱଳ-କାନ୍ତିମଞ୍ଜୁ ଅଙ୍ଗିନୀ ।

ତୀବ୍ର-ଆପେ-ତାପ-ଦର୍ପ-ଗଞ୍ଜିନୀ,

କାନନ-ସୁନ୍ଦରୀଙ୍କ ଚିର-ସଙ୍ଗିନୀ ।

ଗଳ ଶୋଭିତ ଗିରି-ମଲ୍ଲିକା-ମାଳେ,

ମଧୁକେ ମନୋହର ଲଲାମ ଭାଲେ ।

କର୍ଣ୍ଣ-ଭୂଷଣ ଜମ୍ବୁ-ନୀଳ ରତନ,

ଶୁକ୍ତି-କରିଛି କଟି-ଭୂଷା ରଚନ ।

କାନନ-ବାସି ମୁନି-ମନ-ମୋହିନୀ,

ଚାରୁ-କୁଟିଳ-ନୀଳ-ବେଣୀ-ଶୋଭିନୀ ।

କୋମଳ କଳ-ଭାଷେ ପ୍ରସନ୍ନ-ମୁଖେ

ମଧୁରେ ଜଣାଇଲା ସତୀ-ସମ୍ମୁଖେ ।”

 

ମହାନଦୀକୁ କବି ଏକ ସୁନ୍ଦରୀ ନାୟିକାର ରୂପ ପ୍ରଦାନ କରିଅଛନ୍ତି । କବିଙ୍କର ଦେଶାତ୍ମବୋଧ ଓ ସୌନ୍ଦର୍ଯ୍ୟପ୍ରିୟତାର ଏହା ଅନ୍ୟତମ ନିଦର୍ଶନ । ଦଣ୍ଡକାରଣ୍ୟ, ଗୋଦାବରୀ ଓ ଅଯୋଧ୍ୟାର ବର୍ଣ୍ଣନାରେ କବି ନିଜର କଳ୍ପନାବିଳାସର ଅପୂର୍ବ ପରିଚୟ ପ୍ରଦାନ କରିଅଛନ୍ତି ।

 

ନବମ ସର୍ଗରେ କବି ଲବକୁଶଙ୍କର ଜନ୍ମ ବିଷୟ ବର୍ଣ୍ଣନା କରିବାକୁ ଯାଇ ପ୍ରକୃତି ବର୍ଣ୍ଣନା ଜରିଆରେ ଆଶ୍ରମର ପରିବେଶକୁ ଚିତ୍ରଣ କରିଅଛନ୍ତି । ଶ୍ରାବଣମାସର ଏକ ବର୍ଷାମୁଖର ରାତ୍ରିରେ ଲବକୁଶ ଭୂମିଷ୍ଠ ହେଲେ । ଲବକୁଶଙ୍କର ଜନ୍ମ ପରେ ଶ୍ରାବଣର ବର୍ଷାମୁଖର ରାତ୍ରିର ବର୍ଷାର ବିରାମ ଘଟିଛି । ଆଶ୍ରମରେ ଆନନ୍ଦ କଲ୍ଲୋଳ ଉଠିଅଛି । କବି ଏହି ବର୍ଣ୍ଣନାରେ ତାଙ୍କର ପ୍ରକୃତି ଚିତ୍ରଣର ଦକ୍ଷତା ପ୍ରଦର୍ଶନ କରିଅଛନ୍ତି ।

 

ଲବକୁଶଙ୍କର ନାମକରଣ ଉତ୍ସବ ଦିନ ବାଲ୍ମୀକି-ଆଶ୍ରମ ଅତ୍ୟନ୍ତ ମନୋରମ ଭାବରେ ସଜ୍ଜିତ ହୋଇଥିଲା । ନାମକରଣର ଶୁଭସମୟ ଉପନୀତ ହୁଅନ୍ତେ ଅନୁକମ୍ପା କୁମାରଦୟଙ୍କୁ ଧାରଣ କରି ଉତ୍ସବ-ମଣ୍ଡପରେ ଉପସ୍ଥିତା ହେଲେ । ଏହି ସମୟରେ କବି ଉତ୍ସବ-ମଣ୍ଡପର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିଅଛନ୍ତି ।

 

“ସାଗର ସମୂହେ ଯଥା କ୍ଷୀରାର୍ଣ୍ଣବ,

ବୃନ୍ଦାରକ ବୃନ୍ଦେ ଯେମନ୍ତ ବାସବ ।

ଅବା ହିମାଚଳ-ସମୁଚ୍ଚ-ଶିଖର

ମଣ୍ଡଳେ ଯେସନ ଗଉରୀ ଶଙ୍କର ।

ମୁନିବୃନ୍ଦ ମଧ୍ୟେ ମହାତପୋଧନ

ବିଶୋଭିଲେ କରି ମଣ୍ଡପେ ଆସନ ।

ଅଶ୍ଵିନୀକୁମାରେ ଛାୟା ସଂଜ୍ଞା ପରି

କୁମାର ଯୁଗଳ କର ପଦ୍ମେ ଧରି ।

ସତୀ ଅନୁକମ୍ପା ଆସିଲେ ମଣ୍ଡପେ

ଶୋଭା ତହିଁ ଉଭା ହୋଇଗଲା ଦର୍ପେ ।”

 

ଆଶ୍ରମର ତପସ୍ଵିନୀମାନଙ୍କ ମଧ୍ୟରେ ବାଲ୍ମୀକି ମହର୍ଷିଙ୍କର ଉପସ୍ଥିତି ଓ ଲବକୁଶଙ୍କୁ ଧାରଣ କରି ଅନୁକମ୍ପାଙ୍କର ଉପସ୍ଥିତିକୁ କବି ଅତ୍ୟନ୍ତ ଦକ୍ଷତାର ସହିତ ଆଳଙ୍କାରିକ ରୀତିରେ ଉପସ୍ଥାପନ କରିଅଛନ୍ତି । ଆଶ୍ରମର ପ୍ରତ୍ୟେକ କର୍ମରେ କବି ସୌନ୍ଦର୍ଯ୍ୟର ସତ୍ତା ପ୍ରଦର୍ଶନ କରିଅଛନ୍ତି-। ଲବକୁଶଙ୍କର ଶୈଶବ ଅବସ୍ଥାର ଚିତ୍ର କବି ଅତ୍ୟନ୍ତ ମନୋରମ ଭାବରେ ଦେଇଅଛନ୍ତି । ଶିଶୁର ଅଭିବୃଦ୍ଧି ସହିତ ତାଳ ରଖି କବି ଯେଉଁ ବର୍ଣ୍ଣନା ଦେଇଅଛନ୍ତି, ତାହା ଅତ୍ୟନ୍ତ ବାସ୍ତବ ଓ ଜୀବନ୍ତ-

 

ତପସ୍ଵିନୀ କାବ୍ୟର ଶେଷ ସର୍ଗ ଅର୍ଥାତ୍ ଏକାଦଶ ସର୍ଗର ଆରମ୍ଭରେ କବି ପ୍ରକୃତି ବର୍ଣ୍ଣନା କରିଅଛନ୍ତି । ପ୍ରାୟ ପ୍ରତ୍ୟେକ ସର୍ଗର ଆରମ୍ଭରେ ବା ସର୍ଗର ମଧ୍ୟଭାଗରେ କବି ପ୍ରକୃତିର ସେପରି ବର୍ଣ୍ଣନା ପ୍ରଦାନ କରିଅଛନ୍ତି, ତହିଁରୁ କବିଙ୍କର ପ୍ରକୃତି–ପ୍ରେମପ୍ରବଣତା ଓ ସୌନ୍ଦର୍ଯ୍ୟପ୍ରିୟତାର ପରିଚୟ ମିଳେ । କବି ସଂସ୍କୃତ ସାହିତ୍ୟର ଆଦର୍ଶରେ ଅନୁପ୍ରାଣିତ ହୋଇ ସୌନ୍ଦର୍ଯ୍ୟର ଚିତ୍ର ପ୍ରଦାନ କରିଥିବା ବିଷୟ ଅନେକ ସ୍ଥଳରେ ପ୍ରକାଶ ପାଇଅଛି । ସୌନ୍ଦର୍ଯ୍ୟପ୍ରିୟ କବିଙ୍କର ସୌନ୍ଦର୍ଯ୍ୟ ଲିପ୍‍ସାର ପରିଚୟ ତପସ୍ୱିନୀ କାବ୍ୟର ପ୍ରତ୍ୟେକ ଛତ୍ରରେ ପ୍ରକାଶ ପାଇଅଛି । ନିତାନ୍ତ ସାଧାରଣ ବିଷୟ ବର୍ଣ୍ଣନା କରିବା ସମୟରେ ମଧ୍ୟ କବି ତହିଁରେ ସୌନ୍ଦର୍ଯ୍ୟର ସତ୍ତା ଉପଲବ୍‍ଧି କରି ଅତ୍ୟନ୍ତ ଦକ୍ଷତାର ସହିତ ତାହାକୁ ପ୍ରକାଶ କରିଅଛନ୍ତି ।

★★★

 

ତପସ୍ଵିନୀରେ କବିଙ୍କର ବର୍ଣ୍ଣନାଶୈଳୀ

 

ଓଡ଼ିଆ ସାହିତ୍ୟର ମଧ୍ୟଯୁଗରେ ଓଡ଼ିଆ କାବ୍ୟ ସାହିତ୍ୟରେ କବିମାନଙ୍କର ବର୍ଣ୍ଣନା–ଶୈଳୀରେ ଭିନ୍ନତା ସତ୍ତ୍ୱେ ସମଗ୍ରତା ଦୃଷ୍ଟିରୁ ଏକତା ପରିଲକ୍ଷିତ ହୋଇଥାଏ । ମଧ୍ୟଯୁଗର କବିମାନେ ସଂସ୍କୃତ କାବ୍ୟ–ସାହିତ୍ୟର ରୀତି ଅନୁସରଣ କରିବା ଯୋଗୁ ବର୍ଣ୍ଣନା ଶୈଳୀରେ ଏହି ଅଭିନ୍ନତା ପରିଲକ୍ଷିତ ହୁଏ । ବିଶେଷତଃ ମଧ୍ୟଯୁଗର ଓଡ଼ିଆ ସାହିତ୍ୟ ଅଳଙ୍କାରର ବାହୁଲ୍ୟରେ ଭାରାକ୍ରାନ୍ତ । ଆଧୁନିକ ଯୁଗରେ କବିବର ରାଧାନାଥ ଓଡ଼ିଆ କାବ୍ୟ ସାହିତ୍ୟକୁ ଅଳଙ୍କାରର ଭାରରୁ ମୁକ୍ତ କରିବାର ପ୍ରୟାସ ଦେଖାଇଲେ । ଫଳରେ ଶବ୍ଦାଳଙ୍କାର କାବ୍ୟ–ସାହିତ୍ୟରୁ ଯେତେଦୂର ସମ୍ଭବ ତ୍ୟକ୍ତ ହେଲା ଓ ଅର୍ଥାଳଙ୍କାରର ପ୍ରୟୋଗ ବହୁଳ ନ ହୋଇ ସୀମିତ ହେଲା ।

 

ମଧ୍ୟଯୁଗର କାବ୍ୟ ସାହିତ୍ୟ ପ୍ରତ୍ୟକ୍ଷ ଭାବରେ ସଙ୍ଗୀତ ସହିତ ସମ୍ପୃକ୍ତ ଥିଲା । ମାତ୍ର ଆଧୁନିକ ଯୁଗରେ ସଙ୍ଗୀତ ସାହିତ୍ୟଠାରୁ ବିଛିନ୍ନ ହୋଇ ପୃଥକ୍ ପଥ ବାଛିନେଲା । ତେଣୁ ଆଧୁନିକ ଯୁଗରେ କବିର ବର୍ଣ୍ଣନାଶୈଳୀ ଅଧିକ ଭାବରେ ବ୍ୟାପକ ହେବାକୁ ଲାଗିଲା । ଏ ଯୁଗର କବିର ବର୍ଣ୍ଣନାଶୈଳୀ କେବଳ ସଂସ୍କୃତ ସାହିତ୍ୟର ଆଦର୍ଶଦ୍ଵାରା ପ୍ରଭାବିତ ନ ହୋଇ ପାଶ୍ଚାତ୍ୟ ସାହିତ୍ୟର ଆଦର୍ଶ ଦ୍ଵାରା ପ୍ରଭାବିତ ହେଲା । କବି ଗଙ୍ଗାଧର ମେହେର ଥିଲେ ପ୍ରାଚୀନ ଓ ଆଧୁନିକ ମତବାଦର ସମନ୍ଵୟ ସଂପାଦକ । ତାଙ୍କ ଉପରେ କାଳିଦାସ, ମାଘ, ଶ୍ରୀହର୍ଷ ପ୍ରଭୃତି ବିଖ୍ୟାତ ସଂସ୍କୃତ କବିମାନଙ୍କର ପ୍ରଭାବ ଯେତିକି ପରିମାଣରେ ପରିଦୃଷ୍ଟ ହୁଏ, ଉପେନ୍ଦ୍ରଭଞ୍ଜ, ଦୀନକୃଷ୍ଣ ଓ ଅଭିମନ୍ୟୁଙ୍କର ପ୍ରଭାବ ସେତିକି ପରିମାଣରେ ପରିଦୃଷ୍ଟ ହୁଏ । ବିଶେଷ ଭାବରେ ଆଧୁନିକ ଯୁଗସ୍ରଷ୍ଟା କବିବର ରାଧାନାଥଙ୍କର ପ୍ରଭାବ ତାଙ୍କ ଉପରେ ଯେପରି ଭାବରେ ପଡ଼ିଥିଲା, ତାହା ଲକ୍ଷ୍ୟ କରିବାର କଥା । ଆଧୁନିକ ଯୁଗର ଯେଉଁ କବିମାନେ ସେମାନଙ୍କର ସାହିତ୍ୟ ସାଧନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଅଛନ୍ତି, ସେମାନଙ୍କ ମଧ୍ୟରେ ଗଙ୍ଗାଧର ଏକ ସ୍ଵତନ୍ତ୍ର ଆସନର ଅଧିକାରୀ । ଗଙ୍ଗାଧରଙ୍କର ଲଳିତ ପଦ ସଂଯୋଗ ତାଙ୍କର ବୈଶିଷ୍ଟ୍ୟ ପ୍ରଦର୍ଶକ ବର୍ଣ୍ଣନା କରିବା ସମୟରେ କବି ଅନେକ ସ୍ଥଳରେ ସତର୍କତା ଅବଲମ୍ବନ କରିପାରି ନାହାନ୍ତି । ତାହା କରିଥିଲେ କାବ୍ୟର କଳେବର ମଧ୍ୟରେ ଯେଉଁ କେତେକ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହୁଏ, ତାହା ହୋଇ ନ ଥାନ୍ତା । କବି ଅନେକ ସ୍ଥଳରେ ଏପରି ଭାବପ୍ରବଣ ହୋଇ ପଡ଼ିଛନ୍ତି ଯେ, ତାହା କେତେକ ସ୍ଥଳରେ କାବ୍ୟର ମର୍ଯ୍ୟାଦାକୁ ଯେପରି ବୃଦ୍ଧି କରିଅଛି, ଅନ୍ୟ କେତକ ସ୍ଥଳରେ ସେହିପରି କାବ୍ୟର ମର୍ଯ୍ୟାଦାକୁ କ୍ଷୁଣ୍ଣ କରିଅଛି ।

 

ତପସ୍ଵିନୀ କାବ୍ୟରେ କବି ଗଙ୍ଗାଧର ମେହେର କେତେକ ସ୍ଥଳରେ ଏପରି ଶବ୍ଦ ପ୍ରୟୋଗ କରିଅଛନ୍ତି, ଯାହା ଫଳରେ କି ଭାଷାର ଭାରସାମ୍ୟ ରକ୍ଷିତ ହୋଇ ପାରିନାହିଁ । ସାଧୁ ଶବ୍ଦ ସହିତ ଗାଉଁଲୀ ଶବ୍ଦର ମିଶ୍ରିତ ଅନେକ ସମୟରେ ଭାଷାର ଭାରସାମ୍ୟ ରକ୍ଷା କରିବାକୁ ଅସମର୍ଥ । ଗଙ୍ଗାଧର ତପସ୍ଵିନୀ କାବ୍ୟରେ କେବଳ ଗାଉଁଲୀ ଶବ୍ଦ, ସଂସ୍କୃତ ଶବ୍ଦ ଓ ବିଦେଶୀ ଶବ୍ଦ ପ୍ରୟୋଗ କରି ରଚନାର ଲାଳିତ୍ୟକୁ କେତେକ ସ୍ଥାନରେ କ୍ଷୁଣ୍ଣ କରିଅଛନ୍ତି ।

 

“କରଭ କରିଣୀ କରୀ ହୋଇ ଡିତ୍‍ଥ ପରି

ପଥେ ରହିଗଲେ ଗଙ୍ଗା–ଗମନ ବିସ୍ମରି ।” (୧ମ ସର୍ଗ)

 

କବି ଏଠାରେ “ଡିତ୍‍ଥ” ଶବ୍ଦ ପ୍ରୟୋଗ କରି ରଚନାର ସୌକର୍ଯ୍ୟରେ ବାଧା ସୃଷ୍ଟି କରିଅଛନ୍ତି । “ଡିତ୍‍ଥ” ଶବ୍ଦର ଅର୍ଥ “କାଷ୍ଠମୟ ହସ୍ତୀ” । କାଷ୍ଠମୟ ହସ୍ତୀ ଅର୍ଥ ପ୍ରକାଶ କରୁଥିବା ଅନ୍ୟ କୌଣସି ଶବ୍ଦ ପ୍ରୟୋଗ ଯେବେ ଅସମ୍ଭବ, ତେବେ “କାଷ୍ଠମୟ ହସ୍ତୀ” ବୋଲି ଯଦି କବି ବର୍ଣ୍ଣନା କରି ଥାଆନ୍ତେ ତାହାହେଲେ ବର୍ଣ୍ଣନାର ସୌକର୍ଯ୍ୟ ରକ୍ଷିତ ହୋଇ ପାରିଥାଆନ୍ତା ।

 

“ରମ୍ୟ ରାମାୟଣ କରି ଶ୍ରବଣ

ମୁଗ୍‍ଧ ମୃଗେ ଥାନ୍ତି ଡେରି ଶ୍ରବଣ

ନିଶ୍ଚଳ ଲୋଚନେ ଡବିତ୍‍ଥ ପରି

ଆହାର ବିହାର ତୃଷା ବିସ୍ମରି ।’’ (ଦଶମ ସର୍ଗ)

 

ଉପରୋକ୍ତ ପଦ୍ୟାଂରେ “ଡିତ୍‍ଥ” ଶବ୍ଦ ପରି ଏଠାରେ କବି “ଡିବିତ୍‍ଥ” ଶବ୍ଦ ପ୍ରୟୋଗ କରିଅଛନ୍ତି । “ଡିବିତ୍‍ଥ” ଶବ୍ଦର ଅର୍ଥ “କାଷ୍ଠମୟ ମୃଗ” । ଏହି ଅର୍ଥ ପ୍ରକାଶ ପାଇଁ ଅନ୍ୟ ଶବ୍ଦ ପ୍ରୟୋଗ ନ କରି ମଧ୍ୟ କବି “କାଷ୍ଠମୟ ମୃଗ” ବୋଲି ବର୍ଣ୍ଣନା କରିଥିଲେ ବରଂ ସୁନ୍ଦର ହୋଇଥାନ୍ତା-। ମାତ୍ର କବି ପ୍ରାଚୀନ କାବ୍ୟଶାସ୍ତ୍ର ତଥା ସଂସ୍କୃତ ସାହିତ୍ୟର ପ୍ରଭାବକୁ ଏଡ଼ିପାରି ନାହାନ୍ତି ।

 

“ପ୍ରାଣନାଥଙ୍କର ପ୍ରେମ–ଜରଜର

ମଧୁମୟ ସମ୍ଭାଷଣ,

ହୃଦ–ପନୋଗ୍ରାଫେ ପରବେଶି ଆପେ

ତୋଳୁଛି ନିର୍ମଳ ସ୍ୱନ ।”

 

ଏ ଦେଶରେ ଇଂରାଜୀ ଶିକ୍ଷା ପ୍ରବର୍ତ୍ତିତ ହେବାପରେ ଆଧୁନିକ ଯୁଗର ସଭ୍ୟ ଶିକ୍ଷିତ ବ୍ୟକ୍ତିମାନେ ସେମାନଙ୍କର ଦୈନନ୍ଦିନ କଥାଭାଷାରେ ଅଧିକାଂଶ ସମୟରେ ଭାବପ୍ରକାଶ ନିମିତ୍ତ ଇଂରାଜୀ ଶବ୍ଦ ବ୍ୟବହାର କଲେ । ଇଂରାଜୀ ଭାଷାର ଏହି ପ୍ରଭାବ ବର୍ତ୍ତମାନ ସୁଦ୍ଧା ଏ ଦେଶବାସୀଙ୍କ ଉପରେ ଅବ୍ୟାହତ ରହିଥିବାର ଦେଖାଯାଏ । ଗଙ୍ଗାଧର ମେହେର ତାଙ୍କ କାବ୍ୟ କବିତା ରଚନା କରିବା ସମୟରେ ଆଧୁନିକ ଜଗତର ଫନୋଗ୍ରାଫ୍ ତାଙ୍କ ଦୃଷ୍ଟିକୁ ଆକର୍ଷଣ କରିବା ନିତାନ୍ତ ସ୍ଵାଭାବିକ । ମାତ୍ର ଭାବପ୍ରକାଶ ପାଇଁ, କାବ୍ୟିକ ସୌଷ୍ଠବ ରକ୍ଷା ପାଇଁ ଏପରି ଶବ୍ଦ ପ୍ରୟୋଗ ସମୀଚୀନ ନୁହେଁ ଓ ଏହା କବିଙ୍କର ଶବ୍ଦପ୍ରୟୋଗ ରୀତିର ଏକ ଅସ୍ୱାଭାବିକ ପରିପ୍ରକାଶ ।

 

ଗଙ୍ଗାଧର ମେହେର ତାଙ୍କର କାବ୍ୟରେ କେତେକ ସ୍ଥଳରେ ସ୍ଥାନୀୟ ପ୍ରସିଦ୍ଧି ବର୍ଣ୍ଣନା କରିଅଛନ୍ତି । ପଶୁପକ୍ଷୀମାନଙ୍କର ସ୍ଥାନୀୟ ନାମ ସେ ପ୍ରକୃତି ବର୍ଣ୍ଣନାରେ ପ୍ରକାଶ କରିଅଛନ୍ତି । ସମ୍ବଲପୁର ଅଞ୍ଚଳରେ ପ୍ରଚଳିତ କେତେକ ଶବ୍ଦ ସେ କାବ୍ୟମଧ୍ୟରେ ପ୍ରୟୋଗ କରିଅଛନ୍ତି । କବି ଯଦିଓ କାବ୍ୟକୁ ସାଧାରଣ ଓଡ଼ିଆ ଭାଷାରେ ରଚନା କରିଅଛନ୍ତି, ତଥାପି ଆଞ୍ଚଳିକ ଶବ୍ଦର ପ୍ରୟୋଗ ସେ କେତେକ ସ୍ଥାନରେ କରିଅଛନ୍ତି । ତପସ୍ୱିନୀ କାବ୍ୟ ସମଗ୍ର ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ସୃଷ୍ଟ । ସେଥିରେ ଆଞ୍ଚଳିକ ଶବ୍ଦ ପ୍ରୟୋଗ କରି କବି ପାଠକମାନଙ୍କୁ ଅଯଥାରେ ଅସୁବିଧାର ସମ୍ମୁଖୀନ କରାଇଅଛନ୍ତି ।

 

“ବୋଲି ନିଛି ଦେଇ ଧରାଇ

ଦେଲେ ନାରଙ୍ଗୀ କୋଳି

ଗୋଟି ଗୋଟି କରି କର୍ପୂର

କାନ୍ତି ପକ୍ୱ କଦଳୀ ।” (ଦ୍ଵିତୀୟ ସର୍ଗ)

 

ଏହି ‘ନିଛି’ ଶବ୍ଦ–ଗୋଟିଏ ସମ୍ବଲପୁରୀ ଆଞ୍ଚଳିକ ଶବ୍ଦ । ଏହାର ଅର୍ଥ ‘ଚୋପାଛଡ଼ାଇ’ । ତପସ୍ୱିନୀ କାବ୍ୟ ପାଠ କରିବା ସମୟରେ ଓଡ଼ିଶାର ଭିନ୍ନ ଭିନ୍ନ ଅଞ୍ଚଳର ବହୁପାଠକ ‘ନିଛି’ ଶବ୍ଦର ଅର୍ଥ ବୁଝି ନ ପାରି ଏହାକୁ ମୁଦ୍ରଣ ଦୋଷ ମନେ କରିଥିଲେ । ସେମାନେ ଭାବିଥିଲେ ବୋଧହୁଏ ‘କିଛି’ ସ୍ଥାନରେ ‘ନିଛି’ ବୋଲି ମୁଦ୍ରିତ ହୋଇଯାଇଅଛି । ମାତ୍ର ଯେତେବେଳେ ‘ନିଛି’ର ପ୍ରକୃତ ଅର୍ଥ ଜଣାପଡ଼ିଲା, ସେତେବେଳେ ଉକ୍ତ ପଦର ଅର୍ଥ ସ୍ପଷ୍ଟ ଭାବରେ ବୁଝାଗଲା । ଏହି ଶବ୍ଦ ପ୍ରୟୋଗକୁ ଯଦିଓ ଦୋଷାବହ ବୋଲି ଧରାଯାଉନାହିଁ, ତଥାପି ଏହା କାବ୍ୟର ଅର୍ଥ ବୋଧଗମ୍ୟ ହେବା ଦିଗରେ ଯେ ପ୍ରତିବନ୍ଧକ ସୃଷ୍ଟି କରୁଅଛି ଏକଥା ମୁକ୍ତ କଣ୍ଠରେ ସ୍ଵୀକାର କରାଯାଇପାରେ ।

 

ଏହିଭଳି କେତେକ ସାମାନ୍ୟ ତ୍ରୁଟିକୁ ଛାଡ଼ିଦେଲେ ତପସ୍ୱିନୀ କାବ୍ୟରେ ଶବ୍ଦପ୍ରୟୋଗ ଯେ ଅତ୍ୟନ୍ତ ମନୋମୁଗ୍‍ଧକର ହୋଇପାରିଛି, ଏକଥା ଅସ୍ଵୀକାର କରିହେବ ନାହିଁ । ଗଙ୍ଗାଧର ତାଙ୍କର କାବ୍ୟରେ ଶବ୍ଦପ୍ରୟୋଗ କରିବା ସମୟରେ ପଦମାନଙ୍କର ଶ୍ରୁତିମଧୁରତା ପ୍ରତି ଲକ୍ଷ୍ୟ ରଖିଅଛନ୍ତି । ଶ୍ରୁତିମଧୁର ଶବ୍ଦଗୁଡ଼ିକର ପ୍ରୟୋଗରେ ତପସ୍ୱିନୀର ପଦସମୂହ ହୋଇଉଠିଛି ସଙ୍ଗୀତମୟ । ତପସ୍ୱିନୀର ପ୍ରତ୍ୟେକ ସର୍ଗ ବିଭିନ୍ନ ରାଗରେ ରଚିତ । ପୁଣି ଯେଉଁ ରାଗଗୁଡ଼ିକ ସାଧାରଣ ସ୍ତରରେ ବିଶେଷ ଭାବରେ ଆଦୃତ, ସେହି ରାଗଗୁଡ଼ିକ ହିଁ ଗଙ୍ଗାଧର ବାଛି ନେଇଅଛନ୍ତି-। ତପସ୍ୱିନୀର ଚତୁର୍ଥ ସର୍ଗ “ଚୋଖି” ରାଗରେ ଓ ପଞ୍ଚମ ସର୍ଗ ‘ରସକୁଲ୍ୟା’ ରାଗରେ ରଚିତ-। ଏହି ଦୁଇଟି ସର୍ଗର ପଦାବଳୀ ସଙ୍ଗୀତ ହିସାବରେ ଗୀତ ହୋଇ ଖ୍ୟାତିଲାଭ କରିଅଛି ।

 

ସହୃଦୟ ରସିକ ପାଠକହିଁ କାବ୍ୟ ପାଠକରେ ତହିଁରୁ ରସ ଆହରଣ କରିବା ନିମିତ୍ତ । କବିର ପ୍ରଥମ ଏବଂ ପ୍ରଧାନ କର୍ତ୍ତବ୍ୟ ହେଉଛି ପାଠକକୁ ଉପଯୁକ୍ତ ଭାବରେ ରସ ଉପଲବ୍‍ଧି ଲାଗି ସୁଯୋଗ ପ୍ରଦାନ କରିବା । ଯେଉଁ କବି ରସ ପରିବେଷଣରେ ଯେତିକି ଦକ୍ଷ, ସେ କବି ସୁକବିତ୍ୱ ଲାଗି ସେତିକି ଯୋଗ୍ୟ । ଗଙ୍ଗାଧର ମେହେର ତପସ୍ୱିନୀ କାବ୍ୟକୁ ମୁଖ୍ୟତଃ କରୁଣ ରସ ଉପରେ ଆଧାରିତ କରିଅଛନ୍ତି । ସୀତାଙ୍କ ନିର୍ବାସନ ଦଣ୍ଡଠାରୁ ତପସ୍ୱିନୀ କାବ୍ୟର କଥାବସ୍ତୁର ଆରମ୍ଭ ହୋଇଥିଲେହେଁ ପ୍ରସଙ୍ଗକ୍ରମରେ ରାମଚନ୍ଦ୍ର ଓ ସୀତାଙ୍କର ଜୀବନର ସମସ୍ତ ଘଟଣା ଏଥିରେ ବର୍ଣ୍ଣିତ ହୋଇଅଛି । କାବ୍ୟର ଆରମ୍ଭରୁ ହିଁ ପାଠକ କରୁଣରସର ପରିଚୟ ପାଇଥାଏ । କାବ୍ୟର କଥାବସ୍ତୁର ଅଗ୍ରଗତିରେ ଗୌଣ ଭାବରେ ଶୃଙ୍ଗାର ରସର ଅବତାରଣା ହୋଇଥିଲେହେଁ, ତାହା କାବ୍ୟର ଲାଳିତ୍ୟରେ ଅଭିବୃଦ୍ଧି ସମ୍ପାଦନ କରିଅଛି । ପ୍ରକୃତି ବର୍ଣ୍ଣନାରେ କବି ବୀରରସର ଅବତାରଣା କରିଅଛନ୍ତି । ନିୟତି ସହିତ ପ୍ରକୃତିର ସଂଗ୍ରାମରେ ଯେତିକି ସ୍ୱାଭାବିକ ହେବାର କଥା, ସେତିକି ସ୍ୱାଭାବିକ ପରିସରରେ ବୀରରସ ପ୍ରକାଶ ପାଇଅଛି । କରୁଣ ରସ ତପସ୍ୱିନୀ କାବ୍ୟର ମୁଖ୍ୟରସ । ତେଣୁ ସୀତା ଯେତେବେଳେ ନିର୍ବାସିତା ହୋଇ ଭାଗୀରଥୀ ତୀରରେ ଅସହାୟା ଅବସ୍ଥାରେ କ୍ରନ୍ଦନରତା ଥିଲେ, ସେହି ସ୍ଥାନରୁ ଆରମ୍ଭକରି ରାମଚନ୍ଦ୍ରଙ୍କ ନିକଟକୁ ପତ୍ର ଲେଖିବା ପର୍ଯ୍ୟନ୍ତ କରୁଣ ରସର କଲ୍ଲୋଳ କାବ୍ୟ–ସାଗର ମଧ୍ୟରେ ଦେଖା ଦେଇଅଛି । ଜୀବନର ଏକ ଶୁଭ ମୁହୂର୍ତ୍ତରେ ଯେତେବେଳେ ନାରୀ ସନ୍ତାନଲାଭ କରେ ସେତେବେଳେ ସେ ଅତିମାତ୍ରାରେ ଆନନ୍ଦିତା ହେବା ନିତାନ୍ତ ସ୍ଵାଦ୍ଭାବିକ । ଯେତେବେଳେ ଲବକୁଶ ଜନ୍ମଲାଭ କଲେ, ସେତେବେଳେ ଜୀବନର ସେହି ଶୁଭ ମୁହୂର୍ତ୍ତରେ ସୀତାଙ୍କ ପ୍ରାଣ ଆନନ୍ଦରେ ନାଚି ଉଠି ପାରିନାହିଁ । ସେ ସେହି ସମୟରେ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ । ଏ ଦୁଃଖ କେବଳ ତାଙ୍କର ସନ୍ତାନମାନଙ୍କର ରାଜପ୍ରାସାଦ ପରିବର୍ତ୍ତେ ମୁନିଆଶ୍ରମର କୁଟୀରରେ ଭୂମିଷ୍ଠ ହେବାଯୋଗୁଁ ।

 

କରୁଣରସ ସୃଷ୍ଟିଲାଗି କବି କିପରି ସୁଦକ୍ଷା ଥିଲେ, ତାହା ଉପସ୍ଵିନୀର ଯେ କୌଣସି ପାଠକ ଅନୁଭବ କରିପାରିବ । ରାମଚନ୍ଦ୍ରଙ୍କର ଅଶ୍ଵମେଧ ଯଜ୍ଞର ସମ୍ବାଦ ପାଇ ସୀତା ଯେତେବେଳେ ରାମଚନ୍ଦ୍ରଙ୍କ ପାଖକୁ ଖଣ୍ଡିଏ ପତ୍ର ଲେଖିଥିଲେ, ସେହି ସମୟର ବର୍ଣ୍ଣନା କବିଙ୍କର ଉତ୍ତୁଙ୍ଗ କଳ୍ପନାଶକ୍ତି ତଥା କରୁଣ ରସ ସୃଷ୍ଟି ନିମିତ୍ତ ସିଦ୍ଧହସ୍ତତାର ଚରମ ନିଦର୍ଶନ । ଏହି ପତ୍ରରେ କରୁଣରସ ଯେପରି ଭାବରେ ପ୍ରକାଶ ପାଇଅଛି, ଆଧୁନିକ ଓଡ଼ିଆ ସାହିତ୍ୟର ସମଗ୍ର ସୃଷ୍ଟି ସଂପଦ ମଧ୍ୟରେ ଅନ୍ୟତ୍ର ତାହା ବିରଳ ।

 

“ଶରଣା-ବତ୍ସଳ-ଧ୍ଵଜ-ରିପୁ-ଗଜାଙ୍କୁଶ,

ଦୁଃଖ-ଗିରି-ବଜ୍ର ଯହିଁ ଦେଖନ୍ତି ବିଦୁଷ,

ରାଜ ରାଜେଶ୍ଵରଙ୍କ ସେ ପାଦପଦ୍ମ ଦ୍ଵନ୍ଦେ

ଦୀନ ଭିକାରିଣୀ ଦୂରୁ ନତଶିରେ ବନ୍ଦେ ।

ତାପସଙ୍କୁ ତୁମ୍ଭ କିଛି ନ ଥାଏ ଅଦେୟ

ମୁହିଁ ତପସ୍ଵିନୀ ମୋତେ ନ କରିବ ହେୟ ।

ଯେ ହୋଇଛି ଆଜି ତୁମ୍ଭ ଅଙ୍କର ଭାଜନ

ଭକ୍ତିଭରେ ଦେଖୁଥିବେ ଜଗତର ଜନ ।

ପୂର୍ବେ ସେହୁ କରିଥିଲା କେଉଁ ଘୋର ତପ,

କେଉଁଠାରେ କେତେକାଳ କେଉଁ ମନ୍ତ୍ର ଜପ ।

ଏହା ମାତ୍ର ପ୍ରଭୋ ମୋତେ ଦେବଟି ଜଣାଇ

ଅନ୍ୟ କିଛି ଅନେ ମୋର ପ୍ରାୟୋଜନ ନାହିଁ ।

କୋଟି ଅଶ୍ଵମେଧେ ଯେତେ ଧନୀ ହୁଏ ଦାନ

ତାଠାରୁ ଅଧିକ ଏହା ହେବ ମୋର ଜ୍ଞାନ ।

ଆଉ ଏକ କଥା ମାତ୍ର ଅଛି ଅନୁରୋଧ,

ଦୁଃଖୀନୀୟ ପୁତ୍ରଯୁଗ ଅତ୍ୟନ୍ତ ଅବୋଧ ।

ନାହିଁ ତାଙ୍କ ପିତୃ-କୋଳ-ଆରୋହଣ-ଭାଗ୍ୟ

ନ ଜାଣନ୍ତି ଜନ୍ମକାଳୁ ପିତୃ ଅନୁରାଗ ।

ଜାଣିଛନ୍ତି ଜନନୀର ଜୀବନ କନ୍ଦାଇ

ବଣ ତନ୍ତ୍ରୀ ସହକାରେ ରାମାୟଣ ଗାଈ

ଧୀରବର ସେ କଥାକୁ ଘେନି ତୁମ୍ଭ ଶ୍ରୁତି

ଆଣିବ ଯଦ୍ୟପି ଦିନା ବୈଦେହୀର ସ୍ମୃତି

ବୈଦେହୀର ପ୍ରଣୟକୁ ମଣିବ ସ୍ଵପନ

ଚାହିଁ ନବ ପ୍ରଣୟିନୀ ପ୍ରଫୁଲ୍ଲ ଲପନ ।

ଲେଖୁଥାନ୍ତି ପତ୍ର ସତୀ ହୃଦୟବିକଳେ,

ପତ୍ରଧୌତ ହେଉଥାଏ ନୟନର ଜଳେ ।”

 

କାବ୍ୟର ପରିସମାପ୍ତି ପୂର୍ବରୁ କବି ସୀତାଙ୍କ ଦ୍ଵାରା ରାମଚନ୍ଦ୍ରଙ୍କ ନିକଟକୁ ଏହିପରି ପତ୍ରଲେଖାଇ ଏକ କରୁଣ ବାୟୁମଣ୍ଡଳ ସୃଷ୍ଟି କରିଅଛନ୍ତି । ରାମାୟଣର ପରିସମାପ୍ତି କରୁଣ ରସାତ୍ମକ । ମାତ୍ର ଭାରତୀୟ କାବ୍ୟ ସାହିତ୍ୟର ପରିସମାପ୍ତି କରୁଣ ରସାତ୍ମକ ହେବାର ନୁହେଁ । ତେଣୁ କବି ଅତ୍ୟନ୍ତ ଚତୁରତା ସହିତ ସୀତାଙ୍କର ସ୍ଵପ୍ନରେ କାବ୍ୟର ପରିସମାପ୍ତି ଘଟାଇ ଅଛନ୍ତି ।

 

ପ୍ରକୃତି ବର୍ଣ୍ଣନାରେ କବି ବୀର ରସର ଉଦ୍ରେକ କରାଇ ଅଛନ୍ତି । ସୀତା ଯେତେବେଳେ ନିର୍ବାସିତା ହୋଇ ଭାଗୀରଥି ତୀରରେ କ୍ରନ୍ଦନରତା ଥିଲେ, ସେତେବେଳେ ତାଙ୍କର ଦୁର୍ଦ୍ଦଶା ଦେଖି ପ୍ରକୃତି ବିଚଳିତ ହୋଇ ନିୟତି ସହିତ ସଂଗ୍ରାମ କରିଅଛି । ଏହି ସଂଗ୍ରାମରେ ବୀର ରସର ସୃଷ୍ଟି ହୋଇଅଛି ।

 

“କରିବାକୁ ନିୟତିର ସହିତ ସମର

ତୃଣରାଜ ଖଡ଼୍‍ଗକରେ ଗର୍ଜିଲା ପ୍ରଖର ।

ବାୟାବସା ତୂଣୀରକୁ ଝାଡ଼ି ବାରମ୍ବାର,

ପତ୍ର-କଙ୍କ ପତ୍ର କଲା କି ଅବା ବାହାର ।

କମ୍ପିତ-ସରିତ ବୀଚି ଉତ୍‍ଥିତ ଶୀକର

ପଡ଼ିଲା ପୁଲିନେ ତେଜି ତରଙ୍ଗ ଶିଖର ।

ଭରି କି ସୀସକ-ଗୁଳି ତରଙ୍ଗର ତୋପେ

ନିୟତିକି ଭାଗୀରଥୀ ପ୍ରହାରିଲା କୋପେ ?

କମଳ ସକଳ ହୋଇ ବିଚଳିତ ସରେ ।

ପଦ୍ମ-ବ୍ୟୂହ ରଚି ଯୁଦ୍ଧ କଲେ ଅଳି-ସରେ

ବନଫୁଲେ ବୃନ୍ତ ତେଜି ଭୂମିତଳେ ପଡ଼ି

ଧୂଳି ମାଖି ମଲ୍ଲଯୁଦ୍ଧେ ହେଲେ ଗଡ଼ାଗଡ଼ି ।”

 

ବୀର ରସର ବର୍ଣ୍ଣନା ପାଇଁ ଯେପରି କଠିନ ଶବ୍ଦାବଳୀ ପ୍ରଯୁକ୍ତ ହେବାର କଥା, ଏଠାରେ ତାହା ହୋଇନାହିଁ । କାରଣ ନିୟତି ସହିତ ପ୍ରକୃତିର ସଂଗ୍ରାମରେ କବି ବୀର ରସକୁ ପ୍ରାଧାନ୍ୟ ନ ଦେଇ ପ୍ରକୃତିର ମଞ୍ଜୁଳ ଶ୍ରୀର ପ୍ରତିବାଦମୂଳକ କାର୍ଯ୍ୟକୁ ଏଠାରେ ପ୍ରାଧାନ୍ୟ ଦେଇଅଛନ୍ତି ।

 

କାବ୍ୟର କଳେବର ମଧ୍ୟରେ କବି ଶୃଙ୍ଗାର ରସର ବାହୁଲ୍ୟ ପ୍ରଦର୍ଶନ କରିନାହାନ୍ତି । ପ୍ରସଙ୍ଗକ୍ରମରେ କେତେକ ସ୍ଥଳରେ କେବଳ ସୀମିତ ପରିସର ମଧ୍ୟରେ ଶୃଙ୍ଗାର ରସ ପ୍ରକାଶ ପାଇଅଛି । ଚକ୍ରବାକ ସ୍ୱନ ଶ୍ରବଣରେ ସୀତାଙ୍କର ଅତୀତ ଜୀବନର ସ୍ମୃତି ପ୍ରସଙ୍ଗରେ କବି ଶୃଙ୍ଗାର ରସାତ୍ମକ ବର୍ଣ୍ଣନା କରିଅଛନ୍ତି ।

 

“କରିବାକୁ ପୁଣି ମୋର ମାନସ ରଞ୍ଜନ

କରୁଥିଲେ ବନବାସ ସୁଖର ବର୍ଣ୍ଣନ ।

ସେକାଳେ ଅଦୂରେ ଶୁଣି ଚକ୍ରବାକ ସ୍ୱନ

ସହସା ପ୍ରାଣେଶ କଲେ ମୋ ମୁଖ ଚୁମ୍ବନ ।

କଉତୁକେ ପଚାରନ୍ତେ ତହିଁର କାରଣ,

ସେ ଯାହା କହିଲେ ଏବେ ହେଉଛି ସ୍ମରଣ ।

ବୋଇଲେ, “ପ୍ରେୟସି ଏହି କାନ୍ତା ବିରହିତ,

ଚକ୍ରବାକ ଦୁଃଖାନଳେ ହେଉଛି ଦହିତ ।

ଦିନଯାକ ଥାଏ ପ୍ରିୟା ସଙ୍ଗସୁଖେ ସିକ୍ତ,

ତା ବିନା ମଣୁଛି ଏବେ ଜୀବନକୁ ତିକ୍ତ ।

ତୁ ନ ଥାନ୍ତୁ ଯଦି ମୋର ବନ–ସହଚରୀ,

ଦୁଃଖେ ଦଗ୍‍ଧ ହେଉଥାନ୍ତି ବିପିନେ ବିଚରି ।”

 

ଆଧୁନିକ ଓଡ଼ିଆ ସାହିତ୍ୟରେ ଯେଉଁ କବିମାନେ କାବ୍ୟ କବିତାରେ ଶୃଙ୍ଗାର ରସାତ୍ମକ ଚିତ୍ର ପରିବେଷଣ କରିଅଛନ୍ତି, ସେମାନଙ୍କ ମଧ୍ୟରେ କବି ଗଙ୍ଗାଧର ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ । କାରଣ ସମୁଚିତ ପରିମାଣରେ, ସମୁଚିତ ପ୍ରସଙ୍ଗରେ ସମ୍ଭ୍ରାନ୍ତ ରୀତିରେ ଶୃଙ୍ଗାର ରସାତ୍ମକ ବର୍ଣ୍ଣନାରେ ତାଙ୍କର ଲେଖନୀ କୌଣସି ସ୍ଥଳରେ ଶାଳୀନତା ଲଙ୍ଘନ କରିନାହିଁ ବା ଉଚ୍ଛୃଙ୍ଖଳ ହୋଇ ଉଠିନାହିଁ । ଗଙ୍ଗାଧରଙ୍କ ରଚନା–ଶୈଳୀର ଏହା ଏକ ଅମୂଲ୍ୟ ବିଭବ । ଆଧୁନିକ ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା କବିବର ରାଧାନାଥ ଏ ଦୋଷରୁ ମୁକ୍ତ ନୁହନ୍ତି । ଗଙ୍ଗାଧରଙ୍କର ଉନ୍ନତ ଜୀବନାଦର୍ଶର ଏହା ସ୍ପଷ୍ଟ ସଙ୍କେତ । ଆଧୁନିକତା ନାମରେ ଉଚ୍ଛୃଙ୍ଖଳତାକୁ ସେ କେବେହେଲେ ପସନ୍ଦ କରିନାହାନ୍ତି । ଅତୀତର ଅନୁଭୂତି ଉପରେ ସମୟର ଗୁରୁତ୍ଵ ଦୃଷ୍ଟିରୁ ନୂତନର ସୃଷ୍ଟିହିଁ ତାଙ୍କ ମତରେ ଆଧୁନିକତା । ତାଙ୍କର ଏହି ଦୃଷ୍ଟିକୋଣ ତାଙ୍କର କାବ୍ୟ କବିତାରେ ସ୍ପଷ୍ଟ ଭାବରେ ପ୍ରକାଶ ପାଇଅଛି । ତପସ୍ୱିନୀ କାବ୍ୟରେ ରାମଚନ୍ଦ୍ର ଓ ସୀତାଙ୍କର ପ୍ରଣୟୀ ଓ ପ୍ରଣୟିନୀ ଜୀବନର ଚିତ୍ର ପ୍ରଦତ୍ତ ହୋଇଅଛି । ଏହି ଚିତ୍ରରେ କେବଳ ଆଦର୍ଶର ରୂପାୟନ ହିଁ ଘଟିଛି । ସାହିତ୍ୟିକ ବା କବି ଏହି ଆଦର୍ଶର ପୂଜାରୀ ।

 

ସିଦ୍ଧହସ୍ତ କବିହିଁ କେବଳ ସରସଭାବରେ କାବ୍ୟ କବିତା ରଚନା କରିବାକୁ ସମର୍ଥ ହୋଇଥାଏ । ରଚନା ସରସ ନ ହେଲେ ତାହା ପାଠକର ପ୍ରାଣକୁ ସ୍ପର୍ଶ କରିପାରିବ ନାହିଁ ? ଠିକ୍ ସେହିପରି ରଚନାର ମଧୁରତା ପ୍ରକାଶ ନ ପାଇଲେ ପାଠକ ତହିଁରୁ ଜାଣିବ କ’ଣ । ରଚନା ଯେତେ ସ୍ପଷ୍ଟଭାବରେ ବୋଧଗମ୍ୟ ହେବ, ତାହା ପାଠକ ନିକଟରେ ସେତେ ସରସ ଓ ମଧୁର ମନେହେବ-। ତପସ୍ୱିନୀ କାବ୍ୟରେ ଗଙ୍ଗାଧର ଏହି ଦୃଷ୍ଟିରୁ ସିଦ୍ଧହସ୍ତତାର ପରିଚୟ ଦେଇଥିଲେହେଁ କେତେକ ସ୍ଥଳରେ ଏହାର ବ୍ୟତିକ୍ରମ ଘଟିଛି ।

 

“ଜୟଲକ୍ଷୀ ରୂପେ କରନ୍ତି

ଶାନ୍ତି, ପୁରକୁ ବିଜେ

ଅଶାନ୍ତି–ସାଗର–ଉତ୍‍ଥିତା

ରାମ–ରମଣୀ ନିଜେ ।

ଟେକି ଚନ୍ଦ୍ରକିତ ବିରହ

ବେନି ବିଥିରେ ରହି

ଚାଲିଲେ ଉଭୟ ପାର୍ଶ୍ଵରେ

ଶତ ଶତ ବରହୀ ।

ସୁକୁମାର କରୀ ଶାବକେ

କରେ ଟେକି କମଳ

ଠେଲାଠେଲି ହୋଇ ଚାଲିଲେ

ସଙ୍ଗେ ଦଳକୁ ଦଳ ।”

 

ଉପରୋକ୍ତ ଉଦ୍ଧୃତାଂଶରେ କବିଙ୍କର ରଚନାଶୈଳୀ ଅତ୍ୟନ୍ତ ସରସ ଓ ମଧୁର । ଏହାକୁ ପାଠ କରିବା ସମୟରେ ପାଠକ ଅକ୍ଳେଶରେ ଏହାର ଅର୍ଥକୁ ହୃଦୟଙ୍ଗମ କରେ । ତେଣୁ ଏହା ରସ ଆସ୍ଵାଦନ ନିମିତ୍ତ ସହାୟକ ହୋଇଥାଏ । ମାତ୍ର କବି କେତେକ ସ୍ଥାନରେ ଏପରି ବର୍ଣ୍ଣନା ପ୍ରଦାନ କରିଅଛନ୍ତି ଯେ, ତାହା ପାଠକର ବୋଧଗମ୍ୟ ନ ହୋଇ ପାଠକକୁ ରସ ଆସ୍ଵାଦନରୁ ବଞ୍ଚିତ କରେ-

 

“ମୋ ଦୁଃଖ ଘନଘଟା ଲୋତକ ଧାର

ଚାହିଁ ଘୁଞ୍ଚିଲା ବହି ଗର୍ବ ଅନ୍ଧାର,

ଚମକିଗଲା ମୋର ସେ ଘନଘଟା

ମଧ୍ୟେ ତ ! ଆଶା ଭୀମ ବିଦ୍ୟୁତ–ଛଟା ଗୋ ।”

 

ଏହି ପଦ୍ୟାଂଶର ଅର୍ଥ ବୁଝିବାକୁ ପାଠକକୁ ଆୟାସ ସ୍ୱୀକାର କରିବାକୁ ପଡ଼ିଥାଏ । କବି ପ୍ରାଚୀନ ସାହିତ୍ୟ ଓ ସଂସ୍କୃତ ସାହିତ୍ୟର ପ୍ରଭାବରେ ଏପରି ଶବ୍ଦସଂଯୋଜନା କରିଅଛନ୍ତି ।

 

କବି ଗଙ୍ଗାଧର ମେହେର ତାଙ୍କର ତପସ୍ଵିନ୍ୟ କାବ୍ୟରେ ବହୁ ସ୍ଥଳରେ ଦୀର୍ଘ ସମାସଯୁକ୍ତ ପଦର ପ୍ରୟୋଗ କରିଅଛନ୍ତି । ଏହି ଆଧୁନିକ ଯୁଗର ସ୍ରଷ୍ଟା କବିବର ରାଧାନାଥଙ୍କର ପ୍ରଭାବ । ରାଧାନାଥଙ୍କର ଏହି ପ୍ରଭାବ ଆଧୁନିକ ଯୁଗର ବହୁ କବିଙ୍କ ଉପରେ ପଡ଼ିଥିବାର ଦେଖାଯାଏ । ଏପରିକି ପଣ୍ଡିତ ନୀଳକଣ୍ଠ ଯେଉଁ କୋଣାର୍କେ କାବ୍ୟରେ ରାଧାନାଥ ସାହିତ୍ୟର ନିନ୍ଦାବାଦ କରିଅଛନ୍ତି, ସେହି କୋଣାର୍କେ କାବ୍ୟରେ ରାଧାନାଥ–ପ୍ରଭାବିତ ଦୀର୍ଘ ସମାସଯୁକ୍ତ ପଦର ବ୍ୟବହାର କରିଅଛନ୍ତି । ତେଣୁ ଆଧୁନିକ ଯୁଗର କବିମାନେ ରାଧାନାଥଙ୍କର ଏ ପ୍ରଭାବରୁ ମୁକ୍ତ ନୁହନ୍ତି । ଦୀର୍ଘ ସମାସଯୁକ୍ତ ପାଦାବଳୀର ଦୃଷ୍ଟାନ୍ତ ତପସ୍ଵିନୀରେ ବହୁ ପରିମାଣରେ ଦେଖାଯାଏ ।

 

“କିଏ ଗୋ ତୁ ଜ୍ୟୋତିର୍ମୟୀ ଶୁଦ୍ଧ-ଶୁଭ୍ରବେଶା

ଇନ୍ଦ୍ରନୀଳ-ଦ୍ୟୁତି-ଜିତ ମନୋହର କେଶା ।”

“କରୀନ୍ଦ୍ର-କର-ଶୀକର ସରସୀ ଉରସେ

ପଡ଼ି, ସିକ୍ତ କରେ କିବା ପ୍ରଦୋଷ ସାରସେ ।”

“କମ୍ପିତ-ସରିତ-ବୀଚି ଉତ୍‍ଥିତ ଶୀକର

ପଡ଼ିଲା ପୁଲିନେ ତେଜି ତରଙ୍ଗ-ଶିଖର ।”

 

ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗରେ ଶବ୍ଦାଳଙ୍କାର ତ୍ୟକ୍ତ ହୋଇ ଅର୍ଥାଳଙ୍କାରର ପ୍ରୟୋଗ ରହିଲା । ଗଙ୍ଗାଧର ମେହେର ଆଧୁନିକ ଯୁଗର ଏହି ନୀତିକୁ ଗ୍ରହଣ କରିଥିଲେ ହେଁ ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟର ପ୍ରଭାବରେ ପଡ଼ି କେତେକ ସ୍ଥଳରେ ଯମକ, ଶ୍ଳେଷ ପ୍ରଭୃତି କାବ୍ୟରେ ସ୍ଥାନ ଦେଇଅଛନ୍ତି ।

 

ଗଙ୍ଗାଧରଙ୍କର ଶୈଳୀ ପ୍ରାଚୀନ ଓ ଆଧୁନିକ ସାହିତ୍ୟର ସମନ୍ଵୟ ସଂପାଦନ କରିଅଛି କହିଲେ ଅସମୀଚୀନ ହେବନାହିଁ । ତାଙ୍କର ସୌନ୍ଦର୍ଯ୍ୟପ୍ରିୟତା, ପ୍ରକୃତିପ୍ରେମ ପ୍ରବଣତା, ଭାଷାଗାମ୍ଭୀର୍ଯ୍ୟ ଓ ଅଳଙ୍କାର ପ୍ରୟୋଗରେ ସେ ଯେଉଁ ଶୈଳୀରେ ତପସ୍ଵିନୀ କାବ୍ୟ ରଚନା କରିଅଛନ୍ତି, ତାହା ତାଙ୍କର ଏକାନ୍ତ ନିଜସ୍ୱ ହୋଇପଡ଼ିଅଛି । ଗଙ୍ଗାଧରଙ୍କର କାବ୍ୟ କବିତାର ଲାଳିତ୍ୟ ତାଙ୍କ ବର୍ଣ୍ଣନାଶୈଳୀର ଅନ୍ୟତମ ବିଶେଷତ୍ଵ । ଗଙ୍ଗାଧରଙ୍କର ବର୍ଣ୍ଣନାଶୈଳୀ ତାଙ୍କର କାବ୍ୟାଦର୍ଶର ଏକାନ୍ତ ଅନୁସାରୀ ।”

★★★

 

ତପସ୍ୱିନୀରେ କବି–ଜୀବନର ପ୍ରତିଫଳନ

 

କାବ୍ୟ–କବିତାରେ କବି–ଜୀବନର ପରିଚୟ ମିଳିଥାଏ । ପ୍ରାଚୀନ ସାହିତ୍ୟରେ କବିମାନେ ନିଜର ବଂଶପରିଚୟ ଓ ନିଜର ପରିଚୟ ପ୍ରଦାନ କରୁଥିଲେ । ଏପରି କି ପ୍ରାଚୀନ ସାହିତ୍ୟରେ କେତେକ କବି ନିଜର ଅସାଧାରଣ ଶକ୍ତିର ପରିଚୟ ପ୍ରଦାନ କରିବାପାଇଁ ନିଜର ଜାତିସ୍ମରତ୍ୱ ପ୍ରକାଶ କରୁଥିଲେ । ଏହାକୁ ଭକ୍ତିବାଦୀ ବ୍ୟକ୍ତିମାନେ କବି ବା ମହାପୁରୁଷଙ୍କର ଅଲୌକିକ ଶକ୍ତି ବୋଲି ମନେକରୁଥିଲେ । ମାତ୍ର ଆଧୁନିକ କାଳରେ ଏ ପ୍ରକାର ଅଲୌକିକ ଶକ୍ତି ଆଦୃତ ହେଲାନାହିଁ । କାବ୍ୟକବିତାରେ ମଧ୍ୟ କବିର ଜୀବନବିଷୟକ ବ୍ୟକ୍ତିଗତ ପରିଚୟ ସ୍ଥାନ ପାଇଲା ନାହିଁ ।

 

କବି ଗଙ୍ଗାଧର ମେହେର ଆଧୁନିକ ଯୁଗର କବି ହେଲେହେଁ ସେ ତପସ୍ୱିନୀ କାବ୍ୟର ପ୍ରାରମ୍ଭରେ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କେତେକ ସୂଚନା ପ୍ରଦାନ କରିଅଛନ୍ତି । କବିବର ରାଧାନାଥ ତାଙ୍କର ଚିଲିକା କାବ୍ୟରେ ପ୍ରସଙ୍ଗକ୍ରମରେ ଜୀବନ ଦର୍ଶନ ବର୍ଣ୍ଣନା ମଧ୍ୟରେ ନିଜ ଜୀବନ ବିଷୟରେ କେତେକ ସୂଚନା ପ୍ରଦାନ କରିଅଛନ୍ତି । କବିବର ରାଧାନାଥ ସେ ସମୟରେ ଏ ଦେଶର ଶିକ୍ଷା ବିଭାଗର ଉଚ୍ଚତମ କର୍ମଚାରୀ ଥିଲେ । କବି ହିସାବରେ, ସାହିତ୍ୟିକ ହିସାବରେ ଓ ଜଣେ ଉଚ୍ଚ ପ୍ରଭାବଶାଳୀ ବ୍ୟକ୍ତି ହିସାବରେ, ସେ ସମୟରେ ରାଧାନାଥ ଦେଶବାସୀଙ୍କଠାରୁ ପ୍ରଭୂତ ସମ୍ମାନ ଲାଭ କରିଥିଲେ । ତାହା ସତ୍ତ୍ୱେ ସେ ଲେଖିଅଛନ୍ତି–

 

“ଛାର ଭାଗ୍ୟ ମୋର ପିହିତ ପାଷାଣେ,

ମୋ ଜୀବନ ଗଢ଼ା ଅନ୍ୟ ଉପାଦାନେ ।

ଚିର ହାହାମୟ ଏ ଛାର ଜୀବନ,

ଜୀବନ ନୁହଇ ଜୀବନ୍ତ ମରଣ !

ଚିରଦିନ ଦୁଃଖ ପ୍ରହାରେ ଜର୍ଜର;

ପଟ୍ଟଶିଷ୍ୟ ମୁହିଁ ଦୁଃଖ–ଗୁରୁଙ୍କର,

ଦୁଃଖଦତ୍ତ ଜ୍ଞାନ–ଚକ୍ଷୁରେ ଜଗତ,

ଦେଖିବାରେ ମୁହିଁ ଅଭ୍ୟସ୍ତ ସତତ ।”

କବିବର ରାଧାନାଥଙ୍କର ଏହି ଉକ୍ତିର କେତେକାଂଶରେ ସଭ୍ୟତା ଥାଇପାରେ; ମାତ୍ର ସେ ଯେପରି ଭାବରେ ବର୍ଣ୍ଣନା କରିଅଛନ୍ତି ସେପରି ଭାବରେ ସଭ୍ୟତା ଏଥିରେ ନାହିଁ । କବିସୁଲଭ ଆକର୍ଷଣୀୟ ଭଙ୍ଗୀରେ ସେ ଏପରି ବର୍ଣ୍ଣନା କରିଅଛନ୍ତି । ରାଧାନାଥଙ୍କ ବିରୁଦ୍ଧରେ ସେ ସମୟରେ ଗୋଟିକ ପରେ ଗୋଟିଏ ଆନ୍ଦୋଳନ, ତାଙ୍କର ଶାରୀରିକ ଅସୁସ୍ଥତା ପ୍ରଭୃତି କେତେକ କାରଣ ତାଙ୍କୁ ଏପରି ବର୍ଣ୍ଣନା କରିବାପାଇଁ ଉପାଦାନ ଯୋଗାଇ ଅଛି । ସେ ଯାହାହେଉନା କାହିଁକି କବିବର ରାଧାନାଥଙ୍କର ଏପରି ଉକ୍ତି ଭିତରେ ତାଙ୍କ ଜୀବନର ସ୍ୱଚ୍ଛ ପ୍ରତିଫଳନ ଯେ ହୋଇଅଛି, ଏକଥା କୌଣସି ପାଠକ ବିଶ୍ୱାସ କରି ନ ପାରନ୍ତି । ଆଧୁନିକ ଯୁଗର ଅନ୍ୟ କେତେକ କବି କାବ୍ୟକବିତାରେ ନିଜ ଜୀବନ ବିଷୟରେ ପରିଚୟ ପ୍ରଦାନ କରିଅଛନ୍ତି । ଏହାକୁ ଛାଡ଼ିଦେଲେ ଅତ୍ୟାଧୁନିକ କାଳରେ କବିମାନେ ଆତ୍ମନିଷ୍ଠା କବିତାରେ ନିଜ ଜୀବନକୁ କେନ୍ଦ୍ର କରି ବହୁ ବର୍ଣ୍ଣନା ପ୍ରଦାନ କରୁଥିବାର ଦେଖା ଯାଉଅଛି ।

ଗଙ୍ଗାଧର ମେହେର ରାଧାନାଥଙ୍କ ପରି ପ୍ରଚ୍ଛନ୍ନ ଭାବରେ ନିଜର ପରିଚୟ ପ୍ରଦାନ କରିନାହାନ୍ତି । ସେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ନିଜ କଥା ପ୍ରକାଶ କରିଅଛନ୍ତି । ତପସ୍ୱିନୀ କାବ୍ୟର ପ୍ରାରମ୍ଭରେ ସେ ସରସ୍ୱତୀଙ୍କର ବନ୍ଦନା କରିସାରି ନିଜ ଜୀବନ ବିଷୟରେ ଲେଖିଅଛନ୍ତି–

“ଦରିଦ୍ରତା–ପଙ୍କ–ପୂର୍ଣ୍ଣ ମୋ ଜୀବନ–ସର

ଜଞ୍ଜାଳ–ଜଳଦ ଜଳେ ଆବିଳ ଉଦର ।”

 

ଏହି ଦୁଇଟି ଧାଡ଼ିରେ କବି ଯେପରି ତାଙ୍କ ଜୀବନର ସବୁ କଥା ପ୍ରକାଶ କରିଦେଇ ଅଛନ୍ତି । ଦାରିଦ୍ର୍ୟ ତାଙ୍କ ଜୀବନକୁ ତିଳ ତିଳ କରି ନିଃଶେଷ କରିଥିଲା । ଦାରିଦ୍ର୍ୟ ତାଙ୍କର ଶିକ୍ଷାଲାଭରେ ଅନ୍ତରାୟ ହୋଇଥିଲା । ମାତ୍ର ଆଜି ମନେହୁଏ, ଦାରିଦ୍ର୍ୟ ଥିଲା ତାଙ୍କ ଜୀବନ ପ୍ରତି ବିଧାତାର ଏକ ଆଶୀର୍ବାଦ । ଦାରିଦ୍ର୍ୟର କଷାଘାତ ସହ୍ୟ କରି ଥିଲେ ସେ ଓଡ଼ିଆ ସାହିତ୍ୟ–ଭଣ୍ଡାରକୁ ଏପରି ସମୁଜ୍ଜ୍ଵଳ ରତ୍ନନିଚୟ ଦାନ କରିପାରି ନ ଥାନ୍ତେ । ଆଜିକାଲି କେତେକ ସାହିତ୍ୟ–ସମୀକ୍ଷକ ତାଙ୍କର ଦାରିଦ୍ର୍ୟ ଓ ଅଳ୍ପଶିକ୍ଷାକୁ କେନ୍ଦ୍ରକରି ତାଙ୍କର ପ୍ରତିଭାର ଆନୁପାତିକ ମୂଲ୍ୟାଙ୍କନ କରିଥାଆନ୍ତି । ମାତ୍ର ଏପରି ମୂଲ୍ୟାଙ୍କନ କବିଙ୍କର ପ୍ରତିଭା ପ୍ରତି ଅବଜ୍ଞାସୂଚକ । ଦାରିଦ୍ର୍ୟ ଓ ସ୍ୱଳ୍ପ ଶିକ୍ଷା ତାଙ୍କ ଜୀବନର, କବିପ୍ରତିଭାର ପରିମାପକ ନୁହେଁ ।

 

କବି ଯେତେବେଳେ ଦାରିଦ୍ର୍ୟର କଷାଘାତରେ ଅସହ୍ୟ ଯନ୍ତ୍ରଣା ଭୋଗ କରିଛନ୍ତି, ସେତେବେଳେ ସେ ଏକନିଷ୍ଠ ଭାବରେ ସାହିତ୍ୟ ସେବାରେ ମନପ୍ରାଣ ଢାଳି ଦେଇଅଛନ୍ତି । ସାହିତ୍ୟ ସେବାରେ ମଜ୍ଜି ରହି ସେ ସଂସାରର ଜଞ୍ଜାଳକୁ ଭୁଲି ପାରିଥିଲେ ।

 

“ଶରଦ ସଦୃଶ ତୋତେ କରି ଦରଶନ

ହୋଇଯାଉଅଛି ସେ ତ ସ୍ଵତଃ ପରସନ୍ନ ।

ବିକଶିତ ହେଉଅଛି ହୃଦୟ–କମଳ,

ସତେ କି ପାଇଲା ଦେବୀ ତୋ ପଦ ସମ୍ବଳ ?

ପୟର ସ୍ପରଶେ ପ୍ରାଣ ହେଲାଣି ମୋହିତ,

ଇଚ୍ଛାମତେ କର ଯାହା ବିଚାରୁ ବିହିତ ।”

 

କବିଙ୍କର ଉଦାର ଜଞ୍ଜାଳ–ଜଳଦର ଆବିଳ ଜଳରେ ପୂର୍ଣ୍ଣ । ଶରଦ ସଦୃଶ ସରସ୍ଵତୀଙ୍କର ଦର୍ଶନରେ ତାହା ସ୍ୱତଃ ନିର୍ମଳ ହୋଇଯାଇଅଛି । ଅର୍ଥାତ୍ କବି ସଂସାରର ଜଞ୍ଜାଳରେ ଯେତେବେଳେ ବ୍ୟତିବ୍ୟସ୍ତ ଥିଲେ, ସେତେବେଳେ ସାହିତ୍ୟ ସେବାରେ ମନପ୍ରାଣ ଢାଳିଦେଇ ତହିଁରୁ ନିଷ୍କୃତି ଲାଭ କରିଥିଲେ । ସରସ୍ଵତୀଙ୍କର କରୁଣା କବି ପାଇଗଲେ ବୋଲି ଯେତେବେଳେ ଭାବିଲେ, ସେତେବେଳେ ଭାବିଲେ ତାଙ୍କର ହୃଦୟରୂପକ ପଦ୍ମ ବିକଶିତ ହୋଇଉଠିଲା । ଅର୍ଥାତ୍ କବି ଗଙ୍ଗାଧର ଯେତେବେଳେ ଭାବି ପାରିଲେ ଯେ, ତାଙ୍କର ସାହିତ୍ୟ–ସୃଷ୍ଟି ଫଳବତୀ ହେଉଅଛି ଏବଂ ସେ ଜନସମାଜର ପ୍ରୀତିଭାଜନ ହୋଇପାରି ଅଛନ୍ତି, ସେତେବେଳେ ତାଙ୍କର ହୃଦୟରେ ଆନନ୍ଦର କଲ୍ଲୋଳ ଉଠିବାର କଥା । ସରସ୍ଵତୀଙ୍କର କରୁଣାଲାଭ କରିବାବେଳେ ସେ ନିଜକୁ ତାଙ୍କ ପାଖରେ ଉତ୍ସର୍ଗ କରି ଦେଇଥିଲେ । ସରସ୍ଵତୀ ଯାହା ଇଚ୍ଛା କରନ୍ତି, ସେହି ଅନୁସାରେ ତାଙ୍କୁ ବିନିଯୋଗ କରନ୍ତୁ ବୋଲି ସେ ଜଣାଇଥିଲେ । ସାହିତ୍ୟ–ସାଧନାରେ ନିଜ ଜୀବନକୁ ଉତ୍ସର୍ଗ କରିବାର ଏହାହିଁ ସୂଚନା ।

 

କବି ଗଙ୍ଗାଧର କେବଳ ଜଣେ ସାହିତ୍ୟସେବୀ ଭାବରେ, ନିଷ୍ଠାପର ସାହିତ୍ୟ–ସାଧକ ଭାବରେ ତାଙ୍କର ଜୀବନର ଚିତ୍ର ଏଠାରେ ଅଙ୍କନ କରିଅଛନ୍ତି । କବି ଗଙ୍ଗାଧରଙ୍କ ଜୀବନ ତାଙ୍କ କାବ୍ୟରେ ଯେପରି ଭାବରେ ପ୍ରତିଫଳିତ ହୋଇଅଛି, ତାହାହିଁ ତାଙ୍କର ଆଦର୍ଶ ଜୀବନର ସାର୍ଥକ ପରିଚୟ ।

★★★

 

ତପସ୍ଵିନୀର ନାମକରଣର ସାର୍ଥକତା

 

କୌଣସି ପୁସ୍ତକର ନାମକରଣ କରିବା ସମୟରେ ଲେଖକ ବା କବିଙ୍କୁ ଚିନ୍ତା କରିବାକୁ ପଡ଼ିଥାଏ । ପୁସ୍ତକରେ ବର୍ଣ୍ଣିତ ବିଷୟ ଅନୁସାରେ ଯେପରି ନାମକରଣ କରାଯାଏ, ସେଥିପ୍ରତି ଲେଖକ ବା କବି ସତର୍କ ଥାଆନ୍ତି । ପୁସ୍ତକରେ ବର୍ଣ୍ଣିତ ଘଟଣା ଯଦି ନାମକରଣକୁ ସମର୍ଥନ ନ କରେ, ତାହାହେଲେ ପୁସ୍ତକର ନାମକରଣର ଯଥାର୍ଥ୍ୟ ପ୍ରତିପାଦିତ ହୋଇପାରେ ନାହିଁ ।

 

ଶିଶୁର ନାମକରଣ ଓ ପୁସ୍ତକର ନାମକରଣ ମଧ୍ୟରେ ପାର୍ଥକ୍ୟ ରହିଅଛି । ଗୋଟିଏ ଶିଶୁ ଜନ୍ମ ହେବାପରେ ଏକ ନିର୍ଦ୍ଦିଷ୍ଟ ଦିବସରେ ତାର ନାମକରଣ କରାଯାଏ । ଏ କ୍ଷେତ୍ରରେ ପିତାମାତା ବା ଆତ୍ମୀୟ ସ୍ୱଜନମାନେ ବାଛି ବାଛି ଶିଶୁର ନାମକରଣ କରିଥାଆନ୍ତି । ଶିଶୁର ନାମକରଣ ଅନୁସାରେ ଶିଶୁର ଗୁଣ ଯେ ପରବର୍ତ୍ତୀକାଳରେ ପ୍ରକାଶ ପାଇବ, ଏପରି କିଛି କାରଣ ନାହିଁ । ଉଦାହରଣ ସ୍ୱରୂପ ଧରାଯାଉ ଯେ, ଯାହାର ନାମ ସତ୍ୟବାଦୀ, ସେ ଯେ ସତ୍ୟବାଦୀ ହେବ ଏକଥା ଠିକ୍ ନୁହେଁ । ସେ ହୁଏତ ତାର ପରିଣତ ବୟସରେ ଜଣେ ମିଥ୍ୟାବାଦୀ ହୋଇପାରେ । ଯେଉଁ ଶିଶୁର ନାମ ସାଧୁଚରଣ ଦିଆଯାଇଥାଏ, ସେ ଶିଶୁ ଯେ ତାର ପରିଣତ ବୟସରେ ଜଣେ ବିଖ୍ୟାତ ଦସ୍ୟୁ ନ ହେବ ସେ କଥା କୁହାଯାଇ ନ ପାରେ । ତେଣୁ ସନ୍ତାନର ନାମକରଣର ଯଥାର୍ଥ୍ୟ ପ୍ରତିପାଦିତ ହେବାର କୌଣସି କାରଣ ନାହିଁ ।

 

ମାତ୍ର କବି ବା ଲେଖକଙ୍କର ମାନସ–ସନ୍ତାନର ନାମକରଣର ଯାଥାର୍ଥ୍ୟ ପ୍ରତିପାଦିତ ହେବା ଏକାନ୍ତ ବିଧେୟ । କବି ବା ଲେଖକ ଯଦି ପୁସ୍ତକ ରଚନା କରିବା ପୂର୍ବରୁ ତାର ନାମକରଣ କରିଥାନ୍ତି, ତାହାହେଲେ ବୁଝିନେବାକୁ ହେବ ଯେ ସେ ପୁସ୍ତକରେ କି ବିଷୟ ବର୍ଣ୍ଣନା କରିବେ ତାହା ସେ ଆଗରୁ ଠିକ୍ କରିସାରି ଅଛନ୍ତି । ସେହି ବର୍ଣ୍ଣନା–ବିଷୟ ଅନୁସାରେ ସେ ନାମକରଣ କରିଅଛନ୍ତି । ତା ନ ହୋଇ ଯଦି କବି ବା ଲେଖକ ପୁସ୍ତକଟିଏ ରଚନା କରିସାରି ତାର ନାମକରଣ ବିଷୟରେ ଚିନ୍ତା କରନ୍ତି, ତାହାହେଲେ ପୁସ୍ତକ ବର୍ଣ୍ଣିତ ଘଟଣା ଅନୁସାରେ ତାଙ୍କୁ ନାମ କରଣ କରିବାକୁ ପଡ଼େ । ପୁସ୍ତକର ନାମକରଣ, କେତେଦୂର ଯଥାର୍ଥ ହୋଇଅଛି, ତାହା ପାଠକମାନେ ବିଚାର କରି ଦେଖନ୍ତି ।

 

ଆଲୋଚ୍ୟ ଉପସ୍ଵିନୀ କାବ୍ୟର ନାମକରଣରେ କବି ଗଙ୍ଗାଧର ମେହେର ନିଜର ସ୍ଵାତନ୍ତ୍ର୍ୟ ପ୍ରଦର୍ଶନ କରିଅଛନ୍ତି । ସୀତାଙ୍କର ନିର୍ବାସିତ ଜୀବନକୁ ସେ ତପସ୍ଵିନୀର ଜୀବନ ଭାବରେ ଚିତ୍ରଣ କରି କାବ୍ୟର ନାମକରଣ କରିଅଛନ୍ତି । ତପସ୍ଵିନୀ କାବ୍ୟର ମୁଖବନ୍ଧରେ କବି ଲେଖିଅଛନ୍ତି, “ସେ ନିର୍ବାସନକୁ ନିଜର ଭାଗ୍ୟ ଦୋଷ ବୋଲି ପତିଭକ୍ତିକୁ କିପରି ଦୃଢ଼ତର ଓ ଉଚ୍ଚତର କରିଥିଲେ–ବନବାସକୁ ପତି–ହିତ–ସାଧିନୀ ତପସ୍ୟାରେ ପରିଣତ କରି ଉପସ୍ୱିନୀ ରୂପେ କିପରି ଦିନ ଯାପନ କରିଥିଲେ, ତାହା ପ୍ରକଟ କରିବା ଏହି ପୁସ୍ତକର ପ୍ରଧାନ ଉଦ୍ଦେଶ୍ୟ ।” କବିଙ୍କର ଏହି ଉକ୍ତିରୁ ପ୍ରତିଭାତ ହୁଏ ଯେ, ସେ କାବ୍ୟ ରଚନା କରିବା ପୂର୍ବରୁ ସୀତାଙ୍କର ଆଶ୍ରମ–ଜୀବନର ପ୍ରାଧାନ୍ୟ ସୂଚିତ କରି ତାଙ୍କୁ ତପସ୍ଵିନୀ ରୂପରେ ଚିତ୍ରଣ କରିବା କଥା ସ୍ଥିର କରି କାବ୍ୟର ନାମକରଣ କରି ସାରିଥିଲେ । ତେଣୁ ତପସ୍ଵିନୀର ନାମକରଣ ଉଦ୍ଦେଶ୍ୟମୂଳକ ଭାବରେ କରାଯାଇଅଛି ବୋଲି ନିଶ୍ଚିତ ଭାବରେ କୁହାଯାଇପାରେ ।

 

କବିଙ୍କ ଭକ୍ତି ଅନୁସାରେ ବନବାସକୁ ପତିହିତସାଧିନୀ ତପସ୍ୟାରେ ପରିଣତ କରିଥିବାରୁ ସୀତା ତପସ୍ଵିନୀ । କବି ତପସ୍ଵିନୀର ପ୍ରଥମ ସର୍ଗରେ ବିଷୟ ପ୍ରବେଶରେ ଲେଖିଛନ୍ତି–

 

“ବାଲମୀକି ଆଶ୍ରମକୁ ଧାଇଁଅଛି ମନ,

କରିବାକୁ ନିର୍ବାସିତା ସୀତାଙ୍କୁ ଦର୍ଶନ,

କେମନ୍ତେ ସେ କଲେ ଜୀର୍ଣ୍ଣ ହୃଦୟ ସୀବନ ?

କାହାସଙ୍ଗେ କେମନ୍ତେ ବା ଯାପିଲେ ଜୀବନ ?”

 

ପ୍ରକାରାନ୍ତରରେ ଏହି ପ୍ରଶ୍ନଛଳରେ କବି ସମଗ୍ରକାବ୍ୟର କଥାବସ୍ତୁ ନିର୍ଦ୍ଦେଶ କରିଅଛନ୍ତି-। ସୀତା ନିର୍ବାସିତ ହୋଇ ବାଲ୍ମୀକି ଆଶ୍ରମରେ ରହିଲେ । ତାଙ୍କର ଜୀର୍ଣ୍ଣ ହୃଦୟକୁ କିପରି ସୀଵନ କଲେ ? ପୁଣି କାହାସଙ୍ଗରେ ରହି କିପରି ଭାବରେ ଜୀବନଯାପନ କଲେ ? ଏହି ପ୍ରଶ୍ନଗୁଡ଼ିକର ଉତ୍ତରହିଁ ତପସ୍ଵିନୀ କାବ୍ୟର କଥାବସ୍ତ୍ରୁ । ଏହି ପ୍ରଶ୍ନର ଉତ୍ତର ହିଁ ତପସ୍ଵିନୀ ଜୀବନର କଥା-। ସୀତା ନିର୍ବାସିତା ହେବା ପରେ ବାଲ୍ମୀକି ଆଶ୍ରମରେ ରହିବା ଦ୍ଵାରା ତାଙ୍କ ଜୀବନର ତପସ୍ୟାଚରଣ ସୂଚିତ-। ଏହି ତପସ୍ୟାରେ ନିଜକୁ ନିୟୋଜିତ କରିବା ଦ୍ୱାରା ସୀତାଙ୍କର ଜୀର୍ଣ୍ଣ ହୃଦୟକୁ ସୀବନ କରିବାହିଁ ସୂଚିତ । ପୁଣି ବାଲ୍ମୀକି ଆଶ୍ରମରେ ଥିବା ତାପସ ତାପସୀମାନଙ୍କ ସହିତ ଜୀବନଯାପନ କରିବାରୁ ତାଙ୍କର ତପସ୍ଵିନୀ ଜୀବନ ସୂଚିତ ନ ହୋଇ ଅନ୍ୟ କି ଜୀବନ ବା ସୂଚିତ ହୋଇପାରେ-? ତେଣୁ ବାଲ୍ମୀକି ଆଶ୍ରମରେ ସୀତା ଯେତେବେଳେ ନିଜ ଜୀବନର କଠୋର ପରୀକ୍ଷା ମଧ୍ୟ ଦେଇ ଜୀବନଯାପନ କରିଅଛନ୍ତି, ସେତେବେଳେ ସେ କେବଳ ଦେଖାଇ ଦେଇଛନ୍ତି ଭାରତୀୟା ନାରୀର ଉଚ୍ଚ ଆଦର୍ଶ ।

 

ସୀତା ବାଲ୍ମୀକି ଆଶ୍ରମର ଉପବନରେ ବୃକ୍ଷମାନଙ୍କୁ ଜଳଦାନ କରିବା ସମୟରେ ଅନୁକମ୍ପା ଆସି ତାଙ୍କୁ ବୃକ୍ଷ ଛାୟାରେ ବସାଇ କେତେକ ଉପଦେଶ ପ୍ରଦାନ କରିଥିଲେ । ଅନୁକମ୍ପାଙ୍କ ମୁଖରେ କବି ସୀତାଙ୍କୁ ତପସ୍ୱିନୀ ବୋଲି ପ୍ରକାଶ କରାଇ ଅଛନ୍ତି ।

 

“ଦଇବ ସ୍ୱଭାବେ ତୁ ତପସ୍ୱିନୀ,

ଦର୍ଶନ ମାତ୍ରେ ମୁଁ ପାରିଛି ଚିହ୍ନି,

ପବିତ୍ର ପ୍ରାଣ ତୋ ଅଛି କୋମଳ,

ଘୋର ତପସ୍ୟାର ଦୁର୍ଲଭ ଫଳ

ପୁଣ୍ୟ ଲତିକାର ଫୁଲ,

ନବ ତାପସୀଙ୍କ ଆଚରିତ ଶ୍ରମ

ନୁହଇ ତା ଅନୁକୂଳ ।”

 

ସୀତାଙ୍କର ସମସ୍ତ ଗୁଣ ଅନୁକମ୍ପାଙ୍କ ମୁଖରେ ପ୍ରକାଶ ପାଇଅଛି । ଏହି ଗୁଣଗୁଡ଼ିକ ଯେ ତପସ୍ୱିନୀ ଜୀବନର ଭୂଷଣ, ଏ କଥା ଭୁଲିଗଲେ ଚଳିବ ନାହିଁ । ସଂସାରର କାମନା ବାସନା ଭିତରେ ଲିପ୍ତ ରହି ମାନବ ଆଧ୍ୟାତ୍ମିକ ମାର୍ଗକୁ ଅନେକ ସମୟରେ ଅନୁସରଣ କରିପାରେ ନାହିଁ । ସେଥିପାଇଁ ସଂସାର ଜଞ୍ଜାଳ ବା ବିଷୟ ବାସନାର ମୋହ ପରିତ୍ୟାଗ କରି ମନୁଷ୍ୟ ତପସ୍ୟା ଆଚରଣ କରେ । ସୀତା ନିଜ ପତିଙ୍କ କର୍ତ୍ତୃକ ନିର୍ବାସିତା ହେବା ପରେ ବିଷୟ ବାସନାର ମୋହ ତ୍ୟାଗ କରି ତପସ୍ୱିନୀ ଜୀବନ ପ୍ରତି ଅନୁକୂଳ ବାତାବରଣ ସୃଷ୍ଟି କରିଥିଲେ । ତାହା ମଧ୍ୟ ଅନୁକମ୍ପାଙ୍କ ଉକ୍ତିରୁ ସୂଚିତ ।

 

“ଶାନ୍ତିପ୍ରଦ ସତ୍ୟପ୍ରିୟ ଭାଷଣ

ଜୀବନର ତୋର ପ୍ରିୟ ଭୂଷଣ,

ମନକୁ ତୋ ଛୁଇଁ ନାହିଁ କପଟ,

ମାୟା କି ପାରିବ ପଶି ନିକଟ ?

ତୋ ରମ୍ୟ ସୌମ୍ୟ ମୂରତି;

କହି ଦେଉଅଛି ବିଷୟ ଗହନେ

ନାହିଁ ଆଉ ଅନୁରକ୍ତି ।”

 

ସୀତାଙ୍କର ଯେତେବେଳେ ବିଷୟ ଗହନରେ ଆଉ ଅନୁରକ୍ତି ନାହିଁ ଏବଂ ସେ ବାଲ୍ମୀକି–ଆଶ୍ରମରେ ଅବସ୍ଥାନ କରିଛନ୍ତି, ସେତେବେଳେ ସେ ତପସ୍ୱିନୀର ଜୀବନ ଯାପନ କରିବା ଛଡ଼ା ଆଉ କଣ କରି ପାରନ୍ତେ ? ଆଶ୍ରମରେ ରହି ସୀତା ତାପସ ତପସୀଙ୍କର ସ୍ନେହରେ ଅତୀତର ଐଶ୍ଵର୍ଯ୍ୟକୁ ଭୁଲି ଯାଇଥିଲେ । ପ୍ରଥମ ସର୍ଗରେ କବି ଯେଉଁ ପ୍ରଶ୍ନ କରିଛନ୍ତି, “କେମନ୍ତେ ବା ଜୀର୍ଣ୍ଣହୃଦ କଲେ ସେ ସୀବନ ?” ଏହି ପ୍ରଶ୍ନର ଉତ୍ତର କବି କାବ୍ୟର ପ୍ରସଙ୍ଗ କ୍ରମରେ ପ୍ରକାଶ କରିଅଛନ୍ତି । ସେ ବିଷୟରେ ଦୁଇଗୋଟି ଉଦ୍ଧୃତି ଦେଲେ ଯଥେଷ୍ଟ ହେବ ।

 

(୧)

“ତାପସ–ତାପସୀ–ସେନେହ–ସୁଖ,

 

ତଡ଼ିଦେଲା ସତୀ–ମାନସ–ଦୁଃଖ

 

ରାଜସୁଖ ତାଙ୍କ ସ୍ମୃତି–ପଥରେ

 

ଭ୍ରମରେ ସୁଦ୍ଧା ନ ପଡ଼ିଲା ଥରେ ।” (ପଞ୍ଚମ ସର୍ଗ)

 

 

(୨)

“ସତୀ ପାଇ ଦୁଇ ପୁତ୍ର ରତନ

 

ପ୍ରାଣରୁ ଅଧିକ କରି ଯତନ

 

ଲାଳନ ପାଳନେ ନିହିଲେ ମନ,

 

ଲାଗିଗଲା ଦୃଢ଼ ସ୍ନେହ ବନ୍ଧନ,

 

ଛାଡ଼ିଲେ, ନାହିଁ ନିମିଷେ ପାଶ,

 

ମଣିଲେ ଜୀବନ ଭାର ଉଶ୍ୱାସ ।” (ଦଶମ ସର୍ଗ)

 

ନିର୍ବାସିତ ଜୀବନର ଦୁଃଖ ଭୁଲିବା ପାଇଁ ସୀତା ପାଇଥଲେ ଉପଯୁକ୍ତ ପରିବେଶ । ତାପସ ତାପସୀମାନଙ୍କ ସ୍ନେହ ମମତା ପାଇଁ ସେ ଅଯୋଧ୍ୟାର ରାଜପ୍ରାସାଦର ଐଶ୍ଵର୍ଯ୍ୟପୂର୍ଣ୍ଣ ଜୀବନକୁ ଭୁଲି ଯାଇଥିଲେ । ଲବକୁଶଙ୍କୁ ପାଇବାପରେ ନିର୍ବାସିତା ଜୀବନର ଦୁଃଖଭାର ତାଙ୍କର ଲାଘବ ହୋଇଥିଲା । ତେଣୁ ସୀତା ବାଲ୍ମୀକି–ଆଶ୍ରମରେ ତପସ୍ୱିନୀ–ଜୀବନ ଯାପନ କରି ପତିଙ୍କର ହିତ କାମନା କରିବା ସଙ୍ଗେ ସଙ୍ଗେ ଶାନ୍ତିପୂର୍ଣ୍ଣ ଜୀବନର ସ୍ୱାଦୁ ଉପଭୋଗ କରିଥିଲେ ।

 

ସୀତା ଯେତେବେଳେ ରାମଚନ୍ଦ୍ରଙ୍କର ଅଶ୍ଵମେଧ ଯଜ୍ଞର ସମ୍ବାଦ ଶ୍ରବଣ କରିଥିଲେ, ସେତେବେଳେ ସେ ଅତ୍ୟନ୍ତ ମର୍ମାହତା ହୋଇଥିଲେ । ସେ ଭାବିଥିଲେ ଯେ, ରାମଚନ୍ଦ୍ର ହୁଏତ ଦ୍ଵିତୀୟ ପତ୍ନୀ ଗ୍ରହଣ କରିଅଛନ୍ତି । ତେଣୁ ସେ ନିଜର କାକୁତିଭରା ଆବେଦନ ଜଣାଇ ରାମଚନ୍ଦ୍ରଙ୍କ ନିକଟକୁ ଖଣ୍ଡିଏ ପତ୍ର ଲେଖିଥିଲେ ।

 

“ମୁଁ କିଏ, ତା ଜାଣିବାର ନୁହେଁ ଆବଶ୍ୟକ,

ସଦା ତୁମେ ତାପସଙ୍କ ଅଶାନ୍ତି–ନାଶକ ।

ତାପସଙ୍କୁ ତୁମ୍ଭ କିଛି ନ ଥାଏ ଅଦେୟ

ମୁହିଁ ତପସ୍ଵିନୀ ମୋତେ ନ କରିବ ହେୟ ।”

 

ରଘୁକୁଳ ବଧୂ ସୀତା, ପତ୍ନୀ ହିସାବରେ ଯାହାର ରାମଚନ୍ଦ୍ରଙ୍କଠାରେ ପୂର୍ଣ୍ଣ ଅଧିକାର ଥିଲା, ସେ ନିଜର ପରିଚୟ ଦେଇଥିଲେ ଜଣେ ତପସ୍ଵିନୀ ରୂପରେ । ସେ ହୁଏତ ରାମଚନ୍ଦ୍ରଙ୍କର ପତ୍ନୀଭାବରେ ନିଜର ଅଧିକାର ସାବ୍ୟସ୍ତ କରିପାରିଥାନ୍ତେ । ମାତ୍ର ସେ ତାହା କରି ନ ଥିଲେ । କାରଣ ସେ ଥିଲେ ତପସ୍ଵିନୀ ଓ ତାଙ୍କର ତପସ୍ୟା ଥିଲା ପତି–ହିତ–ସାଧିନୀ–ବ୍ରତ । ନିଜକୁ ସର୍ବାନ୍ତଃକରଣରେ ତପସ୍ଵିନୀ ରୂପରେ ସୀତା ପ୍ରକାଶ କରିଥିଲେ । ଯେତେବେଳେ ଲବକୁଶ ରାମଚନ୍ଦ୍ରଙ୍କର ଅଶ୍ଵମେଧ ଯଜ୍ଞ ଦେଖିବାପାଇଁ ଅଯୋଧ୍ୟା ଯାତ୍ରା କରିବା କଥା ସୀତା ମୁନିଙ୍କଠାରୁ ଶୁଣିଲେ, ସେତେବେଳେ ସୀତା ଲବକୁଶଙ୍କୁ କେତେକ ଉପଦେଶ ପ୍ରଦାନ କରିଥିଲେ ।

 

“ରାଜମାତାଙ୍କର ପୂତ–ଚରଣ କମଳ–

ରଜ ଶିରେ ଘେନି ପ୍ରାଣ କରିବ ସଫଳ ।

ଜାନକୀ–ଭଗିନୀ ତିନି ଥିବେ ତାଙ୍କ ପାଶେ,

ବନ୍ଦିବ ଚରଣ ତାଙ୍କ ଜାନକୀ–ବିଶ୍ୱାସେ ।

ପଚାରିବେ କେହି ଯେବେ କାହାର ନନ୍ଦନ,

ଉତ୍ତରେ ବୋଲିବ, “ଆମ୍ଭେ ତପସ୍ଵିନୀ ଧନ ।”

 

ସୀତା ଯେବେ ତପସ୍ଵିନୀର ଆଦର୍ଶକୁ ଭୁଲି ଯାଇଥାଆନ୍ତେ, ତାହାହେଲେ ଲବକୁଶଙ୍କୁ ଏପରି ଉପଦେଶ ପ୍ରଦାନ କରି ନ ଥାନ୍ତେ । ରଘୁବଂଶର ରାଜକୁମାରଦ୍ୱୟଙ୍କୁ ସେ ପରିଚିତ କରାଇଥିଲେ “ତପସ୍ଵିନୀ ଧନ” ରୂପରେ । ଏହାହିଁ ସୀତାଙ୍କର ତପସ୍ଵିନୀ ଜୀବନର ସାର୍ଥକ ପରିଚୟ-

 

ତପସ୍ଵିନୀ କାବ୍ୟର ନାମକରଣ ଯେ ଏକାନ୍ତ ଭାବରେ ଯଥାର୍ଥ ହୋଇଅଛି, ଏକଥା ଅସ୍ଵୀକାର କରିବା ଅସମ୍ଭବ । ନିର୍ବାସିତା ସୀତାଙ୍କର ଜୀବନର ସବୁ ପୁଣ୍ୟକୁ କବି ଠୁଳ କରିଅଛନ୍ତି । ସୀତାଙ୍କର ଏହି ଜୀବନକୁ ତପସ୍ଵିନୀ–ଜୀବନ ରୂପରେ ଚିତ୍ରିତ କରି କବି ନିଜର ସିଦ୍ଧହସ୍ତତା ପ୍ରଦର୍ଶନ କରିଅଛନ୍ତି । ପତିଙ୍କ କର୍ତ୍ତୃକ ନିର୍ବାସିତା ହୋଇ ଭାରତୀୟା କୂଳବଧୁ ପତିଙ୍କର ଦୋଷ ନ ଧରି ସେହି ପତିଙ୍କର ହିତ ସାଧନ ଉଦ୍ଦେଶ୍ୟରେ ଯେ ତପସ୍ଵିନୀ ହୋଇପାରେ, ଏହି ଆଦର୍ଶକୁ ପ୍ରକାଶ କରିବା କବିଙ୍କର ମୁଖ୍ୟଲକ୍ଷ୍ୟ । ଏହି ଲକ୍ଷ୍ୟ ବାସ୍ତବରେ ପୂରଣ ହୋଇଅଛି ।

★★★

 

ଓଡ଼ିଆ ସାହିତ୍ୟରେ ତପସ୍ଵିନୀର ସ୍ଥାନ

 

ଓଡ଼ିଆ ସାହିତ୍ୟରେ ତପସ୍ଵିନୀର ସ୍ଥାନ ନିରୂପଣ କରିବାକୁ ଯାଇ କୌଣସି କୌଣସି ସମାଲୋଚକ ଓଡ଼ିଆ ସାହିତ୍ୟର ବିଭିନ୍ନ ଯୁଗସାହିତ୍ୟରେ ତପସ୍ଵିନୀର ସ୍ଥାନ ନିର୍ଦ୍ଦେଶ କରିଅଛନ୍ତି । ସାରଳା ଯୁଗ, ବୈଷ୍ଣବ ଯୁଗ ବା ଭଞ୍ଜ ଯୁଗରେ ତପସ୍ଵିନୀର ସ୍ଥାନ ନିର୍ଦ୍ଦେଶ କରିବା ନିତାନ୍ତ ଅସଙ୍ଗତ-। କାରଣ ତପସ୍ଵିନୀର ଜନ୍ମ ଆଧୁନିକ ଯୁଗରେ । ଆଧୁନିକ ସାହିତ୍ୟରେ ତପସ୍ଵିନୀ କିପରି ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରେ ତାହା ହିଁ ଆଲୋଚକର ପ୍ରଦର୍ଶନ କରିବାର କଥା ।

 

ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ଅଭ୍ୟୁଦୟ ଏକ ବିଶିଷ୍ଟଘଟଣା । କାବ୍ୟଯୁଗର ସାହିତ୍ୟ ଓଡ଼ିଶାରେ ଏପରି ବ୍ୟାପକ ଭାବରେ ପ୍ରଚାରିତ ହୋଇ ଯାଇଥିଲା ଯେ ତାହାର ପ୍ରଭାବକୁ ହଠାତ୍ ଏଡ଼ିଦେବା ସମ୍ଭବପର ହୋଇ ନ ଥିଲା । ମଧ୍ୟଯୁଗର କାବ୍ୟ ସାହିତ୍ୟ ଏପରି ବ୍ୟାପକ ଭାବରେ ପ୍ରସାରିତ ହେବାର ପ୍ରଧାନ କାରଣ ହେଉଛି ତାହାର ସଙ୍ଗୀତମୟତା । ସଙ୍ଗୀତ ଭାବରେ ଉପେନ୍ଦ୍ର, ଦୀନକୃଷ୍ଣ, ଯଦୁମଣି, ଗୋପାଳକୃଷ୍ଣ ଓ କବିସୂର୍ଯ୍ୟ ପ୍ରଭୃତି କବିମାନଙ୍କର ରଚନା ଲୋକସମାଜରେ ସଙ୍ଗୀତ ଭାବରେ ଆଦୃତ ହୋଇଥିଲା । ଏହା ସଙ୍ଗୀତମୟ ଥିବାରୁ ଅଶିକ୍ଷିତ ଲୋକମାନଙ୍କ ଦ୍ଵାରା ଯେପରି ଆଦୃତ ହୋଇଥିଲା, ଏଥିରେ ଉନ୍ନତ କାବ୍ୟରୁଚି ଥିବାରୁ ପଣ୍ଡିତମାନଙ୍କ ଦ୍ଵାରା ସେହିପରି ଆଦୃତ ହୋଇଥିଲା । ତେଣୁ ଓଡ଼ିଶାର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ମଧ୍ୟଯୁଗର କାବ୍ୟ ସାହିତ୍ୟ ସମାଦର ଲାଭ କରିଥିଲା ।

 

ଏହିପରି ଭାବରେ ସମାଦର ଲାଭ କରିଥିବା ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ପ୍ରଭାବକୁ ହ୍ରାସ କରି ଯେତେବେଳେ ଆଧୁନିକ ଓଡ଼ିଆ ସାହିତ୍ୟ ଆତ୍ମପ୍ରକାଶ କଲା ସେତେବେଳେ ଓଡ଼ିଆ ପାଠକ ଶ୍ରେଣୀରେ ଏକ ବିପ୍ଳବାତ୍ମକ ମନୋବୃତ୍ତି ଦେଖା ଦେଇଥିଲା । ଆଧୁନିକ ଓଡ଼ିଆ ସାହିତ୍ୟ ବହନ କରି ଆଣିଥିଲା ଆଧୁନିକ ମତବାଦ, ଆଧୁନିକ ରୁଚି ଓ ଆଧୁନିକ ଜଗତର କ୍ରମବିକାଶର ପରିଣତି । ମଧ୍ୟଯୁଗର କାବ୍ୟର ଆଦର୍ଶକୁ ପରିତ୍ୟାଗ କରି କବିବର ରାଧାନାଥ ଯେତେବେଳେ କାବ୍ୟର ଆଙ୍ଗିକ ଏବଂ ଆତ୍ମିକ ପରିବର୍ତ୍ତନର ସୂତ୍ରପାତ କଲେ ସେତେବେଳେ ଆଧୁନିକ ଶିକ୍ଷାରେ ଶିକ୍ଷିତ ବ୍ୟକ୍ତିମାନେ ଏହି ସାହିତ୍ୟ ପ୍ରତି ଏକାନ୍ତ ଭାବରେ ଅନୁରକ୍ତି ପ୍ରକାଶ କଲେ । ମାତ୍ର ଯେଉଁମାନେ ପ୍ରାଚୀନ ପନ୍ଥାରେ ବିଶ୍ୱାସ କରୁଥିଲେ ଓ ଆଧୁନିକତାକୁ ଉଚ୍ଛୃଙ୍ଖଳତା ନାମରେ ଦୋଷାରୋପ କରୁଥିଲେ ସେମାନେ ଆଧୁନିକ ସାହିତ୍ୟକୁ ଗ୍ରହଣ କରି ପାରିଲେ ନାହିଁ ।

 

ରାଧାନାଥ–ସାହିତ୍ୟ ଯେତେବେଳେ ଓଡ଼ିଶାରେ ବ୍ୟାପ୍ତ ହେବାକୁ ଆରମ୍ଭ କଲା ସେତେବେଳେ କେତେକ ପ୍ରାଚୀନ ପନ୍ଥୀ ବ୍ୟକ୍ତି ସେ ସାହିତ୍ୟର ପ୍ରତ୍ୟକ୍ଷ ବିରୁଦ୍ଧାଚରଣ କଲେ । ସାହିତ୍ୟ ରାଜ୍ୟରେ ପାଠକ ଓ ସମର୍ଥକମାନେ ଦୁଇଦଳରେ ବିଭକ୍ତ ହୋଇ ବାଦବିସମ୍ବାଦ ଆରମ୍ଭ କରିଦେଲେ । ଗୋଟିଏ ଦଳ ରାଧାନାଥଙ୍କୁ ବଡ଼ କବି ରୂପେ ପ୍ରଚାର କରିବା ସମୟରେ ଅନ୍ୟ ଦଳଟି ଉପେନ୍ଦ୍ର ଭଞ୍ଜଙ୍କୁ ବଡ଼ କବି ରୂପେ ପ୍ରଚାର କଲେ । ଇନ୍ଦ୍ରଧନୁ ଓ ବିଜୁଳିର କଳି ଏହି ଦଳ ଦୁଇଟିର କଳି । ଏହି କଳିକୁ ପ୍ରାଚୀନ ଓ ଆଧୁନିକ ମତବାଦର ସଂଘର୍ଷ ରୂପେ ନାମିତ କରାଯାଇ ଥାଏ । ଏହି କଳି ଶେଷରେ ଏପରି ଉଗ୍ରରୂପ ଧାରଣ କଲା ଯେ ଶେଷରେ ରାଧାନାଥ ବାଧ୍ୟ ହୋଇ ଏକ ଅସତ୍ୟମୂଳକ ମନ୍ତବ୍ୟ ବା ସ୍ଵୀକାରୋକ୍ତି ପ୍ରକାଶ କଲେ । ଏହି ବାଦବିସମ୍ବାଦ ପାଇଁ ଆହୁରି କେତେକ କାରଣ ମଧ୍ୟ ଦାୟୀ । କବିବର ରାଧାନାଥଙ୍କ ବିରୁଦ୍ଧରେ ସେ ସମୟରେ କେତେକ ବ୍ୟକ୍ତି କେତେକ ଅଭିଯୋଗ କରିଥିଲେ । ରାଧାନାଥଙ୍କ ବିରୁଦ୍ଧରେ କେତେକ ବ୍ୟକ୍ତିଙ୍କର ଅନ୍ତରରେ ଥିବା ଅସନ୍ତୋଷ ଏହି କଳିକୁ ଉତ୍ତେଜିତ କରିବାପାଇଁ ମଧ୍ୟ ଉପାଦାନ ଯୋଗାଇ ଥିଲା ।

 

ଆଧୁନିକ ଓଡ଼ିଆ ସାହିତ୍ୟ ସୃଷ୍ଟି ହେବା ପରେ ରାଧାନାଥଙ୍କ ବିରୁଦ୍ଧରେ ଯେଉଁସବୁ ଅସନ୍ତୋଷ କେତେକ ବ୍ୟକ୍ତିଙ୍କର ଅନ୍ତରରେ ଥିଲା, ତାହା ପରୋକ୍ଷ ଭାବରେ ରାଧାନାଥ ସାହିତ୍ୟ ପ୍ରତି ପ୍ରଯୁକ୍ତ ହୋଇଥିଲା । ଏଥିପାଇଁ ଯେ କବିବର ରାଧାନାଥ ଦାୟୀ ନୁହନ୍ତି, ଏକଥା କୁହାଯାଇ ପାରିବ ନାହିଁ । ତଥାପି ଆମର ଲକ୍ଷ୍ୟ କରିବାର କଥା, ଶତ ବାଧା ସତ୍ତ୍ୱେ ଏ ଦେଶରେ ଆଧୁନିକତାର ବାୟୁମଣ୍ଡଳ ଦେଖା ଦେଇଅଛି ଏବଂ ଆଧୁନିକ ସାହିତ୍ୟ ପ୍ରତିଷ୍ଠିତ ହୋଇଅଛି । ଫଳରେ ଅତୀତର ସେହି ପୁରାତନ ସାହିତ୍ୟ ରୀତି ବିଦାୟ ନେଇଅଛି ।

 

କବିବର ରାଧାନାଥ ଓଡ଼ିଆ ସାହିତ୍ୟରେ ଯେଉଁ ପରିବର୍ତ୍ତନର ବାର୍ତ୍ତା ପ୍ରଚାର କଲେ, ତାହା ତାଙ୍କର ସମସାମୟିକ ତଥା ପରବର୍ତ୍ତୀ କବିଗଣ ଅମ୍ଳାନ ବଦନରେ ଅନୁସରଣ କରିଥିଲେ । କବିବର ରାଧାନାଥ ଓଡ଼ିଆ କାବ୍ୟ ସାହିତ୍ୟର କଥାବସ୍ତୁ ଗ୍ରହଣ ଲାଗି ପାଶ୍ଚାତ୍ୟ ଗଳ୍ପର କଙ୍କାଳ ସଂଗ୍ରହ କରି ପ୍ରାଚ୍ୟ ସଂହତିର ରକ୍ତମାଂସ ତହିଁରେ ସମନ୍ୱିତ କଲେ । ତେଣୁ ତାଙ୍କର ସାହିତ୍ୟ ସୃଷ୍ଟିର ଆଦର୍ଶ ହେଲା ପ୍ରାଚ୍ୟ ଓ ପାଶ୍ଚାତ୍ୟ ଚିନ୍ତାଧାରାର ସମନ୍ୱୟ । ଏହି ରୀତି ହିଁ ପ୍ରକୃତ ପକ୍ଷରେ ରାଧାନାଥ ପ୍ରତିଭାର ସମୁଚ୍ଚ ପରିଚୟ ପ୍ରଦାନ କରିଥିଲା । ରାଧାନାଥଙ୍କର ପାଣ୍ଡିତ୍ୟ ସଂକୀର୍ଣ୍ଣ ସୀମା ମଧ୍ୟରେ ଆବଦ୍ଧ ନ ଥିଲା । ତେଣୁ ତାଙ୍କର କବି–ଚାତୁରୀକୁ ସଂପୂର୍ଣ୍ଣ ରୂପେ ହୃଦୟଙ୍ଗମ କରିବା ନିମନ୍ତେ ଏ ଦେଶର ପାଠକ ତଥା ସାହିତ୍ୟ–ସମୀକ୍ଷକମାନେ ହଠାତ୍ ସମର୍ଥ ହୋଇପାରି ନଥିଲେ ।

 

ଆଧୁନିକ ଯୁଗର ସ୍ରଷ୍ଟା କବିବର ରାଧାନାଥ ତାଙ୍କର ସମସାମୟିକ କବିମାନଙ୍କୁ କିପରି ପ୍ରଭାବିତ କରିପାରିଥିଲେ, ତାହା ତାଙ୍କର ଜୀବନଚରିତରୁ ଜଣାଯାଇଥାଏ । କବି ଗଙ୍ଗାଧରଙ୍କ ଉପରେ ରାଧାନାଥଙ୍କର ପ୍ରଭାବ ଏକାନ୍ତ ଭାବରେ ସ୍ଵୀକାର କରିବାର କଥା । ଗଙ୍ଗାଧର ରାଧାନାଥଙ୍କର ପ୍ରତ୍ୟକ୍ଷ ସଂପର୍କରେ ଆସିଥିଲେ ଓ ତାଙ୍କର ଉପଦେଶ ଗ୍ରହଣ କରିଥିଲେ । ରାଧାନାଥଙ୍କର ସାହିତ୍ୟ ଯେପରି ଆଧୁନିକ ଯୁଗର ବାର୍ତ୍ତାବହ, ଗଙ୍ଗାଧରଙ୍କ ସାହିତ୍ୟ ସେହିପରି ଆଧୁନିକ ଓ ପୁରାତନ ଉଭୟ ଯୁଗର ବାର୍ତ୍ତାବହ ।

 

ତପସ୍ୱିନୀର ଜନ୍ମ ଆଧୁନିକ ଯୁଗରେ; ମାତ୍ର ତପସ୍ଵିନୀ ସତେ ଯେପରି ପୁରାତନ ଓ ଆଧୁନିକ ଯୁଗର ମିଳନର ସେତୁ । ତପସ୍ଵିନୀର ବିଷୟବସ୍ତୁ ଭାରତୀୟ ସାହିତ୍ୟରୁ ଗୃହୀତ । ବିଷୟବସ୍ତୁ ନିର୍ବାଚନରେ କବି ଅତ୍ୟନ୍ତ ସତର୍କତା ଅବଲମ୍ବନ କରିଅଛନ୍ତି । ଏହି ବିଷୟବସ୍ତୁରେ ଆଦର୍ଶର ଚିତ୍ରଣ ଥିଲା କବିଙ୍କର ପ୍ରଧାନ ଲକ୍ଷ୍ୟ । ସାହିତ୍ୟ ଯେପରି ପାଠକମାନଙ୍କର ମନୋରଞ୍ଜନ କରିବା ସଙ୍ଗେ ସଙ୍ଗେ ସତ୍‍ଶିକ୍ଷା ଓ ଆଦର୍ଶରେ ପାଠକମାନଙ୍କୁ ଅନୁପ୍ରାଣିତ କରିପାରିବ, ସେଥିପ୍ରତି କବି ଦୃଷ୍ଟି ରଖିଥିଲେ । ବାଲ୍ମୀକି–ରାମାୟଣ, ରଘୁବଂଶ ଓ ଉତ୍ତର ରାମଚରିତ ଗ୍ରନ୍ଥଗୁଡ଼ିକରୁ କବି ବିଷୟବସ୍ତୁ ନିର୍ବାଚନ କରିଅଛନ୍ତି । ଭାରତୀୟ ସଂସ୍କୃତିର ଧାରାରେ ରାମାୟଣର କଥାବସ୍ତୁ ଚିରକାଳ ଭାସ୍ୱର । ଏହି କଥାବସ୍ତୁକୁ ଗ୍ରହଣ କରି କବି ସ୍ଵକୀୟ ପ୍ରତିଭାର ପରିଚୟ ପ୍ରଦାନ କରିଅଛନ୍ତି । କବିଙ୍କର କଥାବସ୍ତୁ ଉପସ୍ଥାପନ ଚାତୁରୀ ଓ ବର୍ଣ୍ଣନା ଚାତୁରୀ ଅତ୍ୟନ୍ତ ହୃଦ୍ୟ ହୋଇଅଛି-। ବହୁ ସମାଲୋଚକ ରାମାୟଣ, ରଘୁବଂଶ ପ୍ରଭୃତିରୁ କେତେକ ପଦ ଉଦ୍ଧାର କରି ଗଙ୍ଗାଧରଙ୍କର ଆହରଣ କୌଶଳ ପ୍ରଦର୍ଶନ କରିଥାଆନ୍ତି । ଗଙ୍ଗାଧର–ପ୍ରତିଭା ବିଚାରରେ ଏପରି ଆଲୋଚନାର ଗୁରୁତ୍ଵ ଉପଲବ୍‍ଧି ହୋଇ ନଥାଏ । କେତେଗୋଟି ସଂସ୍କୃତ ଶ୍ଳୋକ ମୁଖସ୍ଥ କରି କେବଳ କବିପ୍ରତିଭାର ଅବମାନନା କରିବା ଛଡ଼ା ଏପ୍ରକାର ଆଲୋଚକ ଅଧିକ କିଛି କରନ୍ତି ବୋଲି ମନେ ହୁଏନାହିଁ । ଆଧୁନିକ ଓଡ଼ିଆ ସାହିତ୍ୟରେ ପାଠକମାନେ ଯେତେବେଳେ କେଦାର, ଗୌରୀ, ଜୟନ୍ତ, ଉଷା ଭଳି ଚରିତ୍ରମାନଙ୍କର କାହାଣୀ ପାଠ କରିବାରେ ଅଭ୍ୟସ୍ତ, ସେତେବେଳେ କବି ରାମସୀତାଙ୍କର ଜୀବନଚରିତ ବର୍ଣ୍ଣନା କରି ପାଠକମାନଙ୍କର ମନୋରଞ୍ଜନ କରି ନିଜର ସ୍ଵାତନ୍ତ୍ର୍ୟ ପ୍ରଦର୍ଶନ କରିଅଛନ୍ତି । ରାମଚନ୍ଦ୍ର ଓ ସୀତାଙ୍କର ଆଦର୍ଶ ଆଧୁନିକ ଯୁଗର ଶିକ୍ଷିତ ବ୍ୟକ୍ତିମାନଙ୍କ ନିକଟରେ ପରିବେଷଣ କରି କବି ତତ୍କାଳୀନ ସମାଜର ବ୍ୟକ୍ତିମାନଙ୍କୁ ଅଯଥା ଆଧୁନିକତାର ସ୍ରୋତରେ ନିଜକୁ ଭସାଇ ନ ଦେବାକୁ ସତର୍କ କରିଦେଇ ଅଛନ୍ତି ।

 

ତପସ୍ଵିନୀ କାବ୍ୟରେ କବି ପ୍ରକୃତିକୁ ସବୁବେଳେ ବର୍ଣ୍ଣନାର ପୂରୋଭାଗରେ ଉପସ୍ଥାପିତ କରିଅଛନ୍ତି । ପ୍ରକୃତିର ପ୍ରତ୍ୟକ୍ଷ–ଆତ୍ମପ୍ରକାଶ ଯେପରି ତପସ୍ଵିନୀ କାବ୍ୟରେ ଘଟିଅଛି, ତହିଁରେ ରାଧାନାଥଙ୍କର ପ୍ରଭାବ ଅତ୍ୟନ୍ତ ସ୍ପଷ୍ଟ । ରାଧାନାଥଙ୍କର ପ୍ରଭାବ ସତ୍ତ୍ୱେ ପ୍ରକୃତି ବର୍ଣ୍ଣନାରୁ କବିଙ୍କର ସୌନ୍ଦର୍ଯ୍ୟବାଦୀ ଦୃଷ୍ଟିକୋଣର ପରିଚୟ ଯଥାର୍ଥଭାବରେ ମିଳିଅଛି । ସୀତାଙ୍କ ଦୁର୍ବିପାକରେ ବ୍ୟଥିତ ହୋଇ ନିୟତି ବିରୁଦ୍ଧରେ ପ୍ରକୃତିର ସଂଗ୍ରାମ, ଆଶ୍ରମ ପ୍ରକୃତି ପ୍ରଭୃତି ବର୍ଣ୍ଣନାଗୁଡ଼ିକରେ ପ୍ରକୃତିର ସକ୍ରିୟତା ଓ ମନୋରମତା ପ୍ରକାଶ ପାଇଛି ।

 

ଚରିତ୍ର ଚିତ୍ରଣ ଦୃଷ୍ଟିରୁ କବି ଅତ୍ୟନ୍ତ ପ୍ରଶଂସାର ପାତ୍ର । ରାମଚନ୍ଦ୍ର ଓ ସୀତାଙ୍କ ଚରିତ୍ର ଚିତ୍ରଣ କରି କବି ଆଦର୍ଶ ନରପତି ଓ ଆଦର୍ଶ ନାରୀର ଚିତ୍ର ଅଙ୍କନ କରିଅଛନ୍ତି । ଆଧୁନିକ ଯୁଗରେ ଏପ୍ରକାର ଚରିତ୍ର ଚିତ୍ରଣ ଏକାନ୍ତ ବିରଳ । ଅନୁକମ୍ପା ଚରିତ୍ର ହିଁ ଗୁଣବାଚକ ଚରିତ୍ର । ଚରିତ୍ର ସମାବେଶ ତଥା ଚରିତ୍ର ଚିତ୍ରଣ ଦୃଷ୍ଟିରୁ ତପସ୍ଵିନୀ କାବ୍ୟ ଆଧୁନିକ ଓଡ଼ିଆ ସାହିତ୍ୟରେ ଏକ ବଳିଷ୍ଠ ପରମ୍ପରା ସୃଷ୍ଟି କରିଅଛି ।

 

ତପସ୍ଵିନୀ କାବ୍ୟର ପ୍ରଧାନ ରସ କରୁଣରସ । କରୁଣରସାଶ୍ରିତ ବର୍ଣ୍ଣନା କବିଙ୍କ ଲେଖନୀରେ ଅତ୍ୟନ୍ତ ହୃଦ୍ୟ ହୋଇଅଛି । କାବ୍ୟର ଆରମ୍ଭରୁ ପାଠକ ଏହି କରୁଣରସର ପରିଚୟ ପାଏ । କାବ୍ୟର ପରିସମାପ୍ତି ପୂର୍ବରୁ ସୀତାଙ୍କର ପତ୍ର ଲେଖିବାରେ କରୁଣରସ ଶୀର୍ଷସ୍ଥାନ ଅଧିକାର କରିଅଛି । ପ୍ରକୃତି ସୀତାଙ୍କର କରୁଣତାରେ ସମବେଦନା ଜ୍ଞାପନକରି ପ୍ରାଣକୁ ଶୀତଳ କରିବାପାଇଁ ଚେଷ୍ଟିତ ହୋଇଅଛି । କବିଜୀବନର କରୁଣତା ସତେ ଯେପରି ତପସ୍ଵିନୀ କାବ୍ୟର କରୁଣରସ ମଧ୍ୟରେ ପାଇଲା ପରି ମନେହୁଏ ।

 

ଆଧୁନିକ ଓଡ଼ିଆ ସାହିତ୍ୟରେ ଶବ୍ଦାଳଙ୍କାରର ସ୍ଥାନ ନ ଥିବାର ଲକ୍ଷ୍ୟ କରାଯାଏ । କେବଳ ଅର୍ଥାଳଙ୍କାର ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟକୁ ମଣ୍ଡିତ କରିଅଛି । ମାତ୍ର ଗଙ୍ଗାଧରଙ୍କ ଉପରେ ପୁରାତନ ତଥା ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ ଓ ସଂସ୍କୃତ କାବ୍ୟସାହିତ୍ୟର ପ୍ରଭୂତ ପ୍ରଭାବ ଥିବାରୁ ସେ କାବ୍ୟରେ ଶବ୍ଦାଳଙ୍କାର ମୋହକୁ ଛାଡ଼ିପାରି ନାହାନ୍ତି । ଅଳଙ୍କାର ପ୍ରୟୋଗରେ ତପସ୍ଵିନୀ କାବ୍ୟର କଳେବର ଅତ୍ୟନ୍ତ ଚମତ୍କାର ଭାବରେ ମଣ୍ଡିତ ହୋଇଅଛି ।

 

ତପସ୍ଵିନୀ କାବ୍ୟ ରଚନାରେ କବି ନିଜର ସ୍ଵାତନ୍ତ୍ର୍ୟ ପ୍ରଦର୍ଶନ କରିବାକୁ ତତ୍ପର ହୋଇ କାବ୍ୟ ନିର୍ମାଣ କୌଶଳରେ ନିଜର ଅପାରଗତା ପ୍ରଦର୍ଶନ କରିଅଛନ୍ତି ବୋଲି କୌଣସି ସମାଲୋଚକ ମତ ପ୍ରଦାନ କରିଅଛନ୍ତି । ତାଙ୍କ ମତରେ ତପସ୍ଵିନୀ କାବ୍ୟରେ ଚକ୍ରବାକ ସ୍ଵନ ଶ୍ରବଣରେ ସୀତା ଯେତେବେଳେ ଅତୀତ ଜୀବନ କଥା ସ୍ମରଣ କରି ସଖୀଙ୍କ ନିକଟରେ ବର୍ଣ୍ଣନା କଲେ ତାହା କବିଙ୍କର ଦୁର୍ବଳତା ପ୍ରକାଶ କରିଅଛି ଏବଂ କବିଙ୍କର ଏହି ଦୁର୍ବଳତା ତପସ୍ଵିନୀ କାବ୍ୟର ମର୍ଯ୍ୟାଦାକୁ ହାନି କରିଅଛି । ମାତ୍ର ଏପ୍ରକାର ମତ ଯେ ଏକାନ୍ତ ନିର୍ଭୁଲ, ଏକଥା ସ୍ଵୀକାର କରିହେବ ନାହିଁ । ପ୍ରକୃତ ପକ୍ଷରେ କବି କାବ୍ୟ ନିର୍ମାଣ କୌଶଳରେ ନିଜର ଅଦ୍‍ଭୁତ ପାରଦର୍ଶିତା ପ୍ରଦର୍ଶନ କରିଅଛନ୍ତି । ତପସ୍ଵିନୀ କାବ୍ୟରେ ଏକ ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ, ଚନ୍ଦ୍ର କାସ୍ନାତ ରଜନୀରେ ସୀତା ଯେତେବେଳେ ଚକ୍ରବାକର ସ୍ୱନ ଶ୍ରବଣ କରିଅଛନ୍ତି, ସେତେବେଳେ ତାଙ୍କର ଅତୀତ ଜୀବନର ଏକ ଅନୁଭୂତି ମନେ ପଡ଼ିଯାଇଅଛି । ଅତୀତ ଜୀବନର ସ୍ମୃତିକୁ ମନେ ପକାଇ ଦେଇଛି ପ୍ରକୃତି । ପ୍ରକୃତିର ଏହି ଶକ୍ତି ସର୍ବଥା ସ୍ଵୀକାର୍ଯ୍ୟ । ଏହାକୁ କାବ୍ୟ ନିର୍ମାଣ କୌଶଳର ଦୋଷ ନ କହି ବରଂ ଗୁଣ ରୂପରେ ଗ୍ରହଣ କରିବାର କଥା ।

 

ତପସ୍ଵିନୀ କାବ୍ୟ ନିର୍ମାଣ କୌଶଳ ବିଷୟରେ ଆଉ ଗୋଟିଏ କଥା ବିଶେଷ ଉଲ୍ଲେଖଯୋଗ୍ୟ । ଆଧୁନିକ ଯୁଗର କାବ୍ୟ ହେଲେହେଁ ତପସ୍ଵିନୀର ଆରମ୍ଭରେ କବି ସରସ୍ୱତୀଙ୍କ ବନ୍ଦନା ଛଳରେ ମଙ୍ଗଳାଚରଣ କରିଅଛନ୍ତି ଓ କାବ୍ୟର କଥାବସ୍ତୁକୁ ଏକ ନାଟକୀୟ ରୀତିରେ ଆରମ୍ଭ କରିଅଛନ୍ତି । କାବ୍ୟର ଏହି ନାଟକୀୟ ରୀତି ପାଠକର ଚିତ୍ତକୁ ଆକର୍ଷଣ କରେ । ସୀତାଙ୍କର ନିର୍ବାସିତା ଜୀବନର ଚିତ୍ର କବି ହଠାତ୍ ଉନ୍ମୋଚିତ କରିଦେଇ ସୀତାଙ୍କ ଜୀବନର କରୁଣ ଚିତ୍ରର ପରିଚୟ ଦେଇଅଛନ୍ତି, ଯାହାକି କାବ୍ୟର କଳେବର ମଧ୍ୟରେ ମୁଖ୍ୟଭାବରେ ବର୍ଣ୍ଣିତ ହୋଇଅଛି । ତେଣୁ ଅତୀତ ଜୀବନର ସଂପୃକ୍ତି ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ କବି ଯେତେବେଳେ ଚକ୍ରବାକସ୍ୱନ ଶ୍ରବଣରେ ସୀତାଙ୍କର ସ୍ମୃତିର ଦ୍ଵାର ଉନ୍ମୋଚନ କରି ସୀତାଙ୍କ ମୁଖରେ ଅତୀତ ଜୀବନର ଚିତ୍ର ପରିବେଷଣ କରିଅଛନ୍ତି, ତାହା ଏକାନ୍ତ ହୃଦ୍ୟ ଓ କଥାବସ୍ତୁର ଅଗ୍ରଗତିରେ ଏକାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି । ଏହାକୁ କାବ୍ୟର ଦୋଷ ରୂପେ ପ୍ରଦର୍ଶନ କରିବା କେବେହେଲେ ସମାଲୋଚନାର ସୁସ୍ଥ ପରଂପରା ନୁହେଁ ।

 

ତପସ୍ଵିନୀର ନାମକରଣରେ କବିଙ୍କର ମୌଳିକତା ପ୍ରକାଶ ପାଇଅଛି । ସୀତା ନିଜର ପତିଙ୍କ ଦ୍ଵାରା ନିର୍ବାସିତା ହେବାପରେ ତାଙ୍କର ନିର୍ବାସିତା ଜୀବନରେ ପତିହିତସାଧିନୀ ତପ ଆଚରଣ କରିଥିଲେ । ବାଲ୍ମୀକି–ଆଶ୍ରମରେ ତାପସ ତାପସୀଙ୍କ ମେଳରେ ରହି ତପ ଆଚରଣ କରି ନିଜ ଜୀବନର ମହତ୍ ଆଦର୍ଶର ପରିଚୟ ଦେଇଥିବାରୁ ତାଙ୍କର କର୍ମ ଅନୁସାରେ କାବ୍ୟର ନାମକରଣ କରାଯାଇଅଛି । ଆଧୁନିକ ଓଡ଼ିଆ ସାହିତ୍ୟରେ ତପସ୍ଵିନୀରେ ନାମ ଅନୁସାରେ ବର୍ଣ୍ଣିତ ବିଷୟର ଯଥାର୍ଥ୍ୟ ପ୍ରତିପାଦିତ ହୋଇଅଛି ।

 

କବି ଗଙ୍ଗାଧର ମେହେରଙ୍କର ଉନ୍ନତ ଚିନ୍ତାଧାରା ତଥା ଆଦର୍ଶବାଦର ପ୍ରକୃଷ୍ଟ ପରିଚୟ ପ୍ରଦାନ କରିଥିବାରୁ ମେହେର ସାହିତ୍ୟ ସୃଷ୍ଟି ମଧ୍ୟରେ ତପସ୍ଵିନୀ ଶ୍ରେଷ୍ଠତମ ଆସନ ଅଧିକାର କରିଅଛି । ଆଧୁନିକ ଓଡ଼ିଆ ସାହିତ୍ୟରେ ତପସ୍ଵିନୀ କାବ୍ୟକୁ ସମସ୍ତ ଦୃଷ୍ଟିକୋଣରୁ ବିଚାର କଲେ ଏକ ସାର୍ଥକ କାବ୍ୟ ରୂପେ ନିଜର ଆସନ ବଜାୟ ରଖିବାକୁ–ଏହା ସମର୍ଥ ।

 

କବିବର ରାଧାନାଥ ସାହିତ୍ୟର ପରିସରକୁ ସୁଦୂରପ୍ରସାରୀ କରିଅଛନ୍ତି ସତ; ମାତ୍ର ଗଙ୍ଗାଧର ସାହିତ୍ୟକୁ ସର୍ବାଙ୍ଗସୁନ୍ଦର କରିବାରେ ସଫଳକାମ ହୋଇଅଛନ୍ତି । ଉନ୍ନତ ଚିନ୍ତାଧାରା ପ୍ରଦର୍ଶନ ପୂର୍ବକ ଭକ୍ତକବି ମଧୁସୂଦନ ତାଙ୍କର ସାହିତ୍ୟ–ସୃଷ୍ଟି ମଧ୍ୟରେ ଯେଉଁ ଉନ୍ନତ ଆଦର୍ଶର ଚିତ୍ରଣ କରିଅଛନ୍ତି, ତାହା ତାଙ୍କର ଆଧ୍ୟାତ୍ମିକ ଚିନ୍ତାଧାରାର ପରିଚୟ ଦେଇଥାଏ । ତାଙ୍କର ଋଷିପ୍ରାଣେ ଦେବାବତରଣ ବା ଜୀବନ ଚିନ୍ତା କବିତା ପାଠକଲେ ପାଠକ ଉନ୍ନତ ଆଦର୍ଶର ଚିତ୍ର ପାଏ, ମାତ୍ର ପାଠକ ତହିଁରୁ ମନୋରଞ୍ଜନ ଲାଗି ସେ ଆସ୍ଵାଦନ କରିପାରେ ନାହିଁ । ମାତ୍ର ଗଙ୍ଗାଧରଙ୍କର ତପସ୍ଵିନୀ କାବ୍ୟରେ ଉନ୍ନତ ଆଦର୍ଶ ସହିତ ରସ ପରିବେଷଣ ଏପରି ସମନ୍ଵିତ ଭାବରେ ପ୍ରକାଶ ପାଇଅଛି ଯେ, ଏହାକୁ ପାଠ କଲାବେଳେ ପାଠକ ଏକାବେଳେକେ ଅଭିଭୂତ ହୋଇପଡ଼େ । ଏକ ଉନ୍ନତ ଆଦର୍ଶର ଚିତ୍ର ପ୍ରଦାନ କରିବା ନିମନ୍ତେ ପଲ୍ଲୀକବି ନନ୍ଦକିଶୋର ଶର୍ମିଷ୍ଠା କାବ୍ୟ ରଚନା କରିଅଛନ୍ତି । ଶର୍ମିଷ୍ଠା ଓ ତପସ୍ଵିନୀ ମଧ୍ୟରେ ଯଦି ତୁଳନାତ୍ମକ ବିଚାର କରାଯାଏ, ତାହାହେଲେ ତପସ୍ଵିନୀ ଅଧିକ ସମ୍ମାନର ଯୋଗ୍ୟ ।

 

ଆଧୁନିକ ଓଡ଼ିଆ ସାହିତ୍ୟରେ ଯେତେଗୁଡ଼ିଏ କାବ୍ୟ ସୃଷ୍ଟି ହୋଇଅଛି, ସେଗୁଡ଼ିକ ମଧ୍ୟରେ ତପସ୍ଵିନୀ ଯେ ଏକ ସ୍ଵତନ୍ତ୍ର ଏବଂ ଉଚ୍ଚ ଆସନର ଅଧିକାରୀ, ଏକଥା ରସପିପାସୁ ପାଠକମାନେ ନିଶ୍ଚିତ ଭାବରେ ସ୍ଵୀକାର କରିବେ । ଆଲୋଚନା ଓ ସମାଲୋଚନା ମାନଦଣ୍ଡରେ ମାପି ବସିଲେ ସୃଷ୍ଟିର କୌଣସି ଜିନିଷ ନିର୍ଦ୍ଦୋଷ ନୁହେଁ । ତେଣୁ ଗଠନମୂଳକ ସମାଲୋଚନାର ଦୃଷ୍ଟିକୋଣରେ ତପସ୍ଵିନୀକୁ ବିଚାର କରି ଦେଖିବା ଏକାନ୍ତ ଉଚିତ । ତପସ୍ଵିନୀ କାବ୍ୟହିଁ ଆଧୁନିକ ଓଡ଼ିଆ ସାହିତ୍ୟର ଏକ ଶ୍ରେଷ୍ଠ ସମ୍ପଦ, ଏକଥା ସହିତ୍ୟପ୍ରେମୀ ପାଠକଗଣ ମୁକ୍ତକଣ୍ଠରେ ସ୍ଵୀକାର କରିବେ ହିଁ କରିବେ ।

★★★

 

ଆଧୁନିକ ଓଡ଼ିଆ ସାହିତ୍ୟକୁ ଗଙ୍ଗାଧରଙ୍କ ଦାନ

 

ଊନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଅର୍ଥାତ୍ ୧୮୦୩ ସାଲରେ ଏ ଦେଶରେ ଇଂରେଜ ଶାସନ ପ୍ରତିଷ୍ଠିତ ହେବା ପରେ ଏ ଦେଶର ଶାସନ ପ୍ରଣାଳୀରେ ଯେପରି ଏକ ଆକସ୍ମିକ ପରିବର୍ତ୍ତନ ଦେଖାଦେଇଥିଲା, ସାମାଜିକ ସ୍ତରରେ ଯେପରି ପରିବର୍ତ୍ତନ ଦେଖାଦେବାକୁ ଦୀର୍ଘ ସମୟ ଲାଗିଥିଲା । ଇଂରେଜମାନେ ଏ ଦେଶକୁ ଅଧିକାର କରିବାପରେ ଏ ଦେଶର ଶିକ୍ଷାନୀତି ପ୍ରତି ଦୃଷ୍ଟି ଦେଇଥିଲେ । ସେ ସମୟର ଶିକ୍ଷାପଦ୍ଧତି ସାଧାରଣତଃ ନିତାନ୍ତ ନିମ୍ନସ୍ତରରେ ଥିଲା । ଚାଟଶାଳୀରେ ମାଟିବଂଶ ବା ଓଝା ଅବଧାନଙ୍କ ନିକଟରେ ବସି ସେ କାଳର ଛାତ୍ର ଯେଉଁ ଜ୍ଞାନଲାଭ କରୁଥିଲା, ତାହା ନିତାନ୍ତ ଏକଦେଶଦର୍ଶୀ ଓ ନିମ୍ନଶ୍ରେଣୀର । ଆଧୁନିକ ଜଗତର କୌଣସି ଜ୍ଞାନ ସେ ସମୟର ଶିକ୍ଷାରୁ ମିଳୁ ନ ଥିଲା ।

 

ଇଂରେଜମାନେ ଦେଶକୁ ଦଖଲ କରିସାରି ଯେତେବେଳେ ଦେଖିଲେ ଯେ, ସେମାନଙ୍କ ଶାସନ କାର୍ଯ୍ୟ ଚଳାଇବା ନିମିତ୍ତ ସ୍ୱଳ୍ପଶିକ୍ଷିତ କୌଣସି ଓଡ଼ିଶାବାସୀ ସମର୍ଥ ନୁହେଁ, ସେତେବେଳେ ସେମାନେ ବାଧ୍ୟହୋଇ ସରକାରୀ କର୍ମଚାରୀ ଭାବରେ ବଙ୍ଗଳାରୁ ଶିକ୍ଷିତ ଲୋକମାନଙ୍କୁ ଏ ଦେଶକୁ ଆଣିଲେ । ଇଂରେଜ ସରକାର ଏ ଦେଶକୁ ଆସିବାର ଅର୍ଦ୍ଧଶତାବ୍ଦୀ ପୂର୍ବରୁ ବଙ୍ଗ ଦେଶରେ ନିଜର ଆସନ ପ୍ରତିଷ୍ଠା କରି ସାରିଥିଲେ । ଏହି ଅର୍ଦ୍ଧଶତାବ୍ଦୀ ମଧ୍ୟରେ ବଙ୍ଗଳାର ଲୋକମାନେ ନୂତନ ଶିକ୍ଷାଲୋକରେ ଶିକ୍ଷିତ ହୋଇ ସାରିଥିଲେ । ତେଣୁ ଇଂରେଜ ସରକାର ବଙ୍ଗଳାରୁ କର୍ମଚାରୀମାନଙ୍କୁ ଆଣି ଓଡ଼ିଶାର ଶାସନ କ୍ଷେତ୍ରରେ ନିଯୁକ୍ତ କଲେ । ଆଧୁନିକ ଶିକ୍ଷା ପାଇ ନ ଥିବା ଅଶିକ୍ଷିତ ଓଡ଼ିଆ ଜାତି ସେତେବେଳେ କେବଳ ନୀରବ ଦର୍ଶକ ଭାବରେ ନିଜ ଜାତିର ଦୂରବସ୍ଥାକୁ ଲକ୍ଷ୍ୟ କରିଥିଲା ।

 

ଇଂରେଜ ଶାସନର ଆରମ୍ଭରେ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରିତ ହୋଇଥିଲା ବଙ୍ଗଦେଶରେ-। କାରଣ ସେତେବେଳେ ବଙ୍ଗଳାରେ ଥିଲା ଇଂରେଜ ସରକାରର ମୁଖ୍ୟ ଶାସନ-ସଂସ୍ଥା-। ଓଡ଼ିଶାର ଜମିଦାରୀଗୁଡ଼ିକ ବଙ୍ଗଳାରେ ହିଁ ନିଲାମ ହେଉଥିଲା । ସେତେବେଳେ ଓଡ଼ିଶାରୁ ବଙ୍ଗଦେଶକୁ ଯାତ୍ରା କରିବା ନିମିତ୍ତ ପଥର ସୁବିଧା ନ ଥିଲା । କର୍ଦ୍ଦମାକ୍ତ କଚା ରାସ୍ତାରେ ବଳଦ ଗାଡ଼ିରେ ବସି ବା ଦଳବାନ୍ଧି ଚାଲି ଚାଲି ଆଠଦଶ ଦିନରୁ ପନ୍ଦରଦିନ ପର୍ଯ୍ୟନ୍ତ ସମୟ ମଧ୍ୟରେ ପଥ ମଧ୍ୟରେ ବହୁ ବିପଦକୁ ଅତିକ୍ରମ କରି ସେତେବେଳେ କଲିକତାରେ ପହୁଞ୍ଚିବାକୁ ପଡ଼ୁଥିଲା । ଏହିସବୁ ଅସୁବିଧା ଓ ବିପଦକୁ ଅତିକ୍ରମ କରି ଓଡ଼ିଶାରୁ ଅର୍ଥ ନେଇ କଲିକତାରେ ଦାଖଲ କରିବା ଯେ କି କଷ୍ଟକର କାର୍ଯ୍ୟ, ତାହା ସହଜରେ ଅନୁମାନ କରାଯାଇ ପାରେ । ଏପରି ଅବସ୍ଥାରେ ଓଡ଼ିଶାର ଜମିଦାରମାନେ ସୂର୍ଯ୍ୟାସ୍ତ ଆଇନ ଅନୁସାରେ ଠିକ୍ ସମୟ ମଧ୍ୟରେ ଟଙ୍କା ଦାଖଲ କରି ନ ପାରିବାରୁ ସେମାନଙ୍କର ଜମିଦାରୀ ସାମାନ୍ୟ ଅର୍ଥ ବିନିମୟରେ ବଙ୍ଗୀୟ ବ୍ୟକ୍ତିମାନେ ଦଖଲ କରିଥିଲେ । ତେଣୁ ଓଡ଼ିଶାରୁ ଜମିଦାରୀ ପ୍ରଥାର ଉଚ୍ଛେଦ ପର୍ଯ୍ୟନ୍ତ ଓଡ଼ିଶାର ଜମିଦାରମାନଙ୍କର ତାଲିକା ଦେଖିଲେ ଜଣାଯାଏ ଯେ, ଓଡ଼ିଶାର ଅଧିକାଂଶ ବଡ଼ ବଡ଼ ଜମିଦାରୀର ମାଲିକ ଥିଲେ ବଙ୍ଗବାସୀ ବ୍ୟକ୍ତିଗଣ ।

 

ଇଂରେଜ ଶାସନ ଆରମ୍ଭରେ ଓଡ଼ିଶାବାସୀଙ୍କର ଶିକ୍ଷାର ଅଭାବ ଥିବା ଯୋଗୁଁ ଆଇନ ଅଦାଲତରେ ଆଇନ ବ୍ୟବସାୟ କରିବା ପାଇଁ ଓଡ଼ିଶା ବାସୀଙ୍କର ଅଯୋଗ୍ୟତା ଦୃଷ୍ଟେ ଯେଉଁମାନେ ଏଦେଶରେ ଓକିଲ ନାମଧାରୀ ଆଇନ ବ୍ୟବସାୟୀ ରୂପେ ଦେଖା ଦେଇଥିଲେ, ସେମାନେ ମଧ୍ୟ ସେହି ବଙ୍ଗଳାରୁ ଆସି ଏ ଦେଶରେ ନିଜର ପ୍ରତିପତ୍ତି ବିସ୍ତାର କରିଥିଲେ । ସେମାନଙ୍କର ସେ ସମୟର ପ୍ରତିପତ୍ତିକୁ ଏବେ ମଧ୍ୟ ଲକ୍ଷ୍ୟ କରାଯାଇ ପାରେ ।

 

ଇଂରେଜ ସରକାର ଯେତେବେଳେ ଏ ଦେଶରେ ଶିକ୍ଷାର ବିସ୍ତାର କରିବାକୁ ବସିଲା, ସେତେବେଳେ ଶିକ୍ଷକ ଭାବରେ ଆଉ କେଉଁମାନେ ଏ ଦେଶରେ ନିଯୁକ୍ତି ପାଇଥାଆନ୍ତେ ? ଏଣ୍ଟ୍ରାନ୍‍ସ ପାଶ କରିଥିବା ସେ ସମୟର ବଙ୍ଗବାସୀ ବ୍ୟକ୍ତିଗଣ ଏ ଦେଶର ବିଦ୍ୟାଳୟମାନଙ୍କରେ ଶିକ୍ଷକତା କରି ଓଡ଼ିଆମାନଙ୍କୁ ଶିକ୍ଷାଦାନ କରିଥିଲେ । ବଙ୍ଗଳା ପାଠ୍ୟପୁସ୍ତକମାନ ଓଡ଼ିଆ ଭାଷାରେ ଅନୂଦିତ ହୋଇ ଓଡ଼ିଶାର ବିଦ୍ୟାଳୟମାନଙ୍କରେ ପାଠ୍ୟପୁସ୍ତକ ରୂପେ ପ୍ରଚଳିତ ହୋଇଥିଲା ।

 

ଇଂରେଜମାନେ ଓଡ଼ିଶାକୁ ଦଖଲ କରିବା ପରେ ଯେତେବେଳେ ବଙ୍ଗୀୟ ବ୍ୟକ୍ତିମାନେ ଓଡ଼ିଶାରେ ପ୍ରବେଶକରି ନିଜର ପ୍ରତିପତ୍ତି ପ୍ରତ୍ୟେକ କ୍ଷେତ୍ରରେ ପ୍ରଦର୍ଶନ କରିଥିଲେ, ସେତେବେଳେ ନିଜ ଦେଶର ଓଡ଼ିଆ ସତେ ଯେପରି ଏକ ଆଶ୍ରୟପ୍ରାର୍ଥୀ ଜାତିଭଳି ନିଜକୁ ଅସହାୟ ମନେ କରିଥିଲା । ବଙ୍ଗବାସୀ ଚତୁର ବ୍ୟକ୍ତିମାନେ ଓଡ଼ିଶାକୁ ନିଜ ଦେଶରେ ମିଶାଇ ଦେବାର ଦୁରାଶା ପୋଷଣ କରି ଯେଉଁ କାର୍ଯ୍ୟଗୁଡ଼ିକ କରିଥିଲେ, ସେଗୁଡ଼ିକ ବିଫଳ ହେବାପରେ ସେମାନେ ଅନନ୍ୟୋପାୟ ହୋଇ ନିଜକୁ ଓଡ଼ିଶାବାସୀ ରୂପରେ ପରିଚିତ କରାଇଲେ । ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନରୁ ବଙ୍ଗୀୟ ବ୍ୟକ୍ତିମାନଙ୍କର ନୀଚ ଜଘନ୍ୟ ମନୋବୃତ୍ତିର ବିଶେଷ ପରିଚୟ ମିଳିଥିଲା । ଏହି ମନୋବୃତ୍ତିର ସର୍ବଶ୍ରେଷ୍ଠ ପରିଚୟ ୧୮୭୦ ସାଲରେ ମିଳିଥିଲା । ବାଲେଶ୍ଵର ହାଇସ୍କୁଲର ତତ୍କାଳୀନ ବଙ୍ଗୀୟ ପଣ୍ଡିତ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ “ଉଡ଼ିୟା ସ୍ୱତନ୍ତ୍ର ଭାଷା ନୟ” ନାମରେ ଏକ ପୁସ୍ତକ ପ୍ରଣୟନ କରି ଓଡ଼ିଆ ଭାଷାକୁ ବିଲୋପ କରିବା ପାଇଁ ଯେଉଁ ଉଦ୍ୟମ କରିଥିଲେ, ତାହା ଏ ଦେଶବାସୀଙ୍କର ପ୍ରବଳ ପ୍ରତିରୋଧ ତଥା ଶାସନ କ୍ଷେତ୍ରରେ ଥିବା ଇଂରେଜ ଜାତିର ନିରପେକ୍ଷ ବିଚାର ଯୋଗୁଁ ନିଷ୍ଫଳ ହୋଇଥିଲା ।

 

୧୮୬୨ ସାଲଠାରୁ ଏ ଦେଶବାସୀ ଆଧୁନିକ ଶିକ୍ଷା ପ୍ରତି ଆକୃଷ୍ଟ ହୋଇଥିଲେ । ଆଧୁନିକ ଶିକ୍ଷାରେ ଶିକ୍ଷିତ ଯୁବକଗଣ ସେତେବେଳେ ପୁରାତନ ମତବାଦକୁ ତ୍ୟାଗ କରି ନୂତନ ମତବାଦକୁ ଗ୍ରହଣ କରିବାକୁ ଲାଗିଲେ । ଏହି ଆଧୁନିକ ଶିକ୍ଷିତ ଯୁବକମାନଙ୍କର ପ୍ରଚେଷ୍ଟାର ପରିଣାମ ଆଧୁନିକ ଓଡ଼ିଆ ସାହିତ୍ୟ । ୧୮୭୩ ସାଲରେ “ଉତ୍କଳ ଦର୍ପଣ” ନାମକ ମାସିକ ପତ୍ରିକାହିଁ ଏଦେଶରେ ଆଧୁନିକ ଓଡ଼ିଆ ସାହିତ୍ୟକୁ ପ୍ରକାଶ କରିଥିଲା । ୧୮୭୩ ସାଲ ପରଠାରୁ ଆଧୁନିକ ଓଡ଼ିଆ ସାହିତ୍ୟ ତାର ଅଭିବୃଦ୍ଧି ପଥରେ ନିରବଚ୍ଛିନ୍ନ ଭାବରେ ଅଗ୍ରସର ହୋଇ ଆଧୁନିକ ଓଡ଼ିଆ ସାହିତ୍ୟ ପ୍ରତି, ପାଠକମାନଙ୍କୁ ଆକୃଷ୍ଟ କରିବା ସଙ୍ଗେ ସଙ୍ଗେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲା ।

 

ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ଯେଉଁ ସମୟରୁ ଓଡ଼ିଶାବାସୀ ଆଧୁନିକ ଶିକ୍ଷାପ୍ରତି ଆକୃଷ୍ଟ ହୋଇଥିଲେ, ସେହି ସମୟରେ ଅର୍ଥାତ୍ ୧୮୬୨ ସାଲରେ କବି ଗଙ୍ଗାଧର ମେହେରଙ୍କର ଜନ୍ମ । ଆଧୁନିକ ଶିକ୍ଷାକୁ ଯେତେବେଳେ ଏ ଦେଶ ଗ୍ରହଣ କରିବାରେ ତତ୍ପର, ସେତେବେଳେ ଜନ୍ମଲାଭ କରିଥିବା ଗଙ୍ଗାଧର ଯେ ଆଧୁନିକ ଶିକ୍ଷା ପ୍ରତି ବିଶେଷ ଭାବରେ ଆକୃଷ୍ଟ ହୋଇଥିବେ, ଏଥିରେ ସନ୍ଦେହ କରିବାର କିଛି ନାହିଁ । ମାତ୍ର ପାରିପାର୍ଶ୍ଵିକ ପରିସ୍ଥିତି ତଥା ବ୍ୟକ୍ତିଗତ ପରିସ୍ଥିତିର ପ୍ରତିକୂଳତା ଯୋଗୁଁ ଗଙ୍ଗାଧର ଆଧୁନିକ ଜଗତର ଉଚ୍ଚଶିକ୍ଷା ଲାଭରୁ ବଞ୍ଚିତ ହେଲେ । ସ୍କୁଲ କଲେଜର ଶିକ୍ଷାଗତ ଯୋଗ୍ୟତା ଯଦିଓ ଆଧୁନିକ ସାହିତ୍ୟ–ସ୍ରଷ୍ଟାମାନଙ୍କର ଯୋଗ୍ୟତା ଏବଂ ଏହି ଯୋଗ୍ୟତା ବଳରେ ସେମାନେ ଆଧୁନିକ ଓଡ଼ିଆ ସାହିତ୍ୟ ସୃଷ୍ଟି କରିବାରେ ସମର୍ଥ ହୋଇଥିଲେ; ତଥାପି ଗଙ୍ଗାଧରଙ୍କ ପ୍ରତି ଏହା ପ୍ରଯୁଜ୍ୟ ନୁହେଁ । ଗଙ୍ଗାଧର ଏହାର ଏକ ବ୍ୟତିକ୍ରମ । ସେ ସ୍କୁଲ କଲେଜର ଶିକ୍ଷାଲାଭରୁ ସିନା ବଞ୍ଚିତ ହୋଇଥିଲେ, ମାତ୍ର ନିଜର ଅନୁସନ୍ଧିତ୍ସାବଳରେ ବ୍ୟକ୍ତିଗତ ଉଦ୍ୟମରେ କାବ୍ୟଶାସ୍ତ୍ର ପାଠକରି ପ୍ରଭୂତ ଜ୍ଞାନ ଅର୍ଜନ କରିଥିଲେ । ସଂସ୍କୃତ ସାହିତ୍ୟରେ ତାଙ୍କର ବିଶେଷ ପ୍ରବେଶ ନଥିଲା ବୋଲି ଯେଉଁ ଆଲୋଚକମାନେ ମତ ପ୍ରକାଶ କରନ୍ତି, ସେମାନେ ଗଙ୍ଗାଧରଙ୍କ ଉପରେ ଏକ ନିର୍ଦ୍ଦୟ ମନ୍ତବ୍ୟ ପ୍ରକାଶ କରନ୍ତି ବୋଲି କୁହାଯାଇପାରେ । ଗଙ୍ଗାଧର ବଙ୍ଗଳା ଭାଷାରେ ଅନୁଦିତ ସଂସ୍କୃତ ସାହିତ୍ୟର ବିଖ୍ୟାତ କାବ୍ୟ ଗ୍ରନ୍ଥଗୁଡ଼ିକ ଅଧ୍ୟୟନ କରିଥିଲେ ବୋଲି ସଂସ୍କୃତରେ ତାଙ୍କର ବିଶେଷ ପ୍ରବେଶ ନ ଥିଲା ବୋଲି କହିବା ଆଦୌ ଯୁକ୍ତିଯୁକ୍ତ ନୁହେଁ । ଗଙ୍ଗାଧର ସଂସ୍କୃତ ସାହିତ୍ୟର ଆଦର୍ଶକୁ ନିଜ ସାହିତ୍ୟ ରଚନାର ଆଦର୍ଶରୂପେ ଗ୍ରହଣ କରିଥିଲେ । ପରବର୍ତ୍ତୀକାଳରେ କେତେକ ଆଧୁନିକ ଶିକ୍ଷାଭିମାନୀ ବ୍ୟକ୍ତିଙ୍କର ପ୍ରଭାବରେ ଆଧୁନିକ ରୀତିରେ କାବ୍ୟ କବିତା ରଚନା କରିବାର ପ୍ରୟାସ କରିଥିଲେ । ଏ ବିଷୟ ତାଙ୍କ ଜୀବନଚରିତରୁ ସ୍ପଷ୍ଟ ଭାବରେ ଜଣାପଡ଼େ । ଗଙ୍ଗାଧର ଗ୍ରନ୍ଥାବଳୀର ମୁଖବନ୍ଧ ପୃଷ୍ଠାରେ ଲେଖାଅଛି, “ପ୍ରଥମ ଅବସ୍ଥାରେ ସେ ପ୍ରାଚୀନ ପଦ୍ଧତିରେ କେତେକ କ୍ଷୁଦ୍ର ପଦ୍ୟ ପ୍ରଣୟନ କରି ପରେ ‘ରସରତ୍ନାକର’ ନାମକ ଆଦ୍ୟପ୍ରାନ୍ତ ‘ର’ ଅକ୍ଷରବିଶିଷ୍ଟ ଖଣ୍ଡେ ସୁଲଳିତ ପଦ୍ୟପୁସ୍ତକ ଲେଖିଥିଲେ । ତାହା ପାଠକରି ବରପାଲିର ତଦାନୀନ୍ତନ ଯୁବରାଜଙ୍କର ଗୃହଶିକ୍ଷକ ସୂର୍ଯ୍ୟକୁମାର ମିତ୍ର ଗଙ୍ଗାଧରଙ୍କୁ ଆଧୁନିକ ଧରଣରେ ପଦ୍ୟ ରଚନା କରିବା ପାଇଁ ଉତ୍ସାହିତ କରିବାରୁ ସେ ସଂସ୍କୃତ ଛନ୍ଦରେ ‘ଅହଲ୍ୟାସ୍ତବ’ ପ୍ରଣୟନ ଓ ପ୍ରକାଶ କରି ଉତ୍କଳର ସୁପ୍ରସିଦ୍ଧ କବି ରାଧାନାଥଙ୍କଠାକୁ ପ୍ରେରଣ କଲେ । ଗୁଣରଙ୍କ ଉଦାରପ୍ରାଣ ରାଧାନାଥ ରାୟ ମହୋଦୟ ସେହି ପୁସ୍ତକ ପାଠରେ ପ୍ରୀତ ହୋଇ ପତ୍ରଦ୍ୱାରା ତାଙ୍କୁ ପ୍ରଭୂତ ପ୍ରେରଣା ଦେଇଥିଲେ । ପରେ କବି ତାକୁ ବଙ୍ଗଳାଶ୍ରୀ ବୃତ୍ତରେ ପରିବର୍ତ୍ତିତ କରିଥିଲେ ।”

 

ଉପରୋକ୍ତ ଉଦ୍ଧୃତିରୁ ସ୍ପଷ୍ଟ ପ୍ରତିପନ୍ନ ହୁଏ ଯେ, ଗଙ୍ଗାଧର ପ୍ରାଚୀନ ସାହିତ୍ୟପ୍ରତି ବିଶେଷ ଭାବରେ ଆକୃଷ୍ଟ ଥିଲେ । ଆଧୁନିକ ସାହିତ୍ୟର ଆଧୁନିକତା ତାଙ୍କ ମନୋରାଜ୍ୟରେ ପ୍ରଥମ ଅବସ୍ଥାରେ ପ୍ରବେଶ କରି ପାରି ନ ଥିଲା । ବରପାଲି ଯୁବରାଜଙ୍କର ଗୃହଶିକ୍ଷକ ସୂର୍ଯ୍ୟକୁମାର ମିତ୍ରଙ୍କର ଉତ୍ସାହ ଫଳରେ ଗଙ୍ଗାଧର ଆଧୁନିକ ସାହିତ୍ୟର ଆଧୁନିକତା ପ୍ରତି ଆକୃଷ୍ଟ ହୋଇଥିଲେ । ଥରେ ଯେତେବେଳେ ତାଙ୍କ ମନୋରାଜ୍ୟରେ ଆଧୁନିକତା ପ୍ରବେଶ କଲା, ସେତେବେଳେ ସେ ଆଧୁନିକତାର ପ୍ରକୃଷ୍ଟ ପରିଚୟ ପାଇବାପାଇଁ ଆଗ୍ରହାନ୍ୱିତ ହେବା ନିତାନ୍ତ ସ୍ୱାଭାବିକ । ଏହି ଆଗ୍ରହ ଫଳରେ ସେ “ଅହଲ୍ୟାସ୍ତବ” ରଚନା କରି କବିବର ରାଧାନାଥଙ୍କ ନିକଟକୁ ପଠାଇଥିଲେ । ରାଧାନାଥଙ୍କଠାରୁ ସେ ଯେଉଁ ପ୍ରେରଣା ଲାଭ କରିଥିଲେ ତାହା ତାଙ୍କ କବି–ଜୀବନର ଅମୂଲ୍ୟ ପାଥେୟ ।

 

ରାଧାନାଥଙ୍କର ପ୍ରେରଣା ଗଙ୍ଗାଧରଙ୍କର କବିଜୀବନର ଅମୂଲ୍ୟ ପାଥେୟ ନ ହୋଇଥିଲେ ଗଙ୍ଗାଧର ରାଧାନାଥଙ୍କ ପ୍ରତି ଏପରି କୃତଜ୍ଞତା ଉତ୍କଳଲକ୍ଷ୍ମୀରେ ପ୍ରକାଶ କରି ନ ଥାନ୍ତେ । ମୁଖ୍ୟତଃ ଉତ୍କଳଲକ୍ଷ୍ମୀ ରାଧାନାଥ–ପ୍ରଶସ୍ତଗାନର ଏକ ଉଦାହରଣ ।

 

ଗଙ୍ଗାଧରଙ୍କର ରସରତ୍ନାକରର ରଚନାକାଳ ନିର୍ଦ୍ଦିଷ୍ଟ ଭାବରେ ଜଣାଯାଇ ନାହିଁ । ଏହା ଅପ୍ରକାଶିତ ରହିଅଛି । ଅହଲ୍ୟାସ୍ତବ ରଚନା ପୂର୍ବରୁ ଏହା ରଚିତ ହୋଇଥିଲା । ତେଣୁ ଏହାର ରଚନା କାଳରୁ ୧୮୮୫ ରୁ ୧୮୯୨ ସାଲ ମଧ୍ୟରେ ସୀମିତ କରାଯାଇପାରେ । ବାଣାସୁର କନ୍ୟା ଉଷା ଓ କୃଷ୍ଣଙ୍କ ପୁତ୍ର ଅନିରୁଦ୍ଧଙ୍କର ପରିଣୟ ବିଷୟକୁ କେନ୍ଦ୍ରକରି ଏହି କାବ୍ୟ ରଚିତ । ଭାରତୀୟ ପୁରାଣ ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କବି ଗଙ୍ଗାଧର ମଧ୍ୟଯୁଗୀୟ ରୀତିରେ ଏହି କାବ୍ୟକୁ ରଚନା କରିଥିଲେ । ଏହି କାବ୍ୟକୁ ଅପ୍ରକାଶିତ ରଖିବା ମୂଳରେ କେତେକ କାରଣ ନିହିତ ବୋଲି ସମାଲୋଚକମାନେ ମତ ପ୍ରଦାନ କରନ୍ତି । ରାଧାନାଥଙ୍କର ଉଷାକାବ୍ୟର କଥାବସ୍ତୁ ପାଶ୍ଚାତ୍ୟ ସାହିତ୍ୟରୁ ଆହୂତ । ରସରତ୍ନାକରର କଥାବସ୍ତୁ ଭାରତୀୟ ପୁରାଣଶାସ୍ତ୍ରରୁ ଆହୂତ । ତେଣୁ ରସରତ୍ନାକର ପ୍ରକାଶରେ ଯୁଗସ୍ରଷ୍ଟା ରାଧାନାଥଙ୍କର କବିପ୍ରତିଭା ବିରୁଦ୍ଧରେ ପ୍ରତିବାଦ ସଦୃଶ ହେବ ବୋଲି ଆଶଙ୍କା କରି ଗଙ୍ଗାଧର ଏହାକୁ ଅପ୍ରକାଶିତ ରଖିଲେ ବୋଲି ଯେଉଁ ମତ ପ୍ରକାଶ ପାଇଅଛି, ତାହା ସଠିକ ମନେ ହୁଏ ନାହିଁ । ରସରତ୍ନାକର କାବ୍ୟରେ ତ ଗଙ୍ଗାଧର ରାଧାନାଥଙ୍କର ଉଷାକାବ୍ୟ ବିରୁଦ୍ଧରେ ମତ ପ୍ରକାଶ କରି ନ ଥିଲେ ତେଣୁ ଗଙ୍ଗାଧର ଏପରି ଆଶଙ୍କା କରିଥାନ୍ତେ କାହିଁକି ? ପ୍ରକୃତ ପକ୍ଷରେ ରସରତ୍ନାକରକୁ କବି ଅପ୍ରକାଶିତ ରଖିବାର କାରଣ, ସେତେବେଳେ ଆଧୁନିକ ଓଡ଼ିଆ ସାହିତ୍ୟର କାବ୍ୟ କବିତା ଯେଉଁ ଆଧୁନିକ ରୀତିରେ ପ୍ରକାଶ ପାଉଥିଲା, ଗଙ୍ଗାଧର ସେ ରୀତିରେ କାବ୍ୟ ରଚନା କରିପାରି ନ ଥିବାରୁ ନିଜର କାବ୍ୟ ରଚନାଜନିତ ଦୈନ୍ୟକୁ ଲୁଚାଇ ରଖିବାକୁ ରସ–ରତ୍ନାକରକୁ ଲୋକଲୋଚନ ଗୋଚର କଲେ ନାହିଁ । ବହୁ କବିଙ୍କ ରଚନାରେ ଏପରି ସ୍ଵାଭାବିକତା ଦେଖା ଦେଇଥାଏ । କବିର ପ୍ରଥମ ରଚନା ଯୁଗୋପଯୋଗୀ ହୋଇ ନ ଥିବା ଯୋଗୁଁ କବି ତାକୁ ପ୍ରକାଶ କରିବାକୁ କୁଣ୍ଠାବୋଧ କରିଥାଏ; ତେଣୁ ରସରତ୍ନାକର କାବ୍ୟରେ ଗଙ୍ଗାଧର ମେହେରଙ୍କର କବି ପ୍ରତିଭାର ପ୍ରକୃଷ୍ଟ ପ୍ରକାଶ ହୋଇ ନ ଥିବାରୁ କବି ତାହାକୁ ପ୍ରକାଶ କରି ନ ଥିଲେ ।

 

ଗଙ୍ଗାଧର ମେହେର ତାଙ୍କର କାବ୍ୟ କବିତା ପାଇଁ ଭାରତୀୟ ପୁରାଣ ତଥା କାବ୍ୟଶାସ୍ତ୍ରମାନଙ୍କରୁ କଥାବସ୍ତୁ ନିର୍ବାଚନ କରିବାର ଯେଉଁ ରୀତି ପ୍ରଦର୍ଶନ କରିଥିଲେ, ତାହାର ଆରମ୍ଭ ରସରତ୍ନାକରରେ ହିଁ ଦେଖା ଦେଇଥିଲା । ତା ନ ହୋଇଥିଲେ ତାଙ୍କ କାବ୍ୟର ଶକୁନ୍ତଳା, ସୀତା, ସୈରିନ୍ଧ୍ରୀ ଆଜି ଏପରି ଖ୍ୟାତିସମ୍ପନ୍ନା ହୋଇପାରି ନ ଥାନ୍ତେ ।

 

୧୮୯୨ ସାଲର ଶେଷ ଭାଗରେ କବି ଅହଲ୍ୟାସ୍ତବ ରଚନା କରିଥିଲେ । ଏହା ପ୍ରଥମେ ସଂସ୍କୃତ ଛନ୍ଦରେ ଲିଖିତ ହୋଇ ରାଧାନାଥଙ୍କ ନିକଟକୁ ପ୍ରେରିତ ହୋଇଥିଲା । ପରବର୍ତ୍ତୀ କାଳରେ ରାଧାନାଥଙ୍କ ଉପଦେଶକ୍ରମେ କବି ଏହାକୁ ବଙ୍ଗଳାଶ୍ରୀ ରାଗରେ ପରିବର୍ତ୍ତନ କରିଥିଲେ । ସୀତାଙ୍କ ସ୍ଵୟମ୍ବର ସମ୍ବାଦ ପାଇ ବିଶ୍ୱାମିତ୍ରଙ୍କ ସହିତ ରାମଚନ୍ଦ୍ର ଓ ଲକ୍ଷ୍ମଣ ମିଥିଳାକୁ ସ୍ଵୟମ୍ବର ସଭାରେ ଯୋଗଦେବା ନିମିତ୍ତ ଯାତ୍ରାକରିବା ସମୟରେ ବନ ମଧ୍ୟରେ ଶ୍ରୀରାମଙ୍କର ପଦସ୍ପର୍ଶରେ–ପାଷାଣୀ ଅହଲ୍ୟା ନବଜୀବନ ଲାଭକରି ରାମଚନ୍ଦ୍ରଙ୍କ ନିକଟରେ ସ୍ତବପାଠ କରିଥିବା କଥାବସ୍ତୁକୁ ନେଇ ଏହା ରଚିତ । ଏହି ସ୍ତବଟି ପ୍ରକୃତ ପକ୍ଷରେ କବିତାର କଳେବର । ଏହି କବିତାରେ କବି ଗଙ୍ଗାଧରଙ୍କର ପ୍ରତିଭାର ପ୍ରକୃଷ୍ଟ ପରିଚୟ ଯେ ମିଳିଅଛି, ଏକଥା କହିହେବ ନାହିଁ । ଆଧୁନିକ ଓଡ଼ିଆ ସାହିତ୍ୟର ସୃଷ୍ଟି ସମ୍ପଦ ମଧ୍ୟରେ ଅହଲ୍ୟାସ୍ତବର ସ୍ଥାନ ଉଲ୍ଲେଖଯୋଗ୍ୟ ହୋଇ ନ ପାରେ । ଏଥିରେ କବିଙ୍କର ଭକ୍ତି ଭାବର ପ୍ରକାଶ ଘଟିଅଛି; ମାତ୍ର ତାହା କୌଣସି ମାତ୍ରାରେ ଆଧୁନିକ ଓଡ଼ିଆ ସାହିତ୍ୟରେ ଵୈଶିଷ୍ଟ୍ୟ ପ୍ରକାଶ କରିବାକୁ ସମର୍ଥ ନୁହେଁ ।

 

୧୮୯୩ ସାଲରେ କବି ଇନ୍ଦୁମତୀ କାବ୍ୟ ରଚନାରେ ମନ ଦେଇଥିଲେ । ଏହି କାବ୍ୟଟି ରଚନା କରିସାରି ସେ ଏହାକୁ କବିବର ରାଧାନାଥଙ୍କ ନିକଟକୁ ମତାମତ ଜାଣିବା ପାଇଁ ପଠାଇଥିଲେ । କବିବର ରାଧାନାଥ ଏହି କାବ୍ୟଟିକୁ ପ୍ରଶଂସା କରି ନିଜର ମତ ପ୍ରଦାନ କରିଥିଲେ-। ଏହା ୧୮୯୪ ସାଲରେ ପ୍ରକାଶ ପାଇଲା । ଗଙ୍ଗାଧର ମେହେର ପ୍ରାଚୀନ ପନ୍ଥାରେ ସାହିତ୍ୟ ସୃଷ୍ଟି କରିବା ସମୟରେ ନିଜକୁ ଆଧୁନିକ ଶ୍ରେଣୀଭୁକ୍ତ କରିବା ଲାଗି ଯେ ଅତ୍ୟନ୍ତ ଇଚ୍ଛୁକ ନଥିଲେ, ଏହା ସହଜରେ ଜଣାଯାଏ । ସେ ସମୟରେ କବିବର ରାଧାନାଥଙ୍କଠାରୁ ଆଧୁନିକ ବୋଲି ଯଦି କେହି ପ୍ରଶଂସାପତ୍ର ଲାଭ କରିପାରିଲା, ତାହାହେଲେ ସେ ଆଧୁନିକ ଶ୍ରେଣୀଭୁକ୍ତ ହୋଇ ପାରୁଥିଲା-। ଗଙ୍ଗାଧର ଇନ୍ଦୁମତୀ କାବ୍ୟ ଜରିଆରେ ରାଧାନାଥଙ୍କଠାରୁ ଏହି ପ୍ରଶଂସାପତ୍ର ଆଂଶିକ ପାଇଥିଲେ-। ତାହା ହେଉଛି, “ଏଥିରେ ଏପରି କୌଣସି ଭାବ ବା ଶବ୍ଦ ନାହିଁ, ଯାହା ଆଧୁନିକ ରୁଚି ଅନୁସାରେ ବର୍ଜନୀୟ ବୋଲି ବିବେଚିତ ହେବ ।” କବିବର ରାଧାନାଥଙ୍କର ଏହି ମତ ପାଠକରି ଗଙ୍ଗାଧର ଯେ ବହୁ ପରିମାଣରେ ଆଶ୍ଵସ୍ତ ହୋଇଥିବେ, ଏକଥା ଗ୍ରହଣ କରିନେବା ନିତାନ୍ତ ସ୍ୱାଭାବିକ ।

 

ଗଙ୍ଗାଧର ପ୍ରଥମେ ଯେତେବେଳେ ରସରତ୍ନାକର ରଚନା କରି ବରପାଲି ଯୁବରାଜଙ୍କର ଗୃହଶିକ୍ଷକ ସୂର୍ଯ୍ୟକୁମାର ମିତ୍ରଙ୍କୁ ଦେଖାଇଥିଲେ, ସେତେବେଳେ ସୂର୍ଯ୍ୟକୁମାର ମିତ୍ର ତାଙ୍କୁ ଆଧୁନିକ ରୀତିରେ କାବ୍ୟ ରଚନା କରିବା ଲାଗି ଉପଦେଶ ଦେଇଥିଲେ । ତା’ ପରେ କବି ଅହଲ୍ୟାସ୍ତବ ରଚନା କଲେ ସତ; ମାତ୍ର ତାହା ସଂସ୍କୃତ ଛନ୍ଦରେ ରଚିତ ହୋଇଥିବାରୁ କବିବର ରାଧାନାଥଙ୍କର ଅନୁମୋଦନ ଲାଭ କରିପାରିଲା ନାହିଁ । ପ୍ରଥମ ଏବଂ ଦ୍ଵିତୀୟ ପ୍ରଚେଷ୍ଟାରେ ଆଧୁନିକ ସାହିତ୍ୟ ସୃଷ୍ଟିରେ କବି ଅସମର୍ଥ ହେବାପରେ ତୃତୀୟ ପ୍ରଚେଷ୍ଟାରେ କେତେକାଂଶରେ ସମର୍ଥ ହୋଇଅଛନ୍ତି । ତାଙ୍କର ଏହି ସାମର୍ଥ୍ୟ ଯେ ତାଙ୍କୁ ବହୁ ପରିମାଣରେ ଉତ୍ସାହ ପ୍ରଦାନ କରିଥିଲା, କହିବା ବାହୁଲ୍ୟ ମାତ୍ର ।

 

ଇନ୍ଦୁମତୀର କଥାବସ୍ତୁ କବି ରଘୁବଂଶରୁ ଗ୍ରହଣ କରିଥିଲେ । ରଘୁବଂଶର ପଞ୍ଚମ ସର୍ଗଠାରୁ ଅଷ୍ଟମ ସର୍ଗ ପର୍ଯ୍ୟନ୍ତ ବର୍ଣ୍ଣିତ କଥାବସ୍ତୁ ଇନ୍ଦୁମତୀରେ ବର୍ଣ୍ଣିତ । ରଘୁବଂଶରୁ କଥାବସ୍ତୁ ଗ୍ରହଣ କରିଥିଲେହେଁ କବି ଏଥିରେ ନିଜର ମୌଳିକତା ବହୁ ପରିମାଣରେ ପ୍ରଦର୍ଶନ କରିଅଛନ୍ତି । ରଘୁବଂଶରେ ଅଜଙ୍କର ପ୍ରାଧାନ୍ୟ ଏହି ସର୍ଗମାନଙ୍କରେ ସୂଚିତ ହୋଇଥିବା ସ୍ଥଳେ କବି ଗଙ୍ଗାଧର ତାଙ୍କ କାବ୍ୟରେ ଇନ୍ଦୁମତୀଙ୍କର ପ୍ରାଧାନ୍ୟ ସୂଚିତ କରି କାବ୍ୟର ନାମକରଣ କରିଅଛନ୍ତି “ଇନ୍ଦୁମତୀ-।” ସ୍ଵୟମ୍ବର ସଭାର ବର୍ଣ୍ଣନାରୁ କବିଙ୍କର ସୌନ୍ଦର୍ଯ୍ୟପ୍ରିୟତାର ପ୍ରମାଣ ମିଳିଅଛି । ସଖୀ ମୁଖରେ ବିଭିନ୍ନ ରାଜାଙ୍କ ପରିଚୟ ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର ବର୍ଣ୍ଣନାରେ ପ୍ରକୃତି ବର୍ଣ୍ଣନା ଅତ୍ୟନ୍ତ ମନୋରମ ହୋଇଅଛି । ଇନ୍ଦୁମତୀ ସଖୀ ସୁନନ୍ଦା ସହିତ ସ୍ୱୟମ୍ବର ସଭାରେ ଗୋଟିଏ ପରେ ଗୋଟିଏ ରାଜାଙ୍କ ନିକଟକୁ ଗତି କରିବା ସମୟରେ ସୁନନ୍ଦା ଯେପରି ଭାବରେ ରାଜାମାନଙ୍କର ପରିଚୟ ପ୍ରଦାନ କରିଅଛି, ତହିଁରେ କବିଙ୍କର କବିତ୍ଵ–ଚାତୁରୀ ପ୍ରକାଶ ପାଇଅଛି । ଇନ୍ଦୁମତୀ ଅଜଙ୍କୁ ବରଣ କରିବା ପରେ ତାଙ୍କର ଦାମ୍ପତ୍ୟ ଜୀବନ ମଧୁମୟ ହୋଇଯାଇଥିଲା । ଦିନେ ବସନ୍ତ ଅବକାଶରେ ସଖୀଙ୍କ ସହିତ ଇନ୍ଦୁମତୀ ଉଦ୍ୟାନ ଭ୍ରମଣ କରୁଥିବା ସମୟରେ ଆକାଶରୁ ଏକ ଫୁଲମାଳ ଖସି ତାଙ୍କ ଉପରେ ପଡ଼ିଗଲା ଓ ସେହିଠାରେ ଇନ୍ଦୁମତୀ ପଡ଼ିଯାଇ ପ୍ରାଣତ୍ୟାଗ କଲେ । ଏହି କରୁଣ ପରିବେଶହିଁ ଇନ୍ଦୁମତୀ କାବ୍ୟର ବାସ୍ତବ ଚିତ୍ର ପ୍ରଦର୍ଶନ କରିଅଛି । ବଶିଷ୍ଠ ମହର୍ଷିଙ୍କ ଶିଷ୍ୟ ତାପରେ ଆସି ଅଜ–ଇନ୍ଦୁମତୀଙ୍କର ପୂର୍ବଜନ୍ମ ବୃତ୍ତାନ୍ତ ପ୍ରକାଶ କରିଥିଲେ । କାବ୍ୟର କଥାବସ୍ତୁରେ ନୂତନତା ନ ଥିଲେହେଁ କଥାବସ୍ତୁର ପରିବେଷଣ ଚାତୁରୀ ଅତ୍ୟନ୍ତ ମନୋମୁଗ୍‍ଧକର-। ଏହି କାବ୍ୟହିଁ କବି ଗଙ୍ଗାଧର–ମେହେରଙ୍କର ପ୍ରତିଭା ବିକାଶର ଏକ ସୁସ୍ପଷ୍ଟ ପରିଚୟ-

 

୧୮୯୪ ସାଲରେ ଉତ୍କଳ–ଲକ୍ଷ୍ମୀ କାବ୍ୟ ପ୍ରକାଶିତ ହୋଇଥିଲା । ଏହି କାବ୍ୟ ସେତେବେଳେ ଅସଂପୂର୍ଣ୍ଣ ଅବସ୍ଥାରେ ପ୍ରକାଶ ପାଇଥିଲା ବୋଲି କବି ଉତ୍କଳ ଲକ୍ଷ୍ମୀର ଭୂମିକାରେ ଲେଖିଅଛନ୍ତି । ଏହାର କୋଡ଼ିଏ ବର୍ଷ ପରେ ଅର୍ଥାତ୍ ୧୯୧୪ ସାଲରେ ଉତ୍କଳ–ଲକ୍ଷ୍ମୀ ପୂର୍ଣ୍ଣାଙ୍ଗ ଭାବରେ ପ୍ରକାଶ ପାଇଲା । ଏହି କାବ୍ୟର କଥାବସ୍ତୁରେ କବି କଳ୍ପନାବିଳାସ ସହିତ ପ୍ରାକୃତିକ ସଂଯୋଗ କରିଅଛନ୍ତି । ମାର୍ଗଶିର ମାସର ପୂର୍ଣ୍ଣିମା ରାଜନୀର ଅର୍ଦ୍ଧଭାଗରେ ପ୍ରଜ୍ଞାଦେବୀ କବିଙ୍କୁ ‘ଉତ୍କଳର ଗୁଢ଼ ରହସ୍ୟ’ ଦେଖାଇବା ଉଦ୍ଦେଶ୍ୟରେ ନେଇଗଲେ । କବି ପ୍ରଜ୍ଞାଦେବୀଙ୍କ ସହିତ ଯାଇ ପ୍ରଥମେ ଗୋଟିଏ ମନ୍ଦିରରେ ଚନ୍ଦ୍ର ଓ ରୋହିଣୀଙ୍କୁ ଯଥାକ୍ରମେ ଜଣେ ଯୁବା ଓ କ୍ରନ୍ଦନରତା ସୁନ୍ଦରୀ ନାରୀ ରୂପରେ ଦେଖିଲେ । ଚନ୍ଦ୍ର ଏବଂ ରୋହିଣୀ ମର୍ତ୍ତ୍ୟମଣ୍ଡଳରେ ଯଥାକ୍ରମେ ମୟୂରଭଞ୍ଜର ମହାରାଜା ରାମଚନ୍ଦ୍ର ଓ ଉତ୍କଳପ୍ରଭା ରୂପରେ ଜନ୍ମଗ୍ରହଣ କରିଥିବା କଥା କବି ସେଠାରେ ଶୁଣିଲେ-। ସେହିଠାରେ ମଧ୍ୟ ଚନ୍ଦ୍ର କହିଥିଲେ, “କାବ୍ୟହିଁ ଗଲେଣି କାବ୍ୟ ରଚିବାକୁ ରାଧାନାଥ ନାମ ବହି-।” ତାପରେ କବି ଉତ୍କଳ ଲକ୍ଷ୍ମୀଙ୍କର ମୂର୍ତ୍ତି ଦେଖିପାରିଲେ । ଜଣେ ଭକ୍ତ ତାଙ୍କ ନିକଟରେ ବସି ତାଙ୍କୁ ଆରାଧନା କରୁଥିଲେ । ତାପରେ “ଜୟ ଗୋ ଉତ୍କଳ–ଲକ୍ଷ୍ମୀ” ଉଚ୍ଚାରଣ କରି ଉତ୍କଳର ନଦନଦୀ ଗିରିବନ ଆସି ଉତ୍କଳ-ଲକ୍ଷ୍ମୀଙ୍କର ବନ୍ଦନା କରିଅଛନ୍ତି ।

 

ଉତ୍କଳ-ଲକ୍ଷ୍ମୀ କାବ୍ୟରେ ରାଧାନାଥଙ୍କର ପ୍ରଶସ୍ତି ଯେପରି ଭାବରେ ପ୍ରକାଶ ପାଇଅଛି, ତାହା ଲକ୍ଷ୍ୟ କରିବାର କଥା । କବି ରାଧାନାଥଙ୍କ ସାହିତ୍ୟର ମଧ୍ୟ ଉଚ୍ଛ୍ଵସିତ ପ୍ରଶଂସା କରିଅଛନ୍ତି । କବିବର ରାଧାନାଥ ଚିଲିକା କାବ୍ୟର ଶେଷ ଭାଗରେ ଯେଉଁ ସ୍ଵପ୍ନ ଦେଖିଥିଲେ, “ଫୁଟିବ ଉତ୍କଳ ଭାଷା କମଳିନୀ” ସେହି ସ୍ୱପ୍ନ ତାଙ୍କର ଫଳବତୀ ହୋଇଅଛି ଗଙ୍ଗାଧରଙ୍କର ଉତ୍କଳ-ଲକ୍ଷ୍ମୀ କାବ୍ୟରେ । ଏହି କାବ୍ୟ ରଚନାରେ ମଧ୍ୟ କବିବର ରାଧାନାଥଙ୍କର ପ୍ରଭାବ ଯଥେଷ୍ଟ ଭାବରେ ପରିଦୃଷ୍ଟ ହୁଏ । କବି ଉତ୍କଳ ପ୍ରକୃତିର ଟିକିନିଖି ବର୍ଣ୍ଣନାକୁ ଅତ୍ୟନ୍ତ ମନୋରମ ଭାବରେ ପ୍ରକାଶ କରି ଉତ୍କଳର ସୌନ୍ଦର୍ଯ୍ୟ ପ୍ରତିପନ୍ନ କରିଅଛନ୍ତି ।

 

ଉତ୍କଳର ପ୍ରାକୃତିକ ପରିବେଶ ଓ ତାର ନଦନଦୀ ଗିରିବନର ଅବସ୍ଥିତି ବିଷୟ କବି “ଗେଜେଟିୟର” ରୁ ଗ୍ରହଣ କରିଥିବା କଥା ଉତ୍କଳ-ଲକ୍ଷ୍ମୀର ଭୂମିକାରେ ପ୍ରକାଶ କରିଅଛନ୍ତି । ଉତ୍କଳ-ଲକ୍ଷ୍ମୀ ଯେତେବେଳେ ଅସମ୍ପୂର୍ଣ୍ଣ ଅବସ୍ଥାରେ ପ୍ରକାଶିତ ହୋଇଥିଲା, ସେତେବେଳେ ଗଙ୍ଗାଧର ଏହା ବିଷୟରେ ସନ୍ତୋଷଜନକ ସମାଲୋଚନା ପାଇପାରି ନ ଥିଲେ । ପରବର୍ତ୍ତୀ କାଳରେ ଏହା ସଂପୂର୍ଣ୍ଣ ରୂପ ଗ୍ରହଣ କରିବା ପରେ ଉତ୍କଳ-ଲକ୍ଷ୍ମୀର ମହତ୍ତ୍ଵ ପ୍ରକଟିତ ହୋଇଅଛି ।

 

ଉତ୍କଳ-ଲକ୍ଷ୍ମୀ ରଚନା ପରେ କବି ଆହୁରି କେତେକ କବିତା ରଚନା କରିଥିଲେ । ସେଗୁଡ଼ିକ ମଧ୍ୟରୁ କେତେକ ଗଙ୍ଗାଧର ଗ୍ରନ୍ଥାବଳୀରେ ସ୍ଥାନ ପାଇନାହିଁ । ୧୯୦୨ରୁ ୧୯୦୩ ସାଲ ମଧ୍ୟରେ କବି କୀଚକ ବଧ କାବ୍ୟ ରଚନା କରିଥିଲେ । ଏହି କାବ୍ୟ ୧୯୦୫ ସାଲ ଜୁନ୍‍ ମାସରେ ଉତ୍କଳ ସାହିତ୍ୟ ପତ୍ରିକାରେ ସମାଲୋଚିତ ହୋଇଥିଲା । କବି ସାରଳା ଦାସଙ୍କ ମହାଭାରତରୁ ଏହିକାବ୍ୟ ପାଇଁ କଥାବସ୍ତୁ ଗ୍ରହଣ କରିଥିଲେ । ପୁରାଣ ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କବି କୀଚକବଧକୁ ଯେପରି ଭାବରେ କାବ୍ୟରୂପ ପ୍ରଦାନ କରିଅଛନ୍ତି, ତାହା ତାଙ୍କର ଅସାଧାରଣ କବିପ୍ରତିଭାର ପରିଚୟ ପ୍ରଦାନ କରେ । ଅଜ୍ଞାତ ବନବାସ କାଳରେ ପାଣ୍ଡବମାନେ ବିରାଟ ରାଜ୍ୟରେ ଛଦ୍ମବେଶରେ ଆଶ୍ରୟ ଗ୍ରହଣ କରିବା ସମୟରେ ଦ୍ରୌପଦୀ ସୈରିନ୍ଧ୍ରୀ ରୂପରେ ବିରାଟ ରାଣୀଙ୍କର ପରିଚାରିକା ଭାବରେ ରହିଥିଲେ । ବିରାଟ ରାଣୀ ସୁଦେଷ୍ଣାଙ୍କ ଭାଇ କୀଚକ । କୀଚକ ଅତ୍ୟନ୍ତ ଶକ୍ତିଶାଳୀ ଥିବାରୁ ରାଜ୍ୟ ପରିଚାଳନା ମୁଖ୍ୟତଃ ତାରି ଉପରେ ନ୍ୟସ୍ତ ଥିଲା । ସୈରିନ୍ଧ୍ରୀଙ୍କର ସୌନ୍ଦର୍ଯ୍ୟରେ ମୁଗ୍‍ଧ ହୋଇ କୀଚକ ତାଙ୍କୁ ନିଜର ପତ୍ନୀରୂପେ ପାଇବାକୁ ଚେଷ୍ଟା କରିଥିଲା । ସେଥିପାଇଁ ସେ ଦାସୀ ଚପଳାକୁ ନିଯୁକ୍ତ କରିଥିଲା । ସୈରିନ୍ଧ୍ରୀଙ୍କୁ ପାଇବା ପାଇଁ ସେ କୂଟକପଟର ଜାଲ ବିସ୍ତାର କରିଦେଲା । ସୈରିନ୍ଧ୍ରୀ ଯେତେବେଳେ ଦେଖିଲେ ଯେ, ବିରାଟ ରାଣୀ ତାଙ୍କୁ କୀଚକ ନିକଟକୁ ଯିବାପାଇଁ ଆଦେଶ ଦେଲେ ସେତେବେଳେ ସେ ରାଜସଭାରେ ନିଜର ଆପତ୍ତି ଜଣାଇଥିଲେ । ଯୁଧିଷ୍ଠିରଙ୍କର ଶ୍ଳେଷ–ବାକ୍ୟର ଅର୍ଥ ବୁଝି ସେ ଭୀମଙ୍କୁ ଜଣାଇଲେ । ଭୀମ ଏକ କୌଶଳ କରି କୀଚକକୁ ନାଟମନ୍ଦିରକୁ ନେଇ ସେଠାରେ ତାର ପ୍ରାଣନାଶ କରିଥିଲେ ।

 

ମହାଭାରତର କଥାବସ୍ତୁରେ ଧର୍ମର ଜୟ ଓ ଅଧର୍ମର କ୍ଷୟ, ଏହି ନୀତି ପ୍ରତିପାଦିତ ହୋଇଅଛି । ଏହି ନୀତିକୁ ରକ୍ଷାକରି ଗଙ୍ଗାଧର ମେହେର କୀଚକବଧ କାବ୍ୟକୁ ସର୍ବାଙ୍ଗ ସୁନ୍ଦର କରିଅଛନ୍ତି । କୀଚକର ପାପାଶା ଚରିତାର୍ଥ ନିମିତ୍ତ ବ୍ୟାକୁଳତା ମଧ୍ୟରେ ସେ ତାର ଜୀବନ ହରାଇଅଛି । କାବ୍ୟର କଳେବର ମଧ୍ୟରେ କବିଙ୍କର ଚାତୁରୀ ବିଶେଷ ଲକ୍ଷ୍ୟ କରିବାର କଥା ।

 

କୀଚକବଧ ରଚନା ପରେ କବି ଗଙ୍ଗାଧର ବହୁଦିନ ଧରି ଓଡ଼ିଆ ସାହିତ୍ୟକୁ କିଛି ଦାନ କରିପାରି ନ ଥିଲେ । ସେ ସମୟର କେତେକ ପାରିପାର୍ଶ୍ୱିକ ଅବସ୍ଥା ଏଥିପାଇଁ ଦାୟୀ । ସେ ଯାହା ହେଉନା କାହିଁକି ୧୯୧୦ ସାଲରେ କବିଙ୍କ ଲେଖନୀରୁ ଜନ୍ମନେଲା ଅଯୋଧ୍ୟାଦୃଶ୍ୟ । ତିନିଗୋଟି ସର୍ଗରେ ବା ଦୃଶ୍ୟରେ ଏହି ଅଯୋଧ୍ୟାଦୃଶ୍ୟ ବର୍ଣ୍ଣିତ । ପ୍ରଥମ ସର୍ଗରେ ରାମଚନ୍ଦ୍ରଙ୍କର ଜନ୍ମ ଓ ବନବାସ, ଦ୍ଵିତୀୟ ସର୍ଗରେ କୌଶଲ୍ୟାଙ୍କର ପୁତ୍ର ବିଚ୍ଛେଦଜନିତ ଦୁଃଖ ଓ ତୃତୀୟ ସର୍ଗରେ ରାମଚନ୍ଦ୍ରଙ୍କର ଅଭିଷେକ ବର୍ଣ୍ଣିତ ହୋଇଅଛି । ଅଯୋଧ୍ୟା ଦୃଶ୍ୟରେ କୌଶଲ୍ୟାଙ୍କର ଚିତ୍ତବୃତ୍ତିର ଯଥାର୍ଥ ପରିଚୟ କବି ପ୍ରଦାନ କରିଅଛନ୍ତି । ଅଯୋଧ୍ୟା ଦୃଶ୍ୟକୁ ଗୋଟିଏ କାବ୍ୟ ଭାବରେ ଗ୍ରହଣ କରାଯାଇ ପାରିବ ନାହିଁ । ଏହା କୌଶଲ୍ୟାଙ୍କର ଚିତ୍ତବୃତ୍ତିର ପ୍ରକାଶ କରିଥିବା ଏକ ଦୀର୍ଘ କବିତା ମାତ୍ର ।

 

୧୯୧୦ ସାଲରେ କବି ପଦ୍ମିନୀ କାବ୍ୟ ରଚନା ଆରମ୍ଭ କରିଥିଲେ । ମାତ୍ର ପଦ୍ମିନୀ କାବ୍ୟ ଅସଂପୂର୍ଣ୍ଣ ରହିଗଲା । ଯବନମାନଙ୍କର ଅତ୍ୟାଚାର ସମୟରେ ସେମାନେ ହିନ୍ଦୁ ନାରୀମାନଙ୍କର ସତୀତ୍ଵ ନଷ୍ଟ କରିଥିଲେ; ମାତ୍ର ଚିତୋରବାସୀ ବୀରଗଣ ଯବନମାନଙ୍କୁ ଅତି ନିର୍ମମ ଭାବରେ ଯୁଦ୍ଧରେ ହତ୍ୟା କରୁଥିଲେ । ଚିତୋରର ରାଜସିଂହାସନରେ ଲକ୍ଷ୍ମଣ ସେନ ଅଧିଷ୍ଠିତ ଥିବା ସମୟର କଥା । ଲକ୍ଷ୍ମଣ ସେନଙ୍କର ବାଲ୍ୟକାଳରେ ତାଙ୍କର ପିତା ଦେହ ତ୍ୟାଗ କରିବାରୁ ତାଙ୍କର ପିତାଙ୍କର ଅନୁଜ ଭୀମସିଂହ ରାଜ୍ୟଭାର ବୁଝୁଥିଲେ । ସେ ଲକ୍ଷ୍ମଣ ସିଂହଙ୍କୁ ରାଜନୀତି ଶିକ୍ଷା ଦେଇ ତାଙ୍କୁ ଜଣେ ବିଚକ୍ଷଣ ଶାସକରେ ପରିଣତ କରିଥିଲେ । ଭୀମ ସିଂହଙ୍କର ପତ୍ନୀ ପଦ୍ମିନୀ ଥିଲେ ଭୁବନମୋହିନୀ ଅନିନ୍ଦ୍ୟସୁନ୍ଦରୀ । ସେ ସମୟରେ ଦିଲ୍ଲୀର ରାଜସିଂହାସନ ଅଧିକାର କରିଥିଲା ଆଲ୍ଲାଉଦ୍ଦୀନ । ଆଲ୍ଲାଉଦ୍ଦୀନ ଷଡ଼ଯନ୍ତ୍ର କରି ଜଲାଲୁଦ୍ଦୀନଙ୍କୁ ହତ୍ୟାକରି ଦିଲ୍ଲୀ ସିଂହାସନ ଅଧିକାର କରିଥିଲା । ପଦ୍ମିନୀଙ୍କର ସୌନ୍ଦର୍ଯ୍ୟ ବିଷୟ ଶୁଣିପାରି ସେ ପଦ୍ମିନୀଙ୍କୁ ନିଜର ଅଙ୍କଲକ୍ଷ୍ମୀ କରିବାପାଇଁ ବ୍ୟାକୁଳ ହୋଇପଡ଼ିଲା । ତେଣୁ ସେ ଗୋଟିଏ କୂଟନୀତିପୂର୍ଣ୍ଣ ପତ୍ର ଦେଇ ଜଣେ ଦୂତ ଓ ସନ୍ନ୍ୟାସିନୀ ବେଶରେ ଜଣେ ଦୂତୀକୁ ଚିତୋରକୁ ପଠାଇଲା । ଦୂତୀଠାରୁ ପତ୍ର ପାଇ ଭୀମ ସିଂହ ପତ୍ରବିଷୟ ଅବଗତ ହୋଇ ଲକ୍ଷ୍ମଣ ସିଂହକୁ ସେ ପତ୍ରଟି ଦେଖାଇଥିଲେ । ଆଲ୍ଲାଉଦ୍ଦୀନ ନିକଟକୁ ଏକ କୌଶଳ ପୂର୍ଣ୍ଣ ପତ୍ର ଉତ୍ତରରେ ପଠାଗଲା । ଯେଉଁ ଦୂତୀ ପଦ୍ମିନୀଙ୍କ ନିକଟକୁ ଯାଇଥିଲା, ସେ ମଧ୍ୟ ବ୍ୟର୍ଥ ହୋଇ ଫେରିଗଲା ।

 

ଆଲ୍ଲାଉଦ୍ଦୀନ ପଦ୍ମିନୀଙ୍କର ସୌନ୍ଦର୍ଯ୍ୟ ବିଷୟ ଦୂତୀଠାରୁ ଶୁଣି ଏପରି ବ୍ୟାକୁଳ ହୋଇପଡ଼ିଲା ଯେ, ଯୁଦ୍ଧ କରି ଭୀମସିଂହଙ୍କୁ ହତ୍ୟାକରି ପଦ୍ମିନୀଙ୍କୁ ଲାଭ କରିବା ପାଇଁ ସେ ଯୁଦ୍ଧ ଅଭିଯାନ ଆରମ୍ଭ କଲା । ଚିତୋର ଦୁର୍ଗର ଅଳ୍ପ ଦୂରରେ ଆଲ୍ଲାଉଦ୍ଦୀନ ଶିବିର ପକାଇ ଭୀମସିଂହଙ୍କ ନିକଟକୁ ବାର୍ତ୍ତା ପ୍ରେରଣ କଲା ଯେ, ଯଦି ଭୀମ ସିଂହ ପଦ୍ମିନୀଙ୍କୁ ସମର୍ପଣ କରିଦିଅନ୍ତି ତାହାହେଲେ ସେ ଯୁଦ୍ଧ ନ କରି ଫେରିଯିବ । ଏହି ବାର୍ତ୍ତା ଶ୍ରବଣ କରି ଭୀମସିଂହ କ୍ରୋଧାନ୍ୱିତ ହୋଇପଡ଼ିଲେ । ଚିତୋରବାସୀ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ପଡ଼ିଲେ । ଯବାନ ସୈନ୍ୟମାନେ ଚିତୋର ଚିତୋର ଦୁର୍ଗ ଆଡ଼କୁ ଅଗ୍ରସର ହେବା ସମୟରେ ଦୁର୍ଗଆଡ଼ୁ ପଥର ଵୃଷ୍ଟି ହେବାରୁ ସେମାନେ ଆଗକୁ ଗତିକରି ପାରିଲେ ନାହିଁ । ଆଲ୍ଲାଉଦ୍ଦୀନ କ୍ରୋଧରେ ଅସ୍ଥିର ହୋଇ ନିଜ ଶିବିରକୁ ଫେରିଆସିଲା । ଏହିଠାରେ ଅସମ୍ପୂର୍ଣ୍ଣ ପଦ୍ମିନୀର କଥାବସ୍ତୁ ରହି ଯାଇଅଛି ।

 

ପଦ୍ମିନୀର କଥାବସ୍ତୁ କବି ଇତିହାସରୁ ଗ୍ରହଣ କରିଅଛନ୍ତି । ଐତିହାସିକ କଥାବସ୍ତୁକୁ କାବ୍ୟରୂପ ପ୍ରଦାନ କରିବାରେ କବି ଯେପରି ସଚେତନତା ଗ୍ରହଣ କରିଅଛନ୍ତି, ତାହା ଦେଖିବାର କଥା । ପଦ୍ମିନୀ କାବ୍ୟକୁ ଆଲୋଚକମାନେ ଉଚ୍ଚସ୍ଥାନ ଦେଇ ନ ଥାନ୍ତି । କାରଣ ପଦ୍ମିନୀ କାବ୍ୟରେ ଗଙ୍ଗାଧରଙ୍କର କବି ପ୍ରତିଭାର ବିଶିଷ୍ଟ ପରିଚୟ ମିଳିନାହିଁ ।

 

୧୯୧୧ ସାଲରେ ପ୍ରଣୟବଲ୍ଲରୀର ପ୍ରଥମସର୍ଗ ରଚିତ ହୋଇଥିଲା ଓ ଅନ୍ୟ ସର୍ଗଗୁଡ଼ିକ ୧୯୧୪ ସାଲରେ ରଚିତ ହୋଇଥିଲା । ଗଙ୍ଗାଧର ପ୍ରଣୟବଲ୍ଲରୀର କଥାବସ୍ତୁ ଗ୍ରହଣ କରିଛନ୍ତି କବି କାଳିଦାସଙ୍କର ବିଶ୍ଵବିଖ୍ୟାତ କୃତୀ “ଅଭିଜ୍ଞାନ ଶାକୁନ୍ତଳମ”ରୁ । ଶକୁନ୍ତଳା ଓ ଦୁଷ୍ମନ୍ତଙ୍କର ପ୍ରଣୟ କହାଣୀ ସର୍ବଜନ ବିଦିତ । ଏହି କାହାଣୀକୁ କବି ଗଙ୍ଗାଧର କାଳିଦାସଙ୍କ ନିକଟରୁ ଏପରି ଗ୍ରହଣ କରିଅଛନ୍ତି, କେତେକ ସ୍ଥାନରେ କବି କାଳିଦାସଙ୍କର ରଚନାକୁ ଅନୁବାଦ କରି, ଅନୁସରଣ କରି ଓ କେତେକ ସ୍ଥାନରେ ନିଜର ମୌଳିକତା ପ୍ରଦର୍ଶନ କରି କାବ୍ୟଟିକୁ ସର୍ବାଙ୍ଗସୁନ୍ଦର କରିଅଛନ୍ତି । ପ୍ରଣୟବଲ୍ଲରୀର ଅଙ୍କୁର, ପଲ୍ଲବ, ପ୍ରସନ, ସୌରଭ, ପୁଷ୍ପେ କୀଟ, ଫଳ, ଛାୟା ପ୍ରଭୃତି ଅନୁସାରେ ସର୍ଗଗୁଡ଼ିକର ନାମକରଣ କରାଯାଇ ଅଛି । ପ୍ରଣୟ ବଲ୍ଲରୀରେ ଗଙ୍ଗାଧର ଯଦିଓ କାଳିଦାସଙ୍କର ସୌନ୍ଦର୍ଯ୍ୟବାଦୀ ଦୃଷ୍ଟିକୋଣର ଅନୁରୂପ ଚିତ୍ର ପ୍ରଦାନ କରିପାରି ନାହାନ୍ତି; ତଥାପି ଏହା କବିକଳ୍ପନାର ସାର୍ଥକ ପରିଚୟ ଦେଇ ପାରିଅଛି । ପ୍ରଣୟବଲ୍ଲରୀ ଗଙ୍ଗାଧରଙ୍କର ଉନ୍ନତ କବିତ୍ୱର ପରିଚାୟକ ।

 

ପ୍ରଣୟ ବଲ୍ଲରୀରେ କବି ବିଷୟବସ୍ତୁକୁ ସଂକ୍ଷେପରେ ପ୍ରକାଶ କରି କାବ୍ୟର ଶ୍ରୀବୃଦ୍ଧି ସମ୍ପାଦନ କରିଅଛନ୍ତି । କାବ୍ୟର କଳେବର ମଧ୍ୟରେ ପ୍ରସଙ୍ଗକ୍ରମରେ କବି ପ୍ରକୃତି ବର୍ଣ୍ଣନା ଓ ଉପଦେଶାତ୍ମକ ବର୍ଣ୍ଣନା ପ୍ରଦାନ କରି କାବ୍ୟର ମହତ୍ତ୍ୱକୁ ରକ୍ଷା କରିଅଛନ୍ତି । ପ୍ରଣୟ ବଲ୍ଲରୀରେ କବି ଗଙ୍ଗାଧର କବି କାଳିଦାସଙ୍କ କବିତ୍ୱର ଅନୁସରଣ କରିଥିଲେ ହେଁ ନିଜର ସ୍ୱାତନ୍ତ୍ର୍ୟ ପ୍ରକାଶ ଲାଗି ପ୍ରେରଣା ଲାଭ କରିଅଛନ୍ତି ।

 

୧୯୧୨ ସାଲରେ କବି ଗଙ୍ଗାଧର ତପସ୍ଵିନୀ କାବ୍ୟ ରଚନା ଆରମ୍ଭ କରିଥିଲେ ଓ ଏହା ୧୯୧୪ ସାଲରେ ପ୍ରକାଶିତ ହୋଇଥିଲା । ତପସ୍ଵିନୀ କାବ୍ୟ ଓ ରଚନାରେ କବି ନିଜର ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ କରିବାକୁ ଉଦ୍ୟତ ହେଲେ । ତପସ୍ଵିନୀର କଥାବସ୍ତୁ କବି ରାମାୟଣ, ରଘୁବଂଶ ଓ ଉତ୍ତର ରାମଚରିତରୁ ଆହରଣ କରିଥିଲେ ସତ୍ୟ; ମାତ୍ର ଆହରଣ ସତ୍ତ୍ୱେ ନିଜର ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ କରିବାପାଇଁ ସେ ଯେପରି ଭାବରେ ଚେଷ୍ଟିତ ହୋଇଅଛନ୍ତି, ତାହା ଲକ୍ଷ୍ୟ କରିବାର କଥା । କଥାବସ୍ତୁ ଆହରଣରେ, ଚରିତ୍ର ସମାରୋହରେ, ଚରିତ୍ର ଚିତ୍ରଣରେ, ପ୍ରକୃତି ଚିତ୍ରଣରେ, ଓ କଲ୍ପନା ବିଳାସର ପ୍ରକାଶରେ କବି ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ କରିଅଛନ୍ତି । ତପସ୍ଵିନୀ କାବ୍ୟ ତାଙ୍କ ସମଗ୍ର ସାହିତ୍ୟ ସୃଷ୍ଟି ମଧ୍ୟରେ ଯେ ଶ୍ରେଷ୍ଠତମ, ଏଥିରେ ମତଦ୍ଵୈଧର ଅବକାଶ ନାହିଁ ।

 

ତପସ୍ଵିନୀ ରଚନା ପରେ କବି ଆହୁରି ଅନେକ କବିତା ଓ ପ୍ରବନ୍ଧ ରଚନା କରି ଓଡ଼ିଆ ସାହିତ୍ୟର ପୁଷ୍ଟିସାଧନ ଲାଗି ତତ୍ପର ହୋଇପଡ଼ିଛନ୍ତି । ମାତ୍ର ସେଗୁଡ଼ିକ ମେହେର ପ୍ରତିଭାର ବିଶିଷ୍ଟ ପରିଚୟ ପ୍ରଦାନ କରିବାକୁ ଅସମର୍ଥ । ୧୯୧୮ ସାଲରେ କବି ବିଭିନ୍ନ ସମୟରେ ରଚନା କରିଥିବା କେତେକ ଖଣ୍ଡକବିତାକୁ ଅର୍ଘ୍ୟଥାଳି ନାମରେ ଲୋକଲୋଚନ ଗୋଚରକୁ ଆଣିଥିଲେ । ଏଥିରେ ଥିବା ୩୯ ଗୋଟି କବିତା ମଧ୍ୟରୁ ‘ଭକ୍ତି’ ନାମକ କବିତାରେ କବିଙ୍କର ଜୀବନଦର୍ଶନର ପ୍ରକାଶ ଲକ୍ଷ୍ୟ କରିବାର କଥା । ଏହା ପୂର୍ବରୁ କବି ବିଭିନ୍ନ ସମୟରେ ଲେଖିଥିବା ପାଞ୍ଚଗୋଟି କବିତାକୁ ୧୯୧୨ ସାଲରେ ‘କବିତା କଲ୍ଲୋଳ’ ନାମରେ ପ୍ରକାଶ କରିଥିଲେ । ବେଦବ୍ୟାସ, ଚନ୍ଦ୍ରରଜନୀ, ବସନ୍ତବାସର, ସୋମନାଥ ବିଜୟ ଓ ବର୍ଷାଚିତ୍ର; ଏହି ପାଞ୍ଚଗୋଟି କବିତାର ସମାହାରହିଁ କବିତା କଲ୍ଲୋଳ । ୧୯୧୮ ରୁ ୧୯୨୨ ସାଲ ମଧ୍ୟରେ ବିଭିନ୍ନ ସମୟରେ କବି ରଚନା କରିଥିବା ୨୯ ଗୋଟି କବିତା “କବିତାମାଳା” ନାମରେ ଗଙ୍ଗାଧର ଗ୍ରନ୍ଥାବଳୀରେ ସ୍ଥାନ ପାଇଅଛି । ଏହି କବିତାଗୁଡ଼ିକ ବିଭିନ୍ନ ସମୟରେ ମୁକୁର ଉତ୍କଳ ସାହିତ୍ୟ ପ୍ରଭୃତି ପତ୍ରିକାରେ ପ୍ରକାଶିତ ହୋଇଥିଲା । ୧୯୨୧ ସାଲରେ କବି କୃଷିବିଷୟକ କେତେକ କବିତା ରଚନା କରି ତାହାକୁ କୃଷକ ସଙ୍ଗୀତ ନାମ ଦେଇଥିଲେ । ଏହି କବିତାଗୁଡ଼ିକରେ ବିଭିନ୍ନ ପନିପରିବା ଫସଲ ବିଷୟରେ ଜ୍ଞାତବ୍ୟ ନିୟମ ବର୍ଣ୍ଣିତ ହୋଇଅଛି । ୧୯୨୩ ସାଲରେ କବି “ଭାରତୀ ଭାବନା” ରଚନା କରିଥିଲେ । ଏହା କବିଙ୍କର ଏକ ବିଖ୍ୟାତ ରଚନା ।

 

କାବ୍ୟ କବିତାକୁ ଛାଡ଼ିଦେଲେ ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟକୁ ଯେଉଁ କେତେକ ଗଦ୍ୟରଚନା ଦାନ କରିଅଛନ୍ତି, ତାହା ମଧ୍ୟ ପ୍ରଣିଧାନର ଯୋଗ୍ୟ । ଗଙ୍ଗାଧର ଗ୍ରନ୍ଥାବଳୀରେ ଛଅଗୋଟି ଗଦ୍ୟରଚନା ଦେଖିବାକୁ ମିଳେ । ସେଗୁଡ଼ିକ ହେଲା, (୧) ଆତ୍ମଜୀବନ, (୨) ଶ୍ରୀ ନୃପରାଜ ସିଂହ, (୩) ପୁରାଣକବି ଫକୀର ମୋହନ, (୪) ସ୍ୱର୍ଗୀୟ କାଶୀନାଥ ପଣ୍ଡା, (୫) ଏହିକି ପୃଥିବୀର ଶବ୍ଦ ଓ (୬) ଶିକ୍ଷିତ ଅଶିକ୍ଷିତ ଓ ଶିକ୍ଷାଭିମାନୀ ।

 

ଗଙ୍ଗାଧରଙ୍କର ଆତ୍ମଜୀବନୀ ପାଠକଲେ ତାଙ୍କ ବିଷୟରେ ବା ତାଙ୍କ ସମୟର କୌଣସି ବିଷୟରେ ଜାଣିବାକୁ ଇଚ୍ଛା କରୁଥିବା ପାଠକକୁ ନିରାଶ ହେବାକୁ ପଡ଼େ । ଆତ୍ମଜୀବନୀ କହିଲେ ଯାହା ବୁଝାଯାଏ, ଏହା ତାହା ନୁହେଁ । ନିଜ ଜୀବନର ଦାରିଦ୍ର୍ୟ, ଚାକିରି ବା ପାଠ ପଢ଼ିବା ବିଷୟରେ ସାମାନ୍ୟ କେତେକ ବିଷୟର ଏହା ଏକ ସଂକ୍ଷିପ୍ତ ବର୍ଣ୍ଣନା ମାତ୍ର । ଏହାକୁ ପାଠକଲେ କୌଣସି ପାଠକ କବି ଗଙ୍ଗାଧରଙ୍କର ପ୍ରକୃତ ପରିଚୟ ଆଦୌ ପାଇପାରିବ ନାହିଁ । ବ୍ୟାସକବି ଫକୀର ମୋହନଙ୍କର ଆତ୍ମଜୀବନ ଚରିତ ସହିତ ଏହା ସମକକ୍ଷ ହେବା ତ ଦୂରର କଥା, ଆଦୌ ତୁଳନୀୟ ନୁହେଁ ।

 

ବରପାଲୀର ଅଧୀଶ୍ଵର ନୃପରାଜ ସିଂହଙ୍କ ବିଷୟରେ ଲେଖିବାକୁ ଯାଇ କବି ନୃପରାଜ ସିଂହଙ୍କ ଅପେକ୍ଷା ଅନ୍ୟ ବିଷୟ ଅଧିକ ଭାବରେ ବର୍ଣ୍ଣନା କରିଅଛନ୍ତି । ବରପାଲି ଇଲାକା ସମ୍ବଲପୁର ମହାରାଜାଙ୍କ ଦ୍ଵାରା କିପରି ପ୍ରଦତ୍ତ ହୋଇଥିଲା ଓ ବରପାଲିର ରାଜବଂଶରେ କେଉଁମାନେ ରାଜତ୍ଵ କରିଥିଲେ, କେବଳ ସେହି ବିଷୟରେ କେତେକ ସଂକ୍ଷିପ୍ତ ବିବରଣୀ ଏହାର ପ୍ରଥମ ପରିଚ୍ଛେଦରେ ଦିଆଯାଇଅଛି । ଦ୍ଵିତୀୟ ପରିଚ୍ଛେଦରେ ନୃପରାଜସିଂହଙ୍କର ରାଜ୍ୟଭାର ଗ୍ରହଣ କରିବା ସଙ୍ଗେ ସଙ୍ଗେ ରାଜ୍ୟରେ ଶୃଙ୍ଖଳା ସ୍ଥାପନ ନିମିତ୍ତ କି କାର୍ଯ୍ୟପନ୍ଥା ସେ ଗ୍ରହଣ କରିଥିଲେ, ତାହା ବର୍ଣ୍ଣିତ ହୋଇଅଛି । ତୃତୀୟ ପରିଚ୍ଛେଦରେ ରାଜା ନୃପରାଜ ସିଂହଙ୍କର ଗୌରବର ପ୍ରସାର ବର୍ଣ୍ଣିତ ହୋଇଅଛି । ଚତୁର୍ଥ ପରିଚ୍ଛେଦରେ ତାଙ୍କର ରାଜଭକ୍ତି ଓ ସତ୍‍କାର୍ଯ୍ୟ ବିଶେଷ ଭାବରେ ବର୍ଣ୍ଣିତ ହୋଇଅଛି । କବି ଗଙ୍ଗାଧର ମେହେର ନୃପରାଜ ସିଂହଙ୍କର ପ୍ରଶଂସାରେ ଶତମୁଖ ହୋଇ ପଡ଼ିଅଛନ୍ତି ।

 

“ପୁରାଣ କବି ଫକୀର ମୋହନ”ରେ କବି ଗଙ୍ଗାଧର ଫକୀର ମୋହନଙ୍କ ମୃତ୍ୟୁ ପରେ ଫକୀର ମୋହନଙ୍କୁ କେନ୍ଦ୍ରକରି ଏକ ରୂପକ ଲେଖିଛନ୍ତି । ଏହି ରୂପକ ଆଶା ଏବଂ ନୈରାଶ୍ୟ ମଧ୍ୟରେ କଥୋପକଥନ ଛଳରେ ଲିଖିତ । ଫକୀର ମୋହନଙ୍କର ଯଶ ହିଁ ଏଥିରେ ପ୍ରକାଶ ପାଇଅଛି ।

 

ଲରମ୍ଭା ନିବାସୀ ସ୍ୱର୍ଗୀୟ କାଶୀନାଥ ପଣ୍ଡାଙ୍କର ଗୁଣାବଳୀ ବର୍ଣ୍ଣନା କରିବା ଉଦ୍ଦେଶ୍ୟରେ ଗଙ୍ଗାଧର ସ୍ୱର୍ଗୀୟ କାଶୀନାଥ ପଣ୍ଡା ନାମକ ଏକ ଜୀବନ ରଚିତ ଲେଖିଅଛନ୍ତି । ଏଥିରେ ସେ ସ୍ୱର୍ଗୀୟ ପଣ୍ଡାଙ୍କର ଗୁଣ ଓ କର୍ମର ଉଚ୍ଛ୍ୱସିତ ପ୍ରଶଂସା କରିଅଛନ୍ତି ।

 

ବାୟୁପୂର୍ଣ୍ଣ ଶୂନ୍ୟପଥରେ କୌଣସି ପଦାର୍ଥର ବ୍ୟଗ୍ରଗତି ହେଲେ ତହିଁରୁ ଶବ୍ଦ ଜାତ ହୁଏ-। ମାତ୍ର ପୃଥିବୀ ଯେଉଁ ପ୍ରବଳ ବେଗରେ ଅନନ୍ତ ଆକାଶ ମାର୍ଗରେ ପ୍ରଧାବିଧ ହେଉଅଛି, ତାହାର କ’ଣ ଶବ୍ଦ ନାହିଁ ? ଗଙ୍ଗାଧର ଏହି ପ୍ରଶ୍ନର ଉତ୍ତରରେ ଏକ ଅନୁମାନରେ ପ୍ରବେଶ କରିଅଛନ୍ତି-। ତାଙ୍କ ମତରେ ନିସ୍ତବ୍‍ଧ ରଜନୀରେ ସବୁ ସ୍ଥାନରେ ଯେଉଁ ସାଇଁ ସାଇଁ ଶବ୍ଦ ଶୁଣାଯାଏ, ତାହା କଣ ପୃଥିବୀର ଶବ୍ଦ ନୁହେଁ ? ଏ ବିଷୟରେ ଜଣେ ବନ୍ଧୁଙ୍କୁ ସେ ପ୍ରଶ୍ନ କରିଥିଲେ । ବନ୍ଧୁଜଣଙ୍କ ଏହାକୁ ମୀମାଂସା ନ କହି ଅନୁମାନ ବୋଲି ମତ ପ୍ରଦାନ କଲେ । ତେଣୁ କବି ଜନସାଧାରଣଙ୍କୁ ପ୍ରଶ୍ନ କରିଛନ୍ତି, ଏହା କି ପୃଥିବୀର ଶବ୍ଦ ? –ଏହି ବିଷୟକୁ ନେଇ ଗଙ୍ଗାଧର ରଚନା କରିଅଛନ୍ତି-। “ଏହା କି ପୃଥିବୀର ଶବ୍ଦ ।”

 

ଶିକ୍ଷିତ, ଅଶିକ୍ଷିତ ଓ ଶିକ୍ଷାଭିମାନୀ ନାମକ ଏକ ପ୍ରବନ୍ଧରେ ଗଙ୍ଗାଧର ଶିକ୍ଷିତମାନଙ୍କର ପ୍ରଶଂସା, ଅଶିକ୍ଷିତମାନଙ୍କର ଦୋଷ ଓ ଶିକ୍ଷାଭିମାନୀଙ୍କର ନିନ୍ଦାଗାନ କରିଅଛନ୍ତି । ଗଙ୍ଗାଧର ମେହେରଙ୍କ ସମୟରେ ଆମ ସମାଜରେ ଶିକ୍ଷିତ ଓ ଅଶିକ୍ଷିତ ମଧ୍ୟରେ ଯେଉଁପ୍ରକାର ଭେଦଭାବ ଦେଖା ଦେଇଥିଲା, ସେହି ବିଷୟକୁ ଲକ୍ଷ୍ୟକରି ଲେଖକ ଏପରି ଗୋଟିଏ ପ୍ରବନ୍ଧ ରଚନା କରିଅଛନ୍ତି ।

 

କବି ଗଙ୍ଗାଧର ମେହେର ସ୍ଵକୀୟ ପ୍ରତିଭା ବଳରେ ଜଗତର ଜ୍ଞାନରାଶିରୁ ବହୁ ଉପାଦାନ ସଂଗ୍ରହ କରି ସେଗୁଡ଼ିକୁ ଯେପରି ଭାବରେ ପାଠକମାନଙ୍କ ନିକଟରେ ଉପସ୍ଥାପନ କରିଅଛନ୍ତି, ତହିଁରୁ ତାଙ୍କ କବିପ୍ରତିଭାର ଅମର ନିଦର୍ଶନ ମିଳିଥାଏ । କବି ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟରେ ନିଜର ସ୍ଵାତନ୍ତ୍ର୍ୟ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଜଗତର ଆଦର୍ଶ ଏପରି ଭାବରେ ପ୍ରଦର୍ଶନ କରିଯାଇ ଅଛନ୍ତି ଯେ, ତାହା ଯେ କୌଣସି ପାଠକକୁ ପ୍ରଭାବିତ କରିଥାଏ । ଦାରିଦ୍ର୍ୟ-ଲାଞ୍ଛିତ କବି ନିଜ ଜୀବନରେ ବହୁ ପ୍ରତିବନ୍ଧକ ଅତିକ୍ରମ କରି ଉତ୍କଳ ଭାରତୀଙ୍କ ପୂଜାରେ ଯେପରି ଭାବରେ ନିଜକୁ ନିଯୁକ୍ତ କରିପାରିଥିଲେ, ତାହା ତାଙ୍କର ସାହିତ୍ୟାନୁରାଗୀ ସୃଷ୍ଟିପ୍ରତିଭାର ସର୍ବଶ୍ରେଷ୍ଠ ପରିଚୟ ।

 

ଭାରତୀୟ ସଂସ୍କୃତିର ଧାରାରେ ଉଦ୍‍ବୁଦ୍ଧ ହୋଇ, ଭାରତୀୟ ପୁରାଣର ପରଂପରାରେ ନିଜର କବି ପ୍ରତିଭାକୁ ନିମଜ୍ଜିତ କରି କବି ନିଜର ଗୌରବ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଏ ଦେଶର ମହାନ ସଂସ୍କୃତି ବିଷୟରେ ଦେଶବାସୀଙ୍କୁ ସଚେତନ କରିଦେଇ ଅଛନ୍ତି । କବି ମାତ୍ରେ ହିଁ ଦେଶପ୍ରେମୀ ବିପ୍ଳବୀ । କବି ଗଙ୍ଗାଧରଙ୍କ ଜୀବନରେ ଏକଥା ସ୍ପଷ୍ଟଭାବରେ ପ୍ରମାଣିତ ହୋଇଅଛି । ସ୍କୁଲ କଲେଜର ଶିକ୍ଷାବଳରେ ଯୋଗ୍ୟତା ଲାଭ ନ କରିଥିଲେ ମଧ୍ୟ ଗଙ୍ଗାଧର ଆଧୁନିକ ଯୁଗର ଯେ କୌଣସି ପ୍ରଥିତଯଶା କବିଙ୍କର ସମକକ୍ଷ । ତେଣୁ ସେ ପ୍ରମାଣ କରି ଯାଇଅଛନ୍ତି ଯେ, ପ୍ରତିଭା ଥିଲେ ମନୁଷ୍ୟ ଯେ କୌଣସି ଅବସ୍ଥାରେ ରହିଲେ ମଧ୍ୟ ତାର ଯଶ ପ୍ରତିଷ୍ଠା କରି ପାରିବ । କବିବର ରାଧାନାଥଙ୍କ ନିକଟକୁ ଗଙ୍ଗାଧର ବିଭିନ୍ନ ସମୟରେ ଯେଉଁ ପତ୍ରାବଳୀ ଲେଖିଥିଲେ ଓ କବିବର ରାଧାନାଥ ମଧ୍ୟ ତାଙ୍କ ନିକଟକୁ ଯେଉଁ ପତ୍ରସବୁ ଲେଖିଥିଲେ, ସେଗୁଡ଼ିକ ପାଠ କଲେ କବି ହୃଦୟର ବାସ୍ତବରୂପ ଆମ ଆଖି ଆଗରେ ନାଚିଯାଏ । କବି ଗଙ୍ଗାଧର ସେ ସମୟରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ, ବିଶ୍ଵନାଥ କର, ଫକୀରମୋହନ, ନନ୍ଦକିଶୋର, ଚିନ୍ତାମଣି ମହାନ୍ତି ପ୍ରମୁଖ ସାହିତ୍ୟିକମାନଙ୍କ ସହିତ ସଂପର୍କ ପ୍ରତିଷ୍ଠା କରିଥିଲେ । ଏମାନଙ୍କ ସଂପର୍କରେ ଆସିବା ଫଳରେ ସେ ତତ୍କାଳୀନ ସାହିତ୍ୟ ଜଗତର ପ୍ରତ୍ୟେକ ବିଷୟ ପ୍ରତି ସଚେତନ ରହୁଥିଲେ ।

 

ଗଙ୍ଗାଧର ସାହିତ୍ୟ ବିଷୟରେ ସର୍ବାଙ୍ଗ ଆଲୋଚନା ଏପରି ସୀମିତ ପରିସର ମଧ୍ୟରେ ସମ୍ଭବ ନୁହେଁ; ତଥାପି ତାଙ୍କ ସାହିତ୍ୟର ଯେଉଁ କେତେଗୋଟି ଦିଗ ଏଠାରେ ଆଲୋଚନା କରାଯାଇଅଛି, ତାହା ତାଙ୍କର କବିପ୍ରତିଭା ସହିତ ପରିଚିତ ହେବାପାଇଁ ସହାୟକ ହେବାର କଥା । ଗଙ୍ଗାଧରଙ୍କର ଅମର କବି ପ୍ରତିଭା ଓଡ଼ିଆ ସାରସ୍ଵତ କ୍ଷେତ୍ରରେ ସବୁଦିନ ପାଇଁ ଯେ ସ୍ଵୀକୃତି ଲାଭ କରିବ, ଏଥିରେ ସନ୍ଦେହର ଅବକାଶ ନାହିଁ । କାବ୍ୟ କବିତା ମଧ୍ୟରେ ଗଙ୍ଗାଧରଙ୍କର ବାଣୀ ଚିରଭାସ୍ଵର ହୋଇ ଏ ଦେଶବାସୀଙ୍କ ନିକଟରେ ଅମୃତର ବାଣୀହିଁ ପ୍ରଚାର କରୁଥିବ ।

Image